ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଓ ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି)ରେ ବିଜେଡିର ବିପୁଳ ବିଜୟ ହୋଇଛି। ଏହି ବିଜୟ ପରେ ବିଜେଡିର ମନୋବଳ ଆହୁରି ବଢ଼ିଯାଇଛି। ଏଠାରୁ ମିଳିଥିବା ଜନସମର୍ଥନକୁ ନେଇ ବିଜେଡି ଝାରସୁଗୁଡ଼ା ଉପନିର୍ବାଚନରେ ରଣନୀତି ପ୍ରସ୍ତୁତ କରିବ। ବିଗତ ଦିନରେ ପଦ୍ମପୁର ଉପନିର୍ବାଚନରେ ବିଜେଡି ବିଶାଳ ବ୍ୟବଧାନରେ ନିର୍ବାଚନ ଜିତିଥିବାରୁ ଝାରସୁଗୁଡ଼ାରେ ମଧ୍ୟ ନିଜର ସଫଳତା ହାସଲ କରିବା ପାଇଁ ସୁନିଶ୍ଚିତ ଅଛି। ଦଳ ପାଖରେ ଆବଶକ୍ୟକ ସମ୍ବଳ ଥିବାରୁ ଝାରସୁଗୁଡ଼ା ନିର୍ବାଚନରେ ଯେପରି ବାଜିମାତ ହେବ, ସେଥିପାଇଁ ରଣନୀତି ପ୍ରସ୍ତୁତ କରୁଛି।
ଅତାବିରା ଏନ୍ଏସି ନିର୍ବାଚନ ଅଧ୍ୟକ୍ଷ ପଦ ସହ ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କେବଳ ଏକ ମାତ୍ର ୱାର୍ଡରେ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ହାସଲ ହୋଇଛି। ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ବନମାଳି ବରିହା ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ସବିତା ଭୁଏଙ୍କ ଠାରୁ ୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେହିପରି ହିନ୍ଦୋଳ ଏନଏସିରେ ୧୬ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଅଧ୍ୟକ୍ଷ ପଦ ବି ହାତେଇଛି। ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଜେଡିର କେଶବ ପ୍ରଧାନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ମୋଟ ୧୬ଟି ୱାର୍ଡରୁ ୫ଟି ୱାର୍ଡରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
ନିର୍ବାଚନରେ ବିଜେଡି ପାସ୍
ଗତବର୍ଷ ମହାନଗର ନିଗମ ସମେତ ପୌରନିଗମ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ବାଚନ ହୋଇଥିଲା। ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ଜନତା ବିଜୁ ଜନତା ଦଳକୁ ଗ୍ରହଣ କରିବା ସହିତ ବିପୁଳ ଭୋଟରେ ବିଜୟୀ କରାଇଥିଲେ। ୧୦୫ ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୭୩ ଜଣ ବିଜେଡି ପ୍ରାର୍ଥୀ ଅଧ୍ୟକ୍ଷ ପଦବିରେ ବିଜୟୀ ହୋଇଥିଲେ। ୧୬ଟି ସ୍ଥାନରେ ବିଜେପି ଜିତିଥିଲା ବେଳେ ୭ଟିରେ କଂଗ୍ରେସ ଏବଂ ଅନ୍ୟ ଦଳକୁ ୯ଟି ଆସନ ମିଳିଥିଲା। ଏହି ଭୁବନେଶ୍ବର, କଟକ ଓ ବ୍ରହ୍ମପୁରରେ ବିଜେଡିର ମେୟର ପ୍ରାର୍ଥୀ ବିଜୟୀ ହୋଇଥିଲେ। ସେହିଭଳି ଏହି ୩ଟି ସ୍ଥାନରେ ମୋଟ ୧୬୮ କର୍ପୋରେଟର ଆସନରୁ ବିଜେଡି ହାତକୁ ୧୧୬ଟି ଯାଇଥିଲା। ବିଜେପି ୨୪ଟି ପାଇଥିଲା ବେଳେ ୯ଟି ଆସନରେ କଂଗ୍ରେସକୁ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
ବିକାଶରେ ଆମେ ପଛୁଆ
ରାଜ୍ୟର ଅବସ୍ଥା ଘୋର ସଂକଟରେ ପହଞ୍ଚିଥିଲା ବେଳେ ସରକାର ଓ ନେତା ରାଜ୍ୟ ବିକାଶ ଆଡ଼କୁ ଗତି କରୁଛି ବୋଲି ସବୁବେଳେ ଭାଷଣବାଜି କରନ୍ତି। ଦେଶର ୩ ନମ୍ବର ରାଜ୍ୟ ତାଲିକାରେ ଓଡ଼ିଶାକୁ ରଖିବାକୁ ସ୍ବପ୍ନ ଦେଖନ୍ତୁ। ଅନ୍ୟପଟରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ରୋଜଗାର, କୃଷି କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ କେତେ ପଛୁଆ ଏହା ଦେଖିପାରନ୍ତି ନାହିଁ। ୮୭ ବର୍ଷ ପୂରଣ କରିଥିଲେ ବି ଓଡ଼ିଶାରୁ ଗରିବୀ ହଟିନାହିଁ। ଦୀର୍ଘ ୨୩ ବର୍ଷ ଧରି ଶାସନ କରୁଥିବା ବିଜୁ ଜନତା ଦଳ ବିଜୁବାବୁଙ୍କ ସ୍ବପ୍ନ ଦେଖାଇ ନିର୍ବାଚନ ବୈତରଣୀ ପାର ହେଉଛି। ତୃଣମୂଳସ୍ତରରେ ଲୋକେ କିଭଳି ଜୀବନଯାପନ କରୁଛନ୍ତି, ତାହାର ପ୍ରକୃତ ସମୀକ୍ଷା ହୋଇଥାଏ। ପାନୀୟ ଜଳ ପାଇଁ ରାଜ୍ୟ ସରକାର ଅନ୍ତର୍ଜାତୀୟ ପୁରସ୍କାର ପାଇଥିବା ବେଳେ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ୫ କିମି ପାଦରେ ଚାଲିଚାଲି ଗଲେ ଝରଣାରୁ ଜଳ ମିଲେ। ୫ ଥର କୃଷିକର୍ମଣ ପୁରସ୍କାର ପାଇଥିବା ରାଜ୍ୟରେ ଚାଷୀମାନେ ଆତ୍ମହତ୍ୟା କରନ୍ତି। ପ୍ରଚୁର ପରିମାଣରେ ଖଣି ଥିଲେ ବି, ସେଠାରେ ବିହାର ସମେତ ଅନ୍ୟ ରାଜ୍ୟରୁ କର୍ମଚାରୀ ନିୟୋଜିତ ହୋଇଥାନ୍ତି।
୨ ସପ୍ତାହରେ ଗଂଜାମର ୪ ଦାଦନଙ୍କ ମୃତ୍ୟୁ
ରାଜ୍ୟରେ ଦାଦନ ଏକ ପ୍ରମୁଖ ସମସ୍ୟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲାର ଲୋକେ ଏହି ସମସ୍ୟାର ଅଧିକ ଭାଗିଦାରୀ ହୋଇଥାନ୍ତି। ପ୍ରତିଦିନ ଗଂଜାମ ଜିଲ୍ଲାରୁ ହଜାର ହଜାର ଦାଦନ ଶ୍ରମିକ ବାହାର ରାଜ୍ୟକୁ ଯାଇଥାନ୍ତି। କିନ୍ତୁ ଅନେକ ଆଉ ଜୀବୀତ ଅବସ୍ଥାରେ ଫେରି ନଥାନ୍ତି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ରୁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇଥିବା ଜଣକ ପରେ ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ସାମ୍ନାକୁ ଆସିବାରେ ଲାଗିଛି। ଗତ ଦୁଇ ସପ୍ତାହ ମଧ୍ୟରେ ବ୍ଲକ୍ର ୪ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। କେବଳ ଗଂଜାମ ନୁହେଁ, ଦେଖିବାକୁ ରାଜ୍ୟରେ ଥିବା ୫୫ ହଜାର ଗାଁରୁ ଅଧିକାଂଶ ଗ୍ରାମରୁ ଦାଦନ ଶ୍ରମିକ ବାହାର ରାଜ୍ୟରେ ଖଟି ପେଟ ପୋଷୁଛନ୍ତି।