ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତ୍ରୀ ନୂପୁର ଶର୍ମାଙ୍କ ଦ୍ବାରା ମହାପୁରଷ ମହମ୍ମଦଙ୍କୁ ନେଇ ଦିଆଯାଇଥିବା ବୟାନକୁ ନେଇ ଏବେ ଭାରତ ଓ ଦେଶ ବାହାର ଚର୍ଚ୍ଚା ଜୋରଧରିଛି। ବିବାଦୀୟ ବୟାନ ଦେଇ ବିଜେପିରୁ ବହିଷ୍କୃତ ହୋଇଥିବା ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ପାଇଁ ଭାରତକୁ ପଡୋଶୀ ଦେଶ ସମେତ ଏସିଆ ମହାଦେଶର ଅନେକ ଗୁଡ଼ିଏ ରାଷ୍ଟ୍ର ମଧ୍ୟ ବିରୋଧ କରୁଛନ୍ତି। ଏହି ମନ୍ତବ୍ୟକୁ ନେଇ ଗଲ୍ଫ ଦେଶଗୁଡିକର ଅସନ୍ତୋଷ ପ୍ରସଙ୍ଗ ବର୍ତ୍ତମାନ ବନ୍ଦ ହେବା ଭଳି ମନେ ହେଉନାହିଁ। ଏପରିକି ଏହି ମନ୍ତବ୍ୟକୁ କେନ୍ଦ୍ର କରି କୁଏତର ଏକ ସୁପରମାର୍କେଟ ଭାରତୀୟ ଦ୍ରବ୍ୟକୁ ହଟାଇ ଦିଆଯାଉଛି। ଅର୍ଥାତ ଭାରତୀୟ ଦ୍ରବ୍ୟ କୁଏତ ଏବେ ଆଉ ଗ୍ରହଣ କରାଯାଉ ନାହିଁ। ଧର୍ମକୁ ନେଇ ଜଣେ ବ୍ୟକ୍ତିଙ୍କ ବୟାନ ଯୋଗୁଁ ଦେଶର ଆର୍ଥିକ କ୍ଷତି ହେଉଛି।
ଜ୍ଞାନବାପୀ ମସଜିଦ ମାମଲାରେ ନିକଟରେ ନୂପୁର ଶର୍ମା ଏକ ବିତର୍କରେ ଅଂଶଗ୍ରହଣ କରିଥିଲେ। ଜୁବୈର ନାକ ଜଣେ ବ୍ୟକ୍ତି ଏହାର ଏକ ୮୬ ସେକେଣ୍ଡର ଭିଡିଓ ଟ୍ବିଟ୍ କରିଥିଲେ, ଯେଉଁଥିରେ ରସୁଲ ମହମ୍ମଦଙ୍କ ବିବାହକୁ ନେଇ ଶର୍ମା ବିବାଦୀୟ ମନ୍ତବ୍ୟ ଦେଇଥିବା ଶୁଣିବାକୁ ମିଳିଥିଲା। ଏହି ବୟାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ବିଜେପିକୁ ବିରୋଧୀମାନଙ୍କ ସହିତ ମୁସଲମାନ ରାଷ୍ଟ୍ରଗୁଡ଼ିକ ଟାର୍ଗେଟ କରୁଛନ୍ତି। ନୂପୁରଙ୍କ ବୟାନ କାରଣରୁ ଭାରତ ସରକାର ସମାଲୋଚନାର ଶିକାର ହେଉଛନ୍ତି। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ନିନ୍ଦା ଓ ଅପବାଦ ସହିବାକୁ ପଡୁଛି। ତେବେ କୌଣସି ଧର୍ମ ଉପରେ ଯେତେବେଳେ ଜଣେ ନେତା କହୁଛନ୍ତି, ଆଘାତ ନଲାଗିଲା ଭଳି ବିବାଦ ହେବା ଦରକାର। କାରଣ ସମସ୍ତଙ୍କ ପାଇଁ ନିଜ ଧର୍ମ ବଡ଼। ତେଣୁ କାହାରିକୁ ଅପମାନ ହେଲା ଭଳି କୁହାଯିବା ନିଶ୍ଚିତ ଭାବେ ଠିକ୍ ନୁହେଁ।
ସୁରକ୍ଷା ଯୋଗାଇଲା ଦିଲ୍ଲୀ ପୋଲିସ
ଏହାରି ଭିତରେ ନୂପୁର ଶର୍ମା ଦଳରୁ ନିଲମ୍ବିତ ଓ ଦିଲ୍ଲୀ ପ୍ରଦେଶ ବିଜେପି ମିଡିଆସେଲ ମୁଖ୍ୟ ନବୀନ ଜିନ୍ଦଲଙ୍କୁ ବହିଷ୍କାର କରାଯାଇଛି। କିନ୍ତୁ ମାମଲା ଥଣ୍ଡା ପଡିବା ବଦଳରେ ତେଜିବାରେ ଲାଗିଛି । ନିଲମ୍ବିତ ହେବା ପରେ ନୂପୁର ଶର୍ମା ଶୁକ୍ରବାର ଅଭିଯୋଗ ଆଣିଥିଲେ ଯେ, ତାଙ୍କ ଦ୍ବାରା ଭିଡିଓ ଟ୍ବିଟ୍ କରାଯିବା ପରେ ତାଙ୍କୁ ହତ୍ୟା ଓ ଦୁଷ୍କର୍ମ ଧମକ ମିଳୁଛି। ଶର୍ମା ଦାବି କରିଥିଲେ ଯେ, ୱେବ୍ସାଇଟ୍ ଅଲ୍ଟ ନ୍ୟୁଜ୍ର ସହପ୍ରତିଷ୍ଠାତା ମହମ୍ମଦ ଜୁବୈର ଏକ ବିତର୍କରେ ତାଙ୍କ କଥାର ଭିଡିଓକୁ ବ୍ୟାପକ ଭାବେ ଏଡିଟ୍ କରି ଟ୍ବିଟରରେ ପୋଷ୍ଟ କରିଥିଲେ। ତାଙ୍କର ବା ତାଙ୍କ ପରିବାରର ଯଦି କିଛି ହୁଏ ସେଥିପାଇଁ ଜୁବୈର ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ। ସେ ସୁରକ୍ଷା ମାଗିବା ପରେ ଦିଲ୍ଲୀ ପୋଲିସ ନୂପୁରଙ୍କୁ ଏବଂ ତାଙ୍କ ପରିବାର ସୁରକ୍ଷା ଯୋଗାଇଛି। ଏନେଇ ଅଭିଯୋଗ ପରେ ପୋଲିସ ମକଦ୍ଦମା ରୁଜୁ କରିଛି ।
ନୂପୁର ଶର୍ମାଙ୍କୁ ମୁମ୍ବାଇରୁ ସମନ
ଅନ୍ୟପଟରେ ଏହି ମାମଲାରେ ନୁପୁର ଶର୍ମାଙ୍କୁ ମୁମ୍ବାଇ ପୋଲିସ ସମନ କରିଛି। ବିବାଦୀୟ ଟିପ୍ପଣୀ ପ୍ରସଙ୍ଗରେ ଆସନ୍ତା ୨୨ ତାରିଖରେ ହାଜର ହେବାକୁ କହିଛି ମୁମ୍ବାଇ ପୋଲିସ । ଟିଭି ବିତର୍କରେ ଭାଗ ନେଇ ମୁମଲମାନ ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନୁପୁର ଶର୍ମାଙ୍କ ବିରୋଧରେ ଗତ ମେ’୨୮ ତାରିଖରେ ଥାନାରେ ମାମଲା ହୋଇଥିଲା । ତାଙ୍କ ବିରୋଧରେ ଆଇପିସିର ଧାରା ୨୯୫-ଏ ଅର୍ଥାତ ଜାଣିଶୁଣି ଅନ୍ୟର ଧର୍ମକୁ କିମ୍ବା ଧର୍ମୀୟ ଭାବନାକୁ କ୍ଷତି ପହଂଚାଇବା, ୧୫୩-ଏ ଅର୍ଥାତ ଗୋଷ୍ଠୀ-ଗୋଷ୍ଠୀ ମଧ୍ୟରେ ବିଭେଦ ସୃଷ୍ଟି ଏବଂ ୫୦୫- ଉପଧାରା ଦୁଇ ଅର୍ଥାତ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବୟାନ ଦେବା ଭଳି ମାମଲା ସବୁ ରୁଜୁ ହୋଇଛି ।
ଗଲ୍ଫ ଦେଶରୁ ଭାରତକୁ ବିରୋଧ
ନୂପୁର ଶର୍ମାଙ୍କ ବୟାନ ଓ ତାଙ୍କୁ ସମର୍ଥନ କରି ବିଜେପି ନେତା ନବୀନ କୁମାର ଜିନ୍ଦଲଙ୍କ ଟ୍ୱିଟ୍କୁ ନେଇ କୁଟନୈତିକ ସ୍ତରରେ ଭାରତକୁ ପ୍ରବଳ ବିରୋଧ ହେଉଛି । ଗଲ୍ଫ ଦେଶ କାତାର, କ୍ୱେତ୍, ବାହାରିନ, ଇରାନ, ଜୋର୍ଡାନ, ମାଳଦୀପ, ଇଜିପ୍ଟ ଏବଂ ଓମାନ କଡା ଟିପ୍ପଣୀ କରିଛନ୍ତି । ବିଶ୍ୱରେ ମୁସଲିମ ସମ୍ପ୍ରଦାୟର ନେତୃତ୍ୱ ନେଉଥିବା ଇସଲାମିକ୍ କୋ-ଅପରେସନ୍ ସଂଘ ତଥା ଓଆଇସି ବିଜେପିର ଦୁଇ ନେତାଙ୍କ ବୟାନକୁ ତିବ୍ର ବିରୋଧ କରିଛି । ବିଭିନ୍ନ ଗଲଫ ଓ ମୁସଲିମ ବହୁଳ ଦେଶ ଏଭଳି ଆପତିଜନକ ବୟାନ ବିରୋଧରେ ଭାରତ ସରକାରଙ୍କଠୁ କ୍ଷମା ପ୍ରାର୍ଥନା ଦାବି କରୁଛନ୍ତି। ନୂପୁରଙ୍କ ବୟାନକୁ ନେଇ ମିଳିତ ଜାତିସଂଘର ମାନାବାଧିକାର ସଂଗଠନକୁ ଓଆଇସି ଅଭିଯୋଗ କରିଛି ।