ଭୁବନେଶ୍ୱର: ୨୦୧୪ ମସିହାଠାରୁ ବିଦେଶରେ ଭାରତର ସୁନାମ ବଢ଼ିବାରେ ଲାଗିଛି । ସୂଚନା ଓ ପ୍ରଯୁକ୍ତିବିଦ୍ୟାରେ ଭାରତ ବିକଶିତ ଦେଶଗୁଡ଼ିକ ସମକକ୍ଷ ହେବା ଦିଗରେ କାମ କରୁଛି । ଭାରତ ଏବେ ଆତ୍ମନିର୍ଭରଶୀଳ ହେବାରେ ଶତପ୍ରତିଶତ ନହେଲେ ବି ବହୁତ ଆଗେଇ ପାରିଛି । କୋଭିଡ ମହାମାରୀ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ । ଚୀନ, ଆମେରିକା ଭଳି ଦେଶରେ ପୋକମାଛି ପରି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ ସ୍ଥିତି ଏକ ପ୍ରକାର ଭଲ ଥିଲା । କୋଭିଡ ସମୟରେ ଭାରତ କରୋନା ଟିକା, କିଟ୍, ଅମ୍ଲଜାନ ଓ ଅନ୍ୟାନ୍ୟ ସାମଗ୍ରୀ ପଠାଇ ସୁନାମ ଅର୍ଜନ କରିଥିଲା । କେବଳ କୋଭିଡ ନୁହେଁ । ଅନ୍ୟ କ୍ଷେତ୍ରରେ ମଧ୍ୟ ଭାରତକୁ ସୁନାମ ମିଳୁଛି । ଆମେରିକା, ବ୍ରିଟେନ୍, ଅଷ୍ଟ୍ରେଲିଆ, ଜାପାନ, ଚୀନ ଖାତିର କରୁଛନ୍ତି । କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ଭାରତୀୟ ରାଜନେତା ରାହୁଲ ଗାନ୍ଧୀ ଏବେ ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବାକୁ ଯାଇ ଭାରତ ବିଷୟରେ ଅନେକ କଥା କହୁଛନ୍ତି ।
ରାହୁଲ ଗାନ୍ଧୀ ଆମେରିକାରେ କହିଛନ୍ତି ଯେ, ଦଳେ ଲୋକଙ୍କ ଦ୍ୱାରା ଭାରତୀୟମାନେ ଶାସିତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ସେମାନଙ୍କର ମଧ୍ୟରୁ ଜଣେ । ଏହି ଦଳର ଲୋକମାନେ ଶାସନ ବ୍ୟବସ୍ଥା କ’ଣ କିଛି ଜାଣି ନାହାନ୍ତି । ବିଶ୍ୱ-ବ୍ରହ୍ମାଣ୍ଡ କେମିତି ଚାଲେ, ସେମାନେ ଯଦି ଈଶ୍ୱରଙ୍କ ପାଖରେ ବସନ୍ତେ, ତା’ହେଲେ ଜାଣିପାରନ୍ତେ । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ରାହୁଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଯଦି ଈଶ୍ୱରଙ୍କ ଆଗରେ ବସାଇ ଦିଆଯିବ, ସେ ସେଠାରୁ ବିଶ୍ୱ-ବ୍ରହ୍ମାଣ୍ଡ କେମିତ ଚାଲେ ତାହା ବୁଝାଇ ଦେବେ । ଭାରତରେ ଏଭଳି ଲୋକ ଅଛନ୍ତି ଯେଉଁମାନେ କି ବୈଜ୍ଞାନିକଙ୍କୁ ବିଜ୍ଞାନ, ଐତିହାସିକଙ୍କୁ ଇତିହାସ ଓ ସେନାକୁ ଯୁଦ୍ଧକୌଶଳ ପ୍ରଶିକ୍ଷଣ ଦିଅନ୍ତି । କିନ୍ତୁ ବାସ୍ତବରେ ସେମାନେ କିଛି ଜାଣି ନାହାନ୍ତି ।
ଅପରାଧିକ ଦଣ୍ଡ ପାଇଛ : ରାହୁଲ
ରାହୁଲ ଗାନ୍ଧୀ କହିଛନ୍ତି ଯେ, ମାନହାନି ମାମଲାରେ ମୁଁ ଅପରାଧିକ ଦଣ୍ଡ ପାଇଛି । ମୁଁ ୨୦୦୦ ମସିହାରେ ରାଜନୀତିରେ ଯୋଗ ଦେଇଥିଲି । କିନ୍ତୁ ଜୀବନରେ ଏଭଳି ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିବ ତାହା ଭାବି ନଥିଲି । ବାସ୍ତବତା ଏବେ କଳ୍ପନା ଭଳି ଲାଗୁଛି । ସୂଚନାଯୋଗ୍ୟ, ମୋଦୀ ସାଙ୍ଗିଆ ଉପରେ ୨୦୧୯ ମସିହାରେ ରାହୁଲ ଗାନ୍ଧି ଦେଇଥିବା ଟିପ୍ପଣୀ ନେଇ କିଛି ମାସ ପୂର୍ବରୁ ସୁରତ ଅଦାଲତରେ ରାୟ ଆସିଥିଲା । କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ ଓ ଜରିମାନା ଦଣ୍ଡାଦେଶ ଦେଇଥିଲେ । ପରେ ତାଙ୍କୁ ଲୋକସଭା ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ।
ଆମେରିକାରୁ ମୋଦୀଙ୍କୁ ଟାର୍ଗେଟ
୨୦୨୯ ନିର୍ବାଚନରେ କେରଳରୁ ସାଂସଦ ହୋଇଥିବା ରାହୁଲ ଗାନ୍ଧୀ ତିନିଦିନିଆ ଆମେରିକା ଗସ୍ତରେ ଅଛନ୍ତି । ସେ କ୍ରମାଗତ ଭାବେ ମୋଦୀ ସରକାର ଓ ବିଜେପିକୁ ଟାର୍ଗେଟ କରୁଛନ୍ତି । ରାହୁଲ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବଡ଼ ଦାବି କରିଛନ୍ତି । ବିରୋଧୀମାନେ ଏକତ୍ର ହେଉଛନ୍ତି । ତୃଣମୂଳସ୍ତରରେ ସେମାନେ ଭଲ କାମ କରୁଛନ୍ତି । ଏକ ଶକ୍ତି ଲୁଚି ରହିଛି, ଯାହାକି ଆଗାମୀ ଲୋକସଭା ନିର୍ବାଚନରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିବ । ୱାଶିଂଟନ ଡିସିସ୍ଥିତ ନ୍ୟାସନାଲ ପ୍ରେସ୍ କ୍ଲବରେ ସାମ୍ବାଦିକଙ୍କ ପ୍ରଶ୍ନରେ ରାହୁଲ କହିଛନ୍ତି ଯେ, ଆଗାମୀ ୨ ବର୍ଷ ମଧ୍ୟରେ କଂଗ୍ରେସ ବହୁତ ଭଲ ପ୍ରଦର୍ଶନ କରିବ । ଅପେକ୍ଷା କରନ୍ତୁ । କର୍ଣ୍ଣାଟକ ପରି ଆଗାମୀ ୩ରୁ ୪ଟି ରାଜ୍ୟର ଫଳାଫଳ ଦେଖନ୍ତୁ ।
ଯୋଗର ନେତୃତ୍ୱ ନେବେ ମୋଦୀ
ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତ ଶେଷ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଜୁନ ୨୧ ତାରିଖରେ ନ୍ୟୁୟର୍କସ୍ଥିତ ଜାତିଂଘ ମୁଖ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ୱ ନେବାକୁ ଯାଉଛନ୍ତି । ମୋଦୀଙ୍କୁ ରାହୁଲ ଗାନ୍ଧୀ ଆମେରିକାରେ ଟାର୍ଗେଟ କରୁଥିବା ବେଳେ ଯୋଗଦିବସରେ ମୋଦୀଙ୍କ ନେତୃତ୍ୱ ବିଶ୍ୱବାସୀ ଗ୍ରହଣ କରିବେ ବୋଲି ଆଶା କରାଯାଉଛି । କାରଣ ସମାରୋହରେ ଜାତିସଂଘ ସାଧାରଣ ଅଧିବେଶନର ସଭାପତି ସାବା କୋରୋସି, ଜାତିସଂଘ ସଦସ୍ୟ ଥିବା ୧୯୦ରୁ ଅଧିକ ରାଷ୍ଟ୍ରର କୁଟନୈତିକ ପ୍ରତିନିଧି, ନ୍ୟୁୟର୍କ ମେୟର, ଆମେରିକାର ଶୀର୍ଷ ରାଜନେତା ଓ ବିଭିନ୍ନ କ୍ଷେତ୍ରରେ ଶୀର୍ଷ ଭାରତୀୟ ବଂଶୋଦ୍ଭବ ସାମିଲ ହେବେ ।