ଭୁବନେଶ୍ୱର: ରାଜ୍ୟର ୧୦୫ ପୌର ପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଏବଂ ୩ଟି ମହାନଗର ନିଗମ (ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର) ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଏହି ନିର୍ବାଚନରେ ଶାସକ ବିଜେଡି ଦଳକୁ ଭଲ ଭୋଟ ମିଳିଛି। କିନ୍ତୁ ପଞ୍ଚାୟତ ନିର୍ବାଚନ ସମୟରେ ଜିଲ୍ଲା ପରିଷଦ ପାଇଁ ହୋଇଥିବା ଭୋଟ ଗ୍ରହଣରେ ବିଜେଡିକୁ ଯେଭଳି ଭାବେ ସଫଳତା ମିଳିଥିଲା, ପୌର ନିର୍ବାଚନରେ ସେଭଳି ହୋଇପାରି ନାହିଁ। ପୌର ନିର୍ବାଚନରେ ବିଜେପି ଓ କଂଗ୍ରେସ ସମେତ ସ୍ୱାଧୀନ ପ୍ରାର୍ଥୀମାନେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କୁହନ୍ତି ଯେ, ଓଡ଼ିଶାର ସାଢ଼େ ୪ କୋଟି ଲୋକ ତାଙ୍କୁ ଭଲ ପାଆନ୍ତି। ଏହାକୁ ପାଥେୟ କରି ବିଜେଡି ଏଥର ମଧ୍ୟ ନିର୍ବାଚନରୁ ଆଶା କରିଥିଲା ଯେ, ସବୁସ୍ଥାନରେ ବଡ଼ ବ୍ୟବଧାନରେ ବିଜୟ ହାସଲ କରିବ। କିନ୍ତୁ ତାହା ହୋଇପାରି ନାହିଁ। ପଞ୍ଚାୟତ ନିର୍ବାଚନରେ ବିଜେଡିର ବୃହତ୍ ବିଜୟ ହୋଇଥିଲା। ସବୁ ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ସଭାପତି ଥିବା ବେଳେ ପ୍ରତ୍ୟେକ ଜିଲ୍ଲାରେ ପୌରାଧ୍ୟକ୍ଷ ହୋଇପାରିବେ ନାହିଁ। ନୂଆପଡ଼ାରେ ବିଜେଡି ଆଦୌ ଖାତା ଖୋଲିପାରି ନାହିଁ। କିଛି ଜିଲ୍ଲାରେ ସମସ୍ତ ପୌରାଧ୍ୟକ୍ଷ ପଦକୁ ବିଜେଡି ଅକ୍ତିଆର କରିଛି। ଖୋର୍ଦ୍ଧା ପୌରପାଳିକାରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ମାତ୍ର ୮୫୫ ଭୋଟରେ ବିଜୟୀ ହୋଇଛନ୍ତି। ଖୋର୍ଦ୍ଧା ପୌର ପାଳିକା ଭୋଟରେ ବିଜେଡିକୁ ୪୫.୧୩ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେପିକୁ ୪୧.୭୭ ପ୍ରତିଶତ ଭୋଯ ମିଳିଛି। ଅନ୍ୟସ୍ଥାନରେ ମଧ୍ୟ ବିଜେପି, କଂଗ୍ରେସ, ସ୍ୱାଧୀନ ପ୍ରାର୍ଥୀମାନେ ଭଲ ଭୋଟ ପାଇଛନ୍ତି। ତେଣୁ କୁହାଯାଇପାରିବ ଯେ, ବିଜେଡିକୁ ରାଜ୍ୟର ସାଢ଼େ ୪ କୋଟି ଲୋକ ଭଲ ପାଆନ୍ତି ନାହିଁ। କୁହାଯାଇପାରି ଯେ, ଅଧିକାଂଶ ଲୋକ ଭଲ ପାଆନ୍ତି।
କଂଗ୍ରେସ-ବିଜେପି ପ୍ରାର୍ଥୀଙ୍କୁ ଭଲ ଭୋଟ
ରାଜ୍ୟର ୩ଟି ମହାନଗର କଥା ଯିବ କହିବା ବିଜେଡିି ଜିତିଛି ସତ, କିନ୍ତୁ ଭୁବନେଶ୍ୱରରେ ବିଜେପି ପ୍ରାର୍ଥୀଙ୍କୁ ମଧ୍ୟ ଲକ୍ଷାଧିକ ଭୋଟ ମିଳିଛି। ବ୍ରହ୍ମପୁରରେ ବିଜେଡିର ବିଜୟୀ ଭୋଟ ବ୍ୟବଧାନ ମାତ୍ର ୨୦ ହଜାର। ଭୁବନେଶ୍ୱରରେ ୬୭ରୁ ବିଜେପି ୯ଟି ଓ ସ୍ୱାଧୀନ ପ୍ରାଥୀ ୮ଟି ଓ୍ଵାର୍ଡରେ କର୍ପୋରେଟର ହୋଇଛନ୍ତି। ବ୍ରହ୍ମପୁରରେ ୪୨ରୁ ୭ ଜଣ ବିଜେପି ଓ ୪ ଜଣ ସ୍ୱାଧୀନ ପ୍ରାର୍ଥୀ କର୍ପୋରେଟର ହୋଇଛନ୍ତି। କଟକରେ ମଧ୍ୟ ୧୨ରୁ ଉର୍ଦ୍ଧ୍ୱ କର୍ପୋରେଟର ପ୍ରାର୍ଥୀ ବିଜେପି, କଂଗ୍ରେସ ଓ ସ୍ୱାଧୀନ ଅଛନ୍ତି। ବିଜେଡି ନେତାଙ୍କ ଆଶା ଥିଲା ଯେ, ତିନିଟି ଯାକ ଭୁବନେଶ୍ୱର ଓ କଟକରେ ଦଳକୁ ଭଲ ଭୋଟ ମିଳିବ। କଟକରେ କଂଗ୍ରେସ ପ୍ରାର୍ଥୀ ଓ ବ୍ରହ୍ମପୁରରେ ବିଜେପି ପ୍ରାର୍ଥୀ ଯେଉଁ ପ୍ରଦର୍ଶନ କରିଛନ୍ତି, ତାହା ପ୍ରଶଂସନୀୟ। ପ୍ରଥମ ଥର ରାଜନୀତିରେ ଯୋଡ଼ି ହୋଇଥିଲେ ମଧ୍ୟ ମହାନଗରବାସୀ ତାଙ୍କୁ ଗ୍ରହଣ କରଛନ୍ତି।
କମାଲ କଲେ କଳାହାଣ୍ଡି ଝିଅ
କଳାହାଣ୍ଡିର ଝିଅ ଡ. ସୁନୀତି ମୁଣ୍ଡ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପାଇଁ ହୋଇଥିବା ମେୟର ନିର୍ବାଚନରେ ବିଜେଡିକୁ ବଡ଼ ମୁକାବିଲା କରିଛନ୍ତି। କେହିବି ଭାବି ନଥିବେ ଯେ, ତାଙ୍କୁ ଲକ୍ଷାଧିକ ଭୋଟ ମିଳିବ। ବିଜେପି ସହିତ କମ ଦିନର ସଂପର୍କ ମଧ୍ୟରେ ଭୁବନେଶ୍ୱରବାସୀ ତାଙ୍କୁ ଗ୍ରହଣ କରିବା ସବୁଠାରୁ ବଡ଼ କଥା। ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାସଙ୍କୁ ୧୭୪୫୬୨ ଖଣ୍ଡ, ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥିନୀ ସୁନୀତି ମୁଣ୍ଡଙ୍କୁ ୧୧୩୪୧୯ ଓ କଂଗ୍ରେସ ପ୍ରାର୍ଥିନୀ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ୧୧୦୦୬ ଖଣ୍ଡ ଭୋଟ ମିଳିଛ। ଭୁବନେଶ୍ୱର ମହାନଗର ନିଗମରେ ୫୦ ପ୍ରତିଶତ ଭୋଟ ହୋଇଥିଲେ ମଧ୍ୟ ବିଜେପି ପ୍ରାର୍ଥୀଙ୍କୁ ଏଭଳି ଭୋଟ ମିଳିଛି। କୁହାଯାଉଛି ଯେ, ଭୁବନେଶ୍ୱରରେ ଯେଉଁ ଭୋଟିଂ ହୋଇଛି, ଏଥିରେ ଅଧିକାଂଶ ସାମିଲ ହୋଇଛନ୍ତି ବସ୍ତିବାସିନ୍ଦା। ଅର୍ଥାତ ବାକିମାନେ ମତଦାନରେ ସାମିଲ ହେବାକୁ ପସନ୍ଦ କରିନାହାନ୍ତି। ତେଣୁ କୁହାଯାଇପାରିବ ଯେ, ଭୋଟରେ ସାମିଲ ହୋଇ ନଥିବା ମତଦାତା ସରକାରଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି।