ଆଦିଲ୍ଲୀ: ଉତ୍ତର ପ୍ରଦେଶ ପରେ ସର୍ବାଧିକ ୪୮ ଲୋକସଭା ଆସନ ଥିବା ମହାରାଷ୍ଟ୍ରରେ ରବିବାର ବଡ଼ଧରଣର ରାଜନୈତିକ ପରିବର୍ତ୍ତନ ଦେଖାଯାଇଛି । ଦେଶର ବୁଦ୍ଧିମାନ ନେତାଙ୍କ ମଧ୍ୟରୁ ଅନ୍ୟତମ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ଶେଷରେ ଏକନାଥ ଶିନ୍ଦେ ଗୋଷ୍ଠୀରେ ସାମିଲ ହୋଇଛନ୍ତି । କେବଳ ଅଜିତ ନୁହେଁ । ଏନ୍ସିପିରୁ ଶିବେସେନା-ବିଜେପି ମେଣ୍ଟ ସରକାରରେ ସାମିଲ ହୋଇଥିବା ଅନ୍ୟ ୮ ଜଣ ବିଧାୟକଙ୍କୁ ମଧ୍ୟ ସରକାରରେ ସାମିଲ କରାଯାଇଛି । ଅଜିତ ପାୱାରଙ୍କୁ ମହାରାଷ୍ଟ୍ର ସରକାର ଉପମୁଖ୍ୟମନ୍ତ୍ରୀ ପଦ ଦେଇଛନ୍ତି । ପୂର୍ବରୁ ଯୋଜନା ହୋଇଥିଲେ ବି ସାଧାରଣ ଜନତା ହଠାତ୍ ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ଅଜିତ ପାୱାର ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଏନ୍ସିପିରୁ ଆହୁରି ଅନେକ ନେତା ତାଙ୍କ ପଛରେ ଆସିବେ । ତେବେ ମହରାଷ୍ଟ୍ରର ଏଭଳି ନାଟକୀୟ ରାଜନୀତି ବିଜେପି ପାଇଁ ଆଗାମୀ ଦିନରେ ଭଲ ଖବର ଆଣିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ଅସନ୍ତୁଷ୍ଟ ଥିଲେ ଅଜିତ
ଗତବର୍ଷ ସେପ୍ଟେମ୍ବର ୧୦-୧୧ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ଏନ୍ସିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଶରଦ ପାୱାରଙ୍କୁ ଅଧ୍ୟକ୍ଷ ଚୟନ କରାଯାଇଥିଲା । ସେପ୍ଟେମ୍ବର ୧୧ର ବୈଠକରେ ଶରଦ ପାୱାରଙ୍କ ସାମ୍ନାରୁ ଅଜିତ ପାୱାର ଉଠି ଚାଲିଯାଇଥିଲେ । ସେ ଅମଙ୍ଗ ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ସେହିପରି ଗତ ଏପ୍ରିଲ ମାସ ୨୧ ତାରିଖ ମୁମ୍ବାଇରେ ଅନୁଷ୍ଠିତ ଦଳୀୟ ବୈଠକରେ ଅଜିତ ପାୱାର ଅନୁପସ୍ଥିତ ଥିଲେ । ସେହି ସମୟରେ ଚର୍ଚ୍ଚା ହୋଇଥିଲା ଯେ, ଅଜିତ ପାୱାର ବରିଷ୍ଠ ନେତାଙ୍କ ପାଇଁ ଅମଙ୍ଗ ଅଛନ୍ତି । ତେବେ ସେହି ସମୟରେ ଅଜିତ କହିଥିଲେ, ତାଙ୍କର ଅନ୍ୟ କାର୍ଯ୍ୟକ୍ରମ ଥିବାରୁ ଦଳୀୟ ବୈଠକରେ ଯୋଗଦେଇ ପାରି ନଥିଲେ । ପରେ ପରେ ସେ ଗଣମାଧ୍ୟମକୁ ସାକ୍ଷାତକାରରେ କହିଥିଲେ ଯେ, ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣ କାମ ପାଇଁ ୨୦୧୪ ଓ ୨୦୧୯ରେ ନିର୍ବାଚନ ଜିତିଥିଲେ । ସେ ନିଜର ଭାଷା ମାଧ୍ୟମରେ ଲୋକଙ୍କୁ ପ୍ରଭାବିତ କରିଥିଲେ । ଗତ ଜୁନ୍ ମାସ ୧୦ ତାରିଖ ଏନସିପିର ୨୫ତମ ପ୍ରତିଷ୍ଠା ଦିବସରେ ଶରଦ ପାୱାର ବଡ଼ ଘୋଷଣା କରିଥିଲେ । ସେ ନିଜ ଝିଅ ଓ ସାଂସଦ ସୁପ୍ରିୟା ସୁଲେ ଏବଂ ପାର୍ଟିର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲଙ୍କୁ ଏନ୍ସିପି କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ନିଯୁକ୍ତ କରିଥିଲେ । ଏହା ଅଜିତ ପାୱାରଙ୍କୁ ଅଧିକ ଆଘାତ ଦେଇଥିଲା ।
ବିଜେପିକୁ ଲାଭ?
ଆଠ ମାସ ପରେ ଦେଶରେ ସାଧାରଣ ନିର୍ବାଚନ ହେବ । ବିଜେପି ହ୍ୟାଟ୍ରିକ ସରକାର ଗଠନ କରିବା ଲକ୍ଷ୍ୟ ରଖିଥିବା ବେଳେ ବିରୋଧୀ ମେଣ୍ଟ କ୍ଷମତାକୁ ଆସିବା ପାଇଁ ଉଦ୍ୟମ କରୁଛି । ମହାରାଷ୍ଟ୍ରରେ ବିଜେପି ଭଲ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଅଜିତ ପାୱାର ଦଳରେ ସାମିଲ ହେଲା ପରେ ବିଜେପି ଭାବୁଛି ଯେ, ବିରୋଧୀ ଭାଙ୍ଗିଲେ ଏଥିରୁ ଲାଭ ମିଳିବ । ଭୋଟର ଭ୍ରମିତ ହେଲେ ବି କାହା ସହିତ ଯିବେ । ଲୋକେ ବିଚାରଧାର ତୁଳନାରେ ବଡ଼ ନେତାଙ୍କ ସହିତ ଜଡ଼ିତ ରହିଛି । ଅଜିତ ପାୱାରଙ୍କ ସହିତ ୩୫ରୁ ୪୦ ବିଧାୟକ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । ଯଦି ଏଭଳି ହୁଏ, ଏନ୍ସିପିର ସ୍ଥିତି ଖରାପ ହୋଇଯାଇପାରେ । ଅନ୍ୟପଟରେ ମହାରାଷ୍ଟ୍ରରେ ସବୁଠୁ ବଡ଼ ଏବଂ ଶକ୍ତିଶାଳୀ ଭୋଟ ବ୍ୟାଙ୍କ ହେଉଛି ମରାଠା । ବିଜେପି ପାଖରେ ପୂର୍ବରୁ ଏଭଳି କୌଣସି ଶକ୍ତିଶାଳୀ ମରାଠା ମୁହଁ ନଥିଲେ । ରାଜ୍ୟର ସବୁଠୁ ବଡ଼ ନେତା ଦେବେନ୍ଦ୍ର ଫଡ଼ନବୀସ ବ୍ରାହ୍ମଣ । ଅଜିତ ପାୱାର ହେଉଛନ୍ତି ଜଣେ ମଜବୁତ ମରାଠା ମୁହଁ । ମରାଠା ସମାଜରେ ତାଙ୍କର ମୂଲ୍ୟ ଏକନାଥ ଶିନ୍ଦେ ଠାରୁ ଅଧିକ ।
ଅଜିତଙ୍କୁ ଅଯୋଗ୍ୟ ଦାବି
ଏନ୍ସିପିରେ ଅଜିତ ପାୱାରଙ୍କ ବିଦ୍ରୋହ ପରେ ଦଳ କାହାର ହେବ? ଏହାକୁ ନେଇ ଟଣାଓଟରା ଆରମ୍ଭ ହୋଇଯାଇଛି । ଅଜିତ ପାୱାର ନିଜ ସରକାରୀ ନିବାସରେ ବିଧାୟକଙ୍କ ସହିତ ଆଗାମୀ ରଣନୀତି ନେଇ ବୈଠକ କରିଛନ୍ତି । ଏହାରି ମଧ୍ୟରେ ସତାରାର କରାଡରେ ଶରଦ ପାୱାର ପୂର୍ବତନ ମୁଖ୍ୟମନ୍ତ୍ରୀ ଯଶୱନ୍ତ ରାଓ ଚହ୍ୱାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଦଳୀୟ ରାଲିକୁ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ, ଆଜିତ ପାୱାର ଓ ଅନ୍ୟ ୮ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ବିଧାନସଭା ବାଚସ୍ପତି ରାହୁଲ ନରୱେକର ଓ ନିର୍ବାଚନ ଆୟୋଗଙ୍କୁ ପତ୍ର ଲେଖିଛି ।