Wednesday, September 18, 2024
Homeପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ‘ଦେବଝରଣ’
Array

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ‘ଦେବଝରଣ’

ଭୁବନେଶ୍ୱର(ଲିପିକା ପ୍ରଧାନ): ଦେବତାଙ୍କ ଦ୍ୱାରା ସୃଷ୍ଟି ଝରଣା ହେଉଛି ‘ଦେବଝରଣ’। ଦେବଝରଣ ଜଳପ୍ରପାତ କେଉଁ କାଳରୁ ପ୍ରବାହିତ ହେଉଛି, ତାହାର ଇତିହାସ ଯଦିଓ ବିଦ୍ଧିବଦ୍ଧ ଭାବେ ନାହିଁ, ତଥାପି ବୁଢ଼ାବୁଢ଼ିମାନେ ଏହି ଜଳପ୍ରପାତକୁ ସେମାନଙ୍କର ପିଲାଦିନରୁ ଦେଖି ଆସୁଛନ୍ତି ଏବଂ ସେମାନେ ତାଙ୍କର ପୂର୍ବଜମାନଙ୍କ ଠାରୁ ଶୁଣି ଆସୁଛନ୍ତି। ଶହ ଶହ ବର୍ଷ ପୂର୍ବରୁ ଏଠାରେ ଯେମିତ ଝରଣା ଝରୁଥିଲା, ଏବେ ସୁଦ୍ଧା ଏଥିରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ। ପାହାଡ଼-ପର୍ବତ, ଜଙ୍ଗଲ ଓ ଝରଣାର ଅପୂର୍ବ ସମନ୍ଵୟ ହେଉଛି ‘ଦେବଝରଣ’, ଯେଉଁଥି ପାଇଁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଆକୃଷ୍ଟ ହୋଇ ଏଠାକୁ ପହଞ୍ଚି ଯାଇଥାନ୍ତି। ଜଳପ୍ରପାତ ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଗାଡ଼ି ରଖି ପାଦରେ ଚାଲିବାକୁ ପଡ଼ିବ। ପାହାଡ଼ର କଡ଼ରେ ଏକ ମିଟର ଚୌଡ଼ା ପଥର ରାସ୍ତାରେ ଯାଇ ଦେବଝରଣ ପହଞ୍ଚିବେ।

ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ ଅନ୍ତର୍ଗତ କୟାକୁଦ ପଞ୍ଚାୟତରେ ଥିବା ଅନନ୍ୟ ମନୋରମ ସ୍ଥାନ ଦେବଝରଣ। ୫୫ ନମ୍ବର ଜାତୀୟ ରାଜପଥ ଠାରୁ ମାତ୍ର ୫କିଲୋମିଟର ଦୂର। ଦେବଝରଣକୁ ପହଞ୍ଚିବା ପାଇଁ ରାସ୍ତାଘାଟର କୌଣସି ଅସୁବିଧା ନାହିଁ। ସମ୍ବଲପୁର-ରେଢ଼ାଖୋଲ ରାସ୍ତାରେ ଯୁଯୁମୁରା ଅତିକ୍ରମ କରିସାରିବା ପରେ ଏକ ନବନିର୍ମିତ ପେଟ୍ରୋଲ ପମ୍ପ ଓ ହଟେଲ ମଧ୍ୟ ଦେଇ ବାମକଡ଼ର ରାସ୍ତା ସିଧାସଳଖ ଦେବଝରଣକୁ ଲମ୍ବିଯାଇଛି। ପ୍ରକୃତିର ଅନ୍ୟତମ ସୌନ୍ଦର୍ଯ୍ୟ ସ୍ଥାନ ଦେବଝରକୁ ଯିବା ବେଳେ ବାଟରେ ପଡ଼ିବ ତାଳଝରଣ, ଯାହାକି ପାହାଡ଼ର ପାଦଦେଶରେ ଅବସ୍ଥିତ। ସୁନ୍ଦର ଚିକ୍କଣିଆ ରାସ୍ତାରେ ଆପଣଙ୍କର ଗାଡ଼ି ଯେତେବେଳେ ଆଗକୁ ଅଗ୍ରସର ହେଉଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପେଟ ପୁରି ଯାଉଥିବା। ପ୍ରାୟ ୩ କିଲୋମିଟର ଆଗକୁ ବଢ଼ିଲେ ଆପଣଙ୍କ ସାମ୍ନାରେ ଏକ ଡ୍ୟାମ୍‌ ଦୃଶ୍ୟମାନ ହେବ, ଯାହାକୁ ପର୍ବତମାନେ ବାନ୍ଧିକରି ରଖିଲା ଭଳି ମନେ ହେବ।

ବଣଭୋଜି ପାଇଁ ଭଲ ସ୍ଥାନ

ଦେବଝରଣ ବଣଭୋଜି ପାଇଁ ଏକ ଭଲ ସ୍ଥାନ। ଅକ୍ଟୋବର ମାସ ଠାରୁ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବଣଭୋଜି ପାଇଁ ଆସିଥାନ୍ତି। ପିକ୍‌ନିକ୍‌ ଟିମ୍‌ ଚାହିଁଲେ ଗ୍ୟାସ୍‌ ସିଲିଣ୍ଡର ମଧ୍ୟ ନେବାକୁ ପଡ଼ିବ ନାହିଁ। ଜଙ୍ଗଲରୁ ସୁଖିଲା ଜାଲେଣି ସଂଗ୍ରହ କରି ରୋଷେଇ କରିପାରିବେ। ବଣଭୋଜି ପାଇଁ ସରକାର କିଛି ପିଣ୍ଡି ନିର୍ମାଣ କରିଛନ୍ତି। ଦେବଝରଣ ଠାରୁ ଅଳ୍ପଦୂରରେ ଡ୍ୟାମ୍‌ ଅଛି। ଏଠାରେ ମଧ୍ୟ ଗାଧୋଇ ପାରିବେ ଓ ଫଟୋ ଉଠାଇପାରିବେ। ସେହିପରି ଡ୍ୟାମ୍‌ ନିକଟରେ ଏକ ଟାଓ୍ଵାର ନିର୍ମାଣ ଶେଷ ହୋଇଥିବା ବେଳେ ଅନ୍ୟ ଏକ ନିର୍ମାଣାଧିନ ଅଛି। ଉପରକୁ ଚଢ଼ି ଫଟୋ ଉଠାଇବା ପାଇଁ ପର୍ଯ୍ୟଟକଙ୍କୁ ବହୁତ ଖୁସି ଲାଗିବ।

ବିକାଶ ପାଇଁ କ’ଣ ଦରକାର

ପର୍ଯ୍ୟଟକମାନେ ଦେବଝରଣ ଆସି ବଣଭୋଜି କରିବାକୁ ଚାହୁଁଥିଲେ ମଧ୍ୟ ଏଠାରେ ଭିତ୍ତିଭୂମିର ବିକାଶ କରାଯାଇପାରିନାହିଁ। ମୁଖ୍ୟତଃ ପାନୀୟ ଜଳର ବ୍ୟବସ୍ଥା ନହିଁ। ପାନୀୟ ଜଳ ପାଇଁ ମାତ୍ର ଗୋଟିଏ ନଳକୂପ ରହିଛି। ତାହା ପାନୀୟ ଉପଯୋଗୀ ନୁହେଁ ବୋଲି ପର୍ଯ୍ୟଟକଙ୍କ ମତ। ସେହିପରି ଡ୍ୟାମ୍‌ କୂଳରେ ଓ ଜଳପ୍ରପାତରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ, ଯେଉଁଥି ପାଇଁ ବିଗତ  ୫ ବର୍ଷରେ ୭ରୁ ୮ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାୟୀ ନିଯୁକ୍ତି ନହେଲେ ମଧ୍ୟ ଅତିକମ୍‌ରେ ୨ ଜଣଙ୍କୁ ଗାଇଡ ଭାବରେ ରଖାଗଲେ, ଅନେକଙ୍କ ଜୀବନ ସୁରକ୍ଷିତ ହୋଇପାରନ୍ତା। ପର୍ଯ୍ୟଟକ ପିକ୍‌ନିକ୍‌ରେ ଆସି ଭୋଜିର ଅଇଁଠା ଥାଳି, ପଲିଥିନ୍‌, ବ୍ୟବହୃତ ସାମଗ୍ରୀ ଏଣେତେଣ ଫିଙ୍ଗୁଥିବା ଦେଖାଯାଇଛି। ଆବର୍ଜନା ପକାଇବାକୁ ସ୍ଥାୟୀ କୁଣ୍ଡର ବ୍ୟବସ୍ଥା ନାହିଁ। ଭୋଜିସ୍ଥଳରେ ମଦ ବୋତଲ ମଧ୍ୟ ଏଣେତେଣେ ପଡ଼ୁଥିବା ଦେଖି ମହିଳାମାନେ ଏଠାକୁ ଯିବା ପାଇଁ ଭୟ କରୁଛନ୍ତି।  

କେମିତି ପହଞ୍ଚିବେ ଦେବଝରଣ

ଦେବଝରଣ ପହଞ୍ଚିବା ପାଇଁ ଉଭୟ ଉପଯୁକ୍ତ ସଡ଼କ ଓ ରେଳପଥର ବ୍ୟବସ୍ଥା ଅଛି। ଭୁବନେଶ୍ୱରରୁ ବସ୍‌ରେ ପର୍ଯ୍ୟଟକଙ୍କୁ ୨୪୫ କିମି ଯାତ୍ରା କରିବାକୁ ହେବ। ସମ୍ବଲପୁରରୁ ୩୦ କିମି ଯିବାକୁ ହେବ। ପର୍ଯ୍ୟଟକ ଯଦି ଭୁବନେଶ୍ୱର ଅଥବା ସମ୍ବଲପୁରରୁ ଟ୍ରେନ୍‌ରେ ଯାଉଛନ୍ତି, ତା’ହେଲେ ଯୁଯୁମୁରା ରେଳଷ୍ଟେସନ୍‌ରେ ଅଟକିବେ। ଏଠାରୁ ବ୍ୟକ୍ତିଗତ ଟ୍ୟାକ୍ସିରେ ଦେବଝରଣ ଯିବାକୁ ପଡ଼ିବ। ମାତ୍ର ୧୦ କିଲୋମିଟର ରାସ୍ତା ଅତିକ୍ରମ କଲେ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବେ। ପର୍ଯ୍ୟଟନସ୍ଥଳୀ ଦେବଝରଣ ଯଦିଓ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ, ଏଠାରେ ସଂପୂର୍ଣ୍ଣ ଭାବେ ଅପ୍ରାକୃତିଜନିତ ବିକାଶ କରାଯାଇ ପାରି ନାହିଁ। ପର୍ଯ୍ୟଟକଙ୍କୁ ବ୍ୟକ୍ତିଗତ ସ୍ତରରେ ପିଇବା ପାଣି, ଖାଦ୍ୟ ସାମଗ୍ରୀ ନେଇଯିବାକୁ ହେବ। କେବଳ ଗାଧୋଇବା ଓ ଶୌଚାଳୟର ବ୍ୟବସ୍ଥା ଅଛି। ରାତ୍ରିରେ ରହିବାର ଆବଶ୍ୟକତା ନାହିଁ। ରାତ୍ରୀ ରହଣି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇନାହିଁ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments