Saturday, November 2, 2024
Homeବିବାଦ ଭିତରେ ନୂତନ ସଂସଦ ଭବନ ଲୋକାର୍ପିତ
Array

ବିବାଦ ଭିତରେ ନୂତନ ସଂସଦ ଭବନ ଲୋକାର୍ପିତ

ଭୁବନେଶ୍ୱର: ହୋମ ଓ ମନ୍ତ୍ରୋଚାର ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (୨୦୨୩ ମେ’ ୨୮) ଦେଶର ନୂତନ ସଂସଦ ଭବନକୁ ଲୋକାର୍ପଣ କରିଛନ୍ତି । ପୂଜାର୍ଚ୍ଚନା ପରେ ତାମିଲନାଡୁର ମଠରୁ ଆସିଥିବା ଅଧୀନମଙ୍କ ଠାରୁ ପ୍ରଧାନମନ୍ତ୍ରୀ ମୋଦୀ ସେଙ୍ଗୋଲ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ସଷ୍ଟାଙ୍ଗ ପ୍ରଣାମ କରିବା ପରେ ସଂସଦର ଲୋକସଭା ବାଚସ୍ପତିଙ୍କ ଚୌକୀ ପାଶ୍ୱର୍ରେ ଏହାକୁ ସ୍ଥାପିତ କରିଛନ୍ତି । ଏହି ଅବସରରେ ଲୋକସଭା ବାଚସ୍ପତି ଓମ୍ ପ୍ରକାଣ ବିର୍ଲା ଉପସ୍ଥିତ ଥିଲେ । ନୂତନ ସଂସଦ ଭବନକୁ ନିର୍ମାଣ କରିବା ପାଇଁ ମାତ୍ର ଅଢ଼େଇ ବର୍ଷ ସମୟ ଲାଗିଛି । କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ଦେଶରେ ଶହଶହ ପ୍ରକଳ୍ପ ନିର୍ମାଣ ସରିବାକୁ ଦଶନ୍ଧି ଧରି ସମୟ ଲାଗୁଛି ।

ସେଙ୍ଗୋଲ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରମିକମାନଙ୍କୁ ସମ୍ମାନିତ କରିଛନ୍ତି, ଯେଉଁମାନେ କି ଦୀର୍ଘ ଅଢ଼େଇ ବର୍ଷ ହେବ ନିର୍ମାଣ କାମରେ ନିଯୋଜିତ ଥିଲେ । ଏହା ପରେ ସର୍ବଧର୍ମ ସଭା ଅନୁଷ୍ଠିତ ହୋଇଥିଲା । ପ୍ରର୍ଥନା ସଭାରେ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ସାଢ଼େ ୭ଟାରେ ସଂସଦ ଭବନ ପହଞ୍ଚିଥିଲେ । ପ୍ରଥମେ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ହୋମ-ପୂଜାରେ ସାମିଲ ହୋଇ ସେଙ୍ଗୋଲ ପ୍ରତିଷ୍ଠା କରିଥିଲେ । ନୂତନ ସଂସଦ ଭବନ ଲୋକାର୍ପଣ ପରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, ଆଜିର ଦିନ ଆମ ସମସ୍ତ ଦେଶବାସୀଙ୍କ ପାଇଁ ଅବିସ୍ମରଣୀୟ ଦିବସ ।

ସଂକ୍ଷେପରେ ସଂସଦ ଭବନ

ନୂଆଦିଲ୍ଲୀରେ ନିର୍ମିତ ନୂତନ ସଂସଦ ଭବନ ୨୦୨୦ ଡିସେମ୍ବର ୧୦ ତାରିଖରେ ଶିଳାନ୍ୟାସ ହୋଇଥିଲା । ଏହି ଅତ୍ୟାଧୁନିକ ଭବନର ନିର୍ମାଣରେ ୮୬୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାର ଉଚ୍ଚତା ୩୯.୬ ମିଟର । ନୂତନ ସଂସଦ ଭବନରେ ବର୍ତ୍ତମାନ ତୁଳନାରେ ଅଧିକ ଆସନ ରହିଛି । ଏବେ ଲୋକସଭାରେ ୫୯୦ ଜଣ ବସିବା ଭଳି ବ୍ୟବସ୍ଥା ରହିଛି । ନୂଆ ଲୋକସଭା ଭବନରେ ୮୮୮ ଜଣ ବସିପାରିବେ । ଭିଜିଟର୍ସ ଗ୍ୟାଲେରିରେ ୩୩୬ ଜଣରୁ ଅଧିକ ଲୋକ ବସିବା ପାଇଁ ବ୍ୟବସ୍ଥା ରହିଛି । ସେହିଭଳି ରାଜ୍ୟସଭାରେ ଏବେ ୨୮୦ ଜଣ ବସିବା ପାଇଁ ସୁବିଧା ଥିବା ବେଳେ ନୂତନ ରାଜ୍ୟସଭା ଭବନରେ ୩୮୪ ଜଣ ବସିପାରିବେ । ସେହିପରି ଭିଜିଟର୍ସ ଗ୍ୟାଲେରିରେ ୩୩୬ ଜଣ ବସିପାରିବେ । ସଂସଦର ପ୍ରତ୍ୟେକ କାମ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟାଳୟ ରହିଛି । ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ହାଇଟେକ ଅଫିସ ସୁବିଧା ରହିଛି । କାଫେ ଓ ଡାଇନିଂ ଏରିଆ ମଧ୍ୟ ହାଇଟେକ୍ ।

ସବୁ ଅଞ୍ଚଳର ସ୍ମୁତି

ନୂତନ ସଂସଦ ଭବନରେ ଦେଶର ସବୁ ଅଞ୍ଚଳର ଝଲକ ଦେଖିବାକୁ ମିଳିବ । ଏହାର ଫ୍ଲୋରିଂ ତ୍ରିପୁରାର ବାଉଁଶ । ମେଟ ମିର୍ଜାପୁରରୁ ଆସିଛି । ନାଲି-ଧଳା ବାଲି ପଥର ରାଜସ୍ଥାନର ସରମଥୁରାରୁ ଆସିଥିବା ବେଳେ ହରିୟାଣାରୁ ବାଲି ଆସିଛି । ସେହିପରି ଭବନର ସାଗୁଆନ କାଠ ମହାରାଷ୍ଟ୍ରର ନାଗପୁରରୁ ଆସିଛି । ଭବନ ପାଇଁ କେସରୀ ରଂଗର ପଥର ଉଦୟପୁର, ନାଲି ଗ୍ରାନାଇଟ ଆଜମେର ନିକଟ ଲାଖା ଏବଂ ଧଳା ଶଙ୍ଖମଲମଲ ପଥର ରାଜସ୍ଥାନର ଅମ୍ବାଜୀରୁ ଆସିଛି । ଫର୍ଣ୍ଣିଚର ମୁମ୍ବାଇରୁ ଆସିଥିଲା ବେଳେ ପଥରର ଜାଲି ରାଜସ୍ଥାନର ରାଜନଗର ଓ ନୋଏଡାରୁ କରାଯାଇଛି । ପ୍ରତୀକ ଚିହ୍ନ ଅଶୋକ ସ୍ତମ୍ଭ ପାଇଁ ସାମଗ୍ରୀ ମହାରାଷ୍ଟ୍ରର ଔରଙ୍ଗାବାଦ ଏବଂ ରାଜସ୍ଥାନର ଜୟପୁରରୁ ଆସିଛି । ଲୋକସଭା ଓ ରାଜ୍ୟସଭାର ଦ୍ୱାର ଏବଂ ସଂସଦ ବାହାରେ ଲାଗିଥିବା ଅଶୋକ ଚକ୍ର ଇନ୍ଦୋରରୁ ଆସିଛି । ପିତ୍ତଳର କାମ ଅହମଦାବାଦରୁ ହୋଇଛି ।

ସଂସଦରେ ରାଜଦଣ୍ଡ ପ୍ରବେଶ

ନୂତନ ସଂସଦ ଭବନ ଲୋକାର୍ପିତ ହେଲା ପରେ ୭୫ ବର୍ଷ ପରେ ରାଜଦଣ୍ଡ (ସେଙ୍ଗୋଲ) ଏଠାରେ ସ୍ଥାପିତ କରାଯାଇଛି । ଇଂରେଜମାନେ ଏହାକୁ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ରାତି ପଣ୍ଡିତ ନେହରୁଙ୍କୁ କ୍ଷମତା ହସ୍ତାନ୍ତର ସ୍ୱରୂପ ଦେଇଥିଲେ । ୧୯୬୦ ପୂର୍ବରୁ ଏହା ଆନନ୍ଦ ଭବନ ଏବଂ ୧୯୭୮ରେ ଆହ୍ଲାବାଦ ସଂଗ୍ରହାଳୟରେ ରଖାଯାଇଥିଲା । ସେଙ୍ଗୋଲର ଓଜନ ୮୦୦ ଗ୍ରାମ ଓ ୫ ଫୁଟ ଉଚ୍ଚତା । ସୁନା ଓ ରୁପାରେ ନିର୍ମିତ ସେଙ୍ଗୋଲକୁ ନେଇ ଇଂରେଜମାନେ ପଚାରିଥିଲେ, କ୍ଷମତା ହସ୍ତାନ୍ତର ଭାବେ କେଉଁ ଜିନିଷ ଦିଆଯିବ । ରାଜଗୋପାଳଚାରୀ ତାମିଲନାଡୁରେ ପ୍ରଚଳିତ ରାଜଦଣ୍ଡର ପ୍ରଥାକୁ ପ୍ରସ୍ତାବ ଦେଇଥିଲେ । ଏହାକୁ ତାମିଲନାଡୁରେ ନିର୍ମାଣ କରାଯାଇଥିଲା । ଏହାକୁ ନିର୍ମାଣ କରିଥିବା ଏଥିରାଜୁଲୁ (୯୬) ଓ ଭୁମ୍ମିଦୀ ସୁଧାକର (୮୮) ଜୀବିତ ଅଛନ୍ତି । ଦେଢ଼ ବର୍ଷ ପୂର୍ବରୁ ଏବାବଦରେ ପ୍ରଧାନମନ୍ତ୍ରୀଙ୍କୁ କୁହାଯାଇଥିଲା । ୩-୪ ମାସ ଖୋଲିଲା ପରେ ଜଣାପଡ଼ିଲା ଯେ, ଏହା ସଂଗ୍ରହାଳୟରେ ରହିଛି । ତାମିଲ ଶବ୍ଦ ସିମ୍ମଇରୁ ଆସିଛି ସେଙ୍ଗୋଲ ।  ଏହାର ଅର୍ଥ ସମୃଦ୍ଧିରେ ପରିପୂର୍ଣ୍ଣ । ଶୀର୍ଷରେ ନନ୍ଦୀର ମୂର୍ତ୍ତି । ତାମିଲନାଡୁରୁ ୨୧ ଜଣ ପୂଜାରୀ ଶନିବାର ଦିଲ୍ଲୀ ଆସି ଏହାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହସ୍ତାନ୍ତର କରିଛନ୍ତି ।

ବିରୋଧୀଙ୍କ ବୟାନ

ନୂତନ ସଂସଦ ଭବନ ଲୋକାର୍ପିତ ହେଲା ପରେ ବିରୋଧୀମାନେ ବୟାନବାଜି ଆରମ୍ଭ କରିଦେଇଛନ୍ତି । କିଛି ବିରୋଧୀ ଦଳ ଲୋକାର୍ପଣ ସମାରୋହକୁ ବହିଷ୍କାର କରିଛନ୍ତି । କିଛି ରାଜନୈତିକ ଦଳ ଏହାକୁ କଳଙ୍ଗ କହିବାକୁ ପଛାଇନାହାନ୍ତି । ରାଷ୍ଟ୍ରୀୟ ଜନତା ଦଳ ଫଟୋ ସେୟାର କରି କହିଛି, ଏହା କ’ଣ? ଜନତା ଦଳ ୟୁନାଇଟେଡ (ଜେଡିୟୁ) କହିଛି ଯେ, ନୂତନ ସଂସଦ ଭବନ ମାଧ୍ୟମରେ ଦେଶର କଳଙ୍କ ଇତିହାସ ଲେଖାଯାଉଛି । ଦଳର ଏମଏଲ୍‌ସି ନୀରଜ କୁମାର କହିଛନ୍ତି, ନୂଆ ସଂସଦର ଉଦଘାଟନ ତାନାଶାହୀ ଏବଂ ଦେଶରେ ମୋଦୀ ଇତିହାସ ଲାଗୁ କରାଯାଉଛି । ନୂତନ ସଂସଦର ଜରିଆରେ ଦେଶରେ କଳଙ୍କର ଇତିହାସ ଲେଖାଯାଉଛି । ଏହା ପୂର୍ବରୁ ସମାଜବାଦୀ ପାର୍ଟି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସେଙ୍ଗୋଲକୁ ନେଇ ପ୍ରଶ୍ପ ଉଠାଇଥିଲେ । ସେ କହିଥିଲେ ଯେ, ସେଙ୍ଗୋଲର ପ୍ରତିଷ୍ଠା ପୂଜାରେ କେବଳ ଦକ୍ଷିଣ ଭାରତୀୟ କଟ୍ଟରପନ୍ଥୀ ବ୍ରାହ୍ମଣ ଗୁରୁଙ୍କୁ ଡାକିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ସମାରୋହକୁ ରାଷ୍ଟ୍ରପତିଙ୍କୁ ନଡାକିବାକୁ ନେଇ କଂଗ୍ରେସ ପ୍ରଶ୍ନ କରିଛି । ବିରୋଧୀ ବିନା ସଂସଦ ଭବନ ଉଦଘାଟନ ହେବା, ସମାରୋହ ସଂପୂର୍ଣ୍ଣ ହୋଇ ନାହିଁ ବୋଲି ଏନ୍‌ସିପି କହିଛି ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments