ଭୁବନେଶ୍ୱର: ଗୁଜରାଟର ମୋରବୀରେ ୨୦୨୨ ଅକ୍ଟୋବର ୩୦ ତାରିଖ (ରବିବାର) ସନ୍ଧ୍ୟାରେ ଲଚ୍ଛୁ ନଦୀରେ ନିର୍ମିତ ଝୁଲାପୋଲ ଭୁଶୁଡ଼ିବା କାରଣରୁ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୪୧କୁ ଛୁଇଁଛି । ପ୍ରତକ୍ଷ୍ୟଦର୍ଶୀ ଓ ଉଦ୍ଧାରକାରୀଙ୍କ କହିବା ଅନୁସାରେ ମୃତକଙ୍କ ମଧ୍ୟରେ ଶିଶୁମାନଙ୍କର ସଂଖ୍ୟା ଅଧିକ । ଦୁର୍ଘଟଣା କାରଣରୁ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ୧୭୭ ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ମରାମତି ପରେ ଝୁଲାପୋଲକୁ ୫ ଦିନ ପୂର୍ବରୁ ଖୋଲାଯାଇଥିଲା, ଯେଉଁଥିରେ କି ଅଧିକାରୀଙ୍କର ଅବହେଳା ଦର୍ଶାଯାଇଛି । ଠିକ୍ ଭାବରେ ମରାମତି କରାନଯାଇ ଏବଂ ପୋଲର ସ୍ଥିତି ଅନୁସାରେ ଅଧିକ ଲୋକଙ୍କୁ ଯିବା ପାଇଁ ଅନୁମତି ମିଳିଥିବାରୁ ଅଳ୍ପ ସମୟ ମଧ୍ୟରେ ଶତାଧିକ ଲୋକଙ୍କର ଜୀବନ ଚାଲିଯାଇଛି । ଅନେକ ପରିବାର ଉଜୁଡ଼ି ଯାଇଛି । ମୋରବୀରେ ଲୁହର ନଦୀ ବହୁଛି ।
ମୋରବୀ ନଦୀରେ ନିର୍ମିତ ଝୁଲାପୋଲ ଭୁଶୁଡ଼ିପଡ଼ିବା ଦ୍ୱାରା ଓଡ଼ିଶା ସରକାର ଛାନିଆ ହୋଇଯାଇଛନ୍ତି । କଟକ ଜିଲ୍ଲା ପ୍ରଶାସନ ପ୍ରସିଦ୍ଧ ଶୈବପୀଠ ‘ଧବଳେଶ୍ୱର’ ଠାରେ ଥିବା ଝୁଲାପୋଲର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଛି । ସୋମବାର ଧବଳେଶ୍ୱରରେ ପ୍ରବଳ ଭକ୍ତଙ୍କର ସମାଗମ ହୋଇଥିଲେ ବି ପୋଲ ଉପରେ ଏକକାଳୀନ ୨୦୦ରୁ ଅଧିକ ଲୋକଙ୍କୁ ଯିବାପାଇଁ ଅନୁମତି ମିଳିନାହିଁ । ପୂର୍ବରୁ ଏହି ପୋଲରେ ଏକକାଳୀନ ୬୦୦ ଲୋକ ମଧ୍ୟ ଯାତାୟତ କରୁଥିଲେ । ଝୁଲାପୋଲର କିଛି ସ୍ଥାନରେ ଫାଟ ଦେଖାଯାଇଛି । ଏହି ଫାଟ ସ୍ଥାନୀୟ ପ୍ରଶାସନକୁ ଦେଖାଯାଉ ନ ଥିଲା । ଗୁଜରାଟ ଦୁର୍ଘଟଣା ପରେ ଦେଖାଯାଉଛି ।
ନିଦ ଭାଙ୍ଗିଲା
ଗୁଜରାଟରେ ଝୁଲାପୋଲ ଭୁଶୁଡ଼ିବା ଘଟଣା ପରେ ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗିଛି । ଏବେ ଧବଳେଶ୍ୱରସ୍ଥିତ ଝୁଲାପୋଲକୁ ମରାମତି କରିବା ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି । ଏଥି ପାଇଁ ୨୦୨୨ ନଭେମ୍ବର (ମଙ୍ଗଳବାର) ଝୁଲାପୋଲ ଉପରେ ଯିବା-ଆସିବା ବନ୍ଦ ରହିବ । ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଷ୍ପତ୍ତନିଆଯାଇଛି । ଝୁଲାପୋଲ ଉପରେ ଯାତାୟତ ବନ୍ଦ ସମୟରେ ଲୋକେ ଡଙ୍ଗାରେ ଧବଳେଶ୍ୱରକୁ ଯିବେ । ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ଉପସ୍ଥିତ ରହିବେ । ସୂଚନାଯୋଗ୍ୟ ରାଜ୍ୟ ବାହାରେ ଯେତେବେଳେ ବଡ଼ଧରଣର ବିପର୍ଯ୍ୟୟ ଦେଖାଯାଇଥାଏ, ସେହି ସମୟରେ ଓଡ଼ିଶା ସରକାର ସତର୍କ ରହିଥାନ୍ତି । ଉଦାହରଣ ସ୍ୱରୂପ, ୨୦୧୯ ମେ’ ୨୪ ତାରିଖରେ ସୁରତର ଏକ କୋଚିଂ ସେଣ୍ଟରରେ ଯେତେବେଳେ ନିଆଁ ଲାଗିଲା, ଏହି ଘଟଣାର ପରବର୍ତ୍ତୀ ସମୟରେ ଓଡ଼ିଶା ସରକାର ସତର୍କ ହୋଇଥିଲେ । ରାଜ୍ୟର କୋଚିଂ ସେଣ୍ଟରଗୁଡ଼ିକରେ ନିଆଁଲିଭା ପାଇଁ କ’ଣ ବନ୍ଦେବସ୍ତ ରହିଛି, ସେନେଇ ତଦନ୍ତ କରିଥିଲେ । ଯାହାବି ହେଉ ପଛରେ ହେଉ ମଧ୍ୟ ସରକାର ଏହି କାମଟି କରିପାରୁଛନ୍ତି ।
କଳାହାଣ୍ଡିରେ ଭୁଶୁଡ଼ିଲା ପୋଲ
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଥୁଆମୂଲ ରାମପୁର ଯାଇଥିବା ୪୪ ନମ୍ବର ରାଜ୍ୟପଥର ଅଟଙ୍ଗଗୁଡ଼ା ଭାଗୀରଥି ପାର୍କ ନିକଟରେ ରବିବାର ଅପରାହ୍ନରେ ବହୁ ପୂରାତନ ପୋଲ ଭୁଶୁଡ଼ିପଡ଼ିଲା । ସେହି ସମୟରେ ରାସ୍ତାରେ ଯାଉଥିବା ୨ଟି କାର (ଓଡ଼ି ୩୩-୬୮୦୭ ଏବଂ ଓଡ଼ି ୩୩ଟି-୧୦୮୮) ପୋଲତଳକୁ ଖସିପଡ଼ିବାରୁ ୭ ଜଣ ଯାତ୍ରୀ ଆହତ ହୋଇଗଲେ । ଭାଗ୍ୟ ଭଲ ଥିବାରୁ ସେମାନେ ମୃତ୍ୟୁ ମୁଖରୁ ବର୍ତ୍ତି ଗଲେ । ଦେଶର ୧ ନମ୍ବର ରାଜ୍ୟ ହେବା ପାଇଁ ସ୍ୱପ୍ନ ଦେଖୁଥିବା ବିଜେଡି ସରକାରରେ କଳାହାଣ୍ଡିରୁ ମନ୍ତ୍ରୀ ଓ ବିଧାୟକ ହୋଇଥିବା ବ୍ୟକ୍ତିମାନଙ୍କୁ ଏହି ରାସ୍ତାକୁ ଦେଖାଯାଉ ନ ଥିଲା ବୋଧେ । ଫଳରେ ସେମାନେ ରାସ୍ତା ମରାମତି ଅଥବା ଏଠାରେ ନୂତନ ପୋଲ ନିର୍ମାଣ କରିବା ପାଇଁ ପଦକ୍ଷେପ ନେଇ ନଥିଲେ ।
ରାସ୍ତାରେ ଜୀବନ
ପ୍ରଶାସନର ଅବହେଳା ଯୋଗୁଁ ଦେଶରେ ପ୍ରତିବର୍ଷ ଏମିତି ଅଘଟଣ ଘଟୁଛି । ଅଯଥାଟାରେ ନୀରିହ ଜୀବନ ଚାଲିଯାଉଛି । ଅଘଟଣ ପରେ ସରକାର ଓ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେଉଛନ୍ତି । ୨୦୦୧ରେ କେରଳର କଦଲୁଣ୍ଡି ନଦୀ ଉପରେ ରେଳପୋଲ ଭୁଶୁଡ଼ିବାରୁ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । ୩୦୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ । ସେହିପରି ୨୦୦୨ ମସିହା ସେପ୍ଟେମ୍ବର ୧୦ ତାରିଖରେ ରାଜଧାନୀ ଏକ୍ସପ୍ରେସ ଉତ୍ତର-ମଧ୍ୟ ଭାରତରେ ଧାବେ ନଦୀରେ ଲାଇନଚ୍ୟୁତ ହୋଇଥିଲା । ଏହି ଦୁର୍ଘଟଣାରେ ୧୩୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୨୦୦୫ ମସିହା ଅକ୍ଟୋବର ୨୯ ତାରିଖରେ ହାଇଦ୍ରାବାଦ ନିକଟ ଭୋଲିଗୋଣ୍ଡାସ୍ଥିତ ଏକ ପୋଲ ଭାଙ୍ଗିଯାଇଥିବାରୁ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଏଥିରେ ୧୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଭଳି ଭାବରେ ଲୋକଙ୍କର ରାସ୍ତାରେ ଜୀବନ ଯାଇଥିଲା ।