ବନ୍ୟା ବଢ଼ାଉଛି ଦୁଃଖ

    0
    174

    ଭୁବନେଶ୍ବର: ରାଜ୍ୟ ସାରା ଲଗାତାର ୨ଟି ଲଘୁଚାପ ହେବା ଫଳରେ ବର୍ଷା ଓ ବନ୍ୟା କାରଣରୁ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରିଛନ୍ତି। ସରକାରଙ୍କ କହିବା ଅନୁସାରେ ସାଢ଼େ ୪ ଲକ୍ଷ ଲୋକ ବର୍ଷା ଓ ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ଲକ୍ଷାଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ବନ୍ୟା ଦୁର୍ଦ୍ଦଶା ଶେଷ ହୋଇ ନଥିବା ବେଳେ ଆଗାମୀ ଦିନରେ ଯେତେବେଳେ କ୍ଷୟକ୍ଷତି ନେଇ ଆକଳନ ହେବ, ସେହି ସମୟରେ ହିଁ ଜଣାପଡ଼ିବ ଯେ, ରାଜ୍ୟବାସୀ କେତେ ବଡ଼ ବିପର୍ଯ୍ୟୟର ସାମ୍ନା କରିଛନ୍ତି।

    ନଦୀର ଜଳସ୍ତର ବଢ଼ିଲେ କୂଳ ଖାଇବା ସାଧାରଣ କଥା। ନଦୀକୂଳିଆ ଗାଁଲୋକେ ତ ଏହାକୁ ସାମ୍ନା କରି ଶିଖିଛନ୍ତି। ସରକାର ମଧ୍ୟ ଏଭଳି ସ୍ଥାନରେ କିଭଳି ମୁକାବିଲା କରିବେ, ସେ ନେଇ ପୂର୍ବରୁ ପ୍ରସ୍ତୁତ ଥାଆନ୍ତି। କିନ୍ତୁ ନଦୀବନ୍ଧରେ ଘାଇ ଓ ଘଳିଆ ଯେକୌଣସି ସ୍ଥାନରେ ବି ହୋଇପାରେ। ଏହା ଦ୍ବାରା ଅଚାନକ ଲୋକେ କ୍ଷତିଗ୍ରସ୍ତ ହୋଇଥାନ୍ତି। ଘର ଓ ଚାଷ ଜମିକୁ ଘଳିଆ ଓ ଘାଇ ଧୋଇନେଇଥାଏ।  ଲୋକେ ଯେଉଁଭଳି ଭାବେ କ୍ଷତିର ସାମ୍ନା କରିଥାନ୍ତି, ସେମାନଙ୍କୁ ସେହି ହିସାବରେ କ୍ଷତିପୂରଣ ମିଳି ନ ଥାଏ। ତାହା ହିଁ ଦୁଃଖ।

    ୧୭୫୭ ଗାଁ ବନ୍ୟା ପ୍ରଭାବିତ

    ରାଜ୍ୟରେ ବନ୍ୟା ବିଭୀଷିକା ଜାରି ଥିବା ବେଳେ ସ୍ବତନ୍ତ୍ର ରିଲିଫ କମିସନର (ଏସଆରସି) ପ୍ରଦୀପ ଜେନା କହିଛନ୍ତି ମହାନଦୀରୁ ବନ୍ୟାଜଳ ନିଷ୍କାସନ କରାଯିବା ଦ୍ବାରା ୧୭୫୭ଟି ଗାଁ ପ୍ରଭାବିତ ହୋଇଛି। ଏଥିରୁ ଜଳବନ୍ଦି ହୋଇଛନ୍ତି। ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାବାସୀ ବନ୍ୟା ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ନେଇ ଏସ୍ଆରସି କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ୬ଟି ଘାଇ ହୋଇଥିବା ବେଳେ ଅନେକ ସ୍ଥାନରେ ଘଳିଆ ଯୋଗୁଁ ପ୍ରଭାବିତ ହୋଇଛନ୍ତି। ଘଳିଆଗୁଡ଼ିକୁ ମରାମତି କରାଯାଉଛି। କାମ ସରିଲେ ଲୋକଙ୍କର ସମସ୍ୟା ଦୂର ହେବ।

    ଦୁର୍ଦ୍ଦଶା ବଢ଼ାଇଛି ମହାନଦୀ-ବୈତରଣୀ

    ହୀରାକୁଦରୁ ବନ୍ୟାଜଳ ନିଷ୍କାସନ କରିବା ଦ୍ବାରା ମହାନଦୀର ଜଳସ୍ତର ବଢ଼ିଛି। ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାର ଅନେକଗୁଡ଼ିଏ ସ୍ଥାନ ଜଳାର୍ଣ୍ଣବ ହୋଇଛି। ସେହିପରି ବୈତରଣୀରେ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ଭଦ୍ରକ ଓ ଯାଜପୁର ଜିଲ୍ଲାର କିଛି ଗାଁ ପ୍ରଭାବିତ ହୋଇଛି। ବୈତରଣୀ ନଦୀର ଶାଖା କାଣୀ ନଦୀରେ ୧୫୦ଫୁଟର ଘାଇ ସୃଷ୍ଟି ହୋଇଛି। ଜଗତସିଂହପୁର ଜିଲ୍ଲା ପାଇକା ନଦୀର କାଠକୋଟ ଗାଁ ନିକଟରେ ୫୦ ଫୁଟ୍‌ର ଘାଇ ସୃଷ୍ଟି ହୋଇଛି। ଘାଇ ସୃଷ୍ଟି ପରେ ଗାଁକୁ ପାରି ପଶିଛି। ଆଳିପିଙ୍ଗଳରେ ଦେବୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ନିମାପଡ଼ାରେ କୁଶଭଦ୍ରା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି। ଦେବୀ ନଦୀର କଣ୍ଟିଶାଳ ନିକଟରେ ବନ୍ଧରେ ୩ ଘଳିଆ ହୋଇଥିବାରୁ ଲୋକେ ଛାନିଆ ହୋଇଛନ୍ତି।  

    ମହାନଦୀର ପଛୁଆ ପାଣି

    ମହାନଦୀରେ ପଛୁଆ ପାଣି ଖୋର୍ଦ୍ଧା ଜିଲ୍ଲାର ରାଜୁଆ, ଦୟା, ମଲାଗୁଣି, ମକରା ଆଦି ନଦୀ ନିକଟବର୍ତୀ ଅଂଚଳରେ ଶହ ଏକର ଚାଷ ଜମିକୁ କ୍ଷତି ପହଞ୍ଚାଇଛି। ମହାନଦୀରେ ଆସିଥିବା ବନ୍ୟା ଓ ପଛୁଆ ପାଣିରେ ଖୋର୍ଦ୍ଧା ବ୍ଲକରେ ବିଭିନ୍ନ ଶାଖା ନଦୀରେ ଯେଉଁଭଳି ଘାଇ ସୃଷ୍ଟି ହୋଇଛି ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ରାଜୁଆ-ଦୟା ନଦୀରେ ତିରିମଲ ଠାରେ ଘାଇ ସୃଷ୍ଟି ହୋଇଛି। ଏହି ଘାଇ ୩ଶହ ଫୁଟକୁ ବୃଦ୍ଧି ପାଇଛି। ଏହି ପାଣି ତଳମୁଣ୍ଡରେ ପହଂଚି ଅଣ୍ଡା-ମନ୍ଦାରବସ୍ତ ରାସ୍ତାର କଂଟାବଣିଆ ନିକଟରେ ୩ଟି ବଡ଼ ଘାଇ ସୃଷ୍ଟି କରିଛି। ଏହି ଘାଇ ଦ୍ୱାରା ଜଟଣୀ, ଖୋର୍ଦ୍ଧା ଓ ପୁରୀ କଣାସ ବ୍ଲକର ପ୍ରାୟ ୫ହଜାର ଏକର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ।  

    LEAVE A REPLY

    Please enter your comment!
    Please enter your name here