ବଦ୍‌ନାମ ହେଉଛି ଲୋକପ୍ରିୟ ଶିକ୍ଷାନୁଷ୍ଠାନ

    0
    33

    ଭୁବନେଶ୍ବର: ଭାରତର ଅନ୍ୟତମ ଲୋକପ୍ରିୟ ଶିକ୍ଷାନୁଷ୍ଠାନ ‘କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଗତ ବୁଧବାର ରାତି ଆଇଆଇଟି ଦ୍ବିତୀୟ ବର୍ଷର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଓ ପୋଷାକ ଖୋଲିଦିଆ ଯିବା ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି। ଏହି ଘଟଣା ପରେ ଗୁରୁବାର ସକାଳୁ ଆଇଆଇଟି-ବିଏଚୟୁର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇ ଛାତ୍ରୀଙ୍କ ସହିତ ଘଟିଥିବା ଘୃଣ୍ୟକାମ ବିରୋଧରେ ଗର୍ଜିଛନ୍ତି। ଉତ୍ତେଜିତ ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟକୁ ୧୫ ଘଣ୍ଟା ଯାଏଁ ଅଚଳ କରିଦେଇଛନ୍ତି କହିଲେ କିଛି ଭୁଲ ହେବ ନାହିଁ।

    ଦେଶର ଏତେବଡ଼ ଲୋକପ୍ରିୟ ଶିକ୍ଷାନୁଷ୍ଠାନ ବିଏଚ୍‌ୟୁରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନଙ୍କର ମଧ୍ୟରେ ପ୍ରବଳ ପ୍ରତିଯୋଗିତା ହୋଇଥାଏ। ଏକ ମହାନ ଉଦ୍ଦେଶ୍ୟ ରଖି ପିଲାମାନେ ନାମକରା ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥାନ୍ତି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ବିଶ୍ବବିଦ୍ୟାଳୟରେ ନାମ ଲେଖାଇବା ପରେ ଅନେକଗୁଡ଼ିକ ପିଲା ପଥଭ୍ରଷ୍ଟ ହୋଇଯାଇଥାନ୍ତି। ଏଥି ପାଇଁ ଅନେକ କାରଣ ଥାଇପାରେ। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ହେଉ କି ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ ହେଉ, ଆଜିକାଲି ବଡ଼ବଡ଼ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ବିଳମ୍ବିତ ରାତି ଯାଏ ଶିକ୍ଷାନୁଷ୍ଠାନର ଲାଇବ୍ରେରିରେ ପାଠ ପଢ଼ିଥାନ୍ତି। ବିଶ୍ବବିଦ୍ୟାଳୟ ପରିସରରେ ମଧ୍ୟ ଅନେକ ଛାତ୍ରଛାତ୍ରୀ ବୁଲାବୁଲି କରିଥାନ୍ତି।ଏସବୁ ଭିତରେ ଘଟଣା-ଦୁର୍ଘଟଣା ମଧ୍ୟ ଘଟୁଛି। ଯଦି ବିଶ୍ବବିଦ୍ୟାଳକୁ ରାତିରେ ଖୋଲାଯାଉଛି, ସେଥିରେ ଅସୁବିଧା କିଛି ନାହିଁ। କିନ୍ତୁ ପ୍ରଶାସନକୁ ସୁରକ୍ଷା ପ୍ରତି ନଜର ଦେବାର ଆବଶ୍ୟକତା ଅଛି। ବନାରସ ବିଶ୍ବବିଦ୍ୟାଳୟରେ ରାତ୍ରିକାଳୀନ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଥିଲେ, ବୁଧବାର ରାତିର ଘଟଣା ଘଟି ନଥାନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ରଖନ୍ତି।

    କ’ଣ ଥିଲା ଘଟଣା?

    ପୀଡିତା ଆଇଆଇଟି ଦ୍ବିତୀୟ ବର୍ଷର ଛାତ୍ରୀଙ୍କ କହିବା ଅନୁସାରେ ସେ ବୁଧବାର-ଗୁରୁବାର ରାତି ପ୍ରାୟ ୧ଟା ୩୦ରେ ନ୍ୟୁ ଗର୍ଲ୍ସ ହଷ୍ଟେଲରୁ ଚାଲିବାକୁ ବାହାରିଥିଲେ। ରାସ୍ତାରେ ସେ ଜଣେ ସାଙ୍ଗଙ୍କୁ ଭେଟିଥିଲେ। ଉଭୟ କିଛି ବାଟ ଆଗକୁ ଯାଉଥିବା ବେଳେ ସାମ୍ନା ପାର୍ଶ୍ବରୁ ଏକ ବାଇକରେ ୩ ଜଣ ଅଜ୍ଞାତ ଯୁବକ ସେଠାରେ ପହଞ୍ଚି ଥିଲେ। ଦୁର୍ବୃତ୍ତମାନେ ଉଭୟ ବିଦ୍ୟାର୍ଥୀଙ୍କୁ ଅଲଗା ଅଲଗା କରିଦେଇଥିଲେ। ଦୁର୍ବୃତ୍ତମାନେ ଛାତ୍ରୀଙ୍କୁ ଧମକାଇବା ପରେ ତାଙ୍କ ଦେହରୁ ପୋଷାକ ଖୋଲି ଦେଇଥିଲେ। ଏତିକିରେ ଦୁର୍ବୃତ୍ତମାନଙ୍କୁ ସନ୍ତୁଷ୍ଟ ନଲାଗିବାରୁ ଛାତ୍ରୀଙ୍କ ଭିଡିଓ ପ୍ରସ୍ତୁତ କରି ମୋବାଇଲ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

    ଜେଏନ୍‌ୟୁ ପ୍ରାଚୀରରେ ବିବାଦୀୟ ଲେଖା

    ଉଚ୍ଚମାନର ଶିକ୍ଷା ଏବଂ ଛାତ୍ର ରାଜନୀତି ପାଇଁ ପରିଚିତ ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସର ପ୍ରାଚୀରରେ ଅଳ୍ପ ଦିନ ପୂର୍ବରୁ ବିବାଦୀୟ ଲେଖାମାନ ଦେଖିବାକୁ ମିଳିଥିଲା। ସେଠାରେ ଅପମାନସୂଚକ ଲେଖା ଦେଖାଯାଇଥିଲା। ପ୍ରଥମେ କ୍ୟାମ୍ପସର ସ୍ମୁଲ ଅଫ ଲାଙ୍ଗୁଏଜ କାନ୍ଥରେ ଲେଖାଯାଇଥିବା ବାର୍ତ୍ତା କେବଳ ଉତ୍ତେଜନାମୂଳକ ନୁହେଁ ବିଭାଜନକାରୀ ମଧ୍ୟ ଥିଲା।  ଭଗୱା ଜଲେଗା (ଗେରୁଆ ଜଳିବ), ଫ୍ରି କାଶ୍ମୀର ଏବଂ ଫ୍ରି ଆଇଓକେ (ଭାରତ ଅଧୀକୃତ କାଶ୍ମୀର) ଆଦି ଲେଖାଯାଇଥିଲା। ଏହି କାର୍ଯ୍ୟ କିଏ କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ସେହିଭଳି କେହି ଛାତ୍ର କିମ୍ବା ଗୋଷ୍ଠୀ ଏ ନେଇ ଦାବି ମଧ୍ୟ କରିନାହାନ୍ତି। କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ କୌଣସି ବିବୃତି ଜାରି ହୋଇନାହିଁ। ତେବେ ଏହା ପ୍ରଥମ ନୁହେଁ, ୨୦୨୨ରେ ମଧ୍ୟ କ୍ୟାମ୍ପସରେ ବାହ୍ମଣ ବିରୋଧୀ ଲେଖା ଦେଖିବାକୁ ମିଳିଥିଲା।

    ଓଡ଼ିଶାର ସ୍ଥିତି କ’ଣ?

    ଜେଏନ୍‌ୟୁ ଓ ବିଏଚ୍‌ୟୁ ଭଳି ପବିତ୍ର ଶିକ୍ଷାନୁଷ୍ଠାନ ଯେପରି କିଛି ଅସମାଜିକମାନଙ୍କ ପାଇଁ ବଦନାମ ହେଉଛି। ଓଡ଼ିଶାରେ ମଧ୍ୟ କିଛି ଲୋକପ୍ରିୟ ଶିକ୍ଷାନୁଷ୍ଠାନର ଅବସ୍ଥା ସମାନ। ଉତ୍କଳ ବିଶ୍ବବିଦ୍ୟାଳୟ ହେଉ କି ବୁର୍ଲା ମେଡିକାଲ କଲେଜ ଏବଂ ହସ୍‌ପିଟାଲ ହେଉ। ଅଥବା ବକ୍ସି ଜଗବନ୍ଧୁ ବିନାୟକ (ବିଜେବି) ମହାବିଦ୍ୟାଳୟ ହେଉ କି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ହେଉ, ବର୍ଷର ବିଭିନ୍ନ ସମୟରେ ଚର୍ଚ୍ଚାର ଘେରକୁ ଆସୁଛି। ଏହି ସବୁ ଶିକ୍ଷାନୁଷ୍ଠାନରେ ଛାତ୍ରଗୋଷ୍ଠୀ ବିବାଦକୁ ନେଇ ଅତୀତରେ ଅନେକ ସମୟରେ ଖଣ୍ଡା ବୁଲିଛି ବା ଅନ୍ୟ ପ୍ରକାରର ହିଂସା ଦେଖାଯାଇଛି। ସରକାରୀ ବ୍ୟବସ୍ଥା ହେଉ କି ପ୍ରଶାସନର ଅବହେଳା କାରଣରୁ ଶିକ୍ଷାନୁଷ୍ଠାନରେ ଅନେକ ଭଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରଭାବିତ ହେଉଛି।

    LEAVE A REPLY

    Please enter your comment!
    Please enter your name here