ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଶୁକ୍ରବାର ବିଧାନସଭାରେ ସାଧାରଣ ବଜେଟ୍ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିଛନ୍ତି। ଏଥର ବଜେଟରେ ମୋଟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୨-୨୩ ତୁଳନାରେ ୧୫ ପ୍ରତିଶତ ଅଧିକ। ସୂଚନାଯୋଗ୍ୟ, ପୂର୍ବବର୍ଷ ବଜେଟ୍ ୨ ଲକ୍ଷ କୋଟି ଟଙ୍କା ଥିଲା। ତେବେ ଏହି ବଜେଟ୍ରେ ସରକାର ନୂଆ ଯୋଜନା ତୁଳନାରେ ବିଗତ ଦିନରେ ଲାଗୁ କରିଥିବା ଯୋଜନା ଓ ଅଭିଜ୍ଞତା ଉପରେ ଅଧିକ କହିଥିଲେ। ଅର୍ଥମନ୍ତ୍ରୀ ୫୧ ପୃଷ୍ଠା ସମ୍ବଳିତ ବଜେଟ୍କୁ ୨ ଘଣ୍ଟାରୁ ଅଧିକ ସମୟ ଧରି ପଢ଼ିଥିଲେ। ରାଜ୍ୟ ସରକାର ସବୁବେଳେ ବାହଦୂରୀ ମାରୁଛନ୍ତି। ନିଜର ବିଫଳତା ନେଇ କେବେ ସମୀକ୍ଷା କରୁନାହାନ୍ତି। ପ୍ରକୃତରେ ଯଦି ରାଜ୍ୟ ସରକାର ସଫଳ ହୋଇଥାନ୍ତେ, ତା’ହେଲେ ବିକାଶର ଜାତୀୟ ମାନଚିତ୍ରରେ ସ୍ଥିତି ଖରାପ ନଥାନ୍ତା।
ବଜେଟ୍ରେ ରାଜ୍ୟ ସରକାରଙ୍କ ନିଜସ୍ବ ଟିକସ ରାଜସ୍ବ ୫୩ ହଜାର କୋଟି ଟଙ୍କା ଓ ଅଣ-ଟିକସ ରାଜସ୍ବ ୫୨,୫୦୦ କୋଟି ଟଙ୍କା ରହିବ। କେନ୍ଦ୍ରୀୟ ଟିକସରେ ରାଜ୍ୟ ଭାଗ ହିସାବରେ ରାଜ୍ୟ ସରକାର ୪୬,୨୫୧ କୋଟି ଟଙ୍କା ମିଳିବାକୁ ଥିବାବେଳେ କେନ୍ଦ୍ରୀୟ ଅନୁଦାନ ୩୨,୭୪୯ କୋଟି ଟଙ୍କା ରହିଛି। ରାଜ୍ୟ ସରକାର ଉଭୟ କୃଷି ୱାସ୍ଥ୍ୟ ପାଇଁ ୪୦ କୋଟି ଟଙ୍କାରୁ ଅଧିକ ବଜେଟ୍ ପ୍ରସ୍ତାବ ରଖିଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ୧୬,୦୪୮ କୋଟି ଟଙ୍କାରେ ଥିବା ବେଳେ କୃଷି ଓ ସଂପର୍କିତ କ୍ଷେତ୍ର ପାଇଁ ୨୪,୮୨୯ କୋଟି ଟଙ୍କା ପ୍ରସ୍ତାବ ରଖିଛନ୍ତି।
ଭିତ୍ତିଭୂମି ପାଇଁ ଏତିକି ବଜେଟ୍
ଭିତ୍ତିଭୂମି ପାଇଁ ସରକାର ଚଳିତ ବର୍ଷ ତୁଳନାରେ ଅଧିକ ବଜେଟ୍ ରଖିଥିବା କହିଛନ୍ତି। ପାଇପ ପାନୀୟ ଜଳ ଯୋଗାଣ ପାଇଁ ୧୩,୨୧୫ କୋଟି, ସଡ଼କ, ପୋଲ, ରେଳପଥ ଆଦି ଭିତ୍ତିଭୂମି ପାଇଁ ୧୯୪୫୨ କୋଟି, ସହରାଞ୍ଚଳ ବିକାଶ ପାଇଁ ୭୯୧୪ କୋଟି, ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ପାଇଁ ୬୨୨୪ କୋଟି, ବିପର୍ଯ୍ୟୟ ପରିଚାଳନା ପାଇଁ ୩୭୦୦ କୋଟି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୦,୦୩୦ କୋଟି, ଅନୁସୂଚିତ ଜାତି ବିକାଶ ପାଇଁ ୩୮୪୩୭ କୋଟି ଓ ପର୍ଯ୍ୟଟନ ପାଇଁ ୬୮୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।।
ନୂଆ ଯୋଜନା
ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ୧୨ଟି ନୂଆ ଯୋଜନା ରଖିଛନ୍ତି। ସେଥିରୁ ମୁଖ୍ୟମନ୍ତ୍ରୀଙ୍କ ନାମରେ ୭ଟି ଯୋଜନା ସାମିଲ ରହିଛି। ଯୋଜନାଗୁଡ଼ିକ ହେଲା ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ୧୩୯ କୋଟି, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୧୨୦ କୋଟି, ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ପାଇଁ ୫୦ କୋଟି, ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ ପାଇଁ ୧୪୪୬ କୋଟି, ମୁଖ୍ୟମନ୍ତ୍ରୀ ସଂମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି, ଆମ ହସ୍ପିଟାଲ ଯୋଜନା ପାଇଁ ୭୫୦ କୋଟି, ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ପାଇଁ ୮୧୧ କୋଟି, ଆମ ବସଷ୍ଟାଣ୍ଡ ପାଇଁ ୧୫୦ କୋଟି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଉଦ୍ୟୋଗୀ ପାଇଁ ୧୦୦ କୋଟି, ବିଦେଶ ବିମାନ ଉଡାଣ ଯୋଜନା ପାଇଁ ୧୦୦ କୋଟି, ମୁଖ୍ୟମନ୍ତ୍ରୀ ମତ୍ସଜୀବୀ କଲ୍ୟାଣ ଯୋଜନା ପାଇଁ ୨୧୦ କୋଟି, ବନ ସୁରକ୍ଷା ସମିତି ପାଇଁ ୨୫୦ କୋଟି ଓ ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୦ କୋଟି।
ଲୋକଙ୍କ ବଜେଟ୍
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଉପସ୍ଥାପିତ ରାଜ୍ୟ ବଜେଟକୁ ଲୋକଙ୍କ ବଜେଟ ବୋଲି କହିଛନ୍ତି। ଏହି ବଜେଟ ଲୋକଙ୍କ ଦ୍ବାରା, ଲୋକଙ୍କ ପାଇଁ ଓ ଲୋକଙ୍କ ବଜେଟ୍। ଏହା ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେଇଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ଏହି ବଜେଟ ଲୋକଙ୍କ ଦ୍ବାରା କିନ୍ତୁ ଲୋକଙ୍କ ପାଇଁ ନୁହେଁ। ବଜେଟର ଆକାର ବଢିଛି। କିନ୍ତୁ ଗତ ବଜେଟର ଏକ ଲକ୍ଷ କୋଟି ଅର୍ଥ ଖର୍ଚ୍ଚ ହୋଇପାରିନି। ଏହି ବଜେଟ୍ ସାଧାରଣ ଲୋକଙ୍କୁ ସୁହାଇବ ନାହିଁ।