Tuesday, September 10, 2024
Homeବରମୁଣ୍ଡା ବସ୍‌ଷ୍ଟାଣ୍ଡ: ୧୫ ମାସର ଲକ୍ଷ୍ୟ ୫ ବର୍ଷରେ ଅସଂପୂର୍ଣ୍ଣ
Array

ବରମୁଣ୍ଡା ବସ୍‌ଷ୍ଟାଣ୍ଡ: ୧୫ ମାସର ଲକ୍ଷ୍ୟ ୫ ବର୍ଷରେ ଅସଂପୂର୍ଣ୍ଣ

ଭୁବନେଶ୍ୱର: ରାଜ୍ୟର ସବୁଠୁ ଅଧିକ ବସ୍ ଚଳାଚଳ କରୁଥିବା ବରମୁଣ୍ଡା ବସଷ୍ଟାଣ୍ଡ ନୂଆ ରୂପ ପାଇବ। ଏକ ଅତ୍ୟାଧୁନିକ ବସ୍ ଟର୍ମିନାଲ ନିର୍ମାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ୧୫ ମାସ ଭିତରେ ଏହାର ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପ୍ରକଳ୍ପ ୫ ବର୍ଷ ଭିତରେ ଶେଷ ହୋଇପାରି ନାହିଁ। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ ଏହି ପ୍ରକଳ୍ପ ପରିଦର୍ଶନରେ ଯାଇଥିଲେ। ଏହା ପରେ ସେ କହିଛନ୍ତି ଯେ, ବରମୁଣ୍ଡା ବସ୍ ଟର୍ମିନାଲ୍ ପ୍ରକଳ୍ପ କାର୍ଯ୍ୟ ୮୫ ପ୍ରତିଶତ ଶେଷ ହୋଇସାରିଛି। ଜୁନ୍ ଶେଷ ସୁଦ୍ଧା ଏହାର ସିଭିଲ କାମ ସରିବ। ଜୁଲାଇ ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବା ପାଇଁ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି।
ଅତ୍ୟାଧୁନିକ ବରମୁଣ୍ଡା  ବସ୍‌ଷ୍ଟାଣ୍ଡର ନିର୍ମାଣ ପାଇଁ ୨୦୧୮ ମସିହା ମେ’ ୩୦ ତାରିଖରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକରେ ଆବଶ୍ୟକୀୟ ପ୍ରଶାସନିକ ଏବଂ ବୈଷୟିକ ନିଷ୍ପତ୍ତି ନିଆଯାଇଥିଲା। ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ବିଡିଏ ଉପାଧ୍ୟକ୍ଷ ଏହି ପ୍ରକଳ୍ପ କାର୍ଯ୍ୟାନ୍ଵୟନ ସମ୍ବନ୍ଧିତ ବିଷୟବସ୍ତୁ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ୧୧ ଏକର ପରିମିତ ଅଞ୍ଚଳରେ ୧୮୦ କୋଟି ଟଙ୍କା ବ୍ୟୟରେ ଏହି ଟର୍ମିନାଲ ୫ ବର୍ଷ ମଧ୍ୟରେ ଶେଷ ହୋଇପାରି ନଥିଲା ବେଳେ ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ ୧୫ ମାସ ଭିତରେ ଶେଷ କରିବା ନେଇ ସରକାର ନିଜର ପାରିବା ପଣିଆ ବିଷୟରେ କହିଥିଲେ।

ଅତ୍ୟାଧୁନିକ ବସ୍ ଟର୍ମିନାଲ

ବରମୁଣ୍ଡା ଟର୍ମିନାଲ୍ ଓଡ଼ିଶାର ପ୍ରଥମ ବିଶ୍ୱସ୍ତରୀୟ ଟ୍ରାଞ୍ଜିଟ୍ ସିଷ୍ଟମ। ଏଠାରେ ଯାତ୍ରୀଙ୍କୁ ଅତ୍ୟାଧୁନିକ ସୁବିଧା ମିଳିବା ସହିତ ଦୈନିକ ୨ହଜାର ବସ୍ ଚଳାଚଳ କରିପାରିବ। ୧୧ ଏକର ପରିମିତ ଅଞ୍ଚଳରେ ଏହି ଟର୍ମିନାଲ ନିର୍ମାଣ କରାଯାଉଛି। ଭବିଷ୍ୟତ ସମ୍ପ୍ରସାରଣ ପାଇଁ ଆଉ ୪ ଏକର ଜମି ଅଛି। ଏଥିରେ ଫୁଡ୍କୋର୍ଟ, ଲିଫ୍ଟ, ଏକ୍ସାଭେଟର, ବହୁତଳୀୟ କାର୍ ପାର୍କିଂ ବ୍ୟବସ୍ଥା, ଯାତ୍ରୀମାନଙ୍କୁ ନେବା ଆଣିବା ପାଇଁ ପିକ୍-ଅପ୍ ଏବଂ ଡ୍ରପ୍ ବ୍ୟବସ୍ଥା ରହିବ। ଏହାସହ ପ୍ରିପେଡ୍ ଅଟୋରିକ୍ସା, ଟାକ୍ସି, ଓଲା, ଉବର ଆଦି ଟାକ୍ସି ଏଗ୍ରିଗେଟର ସୁବିଧା ମଧ୍ୟ ରହିବ। ସମ୍ପୂର୍ଣ୍ଣ ଟର୍ମିନାଲକୁ ସୌରଶକ୍ତି ଦ୍ୱାରା ପରିଚାଳିତ କରାଯିବ। ଏଥିରେ ୱାଇଫାଇ ସହ ସହିତ ବର୍ଜ୍ୟଜଳ ବିଶୋଧନ ବ୍ୟବସ୍ଥା ମଧ୍ୟ କରାଯାଉଛି।  

ସିସିଟିଭି ନଜରରେ ରହିବ ବସ୍‌ଷ୍ଟାଣ୍ଡ

ନବନିର୍ମିତ ବରମୁଣ୍ଡା  ବସ୍‌ଷ୍ଟାଣ୍ଡରେ ସହରର ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାର ଝଲକ ଦେଖିବାକୁ ମିଳିବ। ଏହାସହ ଆଧୁନିକ ସହରର ଛାପ ଦେଖିବାକୁ ମିଳିବ। ଯାତ୍ରୀଙ୍କ ସୁରକ୍ଷା ଏବଂ ମୌଳିକ ସୁବିଧା ସୁଯୋଗକୁ ଅଧିକ ଗୁରୁତ୍ୱ ଦିଆଯିବ। ଏଥିପାଇଁ  ବସ୍‌ଷ୍ଟାଣ୍ଡ ପରିସରରେ ପ୍ରତି କୋଣ ଅନୁକୋଣରେ ସିସିଟିଭି ଲାଗିବ। ଏହାକୁ ପରିଚାଳନା କରିବାକୁ କଣ୍ଟ୍ରୋଲ ରୁମ୍ ରହିବ। ଭବିଷ୍ୟତରେ ଏଠାରେ ଏକ ପୁଲିସ ଫାଣ୍ଡି ନିର୍ମାଣ କରାଯିବ। ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯିବ। ଏହି ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ସଂପୂର୍ଣ୍ଣ ଭାବେ ଭିନ୍ନକ୍ଷମ ଏବଂ ଶିଶୁଙ୍କ ଅନୁକୂଳ ଭଳି ବନାଯିବ। ଭିନ୍ନକ୍ଷମାନଙ୍କୁ ସୁବିଧାରେ ଚଳପ୍ରଚଳ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇବା ପାଇଁ ଏହି ପ୍ରକଳ୍ପରେ ଅନ୍ତର୍ଜାତୀୟ ତଥା ଦେଶରେ ରହିଥିବା ସମସ୍ତ ନିୟମକୁ ପାଳନ କରାଯିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments