ଭୁବନେଶ୍ୱର: ପିପିଲିବାସୀ ପୁଣି ମହାରଥୀ ପରିବାର ଉପରେ ଭରସା ରଖି ବିଜୁ ଜନତା ଦଳ (ବିଜେଡି)କୁ ବିପୁଳ ପରିବାଣରେ ଭୋଟ ଦେଇଛନ୍ତି। ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କୁ ଏଠାକାର ଲୋକେ ୬ ଥର ନିର୍ବାଚିତ କରିଥିବା ବେଳେ ଏଥର ତାଙ୍କର ଦାୟଦ ରୁଦ୍ର ମହାରଥୀଙ୍କୁ ନିର୍ବାଚନ ବୈତରଣୀ ପାର କରିଛନ୍ତି। ୨୦୦୦ ମସିହା ଠାରୁ ପିପିଲିର ଜନତା ନେତା କହିଲେ ହିଁ ମହାରଥୀଙ୍କ ପରିବାରକୁ ହିଁ ଜାଣନ୍ତି। ଏହି ନିର୍ବାଚନ ମଣ୍ଡିଳୀରେ ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରେସ ଜିତିବା ପାଇଁ ଯେତେ ଯାହା ଉଦ୍ୟମ କରିଛନ୍ତି ପଛେ କିନ୍ତୁ ସଫଳତା ହାସଲ କରିପାରି ନାହିଁ। ୧୯୯୫ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ଯୁଧିଷ୍ଠୀର ସାମନ୍ତରାୟ ନିର୍ବାଚନ ଜିତିଥିଲେ। କିନ୍ତୁ ଏହା ପୂର୍ବରୁ ପ୍ରଦୀପ ମହାରଥୀ ଭାରତୀୟ ଜନତା ପାର୍ଟି ଟିକେଟରେ ୨ଥର ବିଜୟୀ ହୋଇଥିଲେ।
ଓଡ଼ିଶା ରାଜନୀତିରେ ସ୍ୱର୍ଗତ ପ୍ରଦୀପ ମହାରଥୀ ଥଲେ ଜଣେ ଚର୍ଚ୍ଚିତ ଚେହେରା। ସେ ବିଧାନସଭାରେ ଗର୍ଜନ କରିପାରୁଥିଲେ। ଚାଷୀଙ୍କ ସ୍ୱରକୁ ବିଧାନସଭାରେ ପହଂଚାଇପାରୁଥିଲେ। ଜଣେ ଚାଷୀ ଭାବରେ ଦମ୍ଭ ଦେଖାଇ କହିପାରିଛିଲେ। ତାଙ୍କର ମୃତ୍ୟୁ ପରେ ପିପିଲି ପାଇଁ ତାଙ୍କର ପୁଅ ରୁଦ୍ର ମହାରଥୀଙ୍କୁ ଭୋଟ ଦେଇ ସମବେଦନା ଜଣାଇଥିବା କଥା ଅସ୍ୱୀକାର କରାଯାଇ ନପାରେ। ନିର୍ବାଚନ ପ୍ରଚାର ସମୟରେ ରୁଦ୍ର ଜନସାଧାରଣଙ୍କର ସେବା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଆଶା ନେଇ ଜନତା ତାଙ୍କର ବହୁ ମୂଲ୍ୟ ଭୋଟକୁ ରୁଦ୍ରଙ୍କ ପକ୍ଷରେ ଦେଇଛନ୍ତି।
କିଏ କେତେ ଭୋଟ୍ ପାଇଲେ
ପିପିଲି ଉପନିର୍ବାଚନରେ ବିଜେଡି ୨୦, ୯୧୬ ଖଣ୍ଡ ଭୋଟ୍ର ବ୍ୟବଧାନରେ ଜିତିଛି। ରୁଦ୍ର ମହାରଥୀଙ୍କୁ ୨୦,୯୧୬, ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ୭୬,୦୫୬ ଓ କଂଗ୍ରେସର ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୪,୨୬୧ ଭୋଟ୍ ମିଳିଛି। ସେହିଭଳି ସିପିଆଇ(ଏମ୍ଏଲ୍)ଏଲ୍ର ଅଶୋକ ପ୍ରଧାନଙ୍କୁ ୮୯୮, ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଜୟପ୍ରକାଶ ସେଠୀଙ୍କୁ ୪୫୫, କଳିଙ୍ଗ ସେନାର ପିଙ୍କିଲିନ ମହାନ୍ତିଙ୍କୁ ୧୫୬, ରିପବ୍ଲିକାନ୍ ପାର୍ଟିର ମହମ୍ମଦ୍ ଇମାମୁଦ୍ଦୀନଙ୍କୁ ୨୪୪, ସ୍ୱାଧୀନ ପ୍ରାର୍ଥୀ ନଗେନ୍ଦ୍ର ନାଥ ମିଶ୍ରଭ୍କୁ ୪୧୪, ସୁଲୋଚନା ସାହୁଙ୍କୁ ୨୬୬ ଓ ସ୍ୱପ୍ନେଶ୍ୱର ନାୟକଙ୍କୁ ୩୭୭ ଖଣ୍ଡ ଭୋଟ ମିଳିଛି।
ବିଜୟରେ ବି ଉତ୍ସବ ମନା
ନିର୍ବାଚନରେ ଜିତିବା ପରେ ନେତାମାନେ ଉତ୍ସବ ପାଳନ କରିଥାନ୍ତି। କିନ୍ତୁ ପିପିଲି ଉପନିର୍ବାଚନରେ ଏହାର ବ୍ୟତୀକ୍ରମ ଦେଖାଯାଇଛି। ରୁଦ୍ର ମହାରଥୀ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ବୟାନ ଦେଇଛନ୍ତି ଯେ, ଯେହେତୁ କୋଭିଡ-୧୯ କଟକଣା ଅଛି, ତେଣୁ ଏବେ ଉତ୍ସବ ପାଳନର ସମୟ ନୁହେଁ। ଏହା କାମ କରିବାର ସମୟ। ଡେଲାଙ୍ଗ-ପିପିଲିର ଜନସାଧାରଣଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ଆପଣମାନେ ମୋ ଉପରେ ବିଶ୍ୱାସ ଓ ଭରସା ଦେଖିବା ସହିତ ଜୟଯୁକ୍ତ କରାଇଛନ୍ତି। ନିର୍ବାଚନ ପୂର୍ବରୁ ରୁଦ୍ର କହିଥିଲେ ଯେ, ଏହା ଆପଣମାନଙ୍କର ନିର୍ବାଚନ। ମୋ ପାଇଁ ଆପଣଙ୍କର ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ରହିଛି। ମୋ ଉପରେ ଥିବା ଆପଣଙ୍କର ବିଶ୍ୱାସ ରଖିବି। ପିପିଲିର ବିକାଶ ପାଇଁ କାମ କରିବି।
ବାପାଙ୍କ ରେକର୍ଡ ଭାଙ୍ଗିଲେ ରୁଦ୍ର
ରୁଦ୍ର ମହରାଥୀ ବାପା ପ୍ରଦୀପଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି। ୨୦୧୯ ବିଧାନସଭା ନିର୍ବାଚନରେ ପ୍ରଦୀପ ମହାରଥୀ ବିଜେପି ତୁଳନାରେ ୯୮୦୫ ଖଣ୍ଡ ଭୋଟ୍ ବ୍ୟବଧାନରେ ନିର୍ବାଚନ ଜିତିଥିଲେ। ୨୦୦୯ ବିଧାନସଭା ନିର୍ବାଚନରେ କଂଗ୍ରେସ ବିପକ୍ଷରେ ୧୨,୫୦୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ପ୍ରଦୀପ ମହାରଥୀ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ୩୩ ହଜାର ୪୭୪ ଭୋଟରେ ପରାସ୍ତ କରିଥିଲେ। ୨୦୧୪ ନିର୍ବାଚନରେ ପ୍ରଦୀପଙ୍କୁ ୮୨,୫୫୦ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଯୁଧିଷ୍ଠୀର ସାମନ୍ତରାୟଙ୍କୁ ୪୯,୭୬ ଖଣ୍ଡ ଭୋଟ ମିଳିଥିଲା। ସେହିପରି ୨୦୦୯ ନିର୍ବାଚନରେ ପ୍ରଦୀପ ୭୪,୧୧୨ ଓ କଂଗ୍ରେସର ପ୍ରାର୍ଥୀ ଯୁଧିଷ୍ଠୀର ସାମନ୍ତରାୟ ୬୧,୬୦୭ ଖଣ୍ଡ ଭୋଟ ପାଇଥିଲେ।
କମିଛି ବିଜେପି ଲୋକପ୍ରିୟତା
ପିପିଲିର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏହି ଅଂଚଳରେ ବିଜେପିର ଲୋକପ୍ରିୟତା ପୂର୍ବ ତୁଳନାରେ ହ୍ରାସ ପାଇଥିବା ପ୍ରମାଣିତ ହୋଇଛି। କାରଣ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ୭୮ ହଜାର ୭୩୧ ଖଣ୍ଡ ଭୋଟ୍ ପାଇଥିବା ବେଳେ ଏଥର ୭୬ ହଜାର ୫୬ ଖଣ୍ଡ ଭୋଟ ପାଇଛନ୍ତି। ମାତ୍ର ଏତିକି କୁହାଯାଇପାରିବ ଯେ, ବିଜେପିକୁ ପିପିଲିରେ ଗ୍ରହଣ କରାଯାଉଛି।