Friday, September 13, 2024
Homeବିପଦ ଆଡ଼କୁ ମୁହାଁଉଛି ଓଡ଼ିଶା!
Array

ବିପଦ ଆଡ଼କୁ ମୁହାଁଉଛି ଓଡ଼ିଶା!

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ରାଜ୍ୟ ରାଜନୀତିରେ ଜଣେ ବଳିଷ୍ଠ ଓ ଅଭିଜ୍ଞସଂପନ୍ନ ରାଜନୀତିଜ୍ଞ ନବ କିଶୋର ଦାସଙ୍କୁ ଜାନୁଆରି ୨୯ ତାରିଖ ଠିକ୍‌ ମଧ୍ୟାହ୍‌ଣ ସମୟରେ ରାଜ୍ୟ ସରକାରଙ୍କ ଜଣେ ପୁଲିସ ଏଏସ୍‌ଆଇ ଗୁଳିକରି ହତ୍ୟା କଲେ। ଏହି ଘଟଣାକୁ ୨୫ ଦିନ ଅତିକ୍ରମ କରିସାରିଛି। ଅଭିଯୁକ୍ତ ଗିରଫ ହୋଇସାରିଥିଲେ ମଧ୍ୟ ହତ୍ୟାର କାରଣକୁ ଲୋକଲୋଚନକୁ ଆଣିପାରି ନାହାନ୍ତି କ୍ରାଇମ୍‌ବ୍ରାଞ୍ଚ। ଅନ୍ୟପଟରେ କୁହାଯାଉଛି ଯେ, ପ୍ରକୃତ ଘଟଣା ରାଜ୍ୟ ସରକାର ଜାଣି ସାରିଥିଲେ ବି ଭୁଆଁ ବୁଲାଇବା ପାଇଁ କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଜାରି ଥିବା କହୁଛନ୍ତି।

ନବ ଦାସ ହତ୍ୟା ଘଟଣା ଏକ ସମ୍ବେଦନଶୀଳ ଏବଂ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଏହା କେବଳ ରାଜ୍ୟ ପ୍ରସଙ୍ଗ ନୁହେଁ। ବରଂ ଦେଶ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ପୀଡିତ ପରିବାର ଉଚିତ ନ୍ୟାୟ ଦାବି କରିବା ପରିବର୍ତ୍ତେ ୨୫ ଦିନ ହେଲା କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ନିର୍ଭର କରୁଛନ୍ତି। ପୀଡିତା ପରିବାର କହିବା ଅନୁସାରେ ଯଦିଓ ଏହି ତଦନ୍ତରେ ଅନ୍ୟ କେହି ମୁଣ୍ଡ ନ ପୁରାଇବା କଥା। କିନ୍ତୁ ସାମ୍ବିଧାନିକ ଗୁରୁତ୍ବକୁ ଯଦି ବୁଝିବା ନବ ଦାସ ଥିଲେ ଝାରସୁଗୁଡ଼ାର ମୁହଁ ଓ ରାଜ୍ୟବାସୀଙ୍କ ଅନ୍ୟ ନେତା। ସେଥିପାଇଁ ନବ ଦାସ ହତ୍ୟା ଘଟଣା ନେଇ ଯେକୌଣସି ବ୍ୟକ୍ତି ପ୍ରଶ୍ନ ପଚାରିବାର ଅଧିକାର ରହିଛି। ବିରୋଧୀ ଦଳମାନେ ସିବିଆଇ ଦ୍ବାରା ତଦନ୍ତ ଦାବି କରୁଛନ୍ତି। ଏହାର ପୁଙ୍ଖାନୁପୁଙ୍ଖ ଓ ବୈଜ୍ଞାନିକ ଅନୁସନ୍ଧାନ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ୍‌ ଉଦ୍ୟମ ଜାରି ରଖିଛି।

ମୁହଁ ଖୋଲି‌ଲେ ମୁଖ୍ୟମନ୍ତ୍ରୀ

ଦେଶର ଶ୍ରେଷ୍ଠ ଫୋରେନ୍‌ସିକ୍ ବିଶେଷଜ୍ଞଙ୍କ ସହାୟତା ନିଆଯାଉଛି। ନିରପେକ୍ଷ ଓ ମୁକ୍ତ ତଦନ୍ତକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ରାଜ୍ୟ ସରକାର କହୁଛନ୍ତି। କିନ୍ତୁ ତଦନ୍ତ ଶେଷ ହେଉନାହିଁ। ତଦନ୍ତରେ ଅନ୍ୟମାନଙ୍କୁ ଯୋଡ଼ାଯାଉ ନାହିଁ, ଯେଉଁଥି ପାଇଁ ବଜେଟ୍‌ ଅଧିବେଶନର ପ୍ରଥମ ଦୁଇ ଦିନରେ କୌଣସି ପ୍ରସଙ୍ଗରେ ଆଲୋଚନା ହୋଇପାରି ନାହିଁ। ମନ୍ତ୍ରୀଙ୍କୁ ହତ୍ୟାର ୨୩ ଦିନ ପରେ ବିଧାନସଭାରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ତଦନ୍ତ ପ୍ରକ୍ରିୟାରେ ବିଦେଶୀ ସଂସ୍ଥାର ସହଯୋଗ ନିଆଯିବାକୁ ପ୍ରକ୍ରିୟା ଜାରି ରହିଛି । ତେବେ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଇନାହାନ୍ତି। ଏଥିସହିତ ସମ୍ବେଦନଶୀଳ ଘଟଣାର ରାଜନୀତି ନକରିବାକୁ ଆହ୍ବାନ ଦେଇଛନ୍ତି।

ରାଜନୀତି ନକରୁ ବିରୋଧୀ: ନବୀନ

ବିଗତ ଦିନରେ ରାଜ୍ୟରେ ବହୁ ବଡ଼ଧରଣର ଅପରାଧିକ ଘଟଣା ଘଟିଛି। ହତ୍ୟା, ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲି ନଥିଲେ। ଏଥର ପ୍ରଥମ ଥର ପାଇଁ ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିବୃତ୍ତି ରଖିଥିଲେ। ତାହା ପୁଣି ବିଜେଡି ପକ୍ଷରୁ ଦିଆଯାଇଥିବା ହାତ ଲେଖା। ମୁଖ୍ୟମନ୍ତ୍ରୀ ରାଜ୍ୟରେ ଯାହା ଘଟୁଛି ତାହା ମଧ୍ୟ ବୋଧେ ଜାଣି ପାରୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି, ରାଜ୍ୟରେ କୌଣସି ରାଜନୈତିକ ଦଳ ବିଜେଡି ବିରୋଧରେ କିଛି ନକହୁ। ବିଜେଡି ସରକାର ମନମୁଖୀ ଶାସନ କରୁ। ବିରୋଧୀ ରାଜନୈତିକ କ’ଣ ଲୋକଙ୍କର ସୁରକ୍ଷା ପ୍ରସଙ୍ଗରେ ବିଧାନସଭାରେ ପ୍ରସଙ୍ଗ ନଉଠାଇବେ ତ ଆଉ କ’ଣ କରିବେ।

ସଂକଟ ଅବସ୍ଥାରେ ରାଜ୍ୟ

ବିଡେଜି ରାଜ୍ୟକୁ ଏକଧାରରେ ୨୩ ବର୍ଷ ହେଲା ଶାସନ କରୁଛି। ଏହାରି ମଧ୍ୟ କୃଷି, ପଶୁପାଳନ, ରୋଜଗାରର ଘୋର ଅଭାବ ଦେଖାଯାଇଛି। ସାଧାରଣ ଜନତା ବହୁ କଷ୍ଟରେ ଜୀବନ ବିତାଉଛନ୍ତି। କିଛି ମାଗଣା ଯୋଜନା ଯୋଗୁଁ ଲୋକେ ଅଳସୁଆ ହୋଇସାରିଛନ୍ତି। ଦାଦନ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟ ରାଜ୍ୟରୁ ପ୍ରବାସୀ ଓଡ଼ିଆଙ୍କ ମୃତଦେହ ଫେରୁଛି। ଏସବୁ ଦୃଶ୍ୟ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସୁନାହିଁ। ମୁଖ୍ୟମନ୍ତ୍ରୀ ବାକ୍ୟବାଣରେ ସବୁ ଅନ୍ତର୍ଜାତୀୟ ସ୍ତରୀୟ ବ୍ୟବସ୍ଥା କୁହନ୍ତି। ନିଜେ ଅର୍ଦ୍ଧରାତ୍ରିରେ ଏକାକୀ ଯାଇ ବ୍ୟବସ୍ଥାର ତଦାରଖ କରନ୍ତୁ, ତାଙ୍କ ସରକାରରେ କେମିତି ଅନ୍ତର୍ଜାତୀୟ ବ୍ୟବସ୍ଥା ହୋଇଛି ବୁଝିଯିବେ। ରାଜ୍ୟର ସ୍ଥିତି ଯେଭଳି ହେଲାଣି ଚୀନ ଭଳି ଏଠି ଅବସ୍ଥା କହିଲେ କିଛି ଭୁଲ ହେବନାହିଁ।  

ଜଳ ପ୍ରକଳ୍ପ ନେଇ ଚର୍ଚ୍ଚା

ବଜେଟ୍‌ ଅଧିବେଶନର ତୃତୀୟ ଦିନରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା। ପ୍ରଶ୍ନକାଳରେ ପାନୀୟ ଜଳ ଯୋଗାଣ, ଜଳ ସେଚନ ଓ ଜଳ ସଂରକ୍ଷଣ ନେଇ ଗୃହରେ ସରଗରମ ଆଲୋଚନା ହୋଇଥିଲା। ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କ ଏକ ପ୍ରଶ୍ନରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ, ମହାନଦୀ ଅବବାହିକାରେ ଖଇରମାଳ, ଗୋଧନେଶ୍ବର ଓ କପାଶିରାଠାରେ ବ୍ୟାରେଜ ନିର୍ମାଣ ପାଇଁ ସରକାରଙ୍କ କୌଣସି ଯୋଜନା ନାହିଁ। ଖଇରମାଳ ଓ ଗୋଧନେଶ୍ବର କେବଳ ଇନଷ୍ଟ୍ରିମ ଷ୍ଟୋରେଜ ନିର୍ମାଣ ପାଇଁ ଯୋଜନା ଅଛି। ବିଜେପି ବିଧାୟକ ଭାସ୍କର ମଢେଇ ସରକାରଙ୍କ ପୂର୍ବ ଘୋଷଣା କାର୍ଯ୍ୟକାରୀ ନ ହେବାକୁ ନେଇ ବିରକ୍ତି ପ୍ରକାଶ କରିଥିବା ବେଳେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ବି ଭୁବନେଶ୍ବରର ପାନୀୟ ଜଳ ବ୍ୟବସ୍ତାକୁ ନେଇ ପ୍ରଶ୍ନ ଉଠାଇବା ସହ ଛତିଶଗଡ଼ ବନ୍ଧ ବାନ୍ଧି ପାଣି ରୋକୁଥିବା ବେଳେ କି ବ୍ୟବସ୍ଥା ସରକାର ନେଉଛନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments