Monday, October 14, 2024
Homeବର୍ଷା-ବନ୍ୟା କହୁଛି ଓଡ଼ିଶା କେତେ ବିକଶିତ
Array

ବର୍ଷା-ବନ୍ୟା କହୁଛି ଓଡ଼ିଶା କେତେ ବିକଶିତ

ଭୁବନେଶ୍ବର: ଚଳିତ ମାସ ରାଜ୍ୟସାରା ବର୍ଷା ହୋଇଛି। ଲଗାତାର ୩ଟି ଲଘୁଚାପ ଦ୍ବାରା ରାଜ୍ୟର ୧୩ଟି ଜିଲ୍ଲାର ୭୩ଟି ବ୍ଲକ ୬୦୯ଟି ଗ୍ରାମ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୨୩୮ ଟି ଗ୍ରାମ ପ୍ରଭାବିତ ହୋଇଛିା ରାଜ୍ୟର ୭୬୮ଟି ଗ୍ରାମ ଜଳ ଘେରରେ ରହିଥିବା ବେଳେ ୫ ଲକ୍ଷ ୪୫ ହଜାର ଲୋକ ଜଳବନ୍ଦି ଅବସ୍ଥାରେ ଅଛନ୍ତି ଏବଂ ପ୍ରାୟ ୭ ଲକ୍ଷ ୬୩ ହଜାର ଲୋକ ପ୍ରଭାବିତ ହୋଇଛନ୍ତିା ରାଜ୍ୟ ସରକାର ଏହା ସ୍ବୀକାର କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଥିବା ବେଳେ, ଆହୁରି ଅନେକ ସ୍ଥାନରେ ସରକାରୀ ବାବୁମାନେ ପହଞ୍ଚି ପାରି ନଥିବା ମଧ୍ୟ ଅଭିଯୋଗ ହେଉଛି।

ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। କେତେକ ସ୍ଥାନରେ ଲୋକେ ରନ୍ଧା ଖାଦ୍ୟ ପାଉ ନଥିବା ବେଳେ ପାନୀୟ ଜଳର ସଂକଟ ଦେଖାଯାଉଥିବା ଅଭିଯୋଗ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅନେକ ପରିବାର ନିଜର ଆତ୍ମୀୟଙ୍କ ହରାଇଛନ୍ତି। ବର୍ଷାରେ ପ୍ରଭାବିତ ବହୁଲୋକ ଦୁର୍ଘଟଣାର ଶିକାର ହୋଇ ମେଡିକାଲ ଯିବାକୁ ପଡିଛି। ବର୍ଷା ହେବା ମନୁଷ୍ୟକୃତ ନୁହେଁ। କିନ୍ତୁ ବର୍ଷା ଯୋଗୁଁ କାନ୍ଥପଡ଼ି ମୃତ୍ୟୁ ହୋଇଯିବା, ନାଳରେ ଭାସିଯିବା ଏହା ହେଉଛି ଆମ ସରକାରଙ୍କ ଦୁର୍ବଳତା ବୋଲି ନିଶ୍ଚିତ ଭାବେ କୁହାଯାଇ ପାରିବ। ଆମେ ଯଦି ପ୍ରକୃତରେ ବିକଶିତ ରାଜ୍ୟରେ ବସବାସ କରୁଥାନ୍ତେ, ତାହେଲେ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇବାକୁ ପଡୁ ନଥାନ୍ତା।

ମାଟିକାନ୍ଥ ପଡ଼ି ୬ ମୃତ

ବିଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ଘର ଭିତରେ ଥାଇ ୬ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦୁଝର ସଦର ବ୍ଲକ ମହାଦେଈଯୋଡା ପଞ୍ଚାୟତ ଟିକରପଡା ଗ୍ରାମର କୁହ୍ଲଚରଣ ବେହେରା ଗୁରୁତର ଥିବା ବେଳେ ତାଙ୍କ ପତ୍ନୀ ଦୂତିକା ବେହେରା ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। କୋରାପୁଟର ନୂଆସାହିରେ କାନ୍ଥ ପଡ଼ିବାରୁ  ସୁମନ ରାଜଭତ୍ରାଙ୍କ ନାବାଳକ ପୁଅ ପ୍ରିୟାଂଶୁର ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲାର ବିଶୋଈ ବ୍ଲକ୍ ଲୁହାକନି ପଞ୍ଚାୟତ ଭୋଳଦେଉଗାଁରେ  କାନ୍ଥ ପଡ଼ି ୨ ନାବାଳିକାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ୨ ଶିଶୁକନ୍ୟା ହେଲେ ଅନୀଲ ଗିରି ଓ ରିତା ଗିରିଙ୍କ ୨  ଝିଅ ସ୍ୱିଟି ଓ ନିହାରିକା। ସେହିପରି ବାରିପଦାର ୧୯ ନମ୍ବର ୱାର୍ଡ ମାଛସାହିରେ ମାଟି କାନ୍ଥ ପଡ଼ି ୮ ବର୍ଷର ନାବାଳକ ରଶ୍ମିରଂଜନ ବେହେରା ପ୍ରାଣ ହରାଇଛି।  ବର୍ଷାରେ କେବଳ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ୧୮୦ଟି ଘର ଭାଙ୍ଗିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା  ଦିଆଯାଇଛି। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  

ଛାତିଏ ପାଣିରେ ଜୀବନ

କୋରାପୁଟ ଜ଼ିଲ୍ଲା ବୋରିଗୁମ୍ମା ବ୍ଲକର ହରଦାଗୁଡା ପଞ୍ଚାୟତରେ ଗତ ୩ବର୍ଷ ହେବ ସ୍ଥାୟୀ ପୋଲ ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ରହିଛି। ଫଳରେ ଏହି ଅଞ୍ଚଳବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି। ଜରୁରୀକାଳୀନ ଭାବେ ଯାତାୟାତ କରିବା ଲାଗି କୌଣସି ବିକଳ୍ପ ନଥିବାରୁ ବାଧ୍ୟ ହୋଇ ବର୍ଷାଦିନରେ ଜୀବନକୁ ବାଜି ଲଗେଇ ନଦୀ ପାର ହେଉଛନ୍ତି। ଭରା ନଈ ପାର ହୋଇ ଲୋକେ ଜୀବନକୁ ବାଜିରେ ଲାଗାଇ ନଦୀ ପାର ହେଉଛନ୍ତି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଞ୍ଚାୟତରେ ଶନିବାର ପ୍ରଶାସନର ଅପାରଗତା ମଧ୍ୟ ପଦାକୁ ଆସିଛି। ଚକାମାଲ ଗ୍ରାମରେ ଉଚ୍ଚା ପୋଲ ନଥିବାରୁ ଛାତିଏ ପାଣିରେ ଗାଁ ନାଳ ପାର ହୋଇ ଶ୍ମଶାନକୁ ଶବ ଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଦିବାସୀ ଅଞ୍ଚଳର ଏଭଳି ବିକାଶକୁ ଦେଖିଲେ ଏହା ପ୍ରଶାସନର ଅପରାଗ ପଣିଆକୁ ସ୍ପଷ୍ଟ କରିଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।  

ରାଜ୍ୟ ସରକାରଙ୍କ ସଚେତନତା ବାର୍ତ୍ତା

ବନ୍ୟା ପ୍ରଭାବିତ ଅଞ୍ଚଳରେ ନଈ, ନାଳ, ପୋଖରୀ, କୂଅ କିମ୍ବା ବନ୍ୟାଜଳ ପଶିଥିବା ନଳକୂପ ବିଶୋଧିତ ନହେବା ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ନାହିଁ। ଫୁଟାପାଣି ଅଥବା ହାଲୋଜେନ୍ ବଟିକା ପଡ଼ିଥିବା ବିଶୋଧିତ ପାଣି ବ୍ୟବହାର କରନ୍ତୁ। ବାହାରେ ଜମିଥିବା ପାଣିରେ ହାତମୁହଁ ଧୁଅନ୍ତୁ ନାହିଁ। ସାପ କାମୁଡା ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନା ନିଅନ୍ତୁ ବୋଲି ରାଜ୍ୟ ସରକାର ସଚେତନତା ବାର୍ତ୍ତା ଦେଇଛନ୍ତି। ଏହି ବାର୍ତ୍ତା ମାଧ୍ୟମରେ ସରକାର ସ୍ବୀକାର କରିଛନ୍ତି ଯେ, ରାଜ୍ୟର ସାଢ଼େ ୪ କୋଟି ଲୋକଙ୍କୁ ସରକାର ବିଶୁଦ୍ଧ ପାଣି ଯୋଗାଇବାରେ ବିଫଳ ହୋଇଛନ୍ତି। ଯେଉଁଥି ପାଇଁ କି ନଈ, ନାଳ, ପୋଖରୀ ଓ କୂଅର ଜଳ ବ୍ୟବହାର କରିବା ପୂର୍ବରୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ଅନ୍ୟପଟରେ ରାଜ୍ୟ ସରକାର କିଛି ମାସ ପୂର୍ବରୁ ବିଶୁଦ୍ଧ ଜଳ ଯୋଗାଇବା ପାଇଁ ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments