Saturday, March 22, 2025
Homeଖବରପ୍ରମୁଖ ଖବରବିଜେପିର ଲୋକସଭା ରଣନୀତି! 

ବିଜେପିର ଲୋକସଭା ରଣନୀତି! 

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି ତିନି ଦିନରେ ତିନିଟି ରାଜ୍ୟରେ ଏଭଳି ନିଷ୍ପତ୍ତି ନେଇଛି, ଯାହା ଯେକୌଣସି ଲୋକଙ୍କୁ ଆଶ୍ଚର୍ଯ୍ୟ କରିବ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଶିବରାଜ ସିଂହ ଚୌହାଣ ଓ ରମଣ ସିଂହଙ୍କୁ ଏହି ପଦବି ନଦେଇ ବିଜେପି ଏହି ୩ଟି ସ୍ଥାନରେ ନୂଆ ମୁହଁ ରଖିଛି। ଏଥି ସହିତ ଏହି ୩ଟି ରାଜ୍ୟରେ ୨-୨ ଉପମୁଖ୍ୟମନ୍ତ୍ରୀ ରଖିଛି। ବିଜେପି ଏହି ୩ଟି ରାଜ୍ୟରେ ବାଚସ୍ପତି ପାଇଁ ମଧ୍ୟ ନାମ ଘୋଷଣା କରିସାରିଛି। ତିନି ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପୂର୍ବରୁ ପୂର୍ବତନ ତଥା ଆଶାୟୀ ନେତାଙ୍କୁ ନେଇ ବିଜେପି ବୈଠକ ଡାକିଥିଲା। ସର୍ବସମ୍ମତି କ୍ରମରେ ଦଳୀୟ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସବୁଠାରୁ ବଡ଼ କଥା ହେଲା ବିଜେପି ଏଥର ପରଂପରାବାଦରେ ବିରାମ ଲଗାଇଛି। ଅନ୍ୟ ନେତାକୁ ଏହି ପଦବି ପାଇଁ ଗୁରୁତ୍ବ ଦେଇଛି। ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପରେ କ୍ୟାବିନେଟ ମନ୍ତ୍ରିମଣ୍ଡଳ ମଧ୍ୟ ସେହି ହିସାବରେ ଗଠନ ହେବ।

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାହାକୁ ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା, ଏହାର ଅନ୍ତ ଘଟିଛି। ଏହି ପଦ ଲାଗି ଅନେକ ବରିଷ୍ଠ ଓ ଚର୍ଚ୍ଚିତ ନେତାମାନଙ୍କ ନାମକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବିଜେପିର ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଦେଇଛି। ଛତିଶଗଡ଼ରେ ଚର୍ଚ୍ଚାରେ ନଥିବା ଆଦିବାସୀ ନେତା ବିଷ୍ଣୁଦେବ ସାଏଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିଛି। ସେହିପରି ମଧ୍ୟପ୍ରଦେଶରେ ମୋହନ ଯାଦବ ଓ ରାଜସ୍ଥାନରେ ଭଜନଲାଲ ଶର୍ମାଙ୍କ ନାମକୁ ବ‌ିଜେପି ଘୋଷଣା କରିଛି। ୨୦୨୪ରେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ବିଜେପି ଏଭଳି ରଣନୀତି କରିଥିବା ପୂର୍ବାନୁମାନ କରାଯାଉଛି।  

ବ୍ରାହ୍ମଣ ଭୋଟରଙ୍କୁ ଟାର୍ଗେଟ

ରାଜସ୍ଥାନରେ ବିଜେପି ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ରାଜସ୍ଥାନରେ ବିଜେପି ୩୩ ବର୍ଷ ପରେ ପୁଣି ଥରେ ବ୍ରାହ୍ମଣ ମୁହଁ ଉପସ୍ଥାପନ କରିଛି। ଏହା ପୂର୍ବରୁ ୧୯୯୦ରେ ହରିଦେବ ଯୋଶୀ ଶେଷ ଥର ପାଇଁ ବ୍ରାହ୍ମଣ ସମାଜରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ।ଉତ୍ତର ଭାରତରେ ରାଜସ୍ଥାନ ପ୍ରଥମ ରାଜ୍ୟ, ଯେଉଁଠାରେ ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟପ୍ରଦେଶରେ ବ୍ରାହ୍ମଣ ମୁହଁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ନୁହେଁ। ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ରାଜସ୍ଥାନରେ ବ୍ରାହ୍ମଣ ମୁହଁ ଦେଖାଇ ପୂରା ଦେଶରେ ବ୍ରାହ୍ମଣ ସମାଜକୁ ବାର୍ତ୍ତା ଦେବାକୁ ଉଦ୍ୟମ କରିଛି, ତାଙ୍କ ମଙ୍ଗଳର ପାର୍ଟି। ଭୋଟ କଥା ଯଦି କହିବା ରାଜସ୍ଥାନରେ ମାତ୍ର ୮ ପ୍ରତିଶତ ବ୍ରାହ୍ମଣ ଅଛନ୍ତି। ଉତ୍ତରପ୍ରଦେଶରେ ୧୦ରୁ ୧୨ ପ୍ରତିଶତ ବ୍ରାହ୍ମଣ ଭୋଟର, ହିମାଚଳ ପ୍ରଦେଶରେ ୧୮ ପ୍ରତିଶତ, ମଧ୍ୟପ୍ରଦେଶରେ ୬ ପ୍ରତିଶତ ଓ ବିହାରରେ ୪ ପ୍ରତିଶତ ସାମିଲ ଅଛନ୍ତି।

ଉତ୍ତରପ୍ରଦେଶ, ବିହାରକୁ ଟାର୍ଗେଟ

ମଧ୍ୟପ୍ରଦେଶରେ ବିଜେପି ଜଣେ ପଛୁଆ ବର୍ଗର ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ମଧ୍ୟପ୍ରଦେଶରେ ପଛୁଆ ବର୍ଗର ଜନତା ହେଉଛନ୍ତି ୪୮ ପ୍ରତିଶତ। ୨୦୦୩ ପରେ ମଧ୍ୟପ୍ରଦେଶରେ ଓବିସି ବର୍ଗରୁ ମୁଖ୍ୟମନ୍ତ୍ରୀ ଅଛନ୍ତି। ବିଜେପିର ତିନି ମୁଖ୍ୟମନ୍ତ୍ରୀ ଉମା ଭାରତୀ, ବାବୁଲାଲ ଗୌର ଓ ଶିବରାଜ ସିଂହ ଚୌହାନ ମଧ୍ୟ ପଛୁଆ ବର୍ଗରୁ ଆସିଛନ୍ତି। ବିଜେପି ମୋହନ ଯାଦବଙ୍କୁ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କରିଛି। ବିହାରରେ ଜାତିଗତ ଜନଗଣନା ରିପୋର୍ଟ ସାର୍ବଜନନ ହେଲା ପରେ ଲୋକସଭା ନିର୍ବାଚନରେ ଏହା ବଡ଼ ପ୍ରସଙ୍ଗ ହୋଇପାରେ। ମଧ୍ୟପ୍ରଦେଶରେ ଯଦିଓ ଯାଦବ ସମାଜର ଲୋକସଂଖ୍ୟା ମାତ୍ର ୩ ପ୍ରତିଶତ, କିନ୍ତୁ ଉତ୍ତରପ୍ରଦେଶ, ବିହାର ଓ ହରିୟାଣାରେ ଏହି ବର୍ଗର ଜନସଂଖ୍ୟା ବହୁତ। ବିହାର ଓ ଉତ୍ତରପ୍ରଦେଶରେ ବିଜେପିର ମୁଖ୍ୟ ବିରୋଧୀ ହେଉଛନ୍ତି ଆରଜେଡି ଓ ସମାଜବାଦୀ ପାର୍ଟି। ବିଜେପି ଏହି ୨ ପାର୍ଟି ଉପରେ ପରିବାରବାଦ ରାଜନୀତି କରୁଥିବା ଅଭିଯୋଗ ଆଣିଥାଏ। ଏଥି ପାଇଁ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିଛି।

ଆଦିବାସୀ ଭୋଟର ଲକ୍ଷ୍ୟ

ବିଜେପି ସର୍ବପ୍ରଥମେ ଛତିଶଗଡ଼ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା। ଛତିଶଗଡ଼ ପାଇଁ ଏହି ଦାୟିତ୍ବ ବିଷ୍ଣୁଦେଓ ସାଏଙ୍କୁ ଦେଇଥିଲା। ବିଷ୍ଣୁଦେଓ ସାଏ ହେଉଛନ୍ତି ଜଣେ ଆଦିବାସୀ ନେତା। ୧୯୮୦ ଦଶକରୁ ସେ ରାଜନୀତିରେ ସକ୍ରିୟ ଅଛନ୍ତି। ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ସେ କ୍ରମାଗତ ଭାବେ ସାଂସଦ ରହିଛନ୍ତି। ରାଜ୍ୟରେ ୩୪ ପ୍ରତିଶତ ଜନତା ହେଉଛନ୍ତି ଆଦିବାସୀ। ଏଥର ଆଦିବାସୀ ଅଞ୍ଚଳରେ ବିଜେପି ଭଲ ପ୍ରଦର୍ଶନ କରିଛି। ତେଣୁ ଆଗାମୀ ଲୋକସଭା ନିର୍ବାଚନରେ ଦଳ ପାଖରେ ଆଦିବାସୀ ଗଡ଼ ବଞ୍ଚାଇବାକୁ ଚ୍ୟାଲେଞ୍ଜ ରହିଛି। ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାରେ ବିଜେପିର ବଡ଼ ଉଦ୍ଦେଶ୍ୟ ରହିଛି। କାରଣ ଛତିଶଗଡ଼ରେ ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଦ୍ବାରା ଲୋକସଭା ନିର୍ବାଚନରେ କେବଳ ଛତିଶଗଡ଼ ନୁହେଁ, ବରଂ ଓଡ଼ିଶା, ଝାଡ଼ଖଣ୍ଡ ଓ ତେଲେଙ୍ଗାନାରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments