ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ତାରିଖ ପାଖେଇ ଆସୁଛି । ଆଉ ମାତ୍ର ୧୫ ଦିନ ପରେ ଏହି ୨ଟି ଆସନରେ ମତଦାନ ହେବ । ମତଦାତା ସେମାନଙ୍କର ମନପସନ୍ଦର ଯୋଗ୍ୟ ପ୍ରାର୍ଥୀଙ୍କୁ ବାଛିବେ । ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି), ବିଜୁ ଜନତା ଦଳ (ବିଜେଡି) ଓ କଂଗ୍ରେସ ନିଜର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଗତକାଲି ପ୍ରକାଶ କରିଛି । କରୋନା କଟକଣା ସମୟରେ ରାଜନୈତିକ ଦଳମାନେ ପ୍ରଚାରକୁ ଗୁରୁତ୍ୱ ଦେଉଛନ୍ତି । ଏହି ସମୟରେ ରାଜନେତାମାନେ ସ୍ୱାଭାବିକ ସ୍ଥିତି ଭଳି ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ଆଶା କରାଯାଉଛି । ପ୍ରଥମେ ବିଜେପି ନିଜର ପ୍ରଚାର ତାଲିକା ପ୍ରକାଶ କରିବା ପରେ ବିଜେଡି ମଧ୍ୟ ଏହି କାମ କରିଥିଲା । ସନ୍ଧ୍ୟାରେ କଂଗ୍ରେସ ଦଳ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି ।
ବାଲେଶ୍ୱରରେ ୯ ଜଣ, ତିର୍ତ୍ତୋଲରେ ୮ ଜଣ ଲଢ଼ିବେ
ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଳ କୁମାର ଲୋହାନୀ ଶୁକ୍ରବାର ସୂଚନା ଦେଇଛନ୍ତି ଯେ, ବାଲେଶ୍ୱର ସଦର ପାଇଁ ୯ ଜଣ ଓ ତିର୍ତ୍ତୋଲ ପାଇଁ ୮ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଶନିବାର ପ୍ରାର୍ଥୀପତ୍ର ଯାଞ୍ଚ ହେବା ପରେ ନିର୍ବାଚନ ପ୍ରକ୍ରିୟା ଆଗକୁ ବଢ଼ିବ । କରୋନା କଟକଣା ଯୋଗୁଁ ଚଳିତ ଥର ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଉଭୟ ନିର୍ବାଚନ ମଣ୍ଡଳୀରେ ମୋଟ ୫ ହଜାର ୪୦୮ ଜଣ ପୋଷ୍ଟାଲ ବାଲାଟରେ ଭୋଟ ଦେବେ । ସ୍ୱତନ୍ତ୍ର ପୋଲିଂ ପାର୍ଟି ୨୦ ତାରିଖ ଠାରୁ ନଭେମ୍ବର ୨ ଯାଏଁ ଘରକୁ ଯାଇ ପୋଷ୍ଟାଲ ବାଲାଟ ଗ୍ରହଣ କରିବେ ।
ପ୍ରଚାର ସମୟରେ ସାମାଜିକ ଦୂରତା ରହିବ କେମିତି
ରାଜନୈତିକ ଦଳଗୁଡ଼ିକ ପ୍ରଚାର ପାଇଁ ନିଜର ଷ୍ଟାର ପ୍ରଚାର ତାଲିକା ଘୋଷଣା କରିବା ପରେ ଆସନ୍ତା ସପ୍ତାହ ଠାରୁ ପ୍ରଚାର ଆରମ୍ଭ ହୋଇଯିବ । ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଲା ଯେ, ଏହି ସମୟରେ ସାମାଜିକ ଦୂରତା କେମିତି ରହିବ । ବିଗତ ଦିନରେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ଜନ୍ମଦିନ ପାଳନ କରୁଥିବା ବେଳେ ମୁହଁରୁ ମାସ୍କ ଖସିଯିବା ପରେ ରାଜ୍ୟରେ ରାଜନୈତି ଝଡ଼ ଦେଖାଯାଇଥିଲା । ତାହା ଏବେ ବି ଶାନ୍ତ ପଡ଼ିନାହିଁ । ତେବେ ବାଲେଶ୍ୱର ଓ ତିର୍ତ୍ତୋଲରେ ପ୍ରଚାର ସମୟରେ ନେତାମାନେ ଜନତାଙ୍କ ସହିତ ସାମାଜିକ ଦୂରତା ରକ୍ଷା କରିବେ ତ?
ବିଜେପିର ୩୦ ଜଣିଆ ପ୍ରଚାରକ ତାଲିକା
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ସଂଗଠନ ଦାୟିତ୍ୱରେ ଥିବା ସୌଦାନ ସିଂହ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବରଗଡ଼ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ମନମୋହନ ସାମଲ, ବିଶେଶ୍ୱର ଟୁଡୁ, ସମ୍ବିତ ପାତ୍ର, ଅଶ୍ୱିନୀ ବୈଷ୍ଣବ, ବିଷ୍ଣୁ ସେଠୀ, ବିଜୟ ମହାପାତ୍ର, ମହାମେଘବାହନ ଐର ଖାରବେଳ ସ୍ୱାଇଁ, ପ୍ରକାଶ ମିଶ୍ର, ମୋହନ ଚରଣ ମାଝୀ, ସୁକାନ୍ତ କୁମାର ନାୟକ, ରଘୁନାଥ ମହାନ୍ତି, ପଦ୍ମଲୋଚନ ପଣ୍ଡା, ଜୟନାରାୟଣ ମହାନ୍ତି, ପୃଥ୍ମୀରାଜ ହରିଚନ୍ଦନ, ଗୋଲକ ପ୍ରସାଦ ମହାପାତ୍ର, ଡ. ଲେଖାଶ୍ରୀ ସାମନ୍ତସିଂହାର, ଭ୍ରୃଗୁବକ୍ସି ପାତ୍ର ଓ ବିଭୂ ପ୍ରସାଦ ତରାଇ
ଭର୍ଚୁଆଲ ରାଲି କରିଥିଲେ ଅସୁବିଧା କ’ଣ ଥିଲା
ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ ବ୍ୟକ୍ତି ଗତ ମାର୍ଚ୍ଚ ୧୫ରେ ଦେଖାଯାଇଥିଲା । ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ ଏପ୍ରିଲ ୬ ତାରିଖରେ ହୋଇଥିଲା । କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟର ସର୍ବସାଧାରଣ ସ୍ଥଳରେ ବ୍ୟାପକ କଟକଣା ଲଗାଯାଇଥିଲା । ଏବେ ଧର୍ମାନୁଷ୍ଠାନ ଖୋଲିବା ବ୍ୟତୀତ ଅନ୍ୟ ସ୍ଥାନରେ ଧୀରେ ଧୀରେ କଟକଣା ଉଠିସାରିଛି । କରୋନା କଟକଣା ଲାଗିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ ସାଧାରଣ ଜନତାଙ୍କୁ ଆସିନାହାନ୍ତି । କିନ୍ତୁ ସେ ନିର୍ବାଚନ ସମୟରେ ତାଙ୍କର ହାଇଟେକ ବସରେ ପୁଣି ଦେଖାଯିବେ । ଏଠାରେ ପ୍ରସଙ୍ଗ ହେଲା ଯେ, ରାଜ୍ୟ ସରକାର ଏପର୍ଯ୍ୟନ୍ତ ସବୁ କିଛି କାର୍ଯ୍ୟକ୍ରମ ଭିଡିଓ ବାର୍ତ୍ତା ଜରିଆରେ କରିଆସୁଛନ୍ତି । ତେଣୁ ଉପନିର୍ବାଚନ ସମୟରେ ମଧ୍ୟ ଭର୍ଚୁଆଲ ରାଲି କରିଥିଲେ କରୋନା କଟକଣାକୁ ଶୃଙ୍ଖଳିତ ଭାବେ ପାଳନ କରାଯାଇ ପାରିଥାନ୍ତା ।
ଏମାନେ ହେଲେ ବିଜେଡିର ୩୦ ଜଣିଆ ପ୍ରଚାରକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ, ଡ. ରାଜଶ୍ରୀ ମଲ୍ଲିକ, ମୁଜିବୁଲ୍ଲା ଖାଁ, ମନ୍ତ୍ରୀ ଅରୁଣ କୁମାର ସାହୁ, ନିରଂଜନ ପୂଜାରୀ, ଦିବ୍ୟଶଙ୍କର ମିଶ୍ର, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ରବୀନ୍ଦ୍ର କୁମାର ଜେନା, ପ୍ରଶାନ୍ତ କୁମାର ମୁଦୁଲି, ରଘୁନନ୍ଦନ ଦାସ, ସୁଦାମ ମାର୍ଣ୍ଣିଂ, ନବକିଶୋର ଦାସ, ସୁଶାନ୍ତ ସିଂହ, ସୌମ୍ୟରଂଜନ ପଟ୍ଟନାୟକ, ପ୍ରକାଶ ଦାସ, ଅନନ୍ତ ଦାସ, ସଂଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଆକାଶ ଦାଶ ନାୟକ, ଅରିନ୍ଦମ ରାୟ ଓ ସତ୍ୟବ୍ରତ ତ୍ରିପାଠୀ (କୁନା) ।
କଂଗ୍ରେସ ଘୋଷଣା କଲା ନିଜର ନେତା
ଓଡ଼ିଶା ପ୍ରଭାରୀ ଏ ଚେଲ୍ଳାକୁମାର, ସଭାପତି ନିରଂଜନ ପଟ୍ଟନାୟକ, ଜିତେନ୍ଦ୍ର ସିଂହ, ଜିତିନ ପ୍ରସାଦ, ଭକ୍ତ ଚରଣ ଦାସ, ଅନିଲ ଚୌଧୁରୀ, ନରସିଂହ ମିଶ୍ର, ଚିରଂଜିବୀ ବିଶ୍ୱାଳ, ପ୍ରଦୀପ ମାଝୀ, ଜି ରୁଦ୍ର ରାଜୁ, ଶରତ ରାଉତ, ବିଶ୍ୱରଂଜନ ମହାନ୍ତି, ରାଗିଣୀ ନାୟକ, ସୁସ୍ମିତା ଦେବ, ରାମଚନ୍ଦ୍ର ଖୁଣ୍ଟିଆ, ସୁଶୀଳା ତିରିଆ, ଅଭିଜିତ ମୁଖାର୍ଜୀ, ଶରତ ପଟ୍ଟନାୟକ, ପ୍ରଦାସ ହରିଚନ୍ଦନ, ସପ୍ତଗିରି ଉଲ୍ଲାକା, ସୁରେଶ ରାଉତରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂହ ସାଲୁଜା, ମହମ୍ମଦ ମୋକିମ, ରଂଜୀବ ବିଶ୍ୱାଳ, ଇମରାନ ପ୍ରତାପଗଡ଼ି, ଗଣେଶ୍ୱର ବେହେରା, ବିଜୟଲକ୍ଷ୍ମୀ ସାହୁ, ହମିଦ ହୁସେନ ଓ ସ୍ମୁତିରଂଜନ ଲେଙ୍କା ।