Monday, September 9, 2024
Homeବିଗୁଡ଼ିଛି ଶିଶୁ ଚିକିତ୍ସା ବ୍ୟବସ୍ଥା!
Array

ବିଗୁଡ଼ିଛି ଶିଶୁ ଚିକିତ୍ସା ବ୍ୟବସ୍ଥା!

ଭୁବନେଶ୍ବର: ଆଜିର ଶିଶୁ ହେଉଛି ଆଗାମୀ କାଲିର ଭବିଷ୍ୟତ। ସରକାର ଓ ସମାଜ ଶିଶୁଟିଏ ଜନ୍ମହେବା ପୂର୍ବରୁ ତାକୁ ବଢ଼ାଇବା ପାଇଁ କେତେ କ’ଣ ସ୍ବପ୍ନ ଦେଖନ୍ତି। ଆଜିର ଶିଶୁ ସମାଜରେ ପ୍ରତିଷ୍ଠିତ ହେବ ବୋଲି ପିତାମାତାଙ୍କ ସମେତ ତାର ଜୀବନରେ ଯେଉଁମାନେ ଆସିଥାନ୍ତି, ସେମାନେ ମଧ୍ୟ ବଡ଼ ସ୍ବପ୍ନ ଦେଖିଥାନ୍ତି। ପିଲାଟିଏ ବଡ଼ ହେବା ପାଇଁ ଅନେକ ପରିସର ଦେଇ ଅଗ୍ରଗତି ହେବାକୁ ପଡ଼ିଥାଏ। ଏଥିରେ କିଛି ପିଲାଙ୍କୁ ଝୁଣ୍ଟିବାକୁ ପଡ଼ିଥାଏ। ଦରକାର ପଡ଼ିଲେ ଜୀବନ ହରାଇବାକୁ ହୋଇଥାଏ।

ଶିଶୁ ଓ ମା’ଙ୍କ ସ୍ବାସ୍ଥ୍ୟ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଥି ପାଇଁ ଜନନୀ ସୁରକ୍ଷା ଯୋଜନା ଠାରୁ ଆରମ୍ଭ କରି ପିଲାମାନେ ଅଙ୍ଗନବାଡ଼ିରେ ପାଠପଢ଼ି ସାରିବା ପର୍ଯ୍ୟନ୍ତ ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଡାକ୍ତରଖାନାରେ ଉଭୟ ମା’ ଓ ଶିଶୁଙ୍କ ସୁରକ୍ଷା ଏବଂ ଉତ୍ତମ ଚିକିତ୍ସା ସହ ଯତ୍ନ ପାଇଁ ଯୋଜନା କରୁଛନ୍ତି। ମାତ୍ର କ୍ଷୋଭର ବିଷୟରେ ସ୍ବାସ୍ଥ୍ୟ ବିଭାଗର କିଛି କର୍ମଚାରୀଙ୍କ ଅବହେଳା ଯୋଗୁଁ ଶିଶୁମାନଙ୍କର ଅକାଳ ମୃତ୍ୟୁ ହେଉଥିବା ଅଭିଯୋଗ ଆସୁଛି।

କେନ୍ଦୁଝରରେ ଶିଶୁ ଚିକିତ୍ସା ବିପର୍ଯ୍ୟସ୍ତ

ଓଡ଼ିଶାରେ ଚିକିତ୍ସା ବ୍ୟବସ୍ଥା ଦିନକୁ ଦିନ ରସାତଳକୁ ଯାଉଛି କହିଲେ କିଛି ଭୁଲ ହେବନାହିଁ। ଏହାର ଜ୍ବଳନ୍ତ ଉଦାହରଣ ହେଉଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଏଠାରେ ବିଗତ ୧୮ ଦିନ ମଧ୍ୟରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଏଡିଏମ୍ଓ କିଶୋର ପୃଷ୍ଟି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତରଖାନାରେ ୧୨୨ ଜଣ ଶିଶୁ ଭର୍ତ୍ତି ହୋଇଥିବା ବେଳେ ଏଥିରୁ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଅର୍ଥାତ ଗୋଟିଏ ମାସ ଭିତରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଶିଶୁମାନଙ୍କ ମଧ୍ୟରୁ ୧୦.୬୫ ପ୍ରତିଶତ ଆଉ ଘରକୁ ଫେରି ନାହାନ୍ତି। ଏହା ନିଶ୍ଚିତ ଭାବେ କ୍ଷୋଭର ବିଷୟ। ତେବେ ଏହି ଡାକ୍ତରଖାନାରେ ମାତ୍ର ୨୪ ଘଣ୍ଟା ଭିତରେ ୪ ଜଣ ଶିଶୁ ପ୍ରାଣ ହରାଇଛନ୍ତି, ଯାହାକୁ ନେଇ ଉତ୍ତେଜନା ଲାଗିରହିଛି।  

ଭୁଲ ଇଞ୍ଜେକସନ ଦେଲେ ଡାକ୍ତର

ନିକଟରେ ଭଦ୍ରକ ଜିଲ୍ଲା ଆରଡ଼ି ଛକ ନିକଟ ଏକ ଘରୋଇ କ୍ଲିନିକରେ ଭୁଲ ଇଞ୍ଜେକସନ ଯୋଗୁଁ  ଜଣେ ୧୧ ବର୍ଷ ବୟସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ବିଦେଇପୂର୍ ନିକଟସ୍ଥ କରଞ୍ଜାଗଡ଼ିଆ ଗ୍ରାମର ରାଜ ମୋହନ (୧୧) ନିମୋନିଆରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକର ସାମାରାଇପୁରସ୍ଥିତ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କମଳାକାନ୍ତ ସ୍ୱାଇଁଙ୍କ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ନର୍ସିଂହୋମ୍ରେ ଡାକ୍ତର ଏହି ଶିଶୁକୁ ଏକ ଇଞ୍ଜେକସନ ଦେଇଥିଲେ। ଇଞ୍ଜେକସନ ଦେବାର କିଛି ସମୟ ପରେ ଶିଶୁଟିର ମୃତ୍ଯୁ ହୋଇଯାଇଥିଲା। ଏହି ଘଟଣାରେ ପରିବାର ଲୋକ ଉତ୍ତେଜିତ ହୋଇ ଡାକ୍ତର ସ୍ୱାଇଁଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଡାକ୍ତରଙ୍କ ମୁଣ୍ଡ ଫାଟି ଯାଇଥିଲା।

ଜନନୀ ପାଉଛି ଯନ୍ତ୍ରଣା

ଆମେ ଯେତେବେଳେ ସ୍ବାସ୍ଥ୍ୟ କଥା ଆଲୋଚନା କରୁଛେ, ମହିଳାଙ୍କ ପାଇଁ ଚିକିତ୍ସା ସଂପର୍କରେ ମଧ୍ୟ କିଛି କହିବାର ଅଛି। ଦୁର୍ଗମ ଅଂଚଳରେ ଗମନାଗମନର ସୁବ୍ୟସ୍ଥା ନ ଥିବାରୁ  ଜନନୀ ଯନ୍ତ୍ରଣା ବଢ଼ିଚାଲିଛି। କେତେବେଳେ ପାଦରେ ଚାଲି ଏବଂ ଭାର ସହ ନଈ ପାର ହୋଇ ଖଟିଆରେ ବୋହି ଆମ୍ବୁଲାନ୍ସ ଯାଏ ପହଞ୍ଚିବାକୁ ପଡୁଛି ତ ଆଉ କେତେବେଳେ ପାହାଡ଼ିଆ ରାସ୍ତା ଦେଇ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପଡ଼ୁଛି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଜି ମାଝିଗୁଡ଼ା ପଂଚାୟତର ଟିକାପଡ଼ା ଗାଁର ଜଣେ  ଗର୍ଭବତୀଙ୍କୁ ରାତି ଦଶଟା ବେଳେ କାନ୍ଧରେ ବୋହି ୩ କିଲୋମିଟର ପାହାଡ଼ିଆ ରାସ୍ତା ଦେଇ ଆମ୍ବୁଲାନ୍ସ ଯାଏ ପହଞ୍ଚିବାକୁ ପଡ଼ିଥିଲା। କେବଳ ବୈପାରିଗୁଡ଼ା ନୁହେଁ ବରଂ ଦୁର୍ଗମ ଅଂଚଳରେ ଏହା ଏକ ସାଧାରଣ ପ୍ରସଙ୍ଗ ହୋଇଛି।   

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments