Wednesday, September 18, 2024
Homeଖବରପ୍ରଚାର ଅଧିକ, କାମ କମ୍

ପ୍ରଚାର ଅଧିକ, କାମ କମ୍

ଭୁବନେଶ୍ବର: ଆଗକୁ ସାଧାରଣ ନିର୍ବାଚନ। ଦୁଇ ମାସ ପରେ ଲୋକସଭା ସହିତ ଓଡ଼ିଶାରେ ବିଧାନସଭା ପାଇଁ ମତଦାନ ହେବ। ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି। ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ନିଜନିଜ ସ୍ତରରେ ପ୍ରଚାର କରୁଛନ୍ତି। ଗତ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଏବେ ରାହୁଲ ଗାନ୍ଧୀ ୩ଦିନିଆ ଓଡ଼ିଶା ଗସ୍ତରେ ସାରି ଫେରି ଯାଇଛନ୍ତି। ଆଞ୍ଚଳିକ ଦଳ ବିଜୁ ଜନତା ଦଳ (ବିଜେଡି) ୨୪ ବର୍ଷର ବିକାଶ କାମକୁ ଆଧାର କରି ତଥା ନବୀନ ପଟ୍ଟନାୟକଙ୍କ ମୁହଁ ଦେଖାଇ ଘରକୁ ଘର ପ୍ରଚାର ଅଭିଯାନ ଚଲାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କହି ଆସୁଛନ୍ତି ଯେ, ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କୁ ନେଇ ତାଙ୍କ ପରିବାର ଗଠିତ। ରାଜ୍ୟର ଜନତା ଯେପରି ଖୁସିରେ ରହିବେ ସେଥିପାଇଁ ତାଙ୍କ ସରକାର କାମ କରୁଛି। ବିଜେଡିର କିଛି ଚାମ୍ଚା ମଧ୍ୟ ନବୀନଙ୍କୁ ପ୍ରଶଂସା କରୁଛନ୍ତି। ଏପରିକି କିଛି ଲୋକ ନବୀନଙ୍କୁ ପ୍ରଭୁ ଜଗନ୍ନାଥଙ୍କ ସହିତ ତୁଳନା କରିବାକୁ ପଛାଉ ନାହାନ୍ତି। ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଯାତ୍ରା ଜଗତର ଖଳନାୟକ ଭୂମିକା ତୁଲାଇ ଦର୍ଶକଙ୍କ ନିକଟରେ ଲୋକପ୍ରିୟତା ଅର୍ଜନ କରିଥିବା କଳାକାର ଦୈତାରୀ ପଣ୍ଡା। ନିକଟରେ ସେ ବିଜେଡିରେ ଯୋଗଦେବା ଅବସରରେ କହିଥିଲେ, ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ଜଗନ୍ନାଥ। ନିକଟରେ ପରିକ୍ରମା ପ୍ରକଳ୍ପ ପାଇଁ ଯେତେବେଳେ ରାଜ୍ୟବ୍ୟାପୀ ଅର୍ପଣ ରଥ ବୁଲିଥିଲା, ସେଥିରେ ମଧ୍ୟ ନବୀନଙ୍କ ଫଟୋ ରହିଥିଲା, ଯାହାକୁ ନେଇ ବିରୋଧୀ ଓ ଶ୍ରଦ୍ଧାଳୁ ଅଭିଯୋଗ ଆଣିଥିଲେ।

ଦାଦନ ହାର କେତେ ବଢ଼ିଛି?

ରାଜ୍ୟ ସରକାର ବିକାଶ ମୂଳକ କାମ ତୁଳନାରେ ପ୍ରଚାର ଅଧିକ କରୁଛନ୍ତି। ଏହି କଥା ବିରୋଧୀ, ସମାଲୋଚକ ଓ ବୁଦ୍ଧିଜୀବୀମାନେ ବାରମ୍ବାର କହି ଆସୁଛନ୍ତି। ପ୍ରତିଦିନ ଖବରକାଗଗୁଡ଼ିକରେ ପୂରାପୃଷ୍ଠା ବିଜ୍ଞାପନ ରହୁଛି। ପ୍ରକୃତରେ ପ୍ରଚାର କମ କରି କାମ ଅଧିକ କଲେ ଲୋକଙ୍କୁ ସଂକଟ ଅବସ୍ଥାରେ ଜୀବନଯାପନ କରିବାକୁ ପଡ଼ନ୍ତା ନାହିଁ। ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ସଂକଟ, କୃଷି ଆଦି ବିଭିନ୍ନ ସମସ୍ୟା ଭରି ରହିଥିଲେ ମଧ୍ୟ କାଗଜପତ୍ରରେ ସରକାର ଲୋକେ ବହୁତ ଭଲରେ ଅଛନ୍ତି ବୋଲି କହୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋଷଡ଼ ବିଧାନସଭାର ଅନ୍ତିମ ବେଜଟ ଅଧିବେଶନରେ ବୁଧବାର କହିଛନ୍ତି, ରାଜ୍ୟରେ ଦାରିଦ୍ର୍ୟ ହାର ୧୦ ପତିଶତ ରହିଛି। ୨୦୦୦ ମସିହାରେ ଏହା ୭୦ ପ୍ରତିଶତ ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖୁ ନାହାନ୍ତି ଯେ, ୨୦୦୦ ମସିହାରେ କେତେ ଲୋକ ଦାଦନ ଖଟିବାକୁ ଯାଇଥିଲେ ଏବଂ ବର୍ତ୍ତମାନ ଏହି ହାର କେତେ ପରିମାଣରେ ବଢ଼ିଛି।


ମିଳୁନାହିଁ ଆବାସ ଘର

ରାଜ୍ୟ ସରକାର ନିକଟରେ କହିଥିଲେ ଯେ, ଆବାସ ଯୋଜନାରେ ୩୪ ଲକ୍ଷ ଲୋକଙ୍କୁ ଘର ଦେଇଛନ୍ତି। କିନ୍ତୁ ଯଦି ଏହା ସତ। ତଥାପି ପ୍ରକୃତ ହିତାଧିକାରୀଙ୍କୁ ଗୃହ ମିଳିପାରୁ ନାହିଁ। ରାୟଗଡ଼ା ଜିଲ୍ଲାର ବିଷମକଟକ ସଦର ଅଂଚଳରେ ରହୁଥିବା ମନ୍ଦ କୌଶଳ୍ୟାଙ୍କୁ ସରକାରୀ ଯୋଜନାରେ ଘର ମିଳୁ ନାହିଁ। ନିଜର ବୋଲି କେହି ନଥିବା ବେଳେ ତାଂକୁ ଅଧିକା ଦୁଃଖ ଦେଇଛି ଦୃଷ୍ଟିହୀନତା। ଭଙ୍ଗା କୁଡିଆରେ ବର୍ଷା, ଖରା ଓ ଶୀତରେ ଅତି ଦୟନୀୟ ଭାବେ ନିଜର ଜୀବନ କାଟୁଛନ୍ତି। ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରୁଥିଲେ ମଧ୍ୟ ତାଂକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇପାରୁ ନାହିଁ। ଏହି ପରି ନିକଟରେ ରାଜ୍ୟପାଳ ରଘୁବର ଦାସ ଯେତେବେଳେ କେନ୍ଦ୍ରାପଡ଼ା ଓ ଯାଜପୁର ଗସ୍ତ କରିଥିଲେ, ସେଠାରେ ମଧ୍ୟ ମହିଳାମାନେ ଘର ପାଇଁ ଗୁହାରି କରିଥିଲେ।  

ବଞ୍ଚିଥିବା ମଣିଷକୁ ମାରିଦେଉଛନ୍ତି!

ପ୍ରତି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କାର୍ଡ (ବିଏସ୍କେୱାଇ) ସଫଳତା କହୁଛନ୍ତି। ରାୟଗଡ଼ା ଜିଲ୍ଲାର ଜଣେ ବ୍ୟକ୍ତି ସୁସ୍ଥ ଅଛନ୍ତି। ସେ କେବେ ବି ଡାକ୍ତରଖାନା ଯାଇ ନାହାନ୍ତି। କିନ୍ତୁ ସଂପୃକ୍ତ ବ୍ୟକ୍ତିଙ୍କୁ କିଡ୍ନି ରୋଗୀ ଦର୍ଶାଯାଇଛି ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ହୋଇଛନ୍ତି ବୋଲି କହୁଛନ୍ତି। ସେହିପରି ସ୍ୱାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀଙ୍କୁ ବିଧବା ସଜେଇ ଦେଇଛନ୍ତି ରାଜ୍ୟ ସରକାର। ବରିଷ୍ଠ ନାଗରିକଙ୍କ ସ୍ୱାମୀ ମୃତ ବୋଲି ରାଜ୍ୟ ସରକାରଙ୍କ ଲୋକପ୍ରିୟ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ର ବୁକଲେଟରେ ପ୍ରକାଶ କରିଛନ୍ତି,  ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ବରଗଡ଼ ଜିଲ୍ଲା ଦର୍ଲିପାଲି ଗାଁର ବୁଢ଼ିମାଉସୀ ତେଜକୁଅଁର ପଟେଲ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments