ଭୁବନେଶ୍ୱର: ଦୁର୍ଘଟଣା ଅଚାନକ ହୋଇଥାଏ । ଏହା କେତେବେଳେ ଘଟିବ, ପୂର୍ବାଭାସ କିଛି ମିଳି ନଥାଏ । ଗୋଟିଏ ସେକେଣ୍ଡ ମଧ୍ୟରେ ଦୁର୍ଘଟଣା ହୋଇପାରେ । ବହୁ ମୂଲ୍ୟବାନ ଜୀବନର ଶେଷ ଘଟିଥାଏ । ସଂପତ୍ତି ନଷ୍ଟ ହୋଇଥାଏ । ପରିବାରିକ ବ୍ୟବସ୍ଥା ଅଚଳ ହୋଇପରେ । ବର୍ଷ ବର୍ଷ ଧରି ମୃତକଙ୍କ ପରିବାର ମେରୁଦଣ୍ଡ ସଳଖ କରି ଚାଲିପାରନ୍ତି ନାହିଁ । ତେବେ ଗମନାଗମନ ସଂପର୍କିତ ଦୁର୍ଘଟଣାକୁ ଏଡେଇ ଦିଆଯାଇପାରିବ । ଏଥି ପାଇଁ ସାମାନ୍ୟ ସଚେତନତା ଦରକାର । ଯେତେବେଳେ ଆମେ କୌଣସି ଯାନବାହନରେ ଯାତୟାତା କରୁଛେ, ସର୍ବପ୍ରଥମେ ଏହାର ଫିଟନେଓ ଉପରେ ନଜର ରଖିବା । ତା’ପରେ ଆମେ ଯାଉଥିବା ରାସ୍ତାରେ ସତର୍କତାର ସହିତ ଯିବା । ଏଭଳି କରିବା ଦ୍ୱାରା କିଛି ମାତ୍ରାରେ ଦୁର୍ଘଟଣା ହ୍ରାସ ପାଇପାରିବ ।
ନିକଟରେ ଓଡ଼ିଶାରେ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ ହୋଇଥିଲା । ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଏଥି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ମୋଟ ୭୦ ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଶତାଧିକ ଲୋକ ଆହତ ଓ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ରାଜ୍ୟର ଦୁର୍ଘଟଣାପ୍ରବଣ ଅଞ୍ଚଳକୁ ଚିହ୍ନଟ କରାଯାଇଥିଲା । ସତର୍କତାମୂଳକ ଅଭିଯାନ ମଧ୍ୟ ହୋଇଥିଲା । କିନ୍ତୁ ଲୋକେ ସତର୍କ ହୋଇ ନଯିବାରୁ ଦୁର୍ଘଟଣାର ଶିକାର ହୋଇଥିଲେ ।
ଘାଟିରୁ ବସ୍ ଖସିଲା ୧୨ ମୃତ
ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା ଖୋପୋଲି ଓ ଖଣ୍ଡାଲା ମଧ୍ୟରେ ପୁରୁଣା ଜାତୀୟ ରାଜପଥର ଶିଙ୍ଗରୋବା ଘାଟରୁ ଓହ୍ଲାଇବା ବେଳେ ଶୁକ୍ରବାର ରାତିରେ ଏକ ଯାତ୍ରୀବାହୀ ବସ୍ ୭୦୦ ଫୁଟ ତଳକୁ ଖସିପଡ଼ିଛି । ପୁଣେରୁ ମୁମ୍ବାଇ ଅଭିମୁଖେ ଯାଉଥିବା ବସ୍ ଦୁର୍ଘଟଣାରେ ୧୨ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ବସ୍ରେ ୪୦ ଜଣ ଯାତ୍ରୀ ଥିଲେ । କିନ୍ତୁ ୨୫ ଜଣଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା କିଛି ଲୋକ ଗୁରୁତର ଅଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
କାର୍ଯ୍ୟକ୍ରମରୁ ଫେରିବା ବାଟରେ ବସ୍ ଦୁର୍ଘଟଣା
ପୁଲିସ କହିବା ଅନୁସାରେ ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ଘାଟ ପୁଲିସ, ଖୋପୋଲି ପୁଲିସ ଓ ସ୍ଥାନୀୟ ଲୋକେ ପହଞ୍ଚିଥିଲେ । ୧୨ ଜଣଙ୍କର ମୃତଦେହ ଓ ୨୪ ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତରଙ୍କୁ ଆମ୍ବୁଲାନ୍ସରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବସ୍ର ଯାତ୍ରୀମାନେ ଗୋରେଗାଓ ଅଞ୍ଚଳର ଏକ ସଂଗଠନର ଥିଲେ । ସମସ୍ତେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପୁଣେ ଯାଇଥିଲେ ଏବଂ ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ମଧ୍ୟରାତ୍ରୀରେ ଯାତ୍ରୀମାନେ ଅଧିକାଂଶ ଶୋଇପଡ଼ିଥିଲା ବେଳେ ଦୁର୍ଘଟଣା ଘଟିଥିଲା । ତେଣୁ ଅଧିକ କ୍ଷୟକ୍ଷତି ହୋଇଥିଲା ।
କୋଲାବ ଜଳଭଣ୍ଡାରରେ ବୁଡ଼ିଗଲେ ୪ ଜଣ
କାର୍ଯ୍ୟକ୍ରମରୁ ଫେରିବା ବାଟରେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଅଞ୍ଚଳର ୫ ଜଣ ଯୁବତୀଙ୍କ ସହିତ ୮ ଜଣ ଦୁର୍ଘଟଣାର ଶିକାର ହୋଇଛନ୍ତି । ଗତ ଗୁରୁବାର ଦିନ ଅପରାହ୍ଣରେ ଭଙ୍ଗା ଦେଶୀ ଡଙ୍ଗା କୋଲାବ ଜଳଭଣ୍ଡାରରେ ବୁଡ଼ିଯିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ସେମିଳିଗୁଡ଼ା ବ୍ଲକ ରଜପୁଟ ପଞ୍ଚାୟତ ମୁଖିବିଡାଇର ବବିତା କିର୍ଷାନୀ, ସାବିତ୍ରୀ କିର୍ଷାନୀ, ନୀଳା କିର୍ଷାନୀ ଓ କମଳୁ ବାଲଦି । ଏମାନଙ୍କର ବୟସ ୧୦ରୁ ୨୦ ବର୍ଷ ହେବ । ପୁଲିସ କହିବା ଅନୁସାରେ ମୁଖିବିଡାଇ ଗ୍ରାମର କିଛି ଲୋକ ଜିଲ୍ଲାର ନନ୍ଦପୁର ବ୍ଲକ ଉମ୍ବେଲ ଗ୍ରାମକୁ ଚଇତି ପରବ ଦେଖି ଯାଇଥିଲେ । ଯାତ୍ରା ସରିବା ପରେ ଗୁରୁବାର ଅପରାହ୍ଣ ସମୟରେ ଅଧିକାଂଶ ଲୋକ ସଡ଼କପଥରେ ଗାଡ଼ିରେ ଫେରିଥିବା ବେଳେ ୫ ଜଣ ଯୁବତୀ କୋଲାବ ଜଳଭଣ୍ଡାରରେ ଡଙ୍ଗାରେ ଫେରିବାକୁ ଚାହିଁଥିଲେ । ତେଣୁ ସେମାନଙ୍କୁ ଛାଡ଼ିବା ପାଇଁ ୫ ଜଣ ଯୁବକ ସାଙ୍ଗରେ ଆସିଥିଲେ । କୋଲାବ ଜଳଭଣ୍ଡାର ଦେଶୀ ଡଙ୍ଗା ବୁଡ଼ିଯାଇଥିଲା । ୪ ଜଣ କୌଣସି ପ୍ରକାରରେ କୂଳକୁ ପହଁରି ଆସିଯାଇଥିଲେ । କିନ୍ତୁ ଅନ୍ୟ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।