ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଦେବାଳୟଗୁଡ଼ିକ ଦୀର୍ଘ ୯ ମାସରୁ ଅଧିକ ସମୟ ଧରି ବନ୍ଦ ରହିଛି । ପ୍ରଭୁଙ୍କ ଦର୍ଶନ ନପାଇ ଭକ୍ତମାନେ ବ୍ୟାକୁଳ ହୋଇପଡ଼ିଛନ୍ତି । ମନ୍ଦିର ଖୋଲିଲେ ଠାକୁରଙ୍କ ଦର୍ଶନ ହେବ । ଅନେକ ଦିନର ଆଶା ଦୂର ହେବ । ଏହାରି ମଧ୍ୟରେ ଶ୍ରୀମନ୍ଦିର ଖୋଲିବା ନେଇ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନେଇଛି । ଆସନ୍ତା ୨୩ ତାରିଖରୁ ୨ ଦିନ ପାଇଁ ଶ୍ରୀମନ୍ଦିର ସେବାୟତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ପବୂରୁ ଜିଲ୍ଲାପାଳ ବଲୱନ୍ତ ସିଂହ । ଏହା ପରେ ପୁରୀ ସହରର ଲୋକେ ଶ୍ରୀମନ୍ଦିରକୁ ପ୍ରବେଶ କରି ବଡ଼ଠାକୁରଙ୍କୁ ଦର୍ଶନ କରିପାରିବେ । ନୂଆବର୍ଷରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଜାନୁଆରୀ ୧ ଓ ୨ ତାରିଖରେ ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ । କିନ୍ତୁ ଜାନୁଆରି ୩ ତାରିଖ ଠାରୁ ରାଜ୍ୟ ତଥା ରାଜ୍ୟ ବାହାର ଭକ୍ତମାନେ ମଧ୍ୟ ଶ୍ରୀମନ୍ଦିରକୁ ଯାଇପାରିବେ ।
୫-ଟି ସଚିବଙ୍କ ଅଚାନକ ପୁରୀ ଗସ୍ତ
ମନ୍ଦିର ଖୋଲିବା ପୂର୍ବରୁ ଶ୍ରୀମନ୍ଦିର ବାହାର ଭିତ୍ତିଭୂମିକ ସଜାଚାଲିଛି । ସେଡଗୁଡ଼ିକର ମରାମତି କାମକୁ ତୀବ୍ର କରିଦିଆଯାଇଛି । ୫-ଟି ସଚିବ ଭିକେ ପାଣ୍ଡିଆନ ଆଜି ସକାଳୁ ପୁରୀ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସହିତ ଆଲୋଚନା କରିଛନ୍ତି । ପାଣ୍ଡିଆନଙ୍କ ଗସ୍ତ କାଳରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର ଉପସ୍ଥିତ ଥିଲେ ।
କୋଭିଡ କଟକଣାରେ ମନ୍ଦିର ଖୋଲିବ
ମନ୍ଦିର ଖୋଲିବା ପୂର୍ବରୁ କୋଭିଡ-୧୯ କଟକଣାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପୁରୀ ଶ୍ରୀମନ୍ଦିରରେ ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଦିନକୁ ୫୦୦୦ ଶ୍ରଦ୍ଧାଳୁଙ୍କୁ ପ୍ରଭୁଙ୍କ ଦର୍ଶନ ମିଳିବ । ଏହା ପରେ ପରିସ୍ଥିତି ଦେଖି ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ାଇବାକୁ ପ୍ରଶାସନ ନିଷ୍ପତ୍ତି ନେବ । କେନ୍ଦ୍ରାପଡ଼ାସ୍ଥିତ ବଳଦେବଜୀଉ ମନ୍ଦିରରେ ଥରକୁ ୧୦୦ ଜଣ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ଅନୁମତି ମିିଳିବ । ତେବେ ପ୍ରତ୍ୟେକ ମନ୍ଦିରରେ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ରକ୍ଷା କରିବେ । ବାଧ୍ୟତାମୂଳକ ଭାବେ ହାତ ସାନିଟାଇଜ କରିବାକୁ ପଡ଼ିବ । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଯିବାକୁ ହେଲେ କୋଭିଡ-ନେଗେଟଭ ରିପୋର୍ଟ ଦେଖାଇବାକୁ ପଡ଼ିବ ।
ବଳଦେବଜିଉଙ୍କୁ ଥରକୁ ୧୦୦ ଶ୍ରଦ୍ଧାଳୁ ଦର୍ଶନ କରିବେ
କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବଜିଉ ମନ୍ଦିର ଓ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ୨୦୨୧ ଜାନୁଆରୀ ୩ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ପାଇଁ ଖୋଲିବ । ବଳଦେବଜିଉ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଏକାଥରକେ ୧୦୦ ଜଣ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ଜାରି ହେବ ଏସ୍ଓପି
ସମଲେଶ୍ୱରୀ ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ରହିବ । ତେଣୁ ଡିସେମ୍ବର ୨୪ ତାରିଖ ପୂର୍ବରୁ ଏସଓପି ପ୍ରସ୍ତୁତ କରିବାକୁ କୁହାଯାଇଛି । ସମ୍ବଲପୁର ମହାନଗର ନିଗମର କମିଶନର ଅନିରୁଦ୍ଧ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମନ୍ଦିର ଖୋଲିବାର ପ୍ରଥମ ୫ ଦିନ ସହରବାସୀ ସମଲେଶ୍ୱରୀଙ୍କୁ ଦର୍ଶନ କରିପାରିବେ ।
ନୂଆବର୍ଷରେ ଖୋଲିବ ତାରିଣୀ ଓ ବିରଜା ମନ୍ଦିର!
ରାଜ୍ୟର ପ୍ରମୁଖ ମନ୍ଦିର ଗୁଡ଼ିକ ଖୋଲିବା ପାଇଁ ସଜବାଜ ହୋଇଥିଲେ ବି ଆହୁରି କିଛି ଖୋଲିବା ନେଇ ଏପର୍ଯ୍ୟନ୍ତ ନିଦ୍ଧିଷ୍ଟ ଭାବେ ଘୋଷଣା ହୋଇପାରି ନାହିଁ । କେନ୍ଦୁଝର ଜିଲ୍ଲାର ଘଟଗାଁସ୍ଥିତ ତାରିଣୀ ଓ ଯାଜପୁର ସହରର ବିରଜା ମନ୍ଦିର ନୂଆଁବର୍ଷରେ ଖୋଲିପାରେ । ଏହି ୨ଟି ମନ୍ଦିର ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ଖୁବ ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ।