ଭୁବନେଶ୍ବର: ବଣ-ଜଙ୍ଗଲ ହେଉଛି ବନ୍ୟପ୍ରାଣୀମାନଙ୍କର ଘର। ଜଙ୍ଗଲରେ ଜଙ୍ଗଲୀ ପଶୁ, ପକ୍ଷୀ ଓ ସରୀସୃପମାନେ ରହିଲେ ସେମାନେ ସୁରକ୍ଷିତ ଭାବେ ବଞ୍ଚି ପାରିବେ। ସମୟ କ୍ରମେ ଜଙ୍ଗଲ ଉପରେ ମନୁଷ୍ୟର ପ୍ରାଦୂର୍ଭାବ ବଢ଼ି ଚାଲିଛି। ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହାର ସକରାତ୍ମକ ପ୍ରଭାବ ପଡୁନାହିଁ। ବରଂ ବଣ୍ୟପ୍ରାଣୀମାନେ କାଳକ୍ରମେ ବିପଦ ଆଡ଼କୁ ଠେଲି ହୋଇଯାଉଛନ୍ତି। ଓଡ଼ିଶାରେ ଅତୀତରେ ମହାବଳ ବାଘ ଚାଷ ଜମିରେ ଦେଖାଯାଇଛନ୍ତି। ମଣିଷ-ହାତୀ ମଧ୍ୟରେ ଅଘୋଷିତ ଯୁଦ୍ଧ ଜାରି ରହିଛି। ଅନ୍ୟ ବଣ୍ୟ ପ୍ରାଣୀମାନେ ମଧ୍ୟ ସୁରକ୍ଷିତ ନାହାନ୍ତି। ବିଶେଷକରି ହାତୀ, ବାର୍ହା, ବଜ୍ରକାପ୍ତା ପରେ ଏବେ କଇଁଛ ଓ ଶୁଆଶାବକ ଉପରେ ଶିକାରୀମାନେ ନଜର ରଖିଛନ୍ତି।
ସୁନ୍ଦରଗଡ଼ରୁ ଶୁଆଶାବକ ଚାଲାଣ
ବିଗତ ଏକ ମାସରୁ ଅଧିକ ସମୟ ହେଲା ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରୁ କଥାକୁହା ଶୁଆଙ୍କୁ ଚୋରା ଚାଲାଣ କରାଯାଇଛି। ଅର୍ଥ ଲୋଭରେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ଦଲାଲମାନଙ୍କ ହାତରେ ଶୁଆଶାବକମାନଙ୍କୁ ଟେକି ଦେଇଛନ୍ତି। ଶୁଆଶାବକମାନଙ୍କୁ ଜଙ୍ଗଲରୁ ଧରିବା ପାଇଁ ଏକାଧିକ ରାକେଟ କାମ କରୁଛି। ମାସକ ମଧ୍ୟରେ କେବଳ ରାଉରକେଲାରେ ଶହଶହ ଶୁଆଶାବକ ଜବତ ହୋଇଛନ୍ତି। ସେହିପରି ଜିଲ୍ଲାର ଅନ୍ୟସ୍ଥାନରୁ ମଧ୍ୟ ଶୁଆଶାବକମାନେ ଉଦ୍ଧାର ହୋଇଛନ୍ତି। ସୁନ୍ଦରଗଡ଼ର ଗ୍ରାମାଞ୍ଚଳରୁ ଶୁଆଶାବକ ଧରାଯାଇ ଏଗୁଡ଼ିକ ରାଉରକେଲା ଦେଇ ପଡୋଶୀ ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଛି।
କଇଁଛ ଚୋରା ଚାଲାଣ
ମାଲକାନଗିରି ଜିଲ୍ଲାରେ କଇଁଛ ମାଂସର ଚାହିଦା ଅଧିକ ରହିଛି। ଦୈନିକ ଆନ୍ଧ୍ର ପ୍ରଦେଶର କାକିନାଡ଼ା ଅଂଚଳରୁ ଶହଶହ ଚୋରାରେ କଇଁଛ ଓଡ଼ିଶା ଭିତରକୁ ପ୍ରବେଶ କରିଥାଏ। ସିଲେରୁ ନଦୀରେ ଥିବା ବିଭିନ୍ନ ଚୋରା ନଦୀ ଘାଟ ଦେଇ କାଲିମେଳା ବ୍ଳକର ବିଭିନ୍ନ ସ୍ଥାନକୁ ଏହି କଇଁଛ ଚାଲାଣ ହୋଇ ଆସୁଛି। କମ ଦାମରେ କଇଁଛ କିଣି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ା ଦରରେ କିଲୋ ପ୍ରତି ୪ ଶହରୁ ୫ଶହ ଟଙ୍କାରେ ବିକ୍ରି କରି ବେପାରୀମାନେ ମାଲାମାଲ ହେଉଛନ୍ତି। ଆନ୍ଧ୍ର ପ୍ରଦେଶରୁ ଓଡ଼ିଶାକୁ ଜୀବନ୍ତ କଇଁଛ ଚୋରା ଚାଲାଣ ହେଉଛି। ମୋଟୁ ରାସ୍ତା ଦେଇ ନିରୀହ କଇଁଛମାନେ ମାଲକାନଗିରିରେ ପହଞ୍ଚୁଛନ୍ତି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ତନଖି ଫାଟକରେ ନିକଟରେ ମୋଟୁ ପୁଲିସ ଯାନବାହାନ ଯାଂଚ କରୁଥିବାବେଳେ ଟ୍ରକରେ ୨୨ଟି ବସ୍ତାରେ ମୋଟ ୩୯୮ ଜୀବନ୍ତ କଇଁଛକୁ ଜବତ କରାଯାଇଥିଲା।
୩ ଜୀବନ୍ତ ବଜ୍ରକାପ୍ତା ଜବତ
ଗତ ଜାନୁଆରି ମାସରେ ରାଜ୍ୟର ୪ଟି ସ୍ଥାନରେ ବଜ୍ରକାପ୍ତା ଚାଲାଣ ଘଟଣା ସାମ୍ନାକୁ ଆସିଛି। ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଖପରଖାଇ ଗାଁରୁ ଗତ ୨୫ ତାରିଖରେ ବନବିଭାଗର କର୍ମଚାରୀମାନେ ସାଢ଼େ ୪ କିଲୋ କାତି ଜବତ କରିଥିଲେ। ଶିକାରୀମାନେ ବଜ୍ରକାପ୍ତାର ମାଂସ ଖାଇ ଦେଇଥିଲେ। ଏହି ଘଟଣାରେ ୨ ଜଣ ଗିରଫ ହୋଇଥିଲେ। ଜାନୁଆରି ୨୨ରେ ନବରଂଗପୁରରୁ ରାୟପୁର ଚାଲାଣ ବେଳେ ଏକ ବଜ୍ରକାପ୍ତା ଜବତ ହୋଇଥଲା। ଏହା ପୂର୍ବରୁ ୧୪ ତାରିଖରେ କୋଷାଗୁମୁଡ଼ା ବ୍ଲକ ବରାଗୁଡ଼ା ଗାଁ ନିକଟସ୍ଥ ଦେଓଡଙ୍ଗରି ଜଙ୍ଗଲରେ ବଜ୍ରକାପ୍ତା ବିକ୍ରି ହେଉଥିବା ବନବିଭାଗ ଜୀବନ୍ତ ବଜ୍ରକାପ୍ତା ଜବତ କରିଥିଲା। ଏହି ଘଟଣାରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ସେହିପରି ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗ ଚଢ଼ଉ କରି ନଙ୍ଗଳବୋଡ଼ରୁ ଜୀବନ୍ତ ବଜ୍ରକାପ୍ତା ଜବତ କରିବା ସହିତ ୪ ଜଣ ଗିରଫ ହୋଇଥିଲେ। ଏହା ଜାନୁଆରି ୧୯ ତାରିଖର ଘଟଣା ଥିଲା।
ଚିଲିକାରେ ପକ୍ଷୀ ଶିକାର
ମରାଳ ମାଳିନୀ ଚିଲିକା ଜୈବ ବିବିଧତା ବିଶ୍ବର ଅନ୍ୟତମ ପ୍ରସିଦ୍ଧ ସ୍ଥାନ। ଏଠାକାର ଗୁଳ୍ମରେ ସମୟ ବିତାଇବା ପାଇଁ ବିଦେଶରୁ ଲକ୍ଷଲକ୍ଷ ପକ୍ଷୀ ଉଡ଼ିଆସି ମାସମାସ ବିତାଇ ଥାନ୍ତି। ନଭେମ୍ବରରୁ ଫେବ୍ରୁଆରି ମାସ ଯାଏଁ ଚିଲିକାରେ ବିଦେଶୀ ପକ୍ଷୀମାନଙ୍କର ସମାଗମ ହୋଇଥାଏ। ବିଦେଶରେ ଜଳବାୟୁର ବ୍ୟାପକ ପରିବର୍ତ୍ତନ କାରଣରୁ ଚଳିତ ବର୍ଷ ଚିଲିକା ହ୍ରଦକୁ ବ୍ୟାପକ ପରିମାଣରେ ବିଦେଶୀ ପକ୍ଷୀମାନଙ୍କର ସମାଗମ ହୋଇଛି। ପକ୍ଷୀମାନଙ୍କର ପ୍ରଜାତି ମଧ୍ୟ ବଢ଼ିଛି। ତେବେ ଚିଲିକାରେ ବିଦେଶୀ ପକ୍ଷୀମାନଙ୍କ ଉପରେ ଶିକାରୀମାନଙ୍କର ପ୍ରାଦୂର୍ଭାବ ବଢ଼ିଛି। ଶିକାରୀମାନେ ମାଂସ ପାଇଁ ବିଦେଶୀ ପକ୍ଷୀମାନଙ୍କୁ ଛାଡୁନାହାନ୍ତି। ବନ ବିଭାଗ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଶିକାରୀମାନେ ଏହାକୁ ଆଦୌ ଭୟ କରନ୍ତି ନାହିଁ।