ଭୁବନେଶ୍ବର: ଓଡ଼ିଶା ଇତିହାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ମନେ ରହିବେ। ପଣା ସଂକ୍ରାନ୍ତି ଠାରୁ ରାଜ୍ୟ ଅଭିଯାନ ଆରମ୍ଭ କରି ସାଢ଼େ ୩ ମାସ ମଧ୍ୟରେ (୨୦୨୩ ଏପ୍ରିଲ ୧୪ରୁ ଅଗଷ୍ଟ ୩୧) ୩୦ଟି ଜିଲ୍ଲାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ପହଞ୍ଚି ସେଠାରେ ଜନସଭାକୁ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଠାଇଛନ୍ତି କହି ଜିଲ୍ଲାରେ ରାତ୍ରି ରହଣୀ ସହ ମହିଳା ଏସଏଚଜି, ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା, ସାଧାରଣ ଲୋକଙ୍କଠୁ ଅଭିଯୋଗ ପତ୍ର ସଂଗ୍ରହ କରିବା, କଲେଜ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ, ମଠ-ମନ୍ଦିର ଦର୍ଶନ, ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବା ପରେ ସେଗୁଡ଼ିକ ପାଇଁ ଅନୁଦାନ ଘୋଷଣା କରିଛନ୍ତି। ପାଣ୍ଡିଆନଙ୍କ ଗସ୍ତବେଳେ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସ୍ଥାନୀୟ ନେତାମାନେ ଆୟୋଜକ ପାଲଟିଛନ୍ତି। ବିଜେଡି ନେତା-ମନ୍ତ୍ରୀମାନେ ରାତିରେ ଡେରା ପକାଇ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସଭାକୁ ଲୋକ ପଠାଇବାଠୁ ଆରମ୍ଭ କରି ଟିକିନିଖି କଥା ବୁଝିବାରୁ ତାଙ୍କର ୩୦ଟି ଜିଲ୍ଲା ଗସ୍ତ ସଫଳ ହୋଇଛି।
୫-ଟି ସଚିବ ପାଣ୍ଡିଆନ୍ଙ୍କ ପ୍ରଥମ ଦେଢ଼ ମାସର ଗସ୍ତରେ କୌଣସି ଅସୁବିଧା ଦେଖାଯାଉ ନଥିଲା। କିନ୍ତୁ ଗତ ଜୁଲାଇ ୪ ତାରିଖରେ ଶ୍ରୀ ପାଣ୍ଡିଆନ୍ ଯେତେବେଳେ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଥିଲେ, ତାଙ୍କ କାର୍କୁ ବିରୋଧୀ ବିଜେପି କର୍ମୀମାନେ ଅଣ୍ଡାମାଡ଼ କରିଥିଲେ। ତା’ ପର ଦିନ ଅର୍ଥାତ ଜୁଲାଇ ୫ରେ ମଧ୍ୟ ତାଙ୍କୁ ବିଜେପି ଓ କଂଗ୍ରେସ କର୍ମୀ ବିରୋଧ କରିଥିଲେ। ପାଣ୍ଡିଆନ୍ ବୌଦ୍ଧରେ ଥିବା ବେଳେ ସହରର ଅଣ୍ଡା ଦୋକାନଗୁଡ଼ିକରେ ଲୋକେ ଅଣ୍ଡା ଦେଖିବାକୁ ପାଇପାରି ନଥିଲେ। ଏହା ପରେ ପାଣ୍ଡିଆନ୍ଙ୍କୁ ଜଗତସିଂହପୁର, କଟକ, ଗଂଜାମ ଓ ଯାଜପୁରରେ ମଧ୍ୟ ରାଜନୈତିକ ଦଳର ନେତାମାନେ ତୀବ୍ର ବିରୋଧ କରିଥିଲେ। ମାତ୍ର ଶାସକ ବିଜେଡି ନେତାମାନେ ତାଙ୍କୁ ସବୁବେଳେ ସମର୍ଥନ ଦେଇ ଆସିଛନ୍ତି। ପାଣ୍ଡିଆନ ସମ୍ବୋଧିତ କରିଥିବା ସଭାଗୁଡ଼ିକ ଧଳା ସହିତ ସବୁଜ ରଂଗରେ ସଜେଇ ଦିଆଯାଇଛି।
