ବିଜୁବାବୁଙ୍କ ସ୍ବପ୍ନ ଦେଖାଇ ୨୩ ବର୍ଷ ଶାସନ

    0
    76

    ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ। ପ୍ରତିବର୍ଷ ଭଳି ଏଥର ମଧ୍ୟ ମାର୍ଚ୍ଚ ୫ ତାରିଖରେ ପାଳିତ ହେଉଛି। ବିଜୁ ଜନତା ଦଳ (ବିଜେଡି) ଏହି ପର୍ବକୁ ରାଜ୍ୟବ୍ୟାପି ଧୁମ୍ଧାମରେ ପାଳନ କରୁଛି। ଏଥି ପାଇଁ କିଛି ମାସ ହେଲା ପ୍ରସ୍ତୁତି କରିଛି। ଓଡ଼ିଶା ଇତିହାସରେ ବିଜୁବାବୁ ଏଭଳି ଜଣେ ସଫଳ ମଣିଷ, ଯାହାଙ୍କ ନାମ ନେଇ ବିଜେଡି ଦୀର୍ଘ ୨୩ ବର୍ଷ ହେଲା ଶାସନ ଗାଦିରେ ବସିଛି। ବିଜୁ ବାବୁଙ୍କ ସ୍ବପ୍ନ କ’ଣ ଥିଲା ଯଦିଓ ଏକଥା ସେ ନିଜେ ହିଁ ଜାଣିଥିବେ, କିନ୍ତୁ ବିଜେଡିକର୍ମୀମାନେ ବାରମ୍ବାର ସଭାଗୁଡ଼ିକରେ ସ୍ବପ୍ନ ଦେଖାଇ ଜନତାଙ୍କ ହୃଦୟ ଜିତିଥାନ୍ତି। ଓଡ଼ିଶାବାସୀ ମଧ୍ୟ ଏହି ସ୍ବପ୍ନ ସାକାର ହେବାରେ ସହାୟକ ହୋଇଛନ୍ତି। କିନ୍ତୁ କ୍ଷୋଭର ବିଷୟ ଯେ, ବିଜୁବାବୁଙ୍କ ସ୍ବପ୍ନ ପୂରା ହୋଇପାରୁନି।  

    ବିଜୁ ପଟ୍ଟନାୟକ ରାଜ୍ୟର ୨ ଥର (୧୯୬୧ ଜୁନ ୨୩ରୁ ୧୯୬୩ ଅକ୍ଟୋବର ୨ ଓ ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମାର୍ଚ୍ଚ ୧୫) ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ୨ଟି କାର୍ଯ୍ୟକାଳ ଭିତରେ ସେ ୭ ବର୍ଷ ୧୧୧ ଦିନ ପାଇଁ ଓଡ଼ିଶାବାସୀଙ୍କର ସେବା କରିବାକୁ ସୁଯୋଗ ପାଇଥିଲେ। ଅନେକଗୁଡ଼ିଏ ବିକାଶମୂଳକ କାର୍ଯ୍ୟ କରିଥିଲେ। ତେବେ ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ତାଙ୍କର ପରଲୋକ ପରେ ବିଜୁ ଜନତା ଦଳ (ବିଜେଡି)ର ଆବିଷ୍କାର ହୋଇଥିଲା। ସେହିବର୍ଷ ଡିସେମ୍ବର ୨୬ ତାରିଖରେ ବିଜେଡି ପ୍ରତିଷ୍ଠା ହୋଇଥିଲା। ଆଉ ସେହି ଦିନଠାରୁ ବିଜେଡି ସରକାର ସ୍ବପ୍ନ ଦେଖାଇ ଚାଲିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନେକ ଥର ବିଜୁବାବୁଙ୍କ ସ୍ବପ୍ନ ସଂପର୍କରେ ସାଧାରଣ ଜନତାଙ୍କୁ ସମ୍ବୋଧିତ ସମୟରେ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ବିଜେଡି ନବୀନ ପଟ୍ଟନାୟକଙ୍କ ସ୍ବପ୍ନ ଦେଖାଇ ରାଜନୀତି କରିପାରେ।

    ନବୀନ ପଟ୍ଟନାୟକ ବିକାଶ ପୁରୁଷ କି?

    ବିଜେଡି ଏବେ ବିଜୁ ଜୟନ୍ତୀରେ ‘ନବୀନ ଓଡ଼ିଶା’ ସଂକଳ୍ପ ନେଉଛି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଜୁବାବୁଙ୍କ ଜୟନ୍ତୀରେ ଏକ ସଶକ୍ତ, ସମୃଦ୍ଧ ଓ ସ୍ଵାଭିମାନୀ ଓଡ଼ିଶା ଗଠନ କରିବାକୁ ‘ନବୀନ ଓଡ଼ିଶା’ର ସଂକଳ୍ପ ନେବେ ଯୁବକ, ଛାତ୍ର, ମହିଳା ଓ ବିଜେଡି ନେତା କର୍ମୀ। ନବୀନ ଓଡ଼ିଶା ଏକ ନୂତନ ଓଡ଼ିଶା ଓ ବିକାଶଶୀଳ ଓଡ଼ିଶା। ନବୀନ ଏବେ ଏକ ମଡେଲ। ସାରା ବିଶ୍ବ ପାଇଁ ନବୀନ ପଟ୍ଟନାୟକ ବିକାଶ ପୁରୁଷ ଭାବେ ପରିଚିତ। ଡାକୋଟା ଏକ ବିମାନ ନୁହେଁ, ଏକ ସ୍ୱାଭିମାନ। ବିଜୁ ଜୟନ୍ତୀ ଅବସରରେ ବିଜୁ ଯୁବ ଜନତା ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଅନ୍ୟୁନ ୨୦୦ ଜଣ କର୍ମୀଙ୍କୁ ନେଇ ୫ କିଲୋମିଟର ଯାଏ ସାଇକେଲ ରାଲି କରିବେ।

    ସଶକ୍ତ ଓଡ଼ିଶା କେବେ?

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାବଦରେ ବିଜେଡି କହୁଛି ଯେ, ସେ ହେଉଛନ୍ତି ବିକାଶ ପୁରୁଷ। ଯଦି ନବୀନ ପଟ୍ଟନାୟକ ବିକାଶ ପୁରୁଷ ତେବେ ଓଡ଼ିଶାର ଭରପୁର ପ୍ରାକୃତିକ ସମ୍ବଳ ଥାଇ ବି ଗରିବ କାହିଁକି? ଓଡ଼ିଆ ଲୋକଙ୍କୁ ରୋଜଗାର ମିଳୁନି କାହିଁକି? ତିନି ଦଶନ୍ଧି ଧରି ଚାଲି ଆସିଥିବା ଦାଦନଜନିତ ସମସ୍ୟାର ସମାଧାନ କେବେ ହେବ? କେଉଁ ବର୍ଷ ଠାରୁ ଆଉ ପ୍ରବାସୀ ଓଡ଼ିଆଙ୍କର ମୃତଦେହ ଆସିବ ନାହିଁ? ରାଜ୍ୟର ଚାଷୀକୁଳ କେବେ ସଶକ୍ତ ହେବେ। ପନିପରିବା, ମାଛ, ଅଣ୍ଡା, ତେଲ, ଡାଲିଜାତୀୟ ଖାଦ୍ୟ ଆମେ କେବେ ବାହାରକୁ ରପ୍ତାନୀ କରିବା? ନବୀନ ପଟ୍ଟନାୟକ କିମ୍ବା ବିଜେଡି ଦଳ ଏହାର ଜବାବ ରଖିପାରିବେ କି?

    ବିବାଦକୁ ଆସିଥିଲେ ମନ୍ତ୍ରୀ

    ବିଜେଡିର କର୍ମୀମାନେ ନବୀନ ପଟ୍ଟନାୟକଙ୍କୁ ମହାନ ବୋଲି ବିବେଚନା କରିଥାନ୍ତି। ଗତବର୍ଷ ସେପ୍ଟେମ୍ବର ୩୦ ତାରିଖରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଥିଲେ, ଆଗରୁ ଓଡ଼ିଶାର ପରିଚୟ ଶ୍ରୀଜଗନ୍ନାଥ ଥିଲେ। ଏବେ ଓଡ଼ିଶା କହିଲେ ଲୋକ କହୁଛନ୍ତି ‘ନବୀନ ପଟ୍ଟନାୟକ’। ଜଗନ୍ନାଥ ଓ ନବୀନଙ୍କ ତୁଳନାତ୍ମକ ମନ୍ତବ୍ୟକୁ ନେଇ ଏବେ ବିରୋଧୀମାନେ ପ୍ରତାପଙ୍କୁ ଘେରିଥିଲେ। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟୁଇଟ୍ କରି କହିଥିଲେ ଯେ, ଏଭଳି ମନ୍ତବ୍ୟ ଅହଙ୍କାରର ପରିଚାୟକ। ପୁରୀ ବିଧାୟକ ଜୟନ୍ତୀ ଷଡ଼ଙ୍ଗୀ କହିଥିଲେ ଯେ ମନ୍ତ୍ରୀ ଯଦି ପୁରୀ ଆସି ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା ନକରନ୍ତି ତେବେ ବିଜେପି ତାଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇବ। ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ, ଓଡ଼ିଆ ଜାତି ପାଇଁ ଏହା ଦୁର୍ଭାଗ୍ୟଜନକ। ପରେ  ମନ୍ତ୍ରୀ ଶ୍ରୀ ଦେବ ଟୁଇଟ୍ କରି କହିଥିଲେ ଯେ, ବିରୋଧୀ ମୋର ଗତକାଲିର ମନ୍ତବ୍ୟ ଉପରେ ଅଯଥା ରାଜନୀତି କରୁଛନ୍ତି। ମୁଁ ଅନୁରୋଧ କରୁଛି ଯେ, ଦଳଗୁଡ଼ିକ ମୋ କଥାର ଭୁଲ୍ ବ୍ୟାଖାନ ନକରନ୍ତୁ।

    LEAVE A REPLY

    Please enter your comment!
    Please enter your name here