ଭୁବନେଶ୍ୱର: ଜ୍ୟେଷ୍ଠ ସରିଛି । ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଶେଷ ହୋଇଛି । ଆଶାଢ଼ ମାସର ପ୍ରଥମ ସପ୍ତାହ ଶେଷ ହେବାକୁ ଯାଉଥିଲେ ବି ଜ୍ୟେଷ୍ଠ ମାସ ଭଳି ପ୍ରବଳ ଖରା ଅନୁଭୂତ ହେଉଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି । ମାଟିରେ ଆଦ୍ରତା ନଥିବାରୁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଚାଷୀକୁଳ ବର୍ଷାକୁ ଚାତକ ପକ୍ଷୀ ପରି ଅନାଇ ରହିଥିଲେ ବି ଏହା ହେଉ ନାହିଁ । ଆଶାଢ଼ ମାସର ପ୍ରଥମ ସପ୍ତାହ ବେଳକୁ ଚାଷୀମାନେ ଚାଷକାମ ଆରମ୍ଭ କରିଦେବାର କଥା । ମାତ୍ର ପାଣିପାଗର ବିପରୀତ ପରିସ୍ଥିତି କାରଣରୁ ଏହା ହୋଇପାରି ନାହିଁ । ଚାଷୀମାନେ ବର୍ଷା ଜଳ ପାଇବାକୁ ବ୍ୟାକୁଳ ହୋଇ ଉଠିଛନ୍ତି । ଚାଷ କାମ କରିବାକୁ ଅପେକ୍ଷାରେ ରହିଛନ୍ତି ।
ପ୍ରବଳ ଖରା ଓ ଗୁଳୁଗୁଳିରେ ଜନବୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଜୁନ୍ ୮ ତାରିଖରେ ରାଜ୍ୟର ଏକାଧିକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରେକର୍ଡ କରାଯାଇଛି । ସକାଳ ୮ଟା ପରେ ଓ ଅପରାହ୍ଣ ୩ଟା ପୂର୍ବର ଜରୁରୀ କାମ ନଥିଲେ ବାହାରକୁ ଯିବା ସହଜ ହୋଇପାରୁ ନାହିଁ । ଏହି ସମୟରେ ରାସ୍ତାଘାଟରେ ଲୋକଙ୍କର ଚଳପ୍ରଚଳ କମ ରହୁଛି । ପଶ୍ଚିମଓଡ଼ିଶାରେ ସ୍ଥିତି ସଂଗୀନ ଥିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ଖରା ସହିତ ଗୁଳୁଗୁଳି ଛଟପଟ କରୁଛି । ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ସ୍ଥିତି ସାମାନ୍ୟ ଭଲ ରହିଛି ।
ଚାଷ କାର୍ଯ୍ୟରେ ବର୍ଷା ସାଜୁଛି ବାଧକ
ପଣା ସଂକ୍ରାନ୍ତି ଆସିଲେ ଚାଷୀମାନେ ଚାଷ କାର୍ଯ୍ୟ ପାଇଁ ପ୍ରାକ୍ ପ୍ରସ୍ତୁତି କରିଦେଇଥାନ୍ତି । ପଣା ସଂକ୍ରାନ୍ତି ପରବର୍ତ୍ତୀ କାଳବୈଶାଖୀରେ ହେଉଥିବା ବର୍ଷା ପରେ ଚାଷୀମାନେ ହଳ ଜମିକୁ ପ୍ରସ୍ତୁତ କରିଥାନ୍ତି । ବୈଶାଖ ମାସରେ ଖେତକୁ ଗୋବର ନେଇ ବିଞ୍ଝିଥାନ୍ତି । ଏଗୁଡ଼ିକ ଆଉ ହୋଇପାରୁନି । ଚାଷୀମାନେ ଆଗଭଳି ଆଉ ଗାଈ, ମଇଁଷି ରଖୁନାହାନ୍ତି । ତେଣୁ ଜୈବିକ ପଦ୍ଧତିରେ ଚାଷ ହୋଇପାରୁ ନାହିଁ । ତେଣୁ ଚାଷରେ ରାସାୟନିକ ସାର ଓ କୀଟନାଶକ ଔଷଧ ଦିଆଯାଉଛି । ପହିଲି ରଜ ଅଳ୍ପ ଦିନ ପରେ ପାଳନ ହେବ । ପୂର୍ବରୁ ରଜ ସଂକ୍ରାନ୍ତି (ଚଳିତ ଥର ଜୁନ ୧୫) ପରେ ପରେ ଚାଷୀମାନେ ଧାନବୁଣା କାର୍ଯ୍ୟ ଆରମ୍ଭ କରୁଥିଲେ । ଆଗରୁ ବର୍ଷା ନିୟମିତ ଭାବେ ହେଉଥିଲା । ଏବେ କିଛି ବର୍ଷ ହେଲା ଏଥିରେ ବ୍ୟତୀକ୍ରମ ଦେଖାଯାଉଛି । ତେଣୁ ଚାଷୀକୁଳ ସମସ୍ୟାର ସମ୍ମୁଖୀନ କରୁଛନ୍ତି ।
ମୌସୁମୀ ଆସିବାରେ ବିଳମ୍ବ
ଠିକ୍ ସମୟରେ ବର୍ଷା ନ ହେବାର କାରଣ ହେଲା ମୌସୁମୀ ଆଗମନରେ ବିଳମ୍ବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା ଯେ, ଜୁନ୍ ୪ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ । ଏହା ପରେ ଉତ୍ତର ଦିଗରେ ଗତି କରିବ । ଆକଳନ ଯଦି ଠିକ୍ ହୋଇଥାନ୍ତା, ଜୁନ ୨ୟ ସପ୍ତାହ ଶେଷ ହେବା ପୂର୍ବରୁ ଓଡ଼ିଶାରେ ମୌସୁମୀ ଆସିଥାନ୍ତା । କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଯାଇଥିବାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ ୮ ତାରିଖରେ କେରଳ ପ୍ରବେଶ କରିଛି। କେରଳକୁ ମୌସୁମୀ ଆଗମନର ଏକ ସପ୍ତାହ ପରେ ଓଡ଼ିଶାରେ ଏହା ପହଞ୍ଚି ଥାଏ। ତେଣୁ ଓଡ଼ିଶାରେ ମୌସୁମୀ ପହିଲି ରଜ ବେଳକୁ ପ୍ରବେଶ କରିପାରେ ବୋଲି ଆଶା କରାଯାଉଛି।
ପୂର୍ବ ବର୍ଷଗୁଡ଼ିକରେ ମୌସୁମୀ ନଆସୁଣୁ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଥିଲା । ବୈଶାଖ ଓ ଜ୍ୟେଷ୍ଟ ମାସରେ ମଝିରେ ମଝିରେ ଅଦିନିଆ ବର୍ଷା ଯୋଗୁଁ ମାଟି ଭିଜୁଥିଲା । ଏହି ଅଦିନିଆ ବର୍ଷାକୁ ବ୍ୟବହାର କରି ଚାଷୀମାନେ ସେମାନଙ୍କର ଚାଷକାମ ଆରମ୍ଭ କରିଦେଉଥିଲେ । କିନ୍ତୁ ଚଳିତ ବର୍ଷ ପାଣିପାଗ ଚାଷୀକୁଳ ପାଇଁ ଦାଉ ସାଜିଛି । ପାଣିପାଗ ଯେଉଁଭଳି ସ୍ଥିତିରେ ରହିଛି ରଥଯାତ୍ରା ବେଳକୁ ଧାନବୁଣା କାର୍ଯ୍ୟ ଆରମ୍ଭ ହେବା ନେଇ ସନ୍ଦେହ ଉପୁଜୁଛି । କିଛି ବର୍ଷ ତଳକୁ ଯଦି ଫେରିଯିବା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ବେଳକୁ ଧାନ ବିହୁଡ଼ା କାର୍ଯ୍ୟ ଆରମ୍ଭ ହୋଇଯାଉଥିଲା । ସେହି ହିସାବରେ ଧାନବୁଣା କାର୍ଯ୍ୟ କରାଯାଉଥିଲା ।