Saturday, September 14, 2024
Homeବିଜୁ ବାବୁଙ୍କ ସ୍ୱପ୍ନ: କେତେ ହୋଇଛି ପୂରଣ?
Array

ବିଜୁ ବାବୁଙ୍କ ସ୍ୱପ୍ନ: କେତେ ହୋଇଛି ପୂରଣ?

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଅନ୍ୟତମ ସଫଳ ନେତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଶୁକ୍ରବାର ରାଜ୍ୟବ୍ୟାପୀ ପାଳନ ହୋଇଯାଇଛି। ଏହି ଅବସରରେ ରାଜନେତାମାନେ ବିଜୁବାବୁଙ୍କ ଗୁଣଗାନ କରିଛନ୍ତି। ବିଜୁ ପଟ୍ଟନାୟକଙ୍କୁ ଆଦର୍ଶ କହି ଭାଷଣ ବୋଲିଛନ୍ତି। ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି,‘ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ବିଜୁ ବାବୁଙ୍କର ଲକ୍ଷ୍ୟ ଥିଲା। ଜନତାଙ୍କ ସେବା କରିବାକୁ ବିଜୁବାବୁ ଭଲ ପାଉଥିଲେ। ବିଜୁବାବୁଙ୍କର ପ୍ରେରଣାକୁ ଆଧାର କରି ବିଜେଡ଼ି ଜନତାଙ୍କ ସେବା କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି।  

ବିଜୁ ବାବୁଙ୍କ ସୁଯୋଗ୍ୟ ସନ୍ତାନ ନବୀନ କହିଛନ୍ତି ଯେ, ଗାଁରେ ଥିବା କଚା ଘର ଗୁଡ଼ିକ ଏବେ ପକ୍କାରେ ପରିଣତ ହୋଇପାରିଛି। ଲୋକଙ୍କୁ ପାଣି ମିଳୁଛି।  ବିଜୁଳିରେ ଘର ଉଜ୍ଜ୍ୱଳ ଦିଶୁଛି। ଓଡ଼ିଆ ଲୋକର ମୁହଁରେ ହସ ଫୁଟୁଛି। ଏହା ହେଉଛି ଆମ ପାଇଁ ବଡ଼ ପୁରସ୍କାର। ମା’ମାନେ ପଞ୍ଚାୟତ ଘରେ ବସି ବିକାଶ କଥା ଚିନ୍ତା କରୁଛନ୍ତି। ମିଶନ ଶକ୍ତି ମା’ ଯେବେ ଋଣ ଆଣି ବେପାର କରି ତା’ ପରିବାର ସମୃଦ୍ଧି ଆଣିଛି, ସେଠାରେ ବିକାଶର ଚିତ୍ର ଉଜ୍ଜ୍ୱଳ ଦିଶୁଛି।

ରାଜ୍ୟ ସରକାର ପିଲାଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିପାରିଛନ୍ତି। ଯୁବସମାଜର ସ୍ୱପ୍ନ ପୂରଣ ହୋଇପାରିଛି। ଫଳରେ ବିଜୁବାବୁଙ୍କ ଆଦର୍ଶ ଓ ଚିନ୍ତାରେ ପରିପ୍ରକାଶ ଦେଖିବାକୁ ମଳୁଛି। ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ଯେ, ଆମକୁ ଅନେକ ବାଟ ଆଗକୁ ଯିବାକୁ ପଡ଼ିବ। ଏଥି ପାଇଁ ଅଧିକ କାମ କରିବାକୁ ହେବ। ବିଜୁବାବୁଙ୍କ ନୀତି, ଆଦର୍ଶ ଓ ଚିନ୍ତାଧାରାକୁ ଆଧାର କଲେ ଓଡ଼ିଶା ବିକାଶର ଶୀର୍ଷରେ ପହଂଚି ପାରିବ।  

୨୦ ବର୍ଷର ବିଜେଡି ସରକାର

ବିଜୁ ବାବୁଙ୍କ ଆଦର୍ଶରେ ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡି)ର ଗଠନ ହୋଇଛି। ଏହି ଦଳ ଦୀର୍ଘ ୨୦ ବର୍ଷ ଧରି ରାଜ୍ୟର କ୍ଷମତାରେ ରହିଛି। ଏହାରି ମଧ୍ୟରେ ରାଜ୍ୟର ବିକାଶ ହୋଇଛି। କିନ୍ତୁ ଦେଖିବାକୁ ଗଲେ ୨୦ ବର୍ଷର ଯେଭଳି ହେବା କଥା, ତାହା ହୋଇପାରିନି। ଓଡ଼ିଶାର ବିକାଶ ସେହି ଦିନ ହେଲା ବୋଲି କୁହାଯାଇ ପାରିବ, ଯେଉଁ ଦିନ ପଡୋଶୀ ରାଜ୍ୟରେ ଓଡ଼ିଆ ଦାଦନ ଦେଖିବାକୁ ମିଳିବ ନାହିଁ।

ନିଯୁକ୍ତି ଓ ରୋଜଗାର ଅଭାବ

ରାଜ୍ୟରେ କୃଷି କାମ କ୍ଷେତ୍ରରେ ରୋଜଗାରର ଅଭାବ, ଶିଳ୍ପ ଓ କଳକାରଖାନାର ସମସ୍ୟା ଯୋଗୁଁ ଲକ୍ଷ ଲକ୍ଷ ଓଡ଼ିଆ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କେରଳ, କର୍ଣ୍ଣାଟକ, ଗୁଜରାଟ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଦାଦନ ଖଟୁଛନ୍ତି। ଓଡ଼ିଶା ପ୍ରାକୃତିକ ସଂପତ୍ତିରେ ପରିପୂର୍ଣ୍ଣ ଥାଇ ମଧ୍ୟ ଏହାର ସଠିକ୍‌ ବିନିଯୋଗ ହୋଇପାରୁ ନଥିବାରୁ ଶିଳ୍ପ ଓ କଳକାରଖାନା ଗଢ଼ି ହୋଇପାରୁ ନାହିଁ। ରାଜ୍ୟରେ ଯେଉଁ ହାତଗଣତି କଳକାରଖାନା ରହିଛି, ଏଥିରେ ବାହାର ରାଜ୍ୟର ଅଧିଂକାଶ ଲୋକେ କାମ କରୁଛନ୍ତି। ଓଡ଼ିଶାର କଳକାରଖାନାରେ ଓଡ଼ିଆଙ୍କୁ ଅଣଦେଖା କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି।

ବିଜୁ ବାବୁଙ୍କ ନାଁରେ ତ୍ରାହି ପାଉଛନ୍ତି ନେତା

ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଉଚ୍ଚକୋଟୀର। ସେ ଗରିବ, ଚାଷୀ ଓ ସାଧାରଣ ଜନତାଙ୍କୁ ବହୁତ ଭଲ ପାଉଥିଲେ। ଏକ ଅତ୍ୟାଧୁନିକ ଓଡ଼ିଶା ନିର୍ମାଣ ପାଇଁ ସ୍ୱପ୍ନ ଦେଖିଥିଲେ। ତାଙ୍କର ସ୍ୱପ୍ନ କିଛି ମାତ୍ରାରେ ପୂରଣ ହୋଇପାରିଥିବା ବେଳେ ଏବେ ବି ଆହୁରି ଅନେକ ବାକି ରହିଛି। ନେତାମାନେ ବିଜୁ ବାବୁଙ୍କ ନାଁ ନେଇ ନିର୍ବାଚନ ବୈତରଣୀ ପାର ହୋଇଯାଉଛନ୍ତି।

ଚାଷୀଙ୍କ ପାଇଁ ଜଳାଭାବ

ଉପକୂଳବର୍ତ୍ତୀ ଜିଲ୍ଲା ବ୍ୟତୀତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜଳସେଚନର ଅଭାବ। ଫଳରେ ଚାଷୀ ଇନ୍ଦ୍ର ଦେବତାଙ୍କୁ ଭରଷା କରି ଚାଷ କାମ କରୁଛି। ଚାଷ ପାଇଁ ରାଜ୍ୟରେ ଶତାଧିକ ଜଳ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ସେଗୁଡ଼ିକ କେବେ ପୂରଣ ହେବ ତାହା କହିହେବ ନାହିଁ। ଚାଷ ଜମିକୁ ଜଳସେଚନର ସୁବିଧା ହୋଇପାରିଲେ ଚାଷୀମାନଙ୍କର ଆର୍ଥିକ ସମୃଦ୍ଧି ଘଟିପାରିବ। ବିଜୁ ବାବାଙ୍କ ଲକ୍ଷ୍ୟ କ’ଣ ଥିଲା ଓ ଏହା କେତେ ଦୂର ପୂରା ହୋଇପାରିଛି, ତାହା ଓଡ଼ିଶାର ଜନତାଙ୍କୁ ହିଁ ଭଲ ଭାବରେ ଜଣା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments