ଭୁବନେଶ୍ବର: ପରିବାରରରେ ଥିବା ସମସ୍ତ ସଦସ୍ୟଙ୍କୁ ଏହାର ମୁଖ୍ୟ ସମାନ ଢଙ୍ଗରେ ଦେଖିଥାନ୍ତି। ମୁଖ୍ୟଙ୍କ ଠାରେ ପରିବାରରେ ଥିବା ସମସ୍ତ ସଦସ୍ୟଙ୍କ ପ୍ରତି ସମାନ ଭାବନା ଥାଏ। ଏହି ଭଳି ଆଚରଣ ରହିବା ଫଳରେ ତାହା ଏକ ଆଦର୍ଶ ପରିବାର ବୋଲି ଗ୍ରହଣ କରାଯାଏ। ଆଦର୍ଶ ପରିବାରକୁ ସମସ୍ତେ ପ୍ରଶଂସା କରନ୍ତି ଏବଂ ଉଦାହରଣ ଦେଇଥାନ୍ତି। ଏହି କ୍ରମରେ ନବୀନ ପଟ୍ଟନାୟକଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ସେ ୨୦୦୦ ମସିହା ଠାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି। ଓଡ଼ିଶାର ଜନତା ତାଙ୍କୁ ଭଲ ପାଆନ୍ତି ବୋଲି ବାରମ୍ବାର ଭୋଟ ଦେଇ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ଆସନରେ ବସାଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାରମ୍ବାର ବିଭିନ୍ନ ସଭା ଓ ଜନସମାଗମରେ କହି ଆସୁଛନ୍ତି ଯେ, ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ନିଜର ବୋଲି ଭାବନ୍ତି। ତାଙ୍କ ଭାଷାରେ ଓଡ଼ିଶାବାସୀ ହେଉଛନ୍ତି ତାଙ୍କ ପରିବାରର ସଦସ୍ୟ। ଓଡ଼ିଶାର ବିକାଶ ହେଉଛି ତାଙ୍କର ସ୍ବପ୍ନ। ରୂପାନ୍ତରୀକରଣ ମାଧ୍ୟମରେ ସେ ରାଜ୍ୟର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସଂସ୍କୃତି ଆଦି କ୍ଷେତ୍ରରେ ବିକାଶ କରିବାକୁ ଚାହୁଁଛନ୍ତି। କିନ୍ତୁ ନବୀନ ସରକାରରେ ୫ଟି ଅଧ୍ୟକ୍ଷ କିଛି ଦିନ ହେଲା ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି। ସେ ଯେଉଁଠିକୁ ଯାଉଛନ୍ତି, ସେଠାକାର ଲୋକଙ୍କୁ କହୁଛନ୍ତି, ମୁଖ୍ୟମନ୍ତ୍ରୀ ଏଠାକାର ଲୋକଙ୍କୁ ବେଶୀ ଭଲ ପାଆନ୍ତି। ଶ୍ରୀ ପାଣ୍ଡିଆନଙ୍କ ଭାଷଣ ଶୁଣିଲା ପରେ ମନେରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ, ନବୀନ ପଟ୍ଟନାୟକ କାହାକୁ ଭଲ ପାଆନ୍ତି ଓ କାହାକୁ ବେଶୀ ଭଲ ପାଆନ୍ତି। ତାଙ୍କ ପାଖରେ ରାଜ୍ୟର ସମସ୍ତ ଲୋକ ସମାନ କି? ଯଦି ସମାନ ତା’ହେଲେ ଶ୍ରୀ ପାଣ୍ଡିଆନ ଏଭଳି କହିବାର ଉଦ୍ଦେଶ୍ୟ କ’ଣ? ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଏହା ଏକ ଅସ୍ତ୍ର କି?
ସରକାରୀ କାର୍ଯ୍ୟକ୍ରମରେ ନିର୍ବାଚନ ପ୍ରଚାର
୫ଟି ଅଧ୍ୟକ୍ଷ ଗତ ୫ ତାରିଖରେ କଟକ ଗସ୍ତ କରିଥିଲେ। ଏକ ସଭାକୁ ସମ୍ବୋଧିତ କରି କହିଥିଲେ, କଟକ ଜିଲ୍ଲାରେ ବିଜେଡିର ସ୍ଥିତି ମଜବୁତ ରହିଛି। ଆଗାମୀ ସାଧାରଣ ନିର୍ବାଚନରେ ଜିଲ୍ଲାର ସବୁ ନିର୍ବାଚନମଣ୍ଡଳିରେ ବିଜେଡି ଜିତିବ। ୨୦୧୪ ଓ ୨୦୧୯ ନିର୍ବାଚନରେ କେଉଁ ନିର୍ବାଚନମଣ୍ଡଳୀରେ କିଏ କେତେ ବ୍ୟବଧାନରେ କଜିତିଛନ୍ତି, ତାହା ଜଣାଅଛି। ଏବେ ୨୦୨୪ରେ ରେକର୍ଡ ଭୋଟ ବ୍ୟବଧାନରେ ଜିତି ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଦେବାକୁ ହେବ। ଯେଉଁଠାରେ ପୂର୍ବ ବ୍ୟବଧାନରୁ ଅଧିକ ଭୋଟ୍ ଅର୍ଥାତ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇବେ ଓ ରେକର୍ଡ ବ୍ୟବଧାନରେ ଜିତିବେ, ସେହି ନେତା ମାନଙ୍କୁ ନବୀନ ନିବାସ ଡକାଯାଇ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ମାନିତ କରାଯିବ। ସେମାନଙ୍କ କାମ ମଧ୍ୟ ତ୍ବରାନ୍ବିତ ହେବ।
ରାଜଗାଙ୍ଗପୁରକୁ ବହୁତ ଭଲପାଆନ୍ତି ନବୀନ!
ସୁନ୍ଦରଗଡ଼କୁ ଶ୍ରୀ ପାଣ୍ଡିଆନ ଦୁଇ ଦିନିଆ ଗସ୍ତ କରିଥିଲେ। ଗସ୍ତର ଦ୍ବିତୀୟ ଦିନ ଗୁରୁବାର ରାଜଗାଙ୍ଗପୁର ଜାମପାଲି ଷ୍ଟାଡିୟମରେ ଆୟୋଜିତ ସଭାରେ ଉଦ୍ବୋଧନ ଦେଇ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀକୁ ବହୁତ ଭଲପାଆନ୍ତି। ତେଣୁ ଏହି ନିର୍ବାଚନମଣ୍ଡଳୀର ବିକାଶ ପାଇଁ ୧୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ନୂଆଗାଁ ବ୍ଲକ ପୁରୁଣାପାଣିସ୍ଥ ସେଲ୍ ହକି ପଡ଼ିଆରେ ଆୟୋଜିତ ସଭାରେ ସେ କହିଥିଲେ, ଆମ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ ବରଂ କାମରେ ବିଶ୍ୱାସ କରନ୍ତି। ତେଣୁ ଲୋକଙ୍କ ପ୍ରତ୍ୟେକଟି ସମସ୍ୟାର ସମାଧାନ କରୁଛନ୍ତି। ନୂଆଗାଁ ଓ କୁଆରମୁଣ୍ଡାରେ ଦୁଇଟି ନୂଆ ଡିଗ୍ରି କଲେଜ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। ଶୁବ୍ ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ।
କୋରାପୁଟକୁ ବେଶୀ ଭଲ ପାଆନ୍ତି ମୁଖ୍ୟମନ୍ତ୍ରୀ
ଗତମାସ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେବା ପରେ ୫ଟି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକେୟନ୍ କୋରାପୁଟ ଜିଲ୍ଲାକୁ ପ୍ରଥମ ଗସ୍ତ କରିଥିଲେ। ଜୟପୁର ଦଶହରାପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଉଦ୍ବୋଧନ ଦେଇ କହିଥିଲେ, ଅବିଭକ୍ତ କୋରାପୁଟ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ବେଶି ଭଲ ପାଅନ୍ତି। ଏଣୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ହିଁ ପ୍ରଥମ କରି ଟଙ୍କିକିଆ ଚାଉଲ, ଲକ୍ଷ୍ମୀ ଯୋଜନା ଆରମ୍ଭ କରିଥିଲେ। କିଛି ଲୋକଙ୍କୁ ବିକାଶ ଦେଖା ଯାଉନାହିଁ। ରୂପାନ୍ତରକୁ ଗ୍ରହଣ କରିପାରୁ ନାହାନ୍ତି। ରୂପାନ୍ତର କଥା ଆସିଲା ବେଳକୁ ସେମାନେ ଅନ୍ଧ ହୋଇ ଯାଉଛନ୍ତି। ଆଖି ଖୋଲିଲେ ସମଗ୍ର ଓଡ଼ିଶାର ସବୁଠି ବିକାଶ ଓ ରୂପାନ୍ତର ଜଳଜଳ ହୋଇ ଦେଖାଯିବ। ଶିକ୍ଷାରୁ ସ୍ବାସ୍ଥ୍ୟସେବା, ଗମନାଗମନରୁ ଐତିହ୍ୟସ୍ଥଳୀର ସୌନ୍ଦର୍ଯ୍ୟୀକରଣ କାମ ହାତକୁ ନିଆଯାଉଛି।