Wednesday, September 18, 2024
Homeପ୍ରେମ ପାଇଁ ପର ହେଉଛି ପରିବାର, ଆତ୍ମହତ୍ୟାର କାରଣ ଆର୍ଥିକ ବୋଝ!
Array

ପ୍ରେମ ପାଇଁ ପର ହେଉଛି ପରିବାର, ଆତ୍ମହତ୍ୟାର କାରଣ ଆର୍ଥିକ ବୋଝ!

ଭୁବନେଶ୍ୱର: ସମୟ ବଦଳି ଯାଇଛି । ଆଜିକାଲିର ଅନେକ ଯୁବକ-ଯୁବତୀଙ୍କ ପାଇଁ ବାପା-ମା’ ଓ ପରିବାରର ସ୍ନେହ ସଂପର୍କ କମ ହୋଇଯାଉଛି । ଏଭଳି ଚରିତ୍ରଙ୍କ ପାଇଁ ପ୍ରେମିକ-ପ୍ରେମିକାଙ୍କ ଭଲ ପାଇବାର ମୂଲ୍ୟ ଅଧିକ ହୋଇଯାଉଛି । ଯେତେବେଳେ ପ୍ରେମିକ-ପ୍ରେମିକା ଏବଂ ବାପା-ମା’ ଅଥବା ପରିବାରର ସଂପର୍କ ମଧ୍ୟରେ ମୁକାବିଲା ହେଉଛି, ସେତେବେଳେ ହିଂସାତ୍ମକ କାମ ମଧ୍ୟ ସୃଷ୍ଟି ହେଉଛି । ଏଭଳି କ୍ଷେତ୍ରରେ ଯୁବକ-ଯୁବତୀମାନେ ଆତ୍ମହତ୍ୟା କରୁଥିବା ନଜର ଆସୁଛି ।
ଆଜିକାଲିର ଯୁବକ-ଯୁବତୀଙ୍କ ପ୍ରେମ ଅଳ୍ପ ସମୟର ଦେଖାସାକ୍ଷାତ, ସାମାନ୍ୟ କଥାବାର୍ତ୍ତା, ମୋମାଇଲର ମିସ୍‌ଡ କଲ ଅଥବା ଫେସ୍‌ବୁକ୍ ମାଧ୍ୟମରେ ଗଢ଼ିଉଠୁଛି । ଜଣେ ଅନ୍ୟକୁ ଭଲ ଭାବରେ ବୁଝି ନଥିଲେ ବି ବିବାହ ପାଇଁ ଚିନ୍ତା କରୁଛନ୍ତି । ପରିବାର ଲୋକେ ଏଭଳି ସଂପର୍କକୁ ଯେତେବେଳେ ସ୍ୱୀକୃତି ଦେଉ ନାହାନ୍ତି ସେମାନେ, ଘର ଛାଡ଼ି ଅନ୍ୟତ୍ର ପଳାୟନ କରୁଛନ୍ତି । କିନ୍ତୁ ପ୍ରେମ ବିବାହ କରି ଘର ଛାଡ଼ିବା ଯେତିକି ସହଜ, ସଂସାର ବୋଝ ଓଲଟା । ପ୍ରେମିକ-ପ୍ରେମିକା ପତି-ପତ୍ନୀ ହୋଇ ଚଳିବା ପରେ ସେମାନଙ୍କ ଆର୍ଥିକ ସମସ୍ୟା ବଢୁଛି । ଯେଉଁମାନେ ଏହାକୁ ମୁକାବିଲା କରିପାରୁ ନାହାନ୍ତି, ଶେଷରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରୁଛନ୍ତି ।


ହୋଇପାରିଲାନି ବିବାହ, ପ୍ରେମି ଯୁଗଳଙ୍କ ଆତ୍ମହତ୍ୟା

ଝାରସୁଗଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ କୁମ୍ଭାରବନ୍ଧ ପାଣ୍ଡି ଅଂଚଳରେ ପ୍ରେମି ଯୁଗଳ ବିବାହ ପାଇଁ ଯେତେବେଳେ ପରିବାର ଲୋକଙ୍କର ସ୍ୱୀକୃତି ପାଇପାରି ନାହାନ୍ତି, ଶେଷରେ ଆତ୍ମହତ୍ୟାକୁ ଶ୍ରେଷ୍ଠ ମନେ କରିଛନ୍ତି । ରେଙ୍ଗାଲି ଗାଁର କିଶାନପଡ଼ାରେ ଏପ୍ରିଲ ୧୧ ତାରିଖରେ ବିଦେଶୀ କିଶାନଙ୍କ ପୁଅ ସୁବ୍ରତ (୨୭) ଓ ଠେଲକୁନିଥାନା ଅନ୍ତର୍ଗତ ଜୁନକର୍ମା ଗାଁର ସୁମତୀ ପିଙ୍ଗ (୨୨) ବିବାହ ପାଇଁ ପରିବାର ଲୋକଙ୍କର ଅନୁମତି ନମିଳିବାରୁ ଶେଷରେ ଆତ୍ମହତ୍ୟା କରିଥିଲେ ।


ବିବାହରେ ଜାତିଭାଇ ଅନ୍ୟ ଏକ ସମସ୍ୟା

ଆଧୁନିକତା ଯେଗୁଁ ପୂର୍ବର ସମୟ ନାହିଁ, ଏକଥା ସମସ୍ତେ ଜାଣିଛନ୍ତି । ହେଲେ ଆଜିବି ଗାଁ ଗଣ୍ଡାରେ ଜାତିପ୍ରଥା ରହିଛି । ଜାତିଭାଇଙ୍କ ବିନା ଅନୁମତିରେ ବୈବାହିକ ଜୀବନ ସମ୍ଭବ ନୁହେଁ ଏବଂ ଏଥିରୁ ସୁବ୍ରତ ଓ ସୁମତୀ ମଧ୍ୟ ବାଦ ପଡ଼ିନାହାନ୍ତି । ଉଭୟଙ୍କର ବିବାହକୁ ଗାଁର ଜାତିଭାଇ ମାନେ ରୋକଠୋକ ମନା କରିଦେଇଥିଲେ । ସୁବ୍ରତଙ୍କ ବିବାହ ମେ’ ମାସ ୩ ତାରିଖରେ ଅନ୍ୟ ଏକ ସ୍ଥାନରେ ହୋଇଥାନ୍ତା କିନ୍ତୁ ସୁବତ୍ର ତାହା ସ୍ୱୀକାର କରି ନଥିଲେ । ନିଜେ ଭଲ ପାଉଥିବା ସୁମତୀକୁ ନେଇ ଘରକୁ ଆସିଥିଲେ, ଯାହାକୁ କି ପରିବାର ଓ ଜାତି ଭାଇ ଗ୍ରହଣ କରି ନଥିଲେ ।


ପ୍ରେମ ବିବାହ ନେଇ ସୁପ୍ରିମକୋର୍ଟଙ୍କ ମତ

ଗତ ଫେବ୍ରୁଆରୀ ୧୩ ତାରିଖରେ ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣିରେ କହିଛନ୍ତି ଯେ, ଯଦି ୨ ଜଣ ପ୍ରାପ୍ତ ବୟସ୍କ ପରସ୍ପରକୁ ବିବାହ କରିବାକୁ ଚାହୁଁଥିବେ, ତାହେଲେ ଏଥିପାଇଁ ପରିବାର ଅଥବା ସଂପ୍ରଦାୟ କି ବଂଶର ଅନୁମତି ଅନାବଶ୍ୟକ । ବିଚାରପତି ସଂଜୟ କିଶାନ କାଉଲ ଏବଂ ହୃଷୀକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ କୁହାଯାଇଥିଲା ଯେ, ବିବାହ କରିବାର ଅଧିକାର ବା ନିଜ ପସନ୍ଦରେ କାହାରିକୁ ବିବାହ କରିବା କେବେ ଶ୍ରେଣୀଗତ ସମ୍ମାନ ଦ୍ୱାରା ପ୍ରଭାବିତ ହେବ ନାହିଁ । ପୂର୍ବରୁ ପ୍ରଚଳିତ ଥିବା ପ୍ରଥା ବର୍ତ୍ତମାନ ଠାରୁ ଅଲଗା । ଏବେ ଶିକ୍ଷିତ ଯୁବଗୋଷ୍ଠୀ ନିଜେ ନିଜର ଜୀବନସାଥୀ ଚୟନ କରୁଛନ୍ତି । ଅତୀତରେ କୌଣସି ବିବାହ ପାଇଁ ଜାତି ଓ ଗୋଷ୍ଠୀର ଭୂମିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଆଜିକାଲି ତାହା ଭିନ୍ନ । କିନ୍ତୁ ଅନେକ ସ୍ଥାନରେ ନବଦଂପତ୍ତି ଗୁରୁଜନମାନଙ୍କ ଠାରୁ ଧମକ ପାଉଛନ୍ତି । ତେଣୁ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ଦଂପତ୍ତିଙ୍କୁ ଅଦାଲତ ସୁରକ୍ଷା ଦେଉଛନ୍ତି ।


ବଢୁଛି ପ୍ରେମଜନିତ ଆତ୍ମହତ୍ୟା

ପ୍ରେମଜନିତ ଆତ୍ମହତ୍ୟା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରାପ୍ତ ବୟସ୍କର ଯୁବକ ଯୁବତୀମାନେ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ପରିବାର କଥା ଆଦୌ ଚିନ୍ତା କରୁ ନାହାନ୍ତି । ଯେଉଁ ପରିବାରେ ସେମାନେ ଛୋଟରୁ ବଡ଼ ହୋଇଛନ୍ତି, ସେହି ସଂପର୍କକୁ ଖୁବ ଅଳ୍ପ ଦିନ ମଧ୍ୟରେ ପାଦରେ ଏଡେଇ ଦେଉଛନ୍ତି । ସାମାନ୍ୟ ମୋହରେ ପଡ଼ି ଅନ୍ୟ ଏକ ପର ମଣିଷକୁ ଅତି ଆପଣାର କରିପାରୁଛନ୍ତି । ଅନ୍ୟକୁ ଭଲ ପାଇବାରେ କୌଣସି ଅସୁବିଧା ନାହିଁ । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ନିଜର ପରିବାରକୁ ପର କରିଦେବା । ତେଣୁ ଆଜିର ଯୁବଗୋଷ୍ଠୀକୁ ଏହା ମଧ୍ୟ ବୁଝିବାର ଅଛି ଯେ, ନିଜ ପସନ୍ଦର ବ୍ୟକ୍ତିଙ୍କୁ ଭଲ ପାଇବା ପୂର୍ବରୁ ନିଜକୁ, ପରିବାରକୁ ଓ ନିଜର ସ୍ଥିତି ଉପରେ ଭଲ ଭାବରେ ନଜର ଦେବାର ଆବଶ୍ୟକତା ରହିଛି । କାରଣ ପ୍ରେମ ଜନିତ ଆତ୍ମହତ୍ୟା ଯୋଗୁଁ ଅନେକ ସ୍ଥାନରେ ଏକାଧିକ ପରିବାର ଉଜୁଡି ଯାଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments