Friday, October 4, 2024
Homeବନ୍ଦ ହେଉନି ରାଗିଂ
Array

ବନ୍ଦ ହେଉନି ରାଗିଂ

ଭୁବନେଶ୍ବର: ଶିକ୍ଷା ପରିସରକୁ ସଂପୂର୍ଣ୍ଣ ଭାବେ ରାଗିଂ ମୁକ୍ତ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ନବାଗତ ଛାତ୍ର ତଥା ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଯେପରିକି ବରିଷ୍ଠମାନଙ୍କ ଦ୍ବାରା କୌଣସି ନିର୍ଯାତନାର ଶିକାର ନ ହେବେ ସେଥି ପାଇଁ ମଧ୍ୟ ସରକାର ଗାଡ଼ଇଡଲାଇନ ଜାରି କରିଛନ୍ତି। ମାତ୍ର ସରକାରଙ୍କ ଏହି ନିୟମ କାଗଜପତ୍ର ଭିତରେ ହିଁ ସୀମତି ରହିଯାଉଛି। ଶିକ୍ଷାନୁଷ୍ଠାନରେ ସଚେତନତାର ଅଭାବ କାରଣରୁ ବାରମ୍ବାର ରାଗିଂ ଘଟଣା ସାମ୍ନାକୁ ଆସୁଛି। ବ୍ରହ୍ମପୁର ସହରର ଏକ ସରକାରୀ କଲେଜରେ ୨ ଜଣ ଛାତ୍ରଛାତ୍ରୀଙ୍କୁ ରାଗିଂ କରାଯିବା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚା ହେଉଛି।

କେବଳ ବ୍ରହ୍ମପୁର ନୁହେଁ। କଟାକଣା ପରେ ବି ବିଗତ ଦିନରେ ରାଜ୍ୟର ଅନ୍ୟ କିଛି ଶିକ୍ଷାନୁଷ୍ଠାନରେ ରାଗିଂ ହୋଇଛି। ଏପରିକି ରାଗିଂକୁ ମୁକାବିଲା କରି ପାରି ନଥିବା ବିଦ୍ୟାର୍ଥୀ  ଜୀବନ ମଧ୍ୟ ହାରିଛନ୍ତି। ଗତ ୨ ତାରିଖରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଗୋଲଡେନ୍ ଜୁବଲି ଛାତ୍ରାବାସରେ ରାଗିଂ ହୋଇଥିବା ନେଇ ଅଭିଯୋଗ ହେଲାପରେ ଜଣେ ଛାତ୍ରଙ୍କୁ ବହିଷ୍କାର କରାଯାଇଥିଲା। ଗତ ଜୁଲାଇ ମାସରେ ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ବାମପଦାସ୍ଥିତ ସେଣ୍ଟ୍ରାଲ ଇନ୍ଷ୍ଟିଚ୍ୟୁଟ ଅଫ ପେଟ୍ରୋକେମିକାଲ୍ସ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିପେଟ୍)ର ଏକ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ଘଟଣା ନେଇ ପରିବାର ପକ୍ଷରୁ ରାଗିଂ ଅଭିଯୋଗ ଆସିଥିଲା। ସେହିପରି ଜୁଲାଇ ମାସରେ ଭୁବନେଶ୍ବର ବିଜେବି କଲେଜରେ ଜଣେ ଛାତ୍ରୀ ରାଗିଂର ଶିକାର ହୋଇ ଆତ୍ମହତ୍ୟା କରିଥିଲେ ବୋଲି ଜୋରଦାର ହଙ୍ଗାମା ହୋଇଥିଲା।

ବ୍ରହ୍ମପୁରରେ ଛାତ୍ର-ଛାତ୍ରୀଙ୍କୁ ନିର୍ଯାତନା

ଛାତ୍ରଛାତ୍ରୀମାନେ ରାଗିଂର ସମ୍ମୁଖୀନ ହେଉଥିବା ବେଳେ ରାଜ୍ୟସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ଏସବୁ ସତ୍ତ୍ବେ ବ୍ରହ୍ମପୁରରେ ଏକ ସରକାରୀ କଲେଜର କିଛି ବିଦ୍ୟାର୍ଥୀ ମିଶି ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ରାଗିଂ କରିଛନ୍ତି, ଯାହାର ଭିଡିଓ ଭାଇରାଲ ହୋଇଛି। ପୁଲିସ ଏହି ମାମଲାରେ ୫ ଜଣ ଛାତ୍ରକୁ ଗିରଫ କରିଥିବା ବେଳେ। ଗିରଫ ଅଭିଯୁକ୍ତମାନଙ୍କ ସହିତ ୧୨ ଜଣ ଛାତ୍ର କଲେଜରୁ ତଡ଼ା ଖାଇଛନ୍ତି। ଅଭିଯୁକ୍ତମାନେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ ଯୁକ୍ତଦୁଇ ଦ୍ୱିତୀୟ ବର୍ଷର ଛାତ୍ରକୁ ଜୋର ଜବରଦସ୍ତି ଆଇ ଲଭ୍ ୟୁ କହିବା ପାଇଁ ବାଧ୍ୟ କରିବା ସହ ତାଙ୍କୁ ଚୁମ୍ବନ କରିବାକୁ ବାଧ୍ୟ କରିଥିଲେ। ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ।

ପାଳନ ହେଉନି କାର୍ଯ୍ୟାନୁଷ୍ଠାନ

ନାମଲେଖା ଋତୁ ପୂର୍ବରୁ ରାଗିଂ ରୋକିବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିୟମ ଜାରି କରାଯାଇଥିଲା। କୌଣସି ଶିକ୍ଷାନୁଷ୍ଠାନ ଛାତ୍ର/ଛାତ୍ରୀ ଯଦି ରାଗିଂରେ ସମ୍ପୃକ୍ତ ଥିବା ଜଣାପଡ଼େ ତେବେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ନିକଟସ୍ଥ ଥାନାରେ ଏତଲା ଦେବାକୁ ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ନିର୍ଦେଶ ଦିଆଯାଇଥିଲା। ରାଗିଂ ଉପରେ ନଜର ରଖିବାକୁ ତ୍ରିସ୍ତରୀୟ କମିଟି ଗଠନ କରାଯିବା ପାଇଁ ନିର୍ଦ୍ଦେଶ ହୋଇଥିଲା। ରାଜ୍ୟ, ଜିଲ୍ଲା ଓ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଗଢ଼ା ହେବାକୁ ଥିବା କମିଟି ବିଭିନ୍ନ ସମୟରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅଚାନକ ଗସ୍ତ କରି ଯାଞ୍ଚ କରିବାର ଥିଲା। କଲେଜସ୍ତରରେ ଆଣ୍ଟି ରାଗିଂ ସ୍କ୍ବାଡ୍ ଗଠନ କରାଯିବାର ଯୋଜନା ମଧ୍ୟ ଥିଲା। ମାତ୍ର ସରକାରଙ୍କର ଯୋଜନା ଫଳବତୀ ହୋଇ ନ ଥିବାରୁ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଭୋଗିବାକୁ ପଡୁଛି।  

ଛାତ୍ରଙ୍କୁ ଉଲଗ୍ନ

ତାମିଲନଡୁର ଭେଲୋରସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜରେ ନଭେମ୍ବର ମାସ ପ୍ରଥମ ସପ୍ତାହରେ ହୋଇଥିବା ଏକ ରାଗିଂ ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଦେଖାଯାଉଛି ଯେ ଛାତ୍ରାବାସରେ ସିନିୟର ପିଲାମାନେ କିଛି ପ୍ରଥମ ବର୍ଷର ଛାତ୍ରଙ୍କୁ ଅତି ଅମାନବୀୟ ଭାବେ ରାଗିଂ କରିଛନ୍ତି। ପ୍ରଥମ ବର୍ଷ ଛାତ୍ରଙ୍କୁ ଅର୍ଦ୍ଧନଗ୍ନ କରି ମାଟିରେ ଗଡ଼ାଇଛନ୍ତି। ସେହିପରି ଗତ ଅକ୍ଟୋବର ଗୁଜୁରାଟର ରାଜକୋଟରୁ ଏକ ଭୟଙ୍କର ରାଗିଂ ଘଟଣା ସାମ୍ନାକୁ ଆସିଥିଲା । ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଜଣେ ୧୯ ବର୍ଷ ବୟସ୍କ ଛାତ୍ରର ଗାଧୋଇବା ସମୟର ନଗ୍ନ ଭିଡିଓ ତିଆରି କରିଥିଲେ ଛାତ୍ର । ତା’ପରେ ପାଞ୍ଚ ଜଣ ଛାତ୍ର ପୀଡିତ ଛାତ୍ରଙ୍କୁ ବ୍ଲାକମେଲ କରି ମାନସିକ ନିର୍ଯାତନା ଦେଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments