ଭୁବନେଶ୍ବର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଚଳିତ ମାସ ୨୪ ତାରିଖ ଠାରୁ ଆରମ୍ଭ ହୋଇଯାଇଛି। ଆଗାମୀ ଡିସେମ୍ବର ୩୧ ତାରିଖ ଯାଏ ଚାଲିବାକୁ ଥିବା ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟଦିବସ ରଖାଯାଇଛି। ବିଧାନସଭା ଅଧିବେଶନ ପୂର୍ବରୁ ସରକାର କିଛି ନୂଆ ଘୋଷଣା କରି ବିଭିନ୍ନ ବର୍ଗର ଲୋକଙ୍କୁ ଖୁସି କରିଥିବା ବେଳେ ରାଜ୍ୟରେ ଚାଷୀ, ଅଙ୍ଗନବାଡ଼ି କର୍ମୀ ଓ ଶିକ୍ଷା ବିଭାଗରେ କାର୍ଯ୍ୟରତ ଲକ୍ଷ ଲକ୍ଷ କର୍ମଚାରୀ ଅସନ୍ତୋଷ ଥିବା ଦେଖାଯାଇଛି। ବିଧାନସଭାରେ ତିନିଦିନର କାର୍ଯ୍ୟଦିବସରେ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ବିଜେପି ଓ କଂଗ୍ରେସ ହଙ୍ଗାମା କରିଥିଲା ବେଳେ ବାହାରେ ଅଙ୍ଗନବାଡ଼ି କର୍ମୀ ଓ ଶିକ୍ଷକ ସଂଗଠନ ଆନ୍ଦୋଳନ ଜାରି ରଖିଛନ୍ତି।
ବିଧାନସଭାରେ ପ୍ରଥମ ତିନିଦିନର କାର୍ଯ୍ୟଦିବସରେ ଗୃହକାର୍ଯ୍ୟ ସ୍ବାଭାବିକ ଭାବେ ପରିଚାଳିତ ହୋଇପାରି ନାହିଁ। ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା ଓ କୃଷକ ସମସ୍ୟାକୁ କେନ୍ଦ୍ରକରି ବିରୋଧୀ ବିଜେପି ଓ କଂଗ୍ରେସ ହଙ୍ଗାମା କରିଛନ୍ତି। ତେଣୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକାର୍ଯ୍ୟକୁ ବାରମ୍ବାର ମୁଲତବି ରଖିଥିବା ବେଳେ ସର୍ବଦଳୀୟ ବୈଠକ ଡାକିଛନ୍ତି। ହଙ୍ଗାମା ସମୟରେ ବିଜେପି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ୍ ତଳକୁ ଯାଇ ହଙ୍ଗାମା କରିବାକୁ ପଛାଇ ନାହାନ୍ତି।
ପିଏମ୍ଜିରେ ମାଣ ବସିଲା
ଅଙ୍ଗନବାଡ଼ିରେ କାର୍ଯ୍ୟରତ ମା’ମାନେ ଭୁବନେଶ୍ବରର ଲୋୟର ପିଏମ୍ଜିରେ ମାଣ ବସାଇଛନ୍ତି। ଘରେ ପରିବାର ଲୋକଙ୍କ ସହିତ ଦିନ କାଟିବା ବଦଳରେ ନିଜର ଅଧିକାର ଦାବି କରି ଗାଁ ଗଣ୍ଡାରୁ ଉଠିଆସି ରାଜଧାନୀର ରାସ୍ତାରେ ନିଜର ଅଧିକାର ଦାବି କରୁଛନ୍ତି। ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ଜାରି ରହିଛି। ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାରୁ କର୍ମୀମାନେ ଆସି ବିଧାନସଭା ସାମ୍ନାରେ ଆନ୍ଦୋଳନ ଜାରି ରଖିଛନ୍ତି। ଅଧିବେଶନର ୩ୟ ଦିନରେ ଶନିବାର ଶୂନ୍ୟକାଳରେ ବିଜେପି ପ୍ରସଙ୍ଗ ଉଠାଇଛି। ବିଧାୟକ ମୋହନ ମାଝୀ କହିଛନ୍ତି, ସେମାନଙ୍କର ୮ ଦଫା ଦାବି ପୂରଣ ହେବା ଯୋଗ୍ୟ। ୫୦ ହଜାର କର୍ମୀ ଆନ୍ଦୋଳନ କରୁଥିବାରୁ ଅଙ୍ଗନବାଡ଼ି ଗୁଡ଼ିକ ବନ୍ଦ ରହିଛି।
ଗୃହରେ ଦୁଇ ଦଳ ମୁହାଁମୁହିଁ
ଦ୍ବିତୀୟ ଦିନର ଗୃହ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ବିରୋଧୀ ଓ ଶାସକଦଳର ସଦସ୍ୟମାନେ ମୁହାଁମୁହିଁ ହୋଇଥିଲେ। ଶାସକ ଦଳ ପକ୍ଷରୁ ଏମଏସପି ବୃଦ୍ଧି ଦାବି ହୋଇଥିଲା। ଅପରପକ୍ଷରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରସଙ୍ଗ ଉଠାଇଥିଲେ। ଏହାଫଳରେ ଗୃହରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଏମ୍ଏସ୍ପି ବୃଦ୍ଧି ପାଇଁ ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର ସରକାର ଶୁଣୁ ନଥିବାରୁ ଗୃହରେ ବିଜେଡି ତାହାର ପ୍ରତିବାଦ କରିବା ସହ ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ବିକ୍ଷୋଭ କରିଥିଲେ। ଏଣେ ବିଜେପି ସଦସ୍ୟମାନେ ମଧ୍ୟ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରି ଗୃହ ବାହାରେ ମଧ୍ୟ ପ୍ରତିବାଦ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି
ଶୀତକାଳୀନ ଅଧିବେଶନର ପ୍ରଥମ ଦିନରୁ ଅର୍ଚ୍ଚନା ନାଗ ମାମଲା ନେଇ ହଙ୍ଗାମା ହୋଇଥିଲା। ବିରୋଧୀ ଦଳ ଏହି ପ୍ରସଙ୍ଗ ରାଜ୍ୟ ସରକାରକୁ ଟାର୍ଗେଟ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଇଡ଼ିର ତଦନ୍ତ ଠିକ ଭାବେ ଚାଲିଛି। ପୁଲିସ ଯାହାକୁ ଛାଡି ଦେଇଥିଲା ତାକୁ ଇଡ଼ି ବାନ୍ଧିଛି। ଏବେ ଏସଆଇଟି ବି ରିପୋର୍ଟ ମାଗିଛି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିରବ ଦ୍ରଷ୍ଟା ସାଜିଛନ୍ତି। ବିଜେଡିର ନେତାମାନେ ଏଥିରେ ସମ୍ପୃକ୍ତ ଥିବାରୁ ମୁଖ୍ୟମନ୍ତ୍ରୀ ନିରବ ରହିଛନ୍ତି। ତେଣୁ ଏହି ଘଟଣାରେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। ବିଜେପି ବି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ରୁଲିଂ ମାଗିଛି।