Sunday, May 26, 2024
Homeବିଚ୍‌ରାସ୍ତାରେ କଳି: ଦିନସାରା ରାଜ୍ୟସାରା ଚର୍ଚ୍ଚା
Array

ବିଚ୍‌ରାସ୍ତାରେ କଳି: ଦିନସାରା ରାଜ୍ୟସାରା ଚର୍ଚ୍ଚା

ଭୁବନେଶ୍ବର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ କୋର୍ଟରେ ବିଚାର ଚାଲିଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ମୁହଁ ଉତ୍ତମ ମହାନ୍ତି ଓ କଣ୍ଠଶିଳ୍ବୀ ମନ୍ମଥ ମିଶ୍ରଙ୍କ ପରିବାର ମଧ୍ୟରେ ପାରିବାରିକ କଳହ ଆରମ୍ଭ ହୋଇଛି। ମନ୍ମଥଙ୍କ ଝିଅ ତଥା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବିଚ୍ ରାସ୍ତାରେ ଉତ୍ତମ ମହାନ୍ତିଙ୍କ ବୋହୂ ତଥା ଲୋକପ୍ରିୟ ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ମାଡ଼ମାରୁଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏହା ପରେ ବିବାଦ ବଢ଼ିଛି। ରାଜଧାନୀ ଭୁବନେଶ୍ବରର ବ୍ୟସ୍ତବହୁଳ ଅଞ୍ଚଳ ‘ସତ୍ୟନଗରରେ’ ଶନିବାର ପୂର୍ବାହ୍ନରେ ଘଟିଥିବା ଘଟଣାକୁ ନେଇ ରାଜ୍ୟବାସୀ ଚର୍ଚ୍ଚା କରୁଛନ୍ତି।

ଲୋକକଥା ଅନୁସାରେ ବଡ଼ ଲୋକଙ୍କ ଗୁମର କଥା ଘର ଭିତରେ ସୀମିତ ରହିଥାଏ। କିନ୍ତୁ ବାବୁସାନ୍-ପ୍ରକୃତିଙ୍କ ସଂପର୍କ ଘର ଭିତରେ ସୀମତି ନ ରହି ପଦାରେ ପଡ଼ିଛି। ସର୍ବ ସମ୍ମୁଖରେ ଷ୍ଟାର ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ତୃପ୍ତି ମାଡ଼ ମାରୁଥିବା ଘଟଣା ଅତି ସମ୍ବେଦନଶୀଳ। ତୃପ୍ତି ଯୋଜନା ଅନୁସାରେ ଆଜି ପ୍ରକୃତିଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଶାରିରୀକ ଓ ମାନସିକ ଭାବେ ଆଘାତ ଦେଇଥିଲେ। ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଚେନ୍ନାଇ ଯାଉଥିବା ବେଳେ ତାଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ତୃପ୍ତିଙ୍କ ଆକ୍ରମଣ ପରେ ପ୍ରକୃତି ଭୟରେ ପଳାୟନ କରୁଥିଲେ। ହାତଯୋଡ଼ି ଆକ୍ରମଣ ନ କରିବାକୁ କହୁଥିଲେ।

ଥାନାରେ ୨ଟି ମାମଲା

ପ୍ରକୃତିଙ୍କୁ ମାଡ଼ ମାରିବା ଅଭିଯୋଗରେ ତୃପ୍ତିଙ୍କ ନାଁରେ ମନ୍ମଥ  ଓ ତାଙ୍କ ପତ୍ନୀ କୃଷ୍ଣପ୍ରିୟା ଖାରବେଳନଗର ଥାନାରେ ଅଭିଯୋଗ ଆଣିଛନ୍ତି। ଅପରପକ୍ଷେ ପ୍ରକୃତିଙ୍କ ନାଁରେ ତୃପ୍ତି ମଧ୍ୟ ସମାନ ସ୍ଥାନରେ ପାଲଟା ଅଭିଯୋଗ ଆଣିଛନ୍ତି। ପ୍ରକୃତି ଓ ବାବୁସାନ୍ଙ୍କ ମଧ୍ୟରେ ସଂପର୍କ କ’ଣ ରହିଛି ଅଥବା ଆଗକୁ କେମିତି ରହିବ, ତାହା ଭିନ୍ନ କଥା। କିନ୍ତୁ ସର୍ବସାଧାରଣ ସ୍ଥଳରେ ଜଣେ ଅଭିନେତ୍ରୀଙ୍କୁ ମାଡ଼ମାରିବା ଘଟଣା ନିଶ୍ଚିତ ଭାବେ ନିନ୍ଦନୀୟ। ଏହି ଘଟଣା ରାଜରାସ୍ତାରେ କର ନ ଯାଇ ଘର ଭିତରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇ ପାରିଥାନ୍ତା। ପୋଲିସ ଉଭୟ ପକ୍ଷରୁ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।  

କ’ଣ କହିଲେ ଉତ୍ତମ-ମନ୍ମଥ

ଘଟଣା କ୍ରମ ନେଇ ବାବୁସାନଙ୍କ ବାପା ଉତ୍ତମ ମହାନ୍ତି କହିଛନ୍ତି ଯେ, ମୋ ବୋହୂ ତୃପ୍ତି ବହୁତ ଭଲ। ସେ ତା’ ସ୍ବାମୀ ବାବୁସାନଙ୍କ ବହୁତ ଭଲ ପାଏ। ପ୍ରକୃତି ସହ ବାବୁସାନ୍ଙ୍କ ସଂପର୍କ ନେଇ, ତୃପ୍ତି ପାଖରେ ପ୍ରମାଣ ଥାଇପାରେ, ଯେଉଁଥି ପାଇଁ ଆଜିର ଅଭାବନୀୟ ଘଟଣା ଘଟିଛି। ଆପଣା ପୁଅ ସୁନା ତ ଭେଣ୍ଡି, କାହାକୁ କିଛି କହିକି ଲାଭ ବା କ’ଣ ଅଛି। ଅନ୍ୟପଟରେ ମନ୍ମଥ କହିଛନ୍ତି ଯେ, ଉଭୟ ବାବୁସାନ୍ ଓ ପ୍ରକୃତି ଭଲ ସାଙ୍ଗ। ମୋ ଝିଅ କାହାର ପରିବାର ଭାଙ୍ଗିବାକୁ ଚାହିଁ ନାହିଁ। ସେ ମୋ କଥା ମାନିବ। ପ୍ରକୃତି ବହୁତ କମ ସମୟ ପାଇଁ ଭୁବନେଶ୍ବର ଆସେ। ଭୁବନେଶ୍ବର ଆସିଲେ ବାବୁସାନଙ୍କ ସହିତ ମିଳାମିଶା କରେ। ଏହା ସେମାନଙ୍କର ପୁରୁଣା ସଂପର୍କ। ଏକ ଭଲ ବନ୍ଧୁତ୍ବର ସଂପର୍କ। ପ୍ରକୃତି କିଛି ଭୁଲ କରିନାହିଁ।

କ’ଣ କହିଲେ ତୃପ୍ତି?

ଗଣମାଧ୍ୟମକୁ ତୃପ୍ତି କହିଛନ୍ତି ଯେ, ସତ୍ୟନଗରରେ ବାବୁସାନ ଓ ପ୍ରକୃତି ରହୁଥିଲେ। ଉଭୟ ଚେନ୍ନାଇ ଯିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲି। ଯେତବେଳେ ପ୍ରକୃତି ଗାଡ଼ିରେ ବସି ଚେନ୍ନାଇ ପାଇଁ ବାହାରିଥିଲେ, ତାଙ୍କୁ ପଚାରିବାରେ ସେ କହିଥିଲେ ଯେ, ବାବୁସାନ୍ଙ୍କୁ ଭଲ ପାଏ। ଆମ ଭିତରେ ଯିଏ ପଶିବ, ପରିଣାମ ଭୋଗିବ ବୋଲି ପ୍ରକୃତି ମୋତେ ଜବାବ ଦେଇଥିଲେ। ମୋ ସ୍ବାମୀଙ୍କୁ ଗାଡ଼ି ଭିତରୁ ବାହାର କରିବାକୁ ଉଦ୍ୟମ କରୁଥିଲା ବେଳେ ପ୍ରକୃତି ମୋତେ ପ୍ରଥମେ ଧକ୍କା ମାରିଥିଲେ। ତଣେୁ ଏହା ମୋତେ ଅସହ୍ୟ ହୋଇଥିଲା। ତୃପ୍ତି କହିଛନ୍ତି ଯେ, ୨୦୨୦ ସେପ୍ଟେମ୍ବର ୨୨ରେ ମୁଁ ଗର୍ଭବତୀ ଥିବା ଜାଣିଲି। ୨୩ ତାରିଖରେ ସେମାନଙ୍କର ସଂପର୍କ ବିଷୟରେ ଜାଣିଥିଲି।

ବାବୁସାନ୍-ପ୍ରକୃତିଙ୍କ ସଂପର୍କ କିପରି


ପ୍ରକୃତି, ବାବୁସାନ ଓ ସେମାନଙ୍କର ପରିବାର ଲୋକଙ୍କ କହିବା ଅନୁସାରେ ଷ୍ଟାର ଅଭିନେତା ଦ୍ବୟଙ୍କ ସଂପର୍କ ବହୁ ପୁରୁଣା। ଏକଥା ସେମାନଙ୍କର ପରିବାର ଲୋକେ ଜାଣିଛନ୍ତି। କିନ୍ତୁ ତୃପ୍ତିଙ୍କ କହିବା ଅନୁସାରେ ବିଗତ ୨ ବର୍ଷ ହେଲା ବାବୁସାନ୍ ଓ ପ୍ରକୃତିଙ୍କ ସଂପର୍କ ନୂଆ ରୂପ ନେଇଥିଲା। ଏକଥା ମନ୍ମଥ ମିଶ୍ର ଓ ଅପରାଜିତା ମଧ୍ୟ ଜାଣିଥିଲେ ବୋଲି ତୃପ୍ତି ଅଭିଯୋଗ କରିଛନ୍ତି। ଗତ ମାର୍ଚ୍ଚ ୨ ତାରିଖରେ ପ୍ରକୃତିଙ୍କ ଜନ୍ମଦିନ ଅବସରରେ ବାବୁସାନ ଏକ ଲକେଟ ଉପହାର ଦେଇଥିଲେ। ଏହି ସମୟରେ ମୋର ସନ୍ଦେହ ଅଧିକ ହୋଇଥିଲା। ନିଜ ପରିବାର ସୁରକ୍ଷା ପାଇଁ ବହୁ ଉଦ୍ୟମ କରିଛି ବୋଲି ତୃପ୍ତି କହିଛନ୍ତି।  

ପ୍ରକୃତି-ବାବୁସାନଙ୍କ ପ୍ରତିକ୍ରିୟା


ପ୍ରକୃତି ମିଶ୍ର ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ପ୍ରତ୍ୟେକ କାହାଣୀର ଦୁଇଟି ପାର୍ଶ୍ବ ଥାଏ। ଦୁର୍ଭାଗ୍ୟବଶତଃ ଆମେ ଏମିତି ଏକ ସମାଜରେ ବାସକରୁଛୁ, ଯେଉଁଠାରେ କିଛି ଶୁଣିବା ପୂର୍ବରୁ ହିଁ ମହିଳାଙ୍କୁ ଦୋଷୀ ସଜାଇ ଦିଆଯାଏ । ମୁଁ ଏବଂ ମୋର କୋ-ଷ୍ଟାର ବାବୁସାନ ଚେନ୍ନାଇରେ ରହୁଥିବା ଉତ୍କଳ ସମାଜର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାହାରିଥିଲୁ । ସେହି ସମୟରେ ତାଙ୍କ ସ୍ତ୍ରୀ କିଛି ଗୁଣ୍ଡାଙ୍କୁ ଧରି ବାବୁସାନଙ୍କୁ ନିର୍ଯ୍ୟାତନା ଦେବା ସହିତ ମୋତେ ଅତର୍କିତ ଭାବେ ଶାରୀରିକ ଏବଂ ମାନସିକ ଆଘାତ କରିଥିଲେ । ତାଙ୍କ ସ୍ତ୍ରୀଙ୍କର ଏଭଳି ବ୍ୟବହାର ମୋ ପକ୍ଷରେ ଆଦୌ ଗ୍ରହଣଯୋଗ୍ୟନୁହେଁ । ଅନ୍ୟପଟରେ ବାବୁସାନ କହିଛନ୍ତି, ମୋ ପତ୍ନୀଙ୍କ ଉପରେ ମୋର କୌଣସି ରାଗ ନାହିଁ । ଏନେଇ ତାଙ୍କୁ ମୁଁ ଦୋଷ ଦେବିନି । କାରଣ ସେ ଫିଲ୍ମ ଲାଇନର ନୁହଁନ୍ତି । ସିଏ ଲାଇନ ବିଷୟରେ କିଛି ବୁଝନ୍ତି ନାହିଁ । ମୋତେ ବହୁତ ଝିଅଙ୍କ ସହ କାମ କରିବାକୁ ପଡ଼ିବ । ପ୍ରକୃତି ମୋ ପିଲାଦିନର ସାଙ୍ଗ । ମୁଁ ଠିକ୍ ଅଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments