ଭୁବନେଶ୍ୱର: ଶକ୍ତି, ଶିଳ୍ପ , ଏମ୍ଏସ୍ଏମ୍ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କ ର ମିଶ୍ର ଖାର ବେଳ ଭବନରେ ତାଙ୍କ ଅଧୀନରେ ଥିବା ଏମ୍ଏସ୍ଏମ୍ଇ, ଶିଳ୍ପ ଓ ଶକ୍ତି ବିଭାଗ ପରିଦର୍ଶନ କରିଥିଲେ । ଏହି ଅବସରରେ ବିଭାଗଗୁଡ଼ିକର କାର୍ଯ୍ୟଧାରାକୁ ତର୍ଜମା କରିଥିଲେ । ପ୍ରଥମେ ସେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ପ୍ରକୋଷ୍ଠରେ ବିଭାଗର ସମସ୍ତ କାର୍ଯ୍ୟକ୍ରମ ସଂପର୍କରେ ଅବଗତ ହୋଇଥିଲେ । ରାଜ୍ୟର ଅର୍ଥନୀତି କ୍ଷେତ୍ରରେ ବିଭାଗର ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ବିଭାଗକୁ ଚଳଚଞ୍ଚଳ ରଖିବାକୁ ସମସ୍ତ ଅଧିକାରୀ, କର୍ମଚାରୀ ଦାୟିତ୍ୱବାନ ହେବା ପାଇଁ ପରାମର୍ଶ ଦେଇଥିଲେ ।
ଏଥି ସହିତ ବିଭାଗ ଯେଉଁସବୁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ସେସବୁକୁ ଉପଯୁକ୍ତ ଭାବେ ପ୍ରଚାରପ୍ରସାର କରାଯିବା ଉପରେ ଗୁରୁତା୍ୱ ରୋପ କରିଥିଲେ । ଦ୍ରୁତ ଶିଳ୍ପାୟନ ରାଜ୍ୟର ବିକାଶଧାରାକୁ ଏକ ନୂତନ ପରିଚୟ ପ୍ରଦାନ କରିଛି । ଏହି ବାର୍ତ୍ତା ଲୋକଙ୍କ ପାଖକୁ ଯିବା ଆବଶ୍ୟକତା ରହିଥିବା ସେ କହିଥିଲେ । ପରେ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଏମ୍ଏସ୍ଏମ୍ଇ ବିଭାଗ ଯାଇ ସେଠାରେ ଅନୁରୂପ ଭାବେ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ । ବିଭାଗ ନିଜର ସଫଳତାଗୁଡ଼ିକୁ ଏକତ୍ର କରି ଏକ କଫିଟେବୁଲ ପୁସ୍ତିକା ପ୍ରସ୍ତୁତି ଉପରେ ପ୍ରତିକ୍ରିୟା ଦେଇ ଏ ଧରଣର କାର୍ଯ୍ୟ ସ୍ୱାଗତଯୋଗ୍ୟ ବୋଲି କହିବା ସହ ସେ ବିଭିନ୍ନ ଜିଲ୍ଲାରେ ଏମ୍ଏସ୍ଏମ୍ଇ ବିଭାଗ ତରଫରୁ ଉନ୍ନତ ଧରଣର ପୋଷ୍ଟର ଲଗାଇବା ପାଇଁ କହିଥିଲେ । ତା’ବ୍ୟତୀତ ଗ୍ରାମାଞ୍ଚଳ ସମେତ ବିଭିନ୍ନ ସ୍ଥାନରେ କେତେକ ସଫଳ ଉଦ୍ୟୋଗୀ ରହିଥିବାବେଳେ ସେମାନଙ୍କ କାହାଣୀ ଲୋକଲୋଚନକୁ ଆସିଲେ ତାହା ଅନ୍ୟମାନଙ୍କୁ ପ୍ରେରିତ କରିପାରିବ ବୋଲି କହିଥିଲେ ।

ମନ୍ତ୍ରୀ ଶକ୍ତି ବିଭାଗ ପରିଦର୍ଶନ କରି ସମ୍ମିଳନୀ କକ୍ଷରେ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଭେଟି ବିଭାଗର କାର୍ଯ୍ୟଧାରାକୁ ଅଧିକ ଶାଣିତ କରିବାକୁ କହିଥିଲେ । ଏଥି ସହିତ ବିଭାଗ ଅଧୀନରେ ଥିବା ଅନ୍ୟ ଗ୍ରୀଡ଼୍କୋ, ଓପିଟିସିଏଲ୍, ଓଏଚ୍ପିସି, ଓପିଜିସି ପରି ନିଗମ ମଧ୍ୟରେ ଅଧିକ ସମନ୍ୱୟ ବୃଦ୍ଧି କରିବାର ଆବଶ୍ୟକତା ରହଛି । ବିଦ୍ୟୁତ ଏକ ସରକାରୀ ଦ୍ରବ୍ୟ । ଏହା ସାଧାରଣ ଜନତାଙ୍କ ସେବାରେ ସୁଲଭ ଭାବେ ଉପଲବ୍ଧ କରାଇବା ଦିଗରେ ବିଭାଗ ଯତ୍ନବାନ ହେବା କଥା ବୋଲି ସେ ପରାମର୍ଶ ଦେଇଥିଲେ । ଆମେ ଭିତ୍ତିଭୂମିର ବିକାଶକୁ ପ୍ରାଧାନ୍ୟ ଦେବା ସହ ସର୍ବଦା ଉନ୍ନତ ମାନର ବିଦ୍ୟୁତ ଓ ସ୍ଥିର ବିଦ୍ୟୁତ ସେବା ଯୋଗାଇବାକୁ ଉପଭୋକ୍ତାଙ୍କୁ ପ୍ରତିଶ୍ରୁତିବଦ୍ଧ । ତେଣୁ ସେ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାର ସମୟ ଆସିଛି ବୋଲି ସେ କହିଥିଲେ । ମନ୍ତ୍ରୀଙ୍କ ଆଜିର ଏହି ବିଭାଗ ପରିଦର୍ଶନ କ ର୍ମଚାରୀ ମହଲରେ ଉତ୍ସାହ ସୃଷ୍ଟି କରିଛି ।