ଭୁବନେଶ୍ୱର: ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ସ୍ୱାଭାବିକ ମୃତ୍ୟୁ ଓ ଦୁର୍ଘଟଣାଜନିତ ମୃତ୍ୟୁ ଭିତରେ ଅନେକ ତଫାତ । ଉଭୟ ମୃତ୍ୟୁରେ ଶୋକାକୁଳ ପରିସ୍ଥିତି ଦେଖାଯାଇଥାଏ । କିନ୍ତୁ ଦୁର୍ଘଟଣାଜନିତ ମୃତ୍ୟୁ ସ୍ୱାଭାବିକ ତୁଳନାରେ ଅଧିକ ଯନ୍ତ୍ରଣା ଦେଇଥାଏ । ଅକାଳରେ ସ୍ୱାଭାବିକ ମୃତ୍ୟୁ ହେଲେ ବି ପୀଡ଼ିତ ପରିବାର ଲୋକଙ୍କୁ କଷ୍ଟ ଦେଇଥାଏ । କିନ୍ତୁ କ୍ଷୋଭର ବିଷୟ ହେଲା ଯେ, କଳା ହେଉ ବା କ୍ରୀଡ଼ା ହେଉ ପ୍ରଦର୍ଶନ ସମୟରେ ଅନ୍ୟକୁ ଖୁସି ଓ ଉତ୍ସାହ ଦେଉଥିବା ବ୍ୟକ୍ତିର ଯଦି ଅଚାନକ ମୃତ୍ୟୁ ହୁଏ, ସେତିକି ବେଳେ ପରିସ୍ଥିତି ଅଲଗା ହୋଇଥାଏ ।
ବିଗତ ଦିନରେ ଆମ ଆଖି ଆଗରେ ପ୍ରଦର୍ଶନ କରୁଥିବା ବେଳେ ଅନେକଗୁଡ଼ିଏ କଳାକାର ଓ କ୍ରୀଡ଼ାବିତ୍ଙ୍କ ମୃତ୍ୟୁ ହୋଇଛି । ଏଗୁଡ଼ିକ ମଧ୍ୟରୁ କିଛି ବିପର୍ଯ୍ୟୟ ଜନିତ ଏବଂ ଆଉ କିଛିର କାରଣ ରୋଗ । ସବୁଠାରୁ ବଡ଼ କଥ ହେଲା ପ୍ରଦର୍ଶନ ସମୟରେ ଯେତେବେଳେ ପ୍ରଦର୍ଶନକାରୀଙ୍କ ଶୋଚନୀୟ ଅବସ୍ଥା ହୋଇଛି, ସେମାନଙ୍କୁ ବଞ୍ଚାଇବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସଫଳତା ମିଳିପାରି ନାହିଁ । ଓଡ଼ିଶା ସମେତ ଭାରତରେ କ୍ରୀଡ଼ା ଓ କଳା ପ୍ରଦର୍ଶନ ସମୟରେ ମୃତ୍ୟୁ ଘଟିଛି ।
ମଞ୍ଚଳରେ ଟଳିଳେ ନୃତ୍ୟଶିଳ୍ପୀ
ଭୁବନେଶ୍ୱର ପାନ୍ଥନିବାସରେ ଗତ ୯ ତାରିଖ ଦିନ ଏକ ଅଭାବନୀୟ ଅଘଟଣ ଘଟିଛି । ନୃତ୍ୟ ପରିବେଷଣ କରୁଥିବା ବେଳେ କଳାକାରଙ୍କ ମୃତ୍ୟୁ ଘଟିଛି । ରାଷ୍ଟ୍ରୀୟ ଜୟଦେବ ସମାରୋହ ପରିବେଷଣ ସହ ଶ୍ରୀ ଜୟଦେବ ଅନ୍ତର୍ଜାତୀୟ ପୁରସ୍କାର ଗ୍ରହଣ କରିବାକୁ ଆସିଥିବା ମାଲେସିଆର ଶ୍ରୀଗଣେଶନ୍ଙ୍କ ଶୁକ୍ରବାର ସନ୍ଧ୍ୟାରେ ଅତିଥିମାନଙ୍କ ଗହଣରେ ପ୍ରଦ୍ୱୀପ ପ୍ରଜ୍ୱଳନ କରୁଥିବା ସମୟରେ ଶ୍ରୀଗଣେଶନ୍ଙ୍କ ଗୁରୁତର ହୋଇଥିଲେ । ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଶ୍ରୀଗଣେଶନ୍ଙ୍କୁ ଡାକ୍ତରମାନେ ମୃତ୍ୟୁମୁଖରୁ ବଞ୍ଚାଇପାରି ନଥିଲେ । ଏହା ପୂର୍ବରୁ ଶ୍ରୀଗଣେଶନ୍ “ଧୀର ସମୀରେ ଯମୁନା ତୀରେ’ ସଂଗୀତର ତାଳେତାଳେ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ ।
କୋଲକାତାରେ ପ୍ରାଣ ହରାଇଥିଲେ କେକେ
ଗତବର୍ଷ ମେ’ ୩୧ ତାରିଖ ସନ୍ଧ୍ୟାର ଘଟଣା । ଭାରତୀୟ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ଗାୟକ କ୍ରିଷ୍ଣକୁମାର କୁନ୍ନଥ (କେକେ)ଙ୍କର ମୃତ୍ୟୁ ହୋଇଥିଲା । ହିନ୍ଦୀ ସମେତ ତାମିଲ, ତେଲୁଗୁ, କନ୍ନଡ ଏବଂ ବଂଗାଳୀ ଚଳଚ୍ଚିତ୍ରର ଅନ୍ୟତମ ବାଦଶାହା କେକେ ସେଦିନ କୋଲକାତାର ନାଜରୁଲ ମଞ୍ଚରେ ପ୍ରଦର୍ଶନ କରିବାକୁ ଯାଉଥିଲେ । ହଜାର ହଜାର ଦର୍ଶକ ତାଙ୍କ ଗୀତଶୁଣିବାକୁ ଅପେକ୍ଷା କରିଥିଲେ । କିନ୍ତୁ ହଠାତ୍ ସେ ମଞ୍ଚରେ ପଡ଼ିଯାଇଥିଲେ । ପରେ ତାଙ୍କୁ କୋଲକାତାର ସିଏମ୍ଆରଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କୁ ଡାକ୍ତର ମୃତ୍ୟୁମୁଖରୁ ବଞ୍ଚାଇ ପାରିନଥିଲେ ।
ମ୍ୟାଚ୍ ସମୟରେ ମୃତ୍ୟୁ
ଅତୀତରେ କ୍ରିକେଟ୍ ଓ ଫୁଟବଲ ପଡ଼ିଆରେ କ୍ରୀଡ଼ା ଚାଲିଥିବା ବେଳେ ଅନେକ ପ୍ରତିଭାଙ୍କ ମୃତ୍ୟୁ ହୋଇଛି । ଷ୍ଟାଡିୟମ ଅଥବା ପଡ଼ିଆରେ ଖେଳାଳିମାନେ ଜୀବନ ହରାଇଛନ୍ତି । କେବଳ ଅନ୍ତର୍ଜାତୀୟ ସ୍ତରରେ ନୁହେଁ । ବରଂ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ନଜିର ରହିଛି । ଫୁଟବଲ ପଡ଼ିଆରେ ଖେଳ ଚାଲିଥିବା ବେଳେ ବିଗତ ୪୧ ବର୍ଷ ମଧ୍ୟରେ ୧୭୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ରହିଛି ପରସ୍ପର ଲଢ଼େଇ, ହୃଦ୍ଘାତ, ଦଳାଚକଟା ଓ ହିଂସା ପ୍ରମୁଖ । ମୟୂରଭଂଜ ଜିଲ୍ଲା ଲକ୍ଷ୍ମୀପୋଷିସ୍ଥିତ ରଜାବସାସ୍ଥିତ ଖେଳ ପଡ଼ିଆରେ ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଫୁଟବଲ ମ୍ୟାଚ ଚାଲିଥିଲା । ଏହି ସମୟରେ ବଜ୍ରପାତ ଯୋଗୁଁ ଜଣେ ଖେଳାଳିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଥିଲେ ।
ପଡ଼ିଆରେ ବଜ୍ରପାତ ଓ ହୃଦ୍ଘାତ
କ୍ରିକେଟ୍ ପଡ଼ିଆରେ ମ୍ୟାଚ ଚାଲିଥିବା ବେଳେ ବ୍ରଜପାତ ଓ ହୃଦ୍ଘାତ ଯୋଗୁଁ ଖେଳାଳିମାନଙ୍କର ମୃତ୍ୟୁ ଘଟିଛି । ଭାରତରେ ଗତବର୍ଷ ଏହିଭଳି ୨ଟି ଅଘଟଣ ଘଟିଛି । ଉତ୍ତରପ୍ରଦେଶର କାନପୁରସ୍ଥିତ ବିଲହୋରରେ ଡିସେମ୍ବର ୭ ତାରିଖ ଦିନ ରନ୍ ନେଉଥିବା ବେଳେ ବଳରାମ ନଗରନିବାସୀ ଅନୁଜଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଅର୍ଦ୍ଧଶତକ ହାସଲ ପରେ ଭୁବନେଶ୍ୱର ଉପକଣ୍ଠ କୁମାରଡିହ ମଙ୍ଗଳା ମନ୍ଦିର ନିକଟରେ ଯୁବକ୍ରିକେଟର ଜନାର୍ଦ୍ଦନ ପତିଙ୍କ ମୃତ୍ୟୁ ହୋଇଥିଲା । ୨୦୧୯ ଏପ୍ରିଲ ୨୬ ତାରିଖ ଦିନ କଟକର ଟାଙ୍ଗୀ ଅଞ୍ଚଳସ୍ଥିତ ଏକ ପଡ଼ିଆରେ ଖେଳୁଥିବା ବେଳେ କନ୍ଧମାଳ ଜିଲ୍ଲାର ଶିଶରି ଦିଗାଲ ଓ ନୟାଗଡ଼ ଜିଲ୍ଳାର ବିଭୂତି ନାୟକ ବଜ୍ରପାତରେ ମୃତ୍ୟୁର ଶିକାର ହୋଇଥିଲେ ।