ସତ୍ୟବାଦୀରେ ପାଣ୍ଡିଆନଙ୍କୁ କାଳିମାଡ଼
ବିଜେଡିର ଅନ୍ୟ ସଂଗଠନ ସମେତ ମିଶନ ଶକ୍ତି ଓ ମହିଳା ଏସ୍ଏଚ୍ଜି ଗ୍ରୁପର ସଦସ୍ୟାମାନେ ମଧ୍ୟ ପାଣ୍ଡିଆନଙ୍କ ପ୍ରତି ଭକ୍ତି ଦେଖାଇଛନ୍ତି। ପୁରୀ ଜିଲ୍ଲା ସତ୍ୟବାଦୀରେ ଗତ ୨୦ ତାରିଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଦୁଇଦିନିଆ ପୁରୀ ଜିଲ୍ଲା ଗସ୍ତର ଅନ୍ତିମ ଦିନରେ ୫-ଟି ସଚିବ ସମୀକ୍ଷା ପାଇଁ ସତ୍ୟବାଦୀ ପହଞ୍ଚିଥିବା ବେଳେ କଣାସ ବ୍ଲକ ବଡ଼ାଳ ପଞ୍ଚାୟତ ଅଧୀନ ଭାସ୍କର ସାହୁ ଅତର୍କିତ ଭାବେ କାଳିମାଡ଼ କରିଥିଲେ। ପାଣ୍ଡିଆନଙ୍କ ଶରୀରରୁ ମହିଳା ସ୍ବୟଂସେବକ ସଂଘର ସଦସ୍ୟାମାନେ କାଳି ପୋଛି ଦେଇଥିବା ବେଳେ ବିଜେଡି କର୍ମକର୍ତ୍ତମାନେ ଅଭିଯୁକ୍ତ ଭାସ୍କର ସାହୁଙ୍କୁ ମାଡ଼ ମାରିବା ସହିତ ଉପସ୍ଥିତ ପୁଲିସ ହାତରେ ଜିମା ଦେଇଥିଲେ। ଘଟଣାର ୧୨ ଘଣ୍ଟା ମଧ୍ୟରେ ଭାସ୍କର ସାହୁଙ୍କୁ ପୁଲିସ ଛାଡ଼ି ଦେଇଥିଲା। ଏହି ଘଟଣା ପରେ ରାଜନୈତିକ ଦଳମାନେ ଦୋଷାରୋପ କରିଥିଲେ। ବିଜେଡି କହିଥିଲା ଭାସ୍କର ହେଉଛନ୍ତି ବିଜେପିର କର୍ମକର୍ତ୍ତା। କିନ୍ତୁ ବିଜେପି ପାଲଟା ଅଭିଯୋଗ ଆଣିଥିଲା ଯେ, ‘ପାଣ୍ଡିଆନଙ୍କ ଉପରେ କାଳମାଡ଼ ଘଟଣା ବିଜେଡିର ପ୍ରାୟୋଜିତ ଥିଲା। ପାଣ୍ଡିଆନ୍ଙ୍କୁ ଲୋକପ୍ରିୟ କରିବା ପାଇଁ ବିଜେଡି ଏଭଳି ନାଟକ କରିଥିଲା।’
ଗଜପତିରେ ବିରୋଧ ନାହିଁ
୫ଟି ସଚିବଙ୍କ ରାଜ୍ୟ ଅଭିଯାନ ପ୍ରାରମ୍ଭରୁ ଆଦୌ ବିରୋଧ ହୋଇ ନଥିଲା। ତାଙ୍କ ଗସ୍ତ ଯଦିଓ ଯୋଜନାବଦ୍ଧ ଥିଲା। ତଥାପି ଏବାବଦରେ ବିରୋଧୀ ବିଜେପି ଓ ବିଜେଡି ଜାଣି ନଥିଲେ। ଏହି କାରଣରୁ ଆରମ୍ଭରୁ ବିରୋଧ କରାଯାଇ ନଥିଲା। କିନ୍ତୁ ଜୁଲାଇ ୪ ତାରିଖ ଠାରୁ ଅଗଷ୍ଟ ୩୧ ତାରିଖ ଭିତରେ କେବଳ ଗଜପତିକୁ ବାଦ୍ ଦେଲେ ୫ଟି ସଚିବ ଯେଉଁଠିକୁ ଯାଇଛନ୍ତି, ସେଠାରେ ବିରୋଧୀମାନେ ବିରୋଧ କରିଥିଲେ। ଗଜପତି ଜିଲ୍ଲାରେ ୫ଟି ସଚିବଙ୍କୁ କୌଣସି ବିରୋଧ କରାଯାଇ ନଥିଲା। ଏହାର କାରଣ ହେଲା ସେ ଗଂଜାମ ଗସ୍ତର ପ୍ରଥମ ଦିନରେ ଅଚାନକ
ପାରଳାଖେମୁଣ୍ଡିରେ ପହଞ୍ଚି ଥିଲେ। ଏହି ଗସ୍ତ ବାବଦରେ ଅଳ୍ପ କିଛି ବରିଷ୍ଠ ଅଧିକାରୀ ଜାଣିଥିଲେ। ପାଣ୍ଡିଆନଙ୍କ ରାଜ୍ୟ ଅଭିଯାନ ଯାଜପୁରରେ ଅନ୍ତ ହୋଇଛି। ଗସ୍ତକୁ ଧର୍ମଶାଳାରେ କଳା ବେଲୁନ ଧରି କଂଗ୍ରେସର ବିରୋଧ ପ୍ରଦର୍ଶନ କରିଥିଲା। କଂଗ୍ରେସ କର୍ମୀମାନେ କଳା ବେଲୁନ ସହ ଗୋ ବ୍ୟାକର ସ୍ଲୋଗାନ ଦେଇ ବିରୋଧ ପ୍ରଦର୍ଶନ କରିଥିଲେ। କିନ୍ତୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜଣେ ସଚିବ ପାହ୍ୟା ଅଫିସରଙ୍କ ପାଇଁ ଉଦ୍ଦିଷ୍ଟ ପ୍ରୋଟୋକଲକୁ ଖୋଲା ଉଲ୍ଲଘଂନ କରି ବିଭିନ୍ନ ଜିଲ୍ଲା ଓ ବ୍ଲକ ଗସ୍ତ କରି ସାଧାରଣ ଲୋକଙ୍କୁ ସିଧାସଳଖ ଭେଟୁଥିଲେ ମଧ୍ୟ ରାଜ୍ୟର ପ୍ରମୁଖ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପିର ଉପରଠାଉଣିଆ ବିରୋଧ ଏବଂ ବୁଦ୍ଧିଜୀବୀଙ୍କ ନିରବତା ହିଁ ପରୋକ୍ଷରେ ତାଙ୍କର ରାଜ୍ୟତମାମ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରାଇଥିଲା।
ରାଜନୀତି କରିବେ କି ପାଣ୍ଡିଆନ?
ଓଡ଼ିଶା ସରକାରରେ ଭିକେ ପାଣ୍ଡିଆନ ହେଉଛନ୍ତି ଏଭଳି ବ୍ୟକ୍ତି ଯିଏକି ଦୀର୍ଘ ୧୨ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ପଦରେ ଅଛନ୍ତି। ଅନ୍ୟ ଆଇଏଏସ୍ ଅଧିକାରୀଙ୍କ ଅଳ୍ପ ସମୟ ମଧ୍ୟରେ ବଦଳି ହେଉଥିବା ବେଳେ ପାଣ୍ଡିଆନ୍ଙ୍କ କ୍ଷେତ୍ରରେ ଏହା ବ୍ୟତୀକ୍ରମ ଦେଖାଯାଇଛି। ୨୦୦୦ ବ୍ୟାଚ୍ର ଆଇଏଏସ୍ ଶ୍ରୀ ପାଣ୍ଡିଆନ୍ ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରେ ନିଯୁକ୍ତ ହେବା ପୂର୍ବରୁ ମୟୂରଭଂଜ ଓ ଗଂଜାମରେ ଜିଲ୍ଲାପାଳ ଥିଲେ। ତାଙ୍କର ରାଜ୍ୟ ଅଭିଯାନ କାଳରେ ଅଣ୍ଡାମାଡ଼, କାଳିମାଡ଼, କଳାପତାକା ପ୍ରଦର୍ଶନ ଓ କଳା ବେଲୁନ୍ ପ୍ରଦର୍ଶନ କରାଯାଇଥିଲେ ମଧ୍ୟ ସେ ସାହସିକତାର ସହିତ ଗସ୍ତକୁ ସଫଳ କରିଥିଲେ। ଚର୍ଚ୍ଚା ହେଉଛି ଯେ, ସେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ସରକାରୀ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇପାରନ୍ତି। ତାଙ୍କର ରାଜ୍ୟ ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ରାଜନୀତିରେ ପ୍ରବେଶ କରିବା ବୋଲି ରାଜନୀତି ପଣ୍ଡିତମାନେ ଏବେଠାରୁ ଚର୍ଚ୍ଚା କରୁଛନ୍ତି। ବିରୋଧୀମାନେ ପାଣ୍ଡିଆନଙ୍କ ବିରୋଧରେ ଯେତେ ଯାହା ଉଦ୍ୟମ କଲେ ବି ସେ ନିଜର ଲୟରୁ ପଛଘୁଞ୍ଚା ଦେଇ ନାହାନ୍ତି।