ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ମତଦାନ ଅନୁଷ୍ଠିତ ହେବ । ମତଦାତାମାନେ ପସନ୍ଦଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ନିଜର ବିଧାୟକଙ୍କୁ ବିଧାନସଭା ପଠାଇବେ । ଉପନିର୍ବାଚନ ପୂର୍ବରୁ ୧୧ ଜଣ ପ୍ରାର୍ଥୀ ପଡ଼ିଆରେ ଅବତୀର୍ଣ୍ଣ ହୋଇଛନ୍ତି । ଶାସକ ବିଜେଡିର ବିରୋଧୀ ବିଜେପି ଓ କଂଗ୍ରେସ ସହିତ କଡ଼ା ମୁକାବିଲା ହେବ ବୋଲି ଚର୍ଚ୍ଚା ହେଉଛି । ତିନିଟି ଦଳ ପକ୍ଷରୁ ପ୍ରଚାର ଜୋରଦାର ଚାଲିଛି । ମନ୍ତ୍ରୀ ଓ ବିଧାୟକଙ୍କ ସମେତ ବରିଷ୍ଠ ନେତାମାନେ ପ୍ରଚାରରେ ଲାଗିପଡ଼ିଛନ୍ତି । ଶୀତୁଆ ରାତି ନେତାଙ୍କ ଆଗରେ ହାର ମାନିଛି । ନେତାମାନେ ପଦ୍ମପୁରକୁ ନିଜ ସପକ୍ଷରେ ଆଣିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି ।
ପଦ୍ମପୁରକୁ ଜିତିବା ପାଇଁ ନେତାମାନେ ଓ ଦଳଗୁଡ଼ିକ କେତେ ପ୍ରକାରର ରଣନୀତି ପ୍ରସ୍ତୁତ କରୁଛନ୍ତି । ମତଦାତା ଓ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ନେତାମାନେ ଜନତାଙ୍କ ଆଗରେ ପ୍ରତିଶ୍ରୁତି ଦେଉଛନ୍ତି । ନେତାମାନେ ପୂର୍ବରୁ ମଧ୍ୟ ଏମିତି ପ୍ରତିଶ୍ରୁତି ଦେଇଥିଲେ । ହେଲେ ପଦ୍ମପୁର କେତେ ବିକାଶ କରିଛି, ତାହା ସେମାନେ ହିଁ ଜାଣନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ବିଜେଡି ପରିଚାଳିତ ନବୀନ ପଟ୍ଟନାୟକ ୪୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଦେଇଥିଲେ । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଯଦିଓ ଅନ୍ୟ ଘୋଷଣା କରିପାରି ନାହାନ୍ତି, ତଥାପି ପରୋକ୍ଷ ଭାବେ ପଦ୍ମପୁରକୁ ୨୦୨୩ ଡିସେମ୍ବର ସୁଦ୍ଧା ଜିଲ୍ଲାର ମାନ୍ୟତା ଦେବେ ବୋଲି କହିଛନ୍ତି ।
ମନ୍ତ୍ରୀ-ବିଧାୟକ ଜଗିଛନ୍ତି
ଧାମନଗର ଉପନିର୍ବାଚନ ହାରିଗଲା ପରେ ବିଜୁ ଜନତା ଦଳ (ବିଜେଡି) ଅଧିକ ବ୍ୟସ୍ତ ହୋଇପଡ଼ିଛି । କାରଣ ବିଜେଡି ଜାଣିଛି ଯଦି ଧାମନଗର ଭଳି ପଦ୍ମପୁରରେ ମଧ୍ୟ ସମାନ ଅବସ୍ଥା ହୁଏ, ତା’ହେଲେ ୨୦୨୪ ସାଧାରଣ ନିର୍ବାଚନରେ ବଡ଼ ଓଲଟପାଳଟ ହୋଇଯିବ । ତେଣୁ ନିର୍ବାଚନ ବୈତରଣୀ ପାରି ହେବା ପାଇଁ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତାକୁ ନିୟୋଜିତ କରିଛି । ୱାର୍ଡସ୍ତରରେ ନେତାଙ୍କୁ ମୁତୟନ କରି ପଦ୍ମପୁରବାସୀଙ୍କ ହୃଦୟ ଜିତିବା ପାଇଁ ଲାଗିଛି । ବିଗତ ୨୨ ବର୍ଷର ବିଜେଡି ସରକାରରେ ଯଦିଓ ଗମନାଗମନ କ୍ଷେତ୍ରରେ ଆଖି ଦୃଶିଆ ବିକାଶ ଆସିଛି, ଅନ୍ୟ କ୍ଷେତ୍ରରେ ଅବସ୍ଥା ଦୟନୀୟ କହିଲେ କିଛି ଭୁଲ ହେବ ନାହିଁ । ପଞ୍ଚାୟତ ଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ଚାରିଆଡେ ଦୁର୍ନୀତିର ଗନ୍ଧ । ସାଧାରଣ ଜନତାଙ୍କୁ ସରକାରୀବାବୁ ଯେଉଁଭଳି ବ୍ୟବହାର କରନ୍ତି, ଏକ ଗଣତନ୍ତ୍ରିକ ରାଷ୍ଟ୍ରର ନାଗରିକଙ୍କୁ ଭାରି ଅପମାନ ଲାଗିଥାଏ ।
ବିଜେପି ଦେଖୁଛି ବିଜୟ ସ୍ୱପ୍ନ
ଧାମନଗର ଉପନିର୍ବାଚନରେ ବିଜେପି ବିଜୟ ହାସଲ କରିଥିବାରୁ ପଦ୍ମପୁରରେ ଏହା ପୁଣି ଥରେ ଦୋହରାଇବାକୁ ଆଶା ବାନ୍ଧିଛି । ଧାମନଗର ଭଳି ପଦ୍ମପୁରରେ ମଧ୍ୟ ପ୍ରାର୍ଥୀ ମଜବୁତ ଥିବାରୁ ତଥା ଜନତାଙ୍କ ନିକତର ହୋଇଥିବାରୁ ବିଜେପି ଏଠାରେ ବିଜୟ ହାସଲ କରିବା ନେଇ ଅନେକ ସ୍ୱପ୍ନ ଦେଖୁଛି । ଅନ୍ୟପଟରେ କଂଗ୍ରେସ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରି ପ୍ରଚାର କରୁଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ପଦ୍ମପୁରର ବିକାଶରେ ବାଧକ ସୃଷ୍ଟି ହୋଇଛି ବୋଲି ଅଭିଯୋଗ ଆଣିଛି ।
କେନ୍ଦ୍ର ବିରୋଧରେ ରାଜ୍ୟର ଅଭିଯୋଗ
ନିର୍ବାଚନ ଆଚରଣ ବିଧି ମଧ୍ୟରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ବରଗଡ଼-ନୂଆପଡ଼ା ରେଳଲାଇନ ପ୍ରସଙ୍ଗ ଉଠାଇଛନ୍ତି, ଯେଉଁ ସମ୍ଭାବିତ ଟ୍ରେନ୍ ଲାଇନ୍ ପଦ୍ମପୁର ଦେଇଯିବ । ଶ୍ରୀମତୀ ଟୁକୁନି ସାହୁ ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି । ଅର୍ଥାତ ଏହି ଗୋଟିଏ ପ୍ରସଙ୍ଗ ବ୍ୟତୀତ ରାଜ୍ୟ ସରକାର ପାଖରେ କେନ୍ଦ୍ର ବିରୋଧରେ ଅଭିଯୋଗ ଆଣିବା ପାଇଁ ଆଉ କୌଣସି ପ୍ରସଙ୍ଗ ନାହିଁ । କ’ଣ ବରଗଡ଼ରୁ ପଦ୍ମପୁର ଦେଇ ନୂଆପଡ଼ା ଟ୍ରେନ୍ ଚଳାଚଳ କରିବା ଦ୍ୱାରା ଏହି ଅଞ୍ଚଳର ପୂର୍ଣ୍ଣାଙ୍ଗ ବିକାଶ ହୋଇଯିବ କି? ତେଣୁ ନେତାଙ୍କର ଚାଲବାଜୀରେ ନ ପଡ଼ି ନିଜସ୍ୱ ଅଭିଜ୍ଞତା ଓ ପଦ୍ମପୁରର ସ୍ୱାର୍ଥପାଇଁ ବିଧାୟକ ଚୟନ କରିବାର ବଡ଼ ଦାୟିତ୍ୱ ରହୁଛି ।