Wednesday, October 9, 2024
Homeଖବରବଦଳିବ କି ଗଂଜାମ ରାଜନୀତି?

ବଦଳିବ କି ଗଂଜାମ ରାଜନୀତି?

ଭୁବନେଶ୍ବର: ବର୍ତ୍ତମାନ ଗଂଜାମ ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଦ୍ବିତୀୟ ପ୍ରଭାବଶାଳୀ ବ୍ୟକ୍ତି ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗତ ୨୧ ତାରିଖ ଦିନ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗ ଦେବାର ଦିନକ ପରେ ଗୁରୁବାର ଶ୍ରୀ ପାଣିଗ୍ରାହୀ ନିର୍ବାଚନୀ ରଣହୁଙ୍କାର ଦେଖାଇଛନ୍ତି। ୨୪ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଙ୍ଗୁଳି ଦେଖାଇବାପାଇଁ ମଧ୍ୟ ସେ ଡରି ନାହିଁ। ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଆକ୍ଷେପ କରି ରାଜ୍ୟର କୌଣସି ନେତା ମୁହଁ ଖୋଲିପାରୁ ନଥିବା ବେଳେ ଶ୍ରୀ ପାଣିଗ୍ରାହୀ ଏହା କରିପାରିଛନ୍ତି।

ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ଘନିଷ୍ଠ ଥିଲେ ପ୍ରଦୀପ ପାଣିଗ୍ରାହୀ। ୨୦୧୯ ସାଧାରଣ ନିର୍ବାଚନରେ ‌ପ୍ରଦୀପ ଗୋପାଳପୁର ଆସନ ସହିତ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି କଥା ମଧ୍ୟ ବୁଝୁଥିଲେ। ବିଜେଡିର ଯେଉଁ କେତେଜଣ ଟାଣୁଆ ନେତା ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟତର ବୋଲି କୁହାଯାଉଥିଲା, ସେଥିରେ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଜଣେ ଥିଲେ। ନବୀନ ସମସ୍ତଙ୍କୁ ବିଶ୍ବାସ କରନ୍ତି ନାହିଁ। ଅର୍ଥାତ ଅଳ୍ପ କେତେଜଣଙ୍କୁ ବିଶ୍ବାସ କରୁଥିଲେ, ଯେଉଁଥିରେ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଥିଲେ। ନବୀନ ପଟ୍ଟନାୟକଙ୍କ ବ୍ୟତୀତ ଗଂଜାମ ରାଜନୀତିର ଅସଲ ଚେହେରା କହିଲେ ସ୍ବର୍ଗତ ରାଣୀ ସୁଜ୍ଞାନ କୁମାରୀ ଦେ ଓ ସୂର୍ଯ୍ୟ ନାରାୟଣ ପାତ୍ର। ସେହିପରି ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିକ୍ରମ କେଶରୀ ଆରୁଖ ଓ ପ୍ରଦୀପ ପାଣିଗ୍ରାହୀ। ରମେଶ ଚ୍ୟାଉପଟ୍ଟନାୟକ ଅସୁସ୍ଥ ଥିବା ବେଳେ ବିକ୍ରମ କେଶରୀ ଆରୁଖ ନିଜ ଭଂଜନଗରକୁ ସମ୍ଭାଳିବା ପାଇଁ ଉଦ୍ୟମ କରିବେ।

ସଂକ୍ଷେପରେ ପ୍ରଦୀପ ପାଣିଗ୍ରାହୀ

ଗଂଜାମ ଜିଲ୍ଲା ପାତ୍ରପୁର ଟାଟା କଲୋନିର ସ୍ଥାୟୀ ନିବାସୀ ୧୯୬୩ ମସିହା ଏପ୍ରିଲ ୩ ତାରିଖରେ ପ୍ରଦୀପ ପାଣିଗ୍ରାହୀଙ୍କ ଜନ୍ମ। ଦର୍ଶନ ଶାସ୍ତ୍ରରେ ସ୍ନାତକ ଡ. ପାଣିଗ୍ରାହୀ ମଧ୍ୟ ଜଣେ ଆଇନ୍‌ଜୀବୀ। ୧୯୮୭-୮୮ରୁ ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରୁ ରାଜନୈତିକ କ୍ୟାରିୟର ଆରମ୍ଭ କରନ୍ତି। ଛାତ୍ର ସଂସଦର ସଭାପତି ହେଲା ପରେ ଆଉ ପଛକୁ ଫେରି ନାହାନ୍ତି। ବିଜେଡି ଟିକେଟରେ ସେ ୨୦୦୯ ମସିହାରୁ ଗୋପାଳପୁର ବିଧାନସଭା ଆସନରୁ କ୍ରମାଗତ ୩ ଥର ବିଧାୟକ ହୋଇସାରିଛନ୍ତି। ଉଚ୍ଚଶିକ୍ଷା ଓ ପଞ୍ଚାୟତ ତଥା ପାନୀୟ ଜଳ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ହୋଇଛନ୍ତି। କିନ୍ତୁ ବିଜେଡି ତାଙ୍କୁ ୨୦୨୦ ନଭେମ୍ବର ୨୯ରେ ଦଳ ବିରୋଧୀ ମନ୍ତବ୍ୟ ଅଭିଯୋଗ ଆଣି ଦଳରୁ ବହିଷ୍କାର କରିଥିଲା। ଏହା ପରଠାରୁ ପ୍ରଦୀପ କୁଆଡେ ଯିବେ ବୋଲି ନାନା ଆକଳନ କରାଯାଉଥିଲା। ପ୍ରାୟ ୩ ବର୍ଷ ୩ ମାସ ପରେ ପ୍ରଦୀପ ପାଣିଗ୍ରାହୀ ଗତ ବୁଧବାର ଦିନ ବିଜେପିରେ ସାମିଲ ହେଲେ।

ଗଂଜାମରେ୨୦୧୯ ନିର୍ବାଚନ

୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ୧୧୨ଟି, ବିଜେପି ୨୩ଟି, କଂଗ୍ରେସ ୯ଟି ଆସନରେ ବିଜୟୀ ହୋଇଥିଲା ବେଳେ ସିପିଆଇ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ଗୋଟିଏ ଲେଖାଏଁ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଗଂଜାମ ଜିଲ୍ଲାରେ ୧୩ଟି ଆସନରୁ ବିଜେଡି ୧୨ଟି ଓ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ନିର୍ବାଚନ ଜିତିଥିଲେ। ୧୨ଟି ଆସନରେ ବିଜେପି ୨ୟ ସ୍ଥାନରେ ଥିଲା। ପ୍ରଦୀପ ପାଣିଗ୍ରାହୀ ୬୧,୬୨୮ ଖଣ୍ଡ ଭୋଟ ପାଇଥିଲେ। ସେ ନିକଟତମ ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ଜେନାଙ୍କ ଠାରୁ ୨୬୭୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ତେଣୁ ଏଥର ଗୋପାଳପୁରରେ ଜନତା ବିଜେପି ସପକ୍ଷରେ ଅଛନ୍ତି ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ବିରୋଧରେ ୬୦,୧୬୦ ଖଣ୍ଡ ଭୋଟ୍‌ ବ୍ୟବଧାନରେ ଜିତିଥିଲେ, ଏଥିରେ ପ୍ରଦୀପ ପାଣିଗ୍ରାହୀଙ୍କ ବଡ଼ ଭୂମିକା ଥିଲା। ଗଂଜାମରେ ବିଜେଡିର ଅନ୍ୟ ବଡ଼ ନେତା ବିକ୍ରମ କେଶରୀ ଆରୁଖ ଭଂଜନଗରରୁ ୯,୧୦୩ ଭୋଟ୍‌ ବ୍ୟବଧାନରେ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ବିପକ୍ଷରେ ଜିତିଥିଲେ। ଗଂଜାମ ଜିଲ୍ଲାର ମୋଟ ୧୩ଟି ବିଧାନସଭା ଆସନ ସମ୍ଭାଳିବା ପାଇଁ ସେହିଭଳି ବଡ଼ ନେତୃତ୍ବ ନାହିଁ। କିନ୍ତୁ ଗଂଜାମରେ ପ୍ରଦୀପ ପାଣିଗ୍ରାହୀଙ୍କର ନେତୃତ୍ବ ରହିଛି। ଅତୀତରେ ପ୍ରଦୀପଙ୍କ ନେତୃତ୍ବରେ ଅନ୍ୟଦଳରୁ ନେତାମାନେ ବିଜେଡିରେ ସାମିଲ ଥିଲେ। ତେଣୁ ସେହିଭଳି ନେତାମାନେ ପ୍ରଦୀପଙ୍କୁ ସମର୍ଥନ ଦେଇପାରନ୍ତି।

ଲେଖା ପାକ୍କା ଛିଡ଼ିଯିବ: ପ୍ରଦୀପ ପାଣିଗ୍ରାହୀ

ଗଂଜାମ ରାଜନୀତି ଦେଖିବାକୁ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପୂରା ଫର୍ମରେ ଅଛନ୍ତି। ବିଜେପିରେ ଯୋଗ ଦେଲା ପରେ ଶ୍ରୀ ପ୍ରାଣିଗ୍ରାହୀ କହିଥିଲେ ଯେ, ଏଥର ଲେଖା ପାକ୍କା ଛିଡ଼ିଯିବ। ମିଶନ୍‌ ହିଞ୍ଜିଳି ଟୁ ଭୁବନେଶ୍ୱର ୧୦୦, ଦିଲ୍ଲୀ ୪୦୦ …। ଚାଉଳ କାହାର? ପ୍ରଚାର କାହାର? ସତ କୁହ ହେ। ଲୋକଙ୍କୁ ଫେସ୍‌ କର। କାମ କରିଛ, ଭୋଟ୍‌ ଦିଅ ବୋଲି କୁହ। ଖାଲି ଡାବାମାରି ଭୋଟ୍‌ ମାଗୁଛ କାହିଁକି? ଲେଖା ପାକ୍କା ଛିଡ଼ିଯିବ। ମିସନ୍‌ ହିଞ୍ଜିଳି ଟୁ ଭୁବନେଶ୍ୱର ୧୦୦, ଦିଲ୍ଲୀ ୪୦୦। କମଳେ କମଳା। ଏକ ମନ, ଏକ ପ୍ରାଣ ଓ ଏକ ଲକ୍ଷ୍ୟରେ ମିଶି କାମ କଲେ କମଳ ନିଶ୍ଚିତ ଆସିବ। କର୍ମୀମାନେ ହେଉଛନ୍ତି ଆର୍ମି। ଆର୍ମି ଓ ସାଧାରଣ ଲୋକ ମିଶିଗଲେ ଲେଖା ଛିଡ଼ିଯିବ। କମଳ ନିଶ୍ଚିତ ଆସିବ। ଏମାନେ ଯେତେ ଶକ୍ତି ଲଗାଉଛନ୍ତି ଲଗାନ୍ତୁ ପଛେ, କିଛି ଲାଭ ହେବନି।  

ପ୍ରଦୀପଙ୍କ ପରେ ଶତାଧିକ ବିଜେଡି ଛାଡ଼ିଲେ

ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗଦେବାର ଗୋଟିଏ ଦିନ ପରେ ଗଞ୍ଜାମରେ ଦମ୍‌ ଦେଖାଇଛନ୍ତି। ତାଙ୍କ ହାତ ଧରି ବିଜେପିରେ ସାମିଲ ହୋଇଛନ୍ତି ଗଣ୍ଡା ଗଣ୍ଡା ବିଜେଡି ନେତା। ଆଗକୁ ବହୁ ନେତା ଦଳ ଛାଡ଼ିବେ ବୋଲି ଇଶାରା ଦେଇଛନ୍ତି ପ୍ରଦୀପ। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ଗଂଜାମ ଗସ୍ତ ଅବସରରେ ଆମ୍ବପୁଆ କାଳୀ ମନ୍ଦିରଠାରୁ ପ୍ରଦୀପଙ୍କ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା ସହ ବିଶାଳ ପଟୁଆରେ ସଭା ସ୍ଥଳରେ ପହଞ୍ଚିଥିଲେ ପ୍ରଦୀପ। ଆଉ ପ୍ରଦୀପଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହୋଇଥିଲେ ବ୍ରହ୍ମପୁରର ପୂର୍ବତନ କର୍ପୋରେଟର ତଥା ବିଜେଡି ନଗର ଉପସଭାପତି କେ. ଅନିଲ କୁମାର, ବିଜେଡି ଜିଲ୍ଲା ମହିଳା ଉପସଭାନେତ୍ରୀ ମୀନତି ଦାସ, ପୂର୍ବତନ କର୍ପୋରେଟର ଗୋପାଳ ରେଡ୍ଡୀ, ଅଶୋକ ଶୁକ୍ଳା, ପୂର୍ବତନ କାଉନସିଲର ବଦ୍ରି ନାୟକ, ପୂର୍ବତନ ଜିଲ୍ଲା ଛାତ୍ର ବିଜେଡି ସଭାପତି ସଞ୍ଜୟ ଜେନାଙ୍କ ସହ ଶତାଧିକ ବିଜେଡି କର୍ମୀ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments