ଭୁବନେଶ୍ବର: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ଜାରି ରହିଛି। ନିର୍ମାଣ କାମ ତ୍ବରାନ୍ବିତ ହେଲେ ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇପାରେ। ଏହା ପୂର୍ବରୁ ଆସନ୍ତା ୨୨ ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ। ଏଥି ପାଇଁ କେନ୍ଦ୍ର ସରକାର, ଉତ୍ତରପ୍ରଦେଶ ସରକାର ଓ ବିଶ୍ବ ହିନ୍ଦୁ ପରିଷଦ ଉଦ୍ୟମ ଜୋରଦାର କରିଦେଇଛନ୍ତି। ଅଯୋଧ୍ୟାରେ ଅନ୍ତର୍ଜାତୀୟ ସ୍ତରୀୟ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପର୍ବ ଆରମ୍ଭ ହୋଇଯାଇଛି। କିଛିଦିନ ପୂର୍ବରୁ ଜଗନ୍ନାଥ ଅର୍ପଣ ରଥ ଗାଁ ଗଣ୍ଡାରେ ବୁଲିଥିବା ବେଳେ ପ୍ରକଳ୍ପ ସ୍ଥାନରେ ନାମଯଜ୍ଞ ଆରମ୍ଭ ହୋଇଯାଇଛି। ତେବେ ଜଗନ୍ନାଥ ଅର୍ପଣ ରଥ ନେଇ ରାଜ୍ୟର ଅନେକ ଗାଁରେ ଅଭାବନୀୟ ପରିସ୍ଥିତି ଦେଖାଯାଇଛି, ଯାହାକି ବିରୋଧୀମାନେ ଦଳୀୟ କାର୍ଯ୍ୟକ୍ରମ ବୋଲି ଅଭିଯୋଗ ମଧ୍ୟ ଆଣିଛନ୍ତି।
ଅର୍ପଣ ରଥ ନାଁରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦିଆଯାଉଛି ବୋଲି ମଧ୍ୟ ଅଭିଯୋଗ ହୋଇଛି। ପ୍ରଭୁ ଜଗନ୍ନାଥଙ୍କର ନାମ ନିଆଯାଉଛି। କିନ୍ତୁ ଫଟୋ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦଳୀୟ ନେତାଙ୍କର ଫଟୋ ଲାଗିଛି। ଭୁବନେଶ୍ବର, ଭଦ୍ରକ, ବାଲେଶ୍ବର ଓ ଅନୁଗୁଳରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ବୁଲୁଥିବା ଅର୍ପଣ ରଥକୁ ନେଇ ବିରୋଧର ସ୍ବର ଉଠିଛି। କେଉଁଠି ଜଗନ୍ନାଥଙ୍କ ଫଟୋ ଉପରେ ବିଜେଡି କର୍ମୀ ଗୋଡ ରଖାଯାଇଥିବା ଫଟୋ ଦେଖିବାକୁ ମିଳୁଛି। ଆଉ କେଉଁଠି ଜଗନ୍ନାଥଙ୍କ ମୁରୁଜ ଉପରେ ଗୋଡ଼ ରଖିଛନ୍ତି କର୍ମୀ। ଜୋତା ପିନ୍ଧି ଅରୁଆ ଚାଉଳ ସଂଗ୍ରହ କରାଯାଉଛି। ଜଗନ୍ନାଥଙ୍କ ପ୍ରତି ଅସମ୍ମାନକୁ ନେଇ ସବୁଠି ଲୋକଙ୍କ ଅସନ୍ତୋଷ ଦେଖାଯାଉଛି। ମହାପ୍ରଭୁଙ୍କ ନାଁରେ ରାଜନୀତିକୁ ନେଇ ଲୋକେ ଜୋରଦାର ପ୍ରତିବାଦ କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ଏହାର ସ୍ବର ଅଧିକ।
ସାଂସଦଙ୍କ ଅସନ୍ତୋଷ
ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳର ଗଣେଶ ମଣ୍ଡପ ନିକଟରେ ଡ଼ଷ୍ଟବିନ୍ ପାଖରେ ଜଗନ୍ନାଥଙ୍କ ଅର୍ପଣ ରଥ ରଖାଯାଇଥିଲା। ଖୋଲା ଆକାଶ ତଳେ ଗାଡ଼ି ଉପରେ ବସିଥିଲେ ମହାପ୍ରଭୁ। ଅନୁଗୁଳ ଜିଲ୍ଲା ତୁରଙ୍ଗ ଗାଁରେ ଅର୍ପଣ ରଥ ନାଁରେ ଛିଡ଼ା ହୋଇଥିବା ଏକ ପିକ୍ଅପ୍ ଭ୍ୟାନରେ ନବୀନ ଓ ପାଣ୍ଡିଆନଙ୍କ ଫଟୋ ଦେଖି ଲୋକେ ରାଗି ଯାଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ତୋଟାପଡା ପଂଚାୟତ କୁଳିଆଡିଆ ଗାଁରେ ଜଗନ୍ନାଥଙ୍କ ନାଁରେ ବୁଲୁଥିବା ଗାଡ଼ିରେ ପାଣ୍ଡିଆନ ଓ ନବୀନଙ୍କ ଫୋଟକୁ ଲୋକେ ବିରୋଧ କରିଥିଲେ। ବାଲେଶ୍ବର ଜିଲ୍ଲା ନୀଳଗିରିର ବିଭିନ୍ନ ସ୍ଥାନରେ ମଧ୍ୟ ଅର୍ପଣ ରଥକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ମହାପ୍ରଭୁଙ୍କୁ ଏଭଳି ଅପମାନ ଓ ଅସମ୍ମାନକୁ ନେଇ ସାଂସଦ ଅପରାଜିତ ଷଡ଼ଙ୍ଗୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ବିରୋଧ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଶ୍ରୀକ୍ଷେତ୍ର ନୁହେଁ ପର୍ଯ୍ୟଟନସ୍ଥଳ: ବିଜୟ ପଟ୍ଟନାୟକ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଅର୍ପଣ ରଥ ନେଇ ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଶ୍ରୀକ୍ଷେତ୍ରରେ ଶୌଚାଳୟ ଉଦ୍ଘାଟନ ପାଇଁ ରାଜ୍ୟବ୍ୟାପି ଗୁଆ ନିମନ୍ତ୍ରଣ ହୋଇଛି। ଏହି ରଥରେ ମହିଳାମାନେ ଗୁଆ, ଅରୁଆ ଚାଉଳ ଅର୍ପଣ କରିଛନ୍ତି। ଏହାଠୁ ହାସ୍ୟାସ୍ପଦ କଥା କିଛି ନାହିଁ। ସରକାର ପୁରୀ ଶ୍ରୀମନ୍ଦିରକୁ ଏକ ପର୍ଯ୍ୟଟନସ୍ଥଳୀ ବୋଲି ଭାବୁଛନ୍ତି। ସରକାର କେବେ ବି ମହାପ୍ରଭୁଙ୍କ ପ୍ରତି ଥିବା ଓଡ଼ିଆଙ୍କ ଭାବାବେଗକୁ ବୁଝି ନାହାନ୍ତି। ବୁଝିଥିଲେ ସେ ମହାପ୍ରଭୁଙ୍କୁ ଏପରି ଭାବେ ଚିତ୍ରଣ କରି ନ ଥାନ୍ତେ। ମହାପ୍ରଭୁ କ’ଣ ତାହା ପ୍ରତିଟି ଓଡ଼ିଆ ବୁଝିଛନ୍ତି। ମହାପ୍ରସାଦର ପ୍ରଚାର, ପ୍ରସାରର କୌଣସି ଆବଶ୍ୟକତା ନାହିଁ। ତାହାକୁ ପାଇବା ପ୍ରତିଟି ଓଡ଼ିଆଙ୍କର ଜୀବନରୁ ମୃତ୍ୟୁ ପର୍ଯ୍ୟନ୍ତ ଆଶା ଥାଏ। ମାତ୍ର ତାହାର ପ୍ରଚାର, ପ୍ରସାର ପାଇଁ ଜଣେ ଗୋମାଂସ ଭକ୍ଷଣକାରୀଙ୍କୁ ବଛାଗଲା। ମହାପ୍ରସାଦର ପ୍ରଚାର ପାଇଁ ଜଣେ ଗୋମାଂସ ଭକ୍ଷଣକାରୀ ମହିଳାଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇଲେ। ଏହା ଓଡ଼ିଆଙ୍କ ଧର୍ମୀୟ ଭାବନା ପ୍ରତି କୁଠାରଘାତ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦଳୀୟ କାର୍ଯ୍ୟକ୍ରମ : ବିଜେପି
ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦଳୀୟ କାର୍ଯ୍ୟକ୍ରମ ବୋଲି କହିଛନ୍ତି। ସେ କହିଛନ୍ତି, ଜଗନ୍ନାଥ କେଉଁ ଦଳର ନୁହଁନ୍ତି। ସାଲବେଗକୁ ଭେଟିବାକୁ ଜଗନ୍ନାଥ ୯ ଦିନ ବାହାରକୁ ବାହାରିଥିଲେ। ଆମେ ସାମିଲ ହେବା ଉଚିତ ନା ନାହିଁ ଏହା ଆପଣ ବିଚାର କରନ୍ତୁ। ଭୁବନେଶ୍ୱର ରାମ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ କହିଥିଲେ ଯେ, ଆମେ ସାମିଲ ହେବକୁ ନାହିଁ, ତାହା ଲୋକେ ବିଚାର କରନ୍ତୁ।
କାର୍ଯ୍ୟକ୍ରମକୁ ଆମେ କାହିଁକି ଯିବୁ: କଂଗ୍ରେସ
ମକର ସଂକ୍ରାନ୍ତି ଅବସରରେ କଂଗ୍ରେସର ଉତ୍ତରପ୍ରଦେଶ ଶାଖାର କିଛି କର୍ମକର୍ତ୍ତା ଅଯୋଧ୍ୟାରେ ରାମଲଲାଙ୍କ ଦ୍ବାରରେ ପହଞ୍ଚି ଥିଲେ। କଂଗ୍ରେସର ନେତାମାନେ ସରଯୂ ନଦୀରେ ସ୍ନାନ ମଧ୍ୟ କରିଥିଲେ। ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ ରାୟ ଦଳୀୟ ନେତା ଅବିନାଶ ପାଣ୍ଡେ, ଦୀପେନ୍ଦ୍ର ହୁଡ୍ଡା, ଅଖିଳେଶ ପ୍ରତାପ ସିଂହଙ୍କ ସହିତ ସରଯୂ ନଦୀରେ ବୁଡ଼ ପକାଇଥିଲେ। ଏହି ଅବସରରେ କଂଗ୍ରେସ ପଭାରୀ ଅବିନାଶ ପାଣ୍ଡେ ଗଣମାଧ୍ୟମକୁ କହିଥିଲେ ଯେ, ଜାନୁଆରି ୨୨ ତାରିଖର କାର୍ଯ୍ୟକ୍ରମକୁ ଆମେ କାହିଁକି ଯିବୁ? ଏହା ସେମାନଙ୍କର (ବିଜେପି) ରାଜନୈତିକ କାର୍ଯ୍ୟକ୍ରମ। ରାମଲଲାଙ୍କ ଦର୍ଶନ ଓ ସରଯୂରେ ବୁଡ଼ ପକାଇବା ପାଇଁ ଯେକୌଣସି ଲୋକ ଆସିପାରିବ। କଂଗ୍ରେସର ନେତା ସବୁବେଳେ ଅଯୋଧ୍ୟା ଆସିଥାନ୍ତି। ଏଥିରେ କିଛି ନୂଆ ନୁହେଁ।