ଭୁବନେଶ୍ବର: ଲୋକସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି ଶନିବାର ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଦେଇଛି। ପ୍ରଥମ ତାଲିକାରେ ୧୬ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ରାଜ୍ୟର ୧୯୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି, ଯେଉଁଥିରେ ବାରଣାସୀରୁ ନରେନ୍ଦ୍ର ମୋଦୀ, ଗାନ୍ଧୀନଗରରୁ ଅମିତ ଶାହ, ଲକ୍ଷ୍ନୌରୁ ରାଜନାଥ ସିଂହ, ଓମ ବିର୍ଲା, ସ୍ମୁତି ଇରାନୀ ଭଳି ଜଣାଶୁଣା ଚେହେରା ଅଛନ୍ତି। ଅନ୍ୟ ପଟରେ ୩୬ରୁ ଅଧିକ ବର୍ତ୍ତମାନର ସାଂସଦଙ୍କ ଟିକେଟ୍ କାଟି ତାଙ୍କ ସ୍ଥାନରେ ନୂଆ ପ୍ରାର୍ଥୀଙ୍କୁ ସ୍ଥାନ ମିଳିଛି। ନିର୍ବାଚନ ଆଚରଣ ସଂହିତା ଆଗାମୀ ସପ୍ତାହରେ ଘୋଷଣା ହୋଇପାରେ। ଏହା ପୂର୍ବରୁ ବିଜେପି ପ୍ରାୟ ୭୫ ପ୍ରତିଶତ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଲକ୍ଷ୍ୟ ରଖିଛି। ତେବେ ଆଶାୟୀଙ୍କ ମଧ୍ୟରେ ଛାତି ଧଡ଼ଧଡ଼ ହେବାରେ ଲାଗିଛି। ଓଡ଼ିଶାର ନେତାମାନେ ଆହୁରି ଅଧିକ ବ୍ୟସ୍ତ ଓ ଚିନ୍ତାରେ ଅଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଥିବା ଘୋଷଣାରେ ଓଡ଼ିଶାର ପ୍ରାର୍ଥୀଙ୍କୁ ଟିକେଟ୍ ମିଳିପାରେ।
ବିଜେପି କିଛି ଏଭଳି ସିଟ୍ରେ ପ୍ରାର୍ଥୀ ଘୋଷଣା କରି ନାହିଁ, ଯାହାକୁ ନେଇ ସମସ୍ତଙ୍କର ନଜର ଥିଲା। ବରୁଣ ଗାନ୍ଧୀଙ୍କ ପୀଲ୍ଲୀଭିତ, ମେନକାଙ୍କ ସୁଲତାନପୁର, ବଜଭୂଷଣଙ୍କ ଶରଣ ସିଂହଙ୍କ କୈସରଗଂଜ, ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଝିଅ ସଂଘମିତ୍ରା ମୌର୍ଯ୍ୟଙ୍କ ବଦାୟୁ ଓ ଜେନେରାଲ ଭିକେ ସିଂହଙ୍କ ଗାଜିଆବାଦ ସିଟ ମଧ୍ୟ ସାମିଲ ରହିଛି। ବରୁଣ ଗାନ୍ଧୀ ଓ ମେନକା ଗାନ୍ଧୀଙ୍କୁ ଏଥର ବିଜେପି ଟିକେଟ୍ ଦେବ କି ନାହିଁ? ନିଜ ଦଳ ବିରୋଧରେ ମୁହଁ ଖୋଲିଥିବା ବରୁଣ ଗାନ୍ଧୀ କିଛି ଦିନ ହେଲା ନୀରବ ଅଛନ୍ତି। ଚର୍ଚ୍ଚା ହେଉଛି ଯେ, ଏଥର ବରୁଣ ଓ ମେନକା ଗାନ୍ଧୀଙ୍କୁ ଟିକେଟ୍ ମିଳିବ ନା ନାହିଁ।
ଅଭିଜ୍ଞଙ୍କ ସ୍ଥାନରେ ନବାଗତ
ବିଜେପି ଆସାମରେ ନିଜର ୧୧ ପ୍ରାର୍ଥୀଙ୍କ ନାମ ଘୋଷିତ କରିଛି, ଯେଉଁଥିରେ ୬ ପ୍ରାର୍ଥୀ ବର୍ତ୍ତମାନ ସାଂସଦ ଅଛନ୍ତି। କିନ୍ତୁ ଅନ୍ୟ ୫ ଜଣ ନୂଆ ମୁହଁ। ଛତିଶଗଡ଼ର ୧୧ ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ତାଲିକାରେ ୪ ଜଣ ନୂଆଁ ଅଛନ୍ତି। ରାୟପୁର ଆସନରୁ ବ୍ରଜମୋହନ ଅଗ୍ରୱାଲ ନିର୍ବାଚନ ଲଢ଼ିବେ। ଉତ୍ତରପ୍ରଦେଶର ୫୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ଏଥିରେ ୪ ଜଣ ଅଛନ୍ତି ନୂଆ ପ୍ରାର୍ଥୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାରଂପରିକ ଭାବେ ଏଥର ମଧ୍ୟ ବାରାଣସୀ ଆସନରୁ ନିର୍ବାଚନ ପଡ଼ିଆକୁ ଓହ୍ଲାଇବେ। ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ୫ ଆସନରେ ପ୍ରାର୍ଥୀ ଘୋଷଣା ହୋଇଛି, ଯେଉଁଥିରେ ୪ ଜଣଙ୍କ ଟିକେଟ୍ କଟିଛି। ପୁରୁଣା ସାଂସଦଙ୍କ ନାମ କାଟି ସେଠାରେ ୪ ଜଣ ନବାଗତଙ୍କୁ ସ୍ଥାନ ମିଳିଛି। ମଧ୍ୟପ୍ରଦେଶରେ ବିଜେପି ୨୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି, ଯେଉଁଥିରେ ୧୧ ଜଣ ନୂଆ ମୁହଁ ରହିଛି। ତ୍ରିପୁରାରେ ବର୍ତ୍ତମାନର ସାଂସଦ ପ୍ରତିମା ଭୌମିକଙ୍କ ବଦଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଭୌମିକଙ୍କୁ ଟିକେଟ୍ ମିଳିଛି। ଏଥର ବିଜେପି
ଓଡ଼ିଶାରେ ମେଣ୍ଟ ଚର୍ଚ୍ଚା
ପ୍ରଥମ ପର୍ଯ୍ୟାୟରେ ବିଜେପିର ୧୯୫ଟି ଆସନ ମଧ୍ୟରୁ ଉତ୍ତର ପ୍ରଦେଶରୁ ସର୍ବାଧିକ ୫୧ ଜଣଙ୍କର ନାମ ରହିଛି। ମଧ୍ୟପ୍ରଦେଶରୁ ୨୪, ପଶ୍ଚିମ ବଙ୍ଗରୁ ୨୦ ଏବଂ ରାଜସ୍ଥାନ ଓ ଗୁଜରାଟରୁ ୧୫ ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶା ସମେତ ବିହାର, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ପାଇଁ ତାଲିକା ପ୍ରକାଶ କରାଯାଇ ନାହିଁ। ଏହିସବୁ ରାଜ୍ୟରେ ଅନ୍ୟ ଦଳ ସହିତ ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବାରୁ ଆସନ ଭାଙ୍ଗବଣ୍ଟା ଚୂଡ଼ାନ୍ତ ହୋଇନାହିଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ମହାରାଷ୍ଟ୍ରରେ ଏନ୍ସିପି ଓ ଶିବ ସେନା ସହିତ ବିଜେପିର ମେଣ୍ଟ ହେବାକୁ ଥିବା ବେଳେ ବିହାରରେ ନୀତୀଶ କୁମାରଙ୍କ ଜେଡିୟୁ ଓ ଅନ୍ୟ ଅଂଶୀଦାର ସହିତ ମେଣ୍ଟ ହେବ। କର୍ଣ୍ଣାଟକରେ ଜେଡିଏସ୍ ସହ କଥାବାର୍ତ୍ତା ଚାଲିଛି। ସେହିଭଳି ଆନ୍ଧ୍ର ପ୍ରଦେଶରେ ମେଣ୍ଟ ଚୂଡ଼ାନ୍ତ ହୋଇନାହିଁ। ସେଠାରେ ତେଲୁଗୁ ଦେଶମ ସହିତ କଥାବାର୍ତ୍ତା ଚାଲିଛି। ଓଡ଼ିଶାରେ ମେଣ୍ଟ ନେଇ ଉଭୟ ବିଜେପି ଓ ବିଜେଡି ଖଣ୍ଡନ କରିଛନ୍ତି।
ଓଡ଼ିଶାରେ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ
ବିଜେପିରି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରୁ ଜଣାପଡୁଛି ଯେ, ସକ୍ରିୟ ନଥିବା ସାଂସଦଙ୍କ ଟିକେଟ କଟୁଛି। ସେଠାରେ ନୂଆ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଉଛି। ଅଥଚ ପ୍ରାର୍ଥୀଙ୍କ ପରିବର୍ତ୍ତନ କରାଯାଉଛି। ନବାଗତମାନେ ଉଲ୍ଲାସିତ ହୋଇ ବିକଶିତ ଭାରତ ପାଇଁ କାମ କରିବେ ବୋଲି ବିଜେପି ଏଭଳି ରଣନୀତି କରୁଥିବା ଅନୁମାନ କରାଯାଉଛି। ସେହି ଦୃଷ୍ଟିକୋଣରୁ ଆଗାମୀ ଦିନରେ ଘୋଷିତ ହେବାକୁ ଥିବା ଓଡ଼ିଶାର ଆସନ ପାଇଁ ମଧ୍ୟ ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରିପାରେ। ଓଡ଼ିଶାରେ କିଛି ଆସନକୁ ବାଦ୍ ଦେଲେ ଅଧିକାଂଶ ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନ ହୋଇପାରେ। ଏହି କ୍ରମରେ ସମ୍ବଲପୁର, ବଲାଙ୍ଗୀର ଓ କଳାହାଣ୍ଡିରେ ପ୍ରାର୍ଥୀ ପରିବର୍ତ୍ତନ ହେବାର ଆଶଙ୍କା ଅଧିକ ରହୁଛି।