ଭୁବନେଶ୍ବର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ସରକାର ସେତିକି ଯୋଜନା ବର୍ଷା କରୁଛନ୍ତି। ନିର୍ବାଚନରେ ହାରିଯିବା ଭୟରେ ସମାଜର ପ୍ରତ୍ୟେକ ବର୍ଗକୁ ଖୁସି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଜାରି ରଖିଛନ୍ତି। ଏଥି ପାଇଁ ନୂଆ ଯୋଜନା ସହ ପ୍ରଚଳିତ ଯୋଜନା ମାଧ୍ୟମରେ ସହାୟତା ରାଶି ବୃଦ୍ଧି କରୁଛନ୍ତି। ଏହି କ୍ରମରେ ମମତା ଯୋଜନା ମଧ୍ୟ ବାଦ୍ ପଡ଼ିନାହିଁ। ମାତୃଶିଶୁ ମୃତ୍ୟୁହାର ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୧୧ରେ ‘ମମତା’ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ସେବେଠାରୁ ଗର୍ଭବତୀମାନଙ୍କୁ ୬ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯାଉଥିଲା। କିନ୍ତୁ ରାଜ୍ୟ ସରକାର ୧୩ ବର୍ଷ ପରେ ଏହି ଯୋଜନାରେ ସହାୟତା ରାଶି ୪ହଜାର ଟଙ୍କା ବୃଦ୍ଧି କରିଛନ୍ତି।
ଗତ ୧୩ ତାରିଖ ଦିନ ଗର୍ଭବତୀ ମହିଳାଙ୍କୁ ମିଳୁଥିବା ‘ମମତା’ ଯୋଜନା ସହାୟତା ରାଶି ୧୦ ହଜାର କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଷ୍ପତ୍ତି ନେଇଥିଲେ। ଏହି ରାଶି ପୂର୍ବଭଳି ୨ଟି କିସ୍ତିରେ ପ୍ରଦାନ କରାଯିବ। ଅଗଷ୍ଟ ୨୦୨୩ରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ବର୍ଦ୍ଧିତ ରାଶି ପାଇବେ। ଚଳିତ ମାସ ୨୦ ରୁ ୨୫ତାରିଖ ମଧ୍ୟରେ ହିତାଧିକାରୀଙ୍କୁ ବକେୟା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଆମ ଭଳି ଗରିବ ରାଜ୍ୟରେ ସରକାରଙ୍କ ଦ୍ବାରା କରାଯାଇଥିବା ନୂଆ ଘୋଷଣା ଯଦିଓ ସ୍ବାଗତଯୋଗ୍ୟ। କିନ୍ତୁ ମନରେ ପ୍ରଶ୍ନ ଆସିଥାଏ ଯେ, ଦୀର୍ଘ ୨୪ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ କ୍ଷମତାରେ ରହି ରାଜ୍ୟକୁ ସଶକ୍ତ କରିନପାରିବା ଦୁର୍ଭାଗ୍ୟଜନକ।
ସଶକ୍ତ ପାଇଁ ବ୍ୟବସ୍ଥାର ଅଭାବ
ଗୋଟିଏ ପରିବାର ସଶକ୍ତ ହେଲେ ନିଜର ଗର୍ଭବତୀ ମହିଳା ଓ ପେଟଭିତରେ ବଢୁଥିବା ଶିଶୁ ପାଇଁ ୧୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ଆଦୌ କୁଣ୍ଠାବୋଧ କରିବେ ନାହିଁ। ସେମାନେ ସରକାରୀ ସହାୟତା ରାଶିକୁ ଅପେକ୍ଷା କରିବେ ନାହିଁ। ସରକାର ଏହା ଭଲଭାବରେ ଜାଣିଛନ୍ତି। ସେଥିପାଇଁ ରାଜ୍ୟବାସୀ ବ୍ୟକ୍ତିଗତ ଭାବେ କିପରି ସଶକ୍ତ ହେବେ, ସେନେଇ ସ୍ଥାୟୀ ବ୍ୟବସ୍ଥା କରୁ ନାହାନ୍ତି। ଶେଷରେ ନିର୍ବାଚନ ହାରିବା ଭୟରେ ଲୋକଙ୍କୁ ମାଗଣା ଯୋଜନାର ଲୋଭ ଦେଖାଉଛନ୍ତି। ଯଦି ଏକ ସରକାର ନିରବଚ୍ଛିନ୍ନ ଭାବେ ୨୪ ବର୍ଷ କ୍ଷମତାରେ ରହିଛି, ଲୋକେ କ’ଣ ବିକାଶ ଦେଖୁ ନାହାନ୍ତି ଯେ, ଏତେ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି?
ଭାଷଣବାଜୀରେ ବିକାଶ
ଶିଶୁ ହେଉଛି ରାଷ୍ଟ୍ର ନିର୍ମାଣର ଭବିଷ୍ୟତ। ସେ ସୁରକ୍ଷିତ ଓ ବିକଶିତ ପରିବେଶରେ ବଢ଼ିଲେ, ଦେଶର ଭବିଷ୍ୟତ ଉଜ୍ଜଳ ହେବ। କିନ୍ତୁ ଶିଶୁଟିଏ ସୁରକ୍ଷିତ ଓ ବିକଶିତ ପରିବେଶରେ ବଢ଼ିବାକୁ ହେଲେ ପ୍ରଥମେ ତାର ଅଭିଭାବକଙ୍କ ରୋଜଗାର ଉପରେ ନିର୍ଭର କରୁଛି। ଆମ ରାଜ୍ୟ କଥା ଯଦି ଚିନ୍ତା କରିବା ରାଜ୍ୟରେ କୃଷି ଓ ଶିଳ୍ପ କ୍ଷେତ୍ରରେ ରୋଜଗାର ଅଭାବ କାରଣରୁ ପ୍ରାୟ ୩୦ ଲକ୍ଷ ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ଦାଦନ ଶ୍ରମିକମାନେ ସେଠାରେ ନିର୍ଯାତିତ ହେଉଛନ୍ତି। ଅନେକଙ୍କ ମୃତଦେହ ଭିଟାମାଟିକୁ ପହଞ୍ଚି ପାରୁ ନାହିଁ। ଅନ୍ୟପଟରେ ରାଜ୍ୟ ସରକାର କହୁଛନ୍ତି, ବିରୋଧୀମାନେ ବିକାଶ ସହିପାରୁ ନାହାନ୍ତି। ନବୀନ ସରକାରଙ୍କ ଭାଷଣବାଜିରେ ବିକାଶ ହେଉଛି।
ରାସ୍ତାରେ ଶିଶୁକନ୍ୟା ଜନ୍ମଦେଲେ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଦାସୀଗାଁ ପଞ୍ଚାୟତ ଚୋରଖସିଗୁଡ଼ା ନିକଟ କିଞ୍ଜିକନା ଗ୍ରାମର ଚାରିପାର୍ଶ୍ବରେ ବଣପାହାଡ଼। ଏହି ଗାଁକୁ ରାସ୍ତା ନଥିବାରୁ ବାଇକ୍ ବି ଯାଇପାରେ ନାହିଁ। ଏହି ଗାଁର ଗର୍ଭବତୀ ରାଏମତୀ ମାଝୀଙ୍କ ଗତ ରବିବାର ପ୍ରସବ ବେଦନା ଆରମ୍ଭ ହୋଇଥିଲା। ସ୍ଥାନୀୟ ଆଶାକର୍ମୀ ଉମା ବାଗ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ମଧ୍ୟ ଯାଇଥିଲା। ହେଲେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ବାଟରେ ହିଁ ଅଟକି ଯାଇଥିଲା। ପରେ ପରିବାର ଲୋକେ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହାୟତାରେ ରାଏମତୀଙ୍କୁ ୩ କିଲୋମିଟର ବୋହି ଆଣିଥିଲେ। ରାସ୍ତାରେ ରାଏମତୀ ଏକ କନ୍ୟାସନ୍ତାନ ଜନ୍ମ ଦେଇଥିଲେ।
୫କିମି ଦୋଳାରେ ଗଲେ, ପ୍ରାଣ ହାରିଲେ
କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ଗୁଗୁରମାହା ପଞ୍ଚାୟତର ମ୍ଲାଉଗୁଡ଼ା ଗ୍ରାମରେ ମଧ୍ୟ ଗତ ଶନିବାର ଦିନ ସମାନ ପ୍ରକାରର ପରିସ୍ଥିତି ଦେଖାଯାଇଥିଲା। ଗ୍ରାମର ମେଚୁ ସୁକାମାଝିଙ୍କ ସ୍ତ୍ରୀ ସୁମନ୍ତି ସୁକାମାଝି (୩୧)ଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। କିନ୍ତୁ ଗାଁକୁ ପକ୍କା ରାସ୍ତା ନଥିବାରୁ ୧୦୮ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଫଳରେ ସୁମନ୍ତିଙ୍କୁ ଆଶାଦିଦିଙ୍କ ସହାୟତାରେ ୫ କିଲୋମିଟର ଦୋଳା କରି ଜୁଡ଼ାବାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ହେଲେ ସୁମନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ତାଙ୍କୁ ଆମ୍ବୁଲାନ୍ସରେ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଉଥିଲା। କିନ୍ତୁ ପ୍ରସବ ବେଦନା ସହ୍ୟ କରି ନପାରି ସୁମନ୍ତି ତୁମୁଡ଼ିବନ୍ଧ ନିକଟରେ ଆମ୍ବୁଲାନ୍ସରେ ହିଁ ପ୍ରାଣ ହରାଇଥିଲେ।