ଭୁବନେଶ୍ୱର: ବିକଶିତ ଭାରତ ଗଠନ ଉଦ୍ଦେଶ୍ୟରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଶୁଭାରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଉଭୟ ସହର ଓ ଗ୍ରାମାଞ୍ଚଳରେ ଲୋକପ୍ରିୟତା ଅର୍ଜନ କରୁଛି। ଏହାରି ମଧ୍ୟରେ ୬ କୋଟିରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ସହ ସାରା ଦେଶରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହିତ ଆଗେଇ ଚାଲିଛି। ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ରଥକୁ ନେଇ ଓଡ଼ିଶାରେ ମଧ୍ୟ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି। ସହରାଞ୍ଚଳରେ ବିଭିନ୍ନ ୱାର୍ଡ ଏବଂ ଗ୍ରାମାଞ୍ଚଳର ପଞ୍ଚାୟତରେ ସଂକଳ୍ପଯାତ୍ରାର ସଚେତନତା ରଥକୁ ଭବ୍ୟ ସ୍ୱାଗତ କରାଯାଉଛି। ଖୁବଶୀଘ୍ର ଯାତ୍ରାରେ ଓଡ଼ିଶାର ୧ କୋଟିରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି।
ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ କେନ୍ଦ୍ରର ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଯାଉଛି। ଓଡ଼ିଶାର ୧ କୋଟି ଲୋକଙ୍କୁ ଭାରତ ସରକାରଙ୍କ ଯୋଜନା ବଖାଣିବାକୁ ଉଦ୍ୟମ କରାଯାଉଛି। ବିଜେଡି ନେତୃତ୍ବାଧୀନ ସରକାର ଦୀର୍ଘ ୨୩ ବର୍ଷ ହେଲା କ୍ଷମତାରେ ରହିଥିବା ବେଳେ ଅନେକ ସମୟରେ କେନ୍ଦ୍ରର ଅବହେଳା ଦର୍ଶାଇଥାଏ। ସମାଜର ତୃଣମୂଳସ୍ତରରେ ଉନ୍ନୟନମୂଳକ କାମ ପାଇଁ ପାଣ୍ଠି କେଉଁଠାରୁ ଅନୁଦାନ ମିଳିଛି ତାହା ଜାଣନ୍ତି ନାହିଁ। ତେଣୁ ବିଜେଡି ସରକାର ଲୋକଙ୍କୁ ନବୀନ ପଟ୍ଟନାୟକଙ୍କ ନାମ ନେଇ ହୃଦୟ ଜିତିବାକୁ ଉଦ୍ୟମ କରିଥାଏ। ଏଥର କିନ୍ତୁ ନିର୍ବାଚନ ପୂର୍ବରୁ ବିଜେପି ବିସ୍ତୃତ ଯୋଜନା କରିଛି।
କେନ୍ଦ୍ରୀୟ ଯୋଜନାର ପ୍ରଚାର
ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। ସରକାରୀ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କର ପଞ୍ଜୀକରଣ କରାଯାଉଛି। ଘର ପାଖରେ ସରକାରୀ ଯୋଜନାର ଲାଭ ପାଇବାର ସୁବିଧା ପହଞ୍ଚି ଥିବାରୁ ରାଜ୍ୟର ବିଭିନ୍ନ ପଞ୍ଚାୟତ ଓ ପୌରାଞ୍ଚଳ ୱାର୍ଡରେ ସ୍ଥାନୀୟ ମହିଳା ଓ ପୁରୁଷମାନେ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ପାରମ୍ପରିକ ଢଙ୍ଗରେ, ଘଣ୍ଟଘଣ୍ଟା, ହୁଳହୁଳି ଓ ବାଦ୍ୟ ବଜାଇ ସ୍ୱାଗତ କରୁଥିବା ଦେଖାଯାଇଛି। କିଛି ସ୍ଥାନରେ ଲୋକମାନେ ଗାଁ ବାହାରକୁ କିଛି ଦୂର ପର୍ଯ୍ୟନ୍ତ ଯାଇ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ପାଛୋଟି ଆଣୁଛନ୍ତି। ତେଣୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ଭୋଟ୍ ପ୍ରତିଶତ ବଢ଼ିବାର ଆଶଙ୍କା ଦେଖାଯାଉଛି।
ସବୁ ବର୍ଗର ଲୋକଙ୍କ ମନମୋହୁଛି
ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସଂକଳ୍ପ ଯାତ୍ରା ରଥ ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସଚେତନତା ବାହନରେ ଲାଗିଥିବା ଏଲଇଡି ପରଦାରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସାରଣ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି। ସ୍ଥାନୀୟ ଜନ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା, ଅଙ୍ଗନୱାଡ଼ି କର୍ମୀ, ବିଭିନ୍ନ ଯୋଜନାର ନୋଡାଲ ଅଧିକାରୀ, ବ୍ୟାଙ୍କ ଓ ଡାକ ବିଭାଗର କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, କୃଷି ବିଭାଗ କର୍ମଚାରୀମାନେ ଯାତ୍ରା ରହଣୀ ସ୍ଥଳରେ ଉପସ୍ଥିତ ରହି ସାଧାରଣ ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ କରୁଛନ୍ତି। ସଂକଳ୍ପ ଯାତ୍ରାର ସଚେତନତା ରଥ ଗୋଟିଏ ପଞ୍ଚାୟତରୁ ଅନ୍ୟ ପଞ୍ଚାୟତକୁ ଯିବା ସହିତ କେନ୍ଦ୍ର ସରକାରଙ୍କ ପିଏମ ଆବାସ, ଉଜ୍ଜ୍ୱଳା, ବୀମା ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା, କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ପ୍ରମୁଖ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛି।
ସଚେତନାମୂଳକ ଯାତ୍ରାରେ ସ୍ବାସ୍ଥ୍ୟ ଶିବିର
‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଲକ୍ଷ୍ୟ ଅନ୍ୟ ରାଲି ଓ ଶୋଭାଯାତ୍ରା ତୁଳନାରେ ସଂପୂର୍ଣ୍ଣ ଭିନ୍ନ। ସଂକଳ୍ପ ଯାତ୍ରାର ସଚେତନତା ରଥ ରହଣୀ ସ୍ଥଳରେ ପହଞ୍ଚି ଯାଉଛି, ସେଠାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶିବିରର ଆୟୋଜନ କରାଯାଉଛି। ଶିବିରରେ ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଯକ୍ଷ୍ମା, ମଧୁମେହ, ଉଚ୍ଚରକ୍ତଚାପ, ସିକଲ୍ ସେଲ୍ ଏନିମିଆ ଭଳି ରୋଗ ପାଇଁ ଆବଶ୍ୟକ ଚିକିତ୍ସା ପରାମର୍ଶ ଦିଆଯାଉଛି। ଆବଶ୍ୟକ ସ୍ଥଳେ ଲକ୍ଷଣଯୁକ୍ତ ରୋଗୀଙ୍କୁ ଉଚ୍ଚତର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଉଛି। ଏହି ସ୍ୱାସ୍ଥ୍ୟ ଶିବିରରେ ମଧ୍ୟ ବହୁ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରର ଯୋଜନାର ସୁବିଧା ପାଇବା ଲାଗି ନିଜର ପଞ୍ଜୀକରଣ କରାଉଛନ୍ତି। ସେହିପରି ଡାକ ବିଭାଗ ଓ ବ୍ୟାଙ୍କ ପକ୍ଷରୁ ମିଳୁଥିବା ସଞ୍ଚୟ ଓ ବୀମା ଯୋଜନା ସମ୍ପର୍କରେ ଲୋକମାନେ ଅବଗତ ହେଉଥିବା ମଧ୍ୟ ଦେଖାଯାଇଛି। ମାତୃ ଓ ଶିଶୁ ବିକାଶ ଯୋଜନା, ପୋଷଣ ଯୋଜନା ଆଦି ସହ ଜଡ଼ିତ ଖାଦ୍ୟ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଉଛି । ସାଧାରଣ ହିତାଧିକାରୀମାନେ ସେମାନଙ୍କର ଅନୁଭୂତି ପ୍ରକାଶ କରୁଛନ୍ତି । କିଛି ସ୍ଥାନରେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ମଧ୍ୟ କରାଯାଉଛି।