Tuesday, September 10, 2024
Homeବିଦେଶରେ କରୋନାର ୩ୟ ଲହର?
Array

ବିଦେଶରେ କରୋନାର ୩ୟ ଲହର?

ଭୁବନେଶ୍ବର: କେରାନା ଭାଇରସ୍‌ ମହାମାରୀର ୨ୟ ଲହର ସମାପ୍ତ ହେବା ପୂର୍ବରୁ ବିଶେଷଜ୍ଞ ଓ ଗବେଷକମାନେ ୩ୟ ଲହର ଆସିବା‌ ନେଇ ପୂର୍ବାପୁମାନ କରୁଥିଲେ। ଭାରତରେ ୩ୟ ଲହର ଅଗଷ୍ଟ ଶେଷ ସପ୍ତାହ ଠାରୁ ଅକ୍ଟୋବର ମଧ୍ୟରେ ଆସିବାର ଥିଲା। କିନ୍ତୁ ସଂକ୍ରମଣ ଭାରତରେ ଏବେ ନିୟନ୍ତ୍ରିତ ଅଛି। କିନ୍ତୁ ବିଦେଶରେ କୋଭିଡ-୧୯ ରୂପ ବଦଳାଇଛି। ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍‌’ ଚିନ୍ତା ବଢ଼ାଇଛି। ଦକ୍ଷିଣ ଆଫ୍ରିକୀୟ ଦେଶରେ ଏହା ଅଧିକ ବ୍ୟାପୁଥିବା ଅନୁମାନ କରାଯାଉଛି। ତେଣୁ ୟୁରୋପ ଓ ଆମେରିକୀୟ ଦେଶ ସମୂହ ସହିତ ଅନ୍ୟ ରାଷ୍ଟ୍ରମାନେ ଦକ୍ଷିଣ ଆଫ୍ରିକାକୁ ବିମାନ ସହିତ ଯୋଗାଯୋଗ ଉପରେ କଟକଣା ଲାଗୁ କରିଦେଇଛନ୍ତି। କେବଳ ସେତିକି ନୁହେଁ, ଦକ୍ଷିଣ ଆଫ୍ରିକାରୁ ଫେରୁଥିବା ଯାତ୍ରୀଙ୍କ ଉପରେ ମଧ୍ୟ କରୋନା ସଂକମ୍ରଣ ଥିବା ସଂଦେହ କରାଯାଉଛି।

କୋଭିଡ-୧୯ର ୨ୟ ଲହର ନିୟନ୍ତ୍ରିତ ହେବା ପରେ ଦେଶରେ କୋଭିଡ କଟକଣା ଧୀରେ ଧୀରେ କୋହଳ କରାଯାଇଥିଲା। ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ୨୦୨୦ ମାର୍ଚ୍ଚ ପୂର୍ବ ଅବସ୍ଥା ଫେରିବ ଆସିବ ବୋଲି କଳ୍ପନା କରାଯାଉଥିଲା। ବହୁତ କମ କ୍ଷେତ୍ରରେ କଟକଣା ଥିଲା। ଜନଜୀବନ ଏକ ପ୍ରକାର ସ୍ବାଭାବିକ ହୋଇସାରିଛି। ଏବେ କିନ୍ତୁ ଓମିକ୍ରନ୍‌ ଯୋଗୁଁ କଟକଣା ପୁଣି ଯୋଡ଼ି ହେବାରେ ଲାଗିଛି। ଭାରତ ସରକାର ପ୍ରାଥମିକ ଅବସ୍ଥାରେ ବିଦେଶରୁ ଫେରୁଥିବା ଯାତ୍ରୀମାନଙ୍କ ଉପରେ କଡ଼ାନଜର ରଖିଛନ୍ତି। ବିଦେଶ ଫେରନ୍ତାଙ୍କୁ ଆରଟି-ପିସିଆର ନେଗେଟିଭ୍‌ ରିପୋର୍ଟ ଏବଂ ବାଧ୍ୟତାମୂଳକ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି।

ଦକ୍ଷିଣ ଆଫ୍ରିକାରେ ଲକ୍‌ଡାଉନ୍‌

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌ ଦକ୍ଷିଣ ଆଫ୍ରିକୀୟ ଦେଶରେ ଆହୁରି ଅଧିକ ଶକ୍ତିଶାଳୀ ହୋଇଛି। ଆଫ୍ରିକ୍ରୀୟ ଦେଶ ଗୁଡ଼ିକରେ ବହୁ ସଂଖ୍ୟାରେ ଲୋକେ କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ ସରକାର ବାଧ୍ୟ ହୋଇ ଲେଭେଲ-୧ ସ୍ତରର ଲକ୍‌ଡାଉନ୍‌ ଲାଗୁ କରିଦେଇଛନ୍ତି। ଲକଡାଉନ୍‌ ଯୋଗୁଁ ଦକ୍ଷିଣ ଆଫ୍ରିକାର ରାସ୍ତାଘାଟରେ ପୂର୍ବଭଳି ଜନଗହଳି ଦେଖିବାକୁ ମିଳୁନାହିଁ। ରାସ୍ତାଘାଟ ଶୂନଶାନ ହୋଇଯାଇଥିବା ବେ‌ଳେ ବଜାରରେ ଲୋକ ଚଳପ୍ରଚଳ କରୁ ନାହାନ୍ତି।  

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ

ଓମିକ୍ରନ୍‌କୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି। ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ, ବିଗତ ୨ ବର୍ଷ ମଧ୍ୟରେ ମହାମାରୀ କରୋନା ଭାଇରସ୍‌ ଅନେକ ରୂପ ବଦଳାଇଛି। ଚୀନର ଉହାନ ସହରରୁ ବ୍ୟାପିଥିବା ଏହି ମହାମାରୀ ଓମିକ୍ରନ୍‌ ପର୍ଯ୍ୟନ୍ତ ପହଞ୍ଚିଛି। ଆଗକୁ ପୁଣି କେଉଁ ରୂପ ନେବ ତାହା ସମୟ କହିବ। ତେବେ ଅଳ୍ପ ଦିନ ମଧ୍ୟରେ ଓମିକ୍ରନ୍‌ ୨୩ଟି ଦେଶରେ ଚିହ୍ନଟ ହୋଇଥିଲେ ମଧ୍ୟ ବୈଜ୍ଞାନିକ, ଗବେଷକ ଓ ବିଶେଷଜ୍ଞମାନେ ଏହି ନୂଆ ଭ୍ୟାରିଆଣ୍ଟ ସଂପର୍କରେ ଅଧିକ କିଛି ତଥ୍ୟ ହାସଲ କରିପାରି ନାହାନ୍ତି।  

ଟିକାକରଣ-ଟେଷ୍ଟିଂ

କୋଭିଡ-୧୯ ଟିକାକରଣ କ୍ଷେତ୍ରରେ ଭାରତର କାମ ପ୍ରଶଂସନୀୟ। ଭାରତ ଭଳି ବିଶ୍ବର ଅନ୍ୟ କୌଣସି ରାଷ୍ଟ୍ରରେ ଏତେ ଦ୍ରୁତ ଗତିରେ ଟିକାକରଣ ହୋଇପାରି ନାହିଁ। ଦେଶରେ ୧୦୦ କୋଟିରୁ ଅଧିକ ଡୋଜ୍‌ ଟିକାକରଣ ହୋଇସାରିଛି। କିନ୍ତୁ ବିଦେଶରେ ଏହା ହୋଇ ପାରି ନଥିବାରୁ ସଂକ୍ରମଣ ବଳ ଦେଖାଇଥିବା ନେଇ ମଧ୍ୟ ସନ୍ଦେହ ହେଉଛି। ଦକ୍ଷିଣ ଆଫ୍ରିକୀୟ ଦେଶ ଗୁଡ଼ିକରେ ବହୁତ କମ ମାତ୍ରାରେ ଟିକାକରଣ ହୋଇଥିବାରୁ ଓମିକ୍ରନ୍‌ ଭଳି ସଂକ୍ରମଣ ମଜବୁତ ହୋଇଥାଇପାରେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିବା ଅନୁସାରେ ଟିକାକରଣ ଓ ଟେଷ୍ଟିଂ ମାଧ୍ୟମରେ ସଂକ୍ରମଣ ନିୟନ୍ତ୍ରିତ ହୋଇପାରିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments