ଭୁବନେଶ୍ବର: ମାଲକାନଗିରିରେ କରାଯାଉଥିବା ବିକାଶ କାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଧିକ ଖୁସି ଦେଇଥାଏ। ତାଙ୍କର ପୂର୍ଣ୍ଣ ବିଶ୍ବାସ ଯେ ମାଲକାନଗିରି ପରିଚୟ ଆଗକୁ ଆହୁରି ଉଜ୍ଜଳ ହେବ। ରାଜ୍ୟର ଏକ ଆଗୁଆ ଜିଲ୍ଲା ଭାବରେ ବିକାଶ ମାନଚିତ୍ରରେ ମାଲକାନଗିରି ନିଜର ସ୍ଥିତିକୁ ଆହୁରି ଦୃଢ କରିବ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜେ ଏହା କହିଛନ୍ତି। ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଯେଉଁ ୬ଟି ନୂଆଁ ପ୍ରକଳ୍ପର ଉଦ୍ଘାଟନ ହୋଇଛି, ଏଥିରେ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହିସବୁ ପ୍ରକଳ୍ପଗୁଡିକ ଜିଲ୍ଲାର ସାମାଜିକ ଓ ଆର୍ଥିକ ବିକାଶକୁ ଆହୁରି ଆଗେଇ ନେବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସତର୍କତାର ସହିତ କାମ କରନ୍ତି। ଯେଉଁ ସମୟରେ ସରକାରଙ୍କ ପ୍ରତି ସମାଲୋଚିତ ହେବାର ଆଶଙ୍କା ଥାଏ, ସେହି ସମୟରେ କିଛି ନାଁ କିଛି ବଡ଼ ଘୋଷଣା କରିଥାନ୍ତି। ଉଦାହରଣ ସ୍ବରୂପ ଉପନିର୍ବାଚନ ହେବା ସ୍ଥାନକୁ ସେ ବିକଶିତ କରିବା ପାଇଁ ଲାଗିପଡ଼ନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସ୍ବତନ୍ତ୍ର ବଡ଼ ପ୍ୟାକେଜ୍ ଘୋଷଣା କରି ଦେଇଥାନ୍ତି। ଯେପରିକି ପଦ୍ମପୁର ଉପନିର୍ବାଚନ ପାଇଁ ନିର୍ବାଚନ କମିସନ ତରଫରୁ ତାରିଖ ଘୋଷଣା ହେବା ପୂର୍ବରୁ ୪୦୦ କୋଟି ଟଙ୍କାର ପ୍ୟାକେଜ୍ ଉପହାର ଦେଇଥିଲେ। ସେହିପରି ପଦ୍ମପୁରକୁ ଜିଲ୍ଲାର ମାନ୍ୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟର ଅନ୍ୟ ସ୍ଥାନରେ ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ସେହି ଅଞ୍ଚଳର ବିକାଶ ମୋର ଦାୟିତ୍ବ ବୋଲି କହିଥିଲେ।
ଶିକ୍ଷା ଓ ସଚେତନତା ପ୍ରସାର ଘଟିଛି : ନବୀନ
ଭିଡିଓ କନ୍ଫରେନ୍ସିଂ ଜରିଆରେ ପ୍ରକଳ୍ପଗୁଡ଼ିକ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାଲକାନଗିରିବାସୀ ଆଜି ବିକାଶ ସହ ଯୋଡି ହୋଇଛନ୍ତି। ବିକାଶ କାମରେ ଆପଣମାନଙ୍କ ସହଯୋଗ ସବୁବେଳେ ଆମକୁ ଉତ୍ସାହିତ କରି ଆସିଛି । ଜିଲ୍ଲାରେ ଶିକ୍ଷା ଓ ସଚେତନତା ପ୍ରସାର ଘଟିଛି । ଯୋଗାଯୋଗରେ ଉନ୍ନତି ଆସିଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ କଲ୍ୟାଣ ଯୋଜନାର ସୁଯୋଗ ଆପଣମାନେ ନେଉଥିବା ଖୁସିର କଥା । ମାଲକାନଗିରିର ସଫଳ ଚାଷୀ, ମିଶନଶକ୍ତିର ମା’ ମାନେ, ଛାତ୍ରଛାତ୍ରୀ, ଯୁବବର୍ଗ – ଏ ସମସ୍ତଙ୍କ ସଫଳତା ଆଜି ଜିଲ୍ଲା ପାଇଁ ନୂଆ ପରିଚୟ ଆଣିଛି।
ଲୋକପ୍ରିୟତା ସାଉଁଟୁଛି ଦମନ
ମାଲେରିଆ ନିରାକରଣ ଉପରେ ପର୍ଯ୍ୟବସିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ଓଡ଼ିଶା ଓ ରାଜ୍ୟ ବାହାରେ ସଫଳତାର ସହିତ ପ୍ରଦର୍ଶିତ ହେଉଛି। ଏହି ଚଳଚ୍ଚିତ୍ରକୁ ଦର୍ଶକ ଗ୍ରହଣ କରିଛନ୍ତି। ଲୋକସେବା ଭବନ ସ୍ଥିତ କନଭେନ୍ସନ ସେଣ୍ଟରରେ ମଧ୍ୟ ପ୍ରଦର୍ଶିତ ହୋଇଛି। ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ହୋଇଥିବାରୁ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରମୁକ୍ତ କରିଛନ୍ତି। ବିଶେଷ କରି ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ କଷ୍ଟକର ସ୍ଥିତିରେ କାର୍ଯ୍ୟ କରୁଥିବା ଡାକ୍ତର ଓ ଅନ୍ୟ ଅଧିକାରୀମାନଙ୍କୁ ଏହା ଉତ୍ସାହିତ କରୁଛି। ଆଗାମୀ ଦିନରେ ଏହା ହିନ୍ଦୀ ଭାଷାରେ ଡବିଂ ହେବାକୁ ଯାଉଛି। ତେଣୁ ଆଶା କରାଯାଉଛି ଯେ, ଓଡ଼ିଶା ବାହାରେ ମଧ୍ୟ ଏହି ଚଳଚ୍ଚିତ୍ର ଲୋକପ୍ରିୟତା ହାସଲ କରିବ।
ବିକାଶ ଅଭିମୁଖେ ମାଲକାନଗିରି
ମାଲକାନଗିରି ଜିଲ୍ଲାର ୧୫୧ ଗ୍ରାମ ବିଚ୍ଛିନ୍ନାଞ୍ଚଳରେ ଥିବା ବେଳେ ୨୦୧୮ ମସିହା ଠାରୁ ଗୁରୁପ୍ରିୟା ସେତୁ ଉଦଘାଟନ ହେଲା ପରେ ଏବେ ଏହି ଅଞ୍ଚଳ ସ୍ବାଭିମାନ ଅଞ୍ଚଳ ଭାବେ ନୂଆ ପରିଚୟ ହାସଲ କରିଛି। ଲୋକେ ପୂର୍ବାପେକ୍ଷା ଭଲରେ ଅଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ପରିବର୍ତ୍ତନ ଆସିଛି। କିନ୍ତୁ ବାସ୍ତବରେ ଆହୁରି ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି। ‘ଦମନ’ ଚଳଚ୍ଚିତ୍ରରେ ଏକ ସଂଳାପ ରହିଛି ଆମେରିକା ଠାରୁ ଭାରତ ୫୦ ଗୁଣ ପୁଛରେ। କିନ୍ତୁ ଭୁବନେଶ୍ବର ତୁଳନାରେ ମାଲକାନଗିରି ଅବସ୍ଥା ସମାନ। ଦମନ ଚଳଚ୍ଚିତ୍ର ଦେଖିଥିବା ଲୋକେ ମାଲକାନଗିରି କେତେ ବିକାଶ ହୋଇଛି ଚର୍ଚ୍ଚା କରୁଛନ୍ତି। ତେଣୁ ସରକାର ନିଜର ନେତା ଓ ମନ୍ତ୍ରୀମାନଙ୍କୁ ମାଲକାନଗିରି ପାଇଁ ଅଧିକ ପରାମର୍ଶ ଦେଇପାରନ୍ତି। ଆଉ ଯଦି ସରକାର ଏଭଳି କାମ କରନ୍ତେ ତା’ହେଲେ ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇପାରିବ।