Sunday, May 26, 2024
Homeବିରୋଧୀ ଯାହା ଚାହୁଁଥିଲେ, ପାଣ୍ଡିଆନ୍ ତାହା କଲେ 
Array

ବିରୋଧୀ ଯାହା ଚାହୁଁଥିଲେ, ପାଣ୍ଡିଆନ୍ ତାହା କଲେ 

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପସନ୍ଦଯୋଗ୍ୟ ଭାରତୀୟ ପ୍ରଶାସନିକ ଅଧିକାରୀ ଭିକେ ପାଣ୍ଡିଆନ୍ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି। ତାଙ୍କୁ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଛନ୍ତି। ଶ୍ରୀ ପାଣ୍ଡିଆନ୍ ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇବେ। ଏହ ପଦବି କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଭଳି ଏବଂ ସେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାମ କରିବେ ବୋଲି ରାଜ୍ୟ ସରକାର କହିଛନ୍ତି। ଶ୍ରୀ ପାଣ୍ଡିଆନଙ୍କ ଅବସର ଆବେଦନକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଅନୁମୋଦିତ ହେବା ପରେ ରାଜ୍ୟ ସରକାର ଏହି ନୂଆ ଦାୟିତ୍ବ ଦେଇଛନ୍ତି। ଏଥି ସହିତ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିର ଟିକେଟ ବଣ୍ଟନରେ ପାଣ୍ଡିଆନ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ମଧ୍ୟ ରାଜନୀତିଜ୍ଞମାନେ ପୂର୍ବାନୁମାନ କରୁଛନ୍ତି।

ବିଗତ କିଛି ମାସ ପୂର୍ବରୁ ଶ୍ରୀ ପାଣ୍ଡିଆନ୍ ଜିଲ୍ଲାକୁ ଜିଲ୍ଲା ଗସ୍ତ କରୁଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ଅଭିଯୋଗ ଶୁଣିବାକୁ ଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଠାଇଛନ୍ତି ବୋଲି କହୁଥିଲେ। କିନ୍ତୁ ଅଭିଯୋଗ ଆଳରେ ପ୍ରତି ଜିଲ୍ଲାରେ ହଜାର ହଜାର ଲୋକଙ୍କୁ ସାମିଲ କରାଯାଉଥିଲା। ମିସନ ଶକ୍ତି ମହିଳା ଓ କଲେଜ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସଭାସ୍ଥଳୀକୁ ବସ୍ ଓ ଅନ୍ୟାନ୍ୟ ଯାନବାହନରେ ଅଣାଯାଉଥିଲା। ସଭାସ୍ଥଳକୁ ବିଜେଡିର ମନ୍ତ୍ରୀ ଓ ବିଧାୟକମାନେ ପ୍ରସ୍ତୁତ କରୁଥିଲେ। ଧଳା ଓ ସବୁଜ ରଂଗର କପଡ଼ା ଲଗାଯାଉଥିଲା। ଯଦିଓ ଅଭିଯୋଗ ଗ୍ରହଣ କରିବା ପାଇଁ ସଭା ପରିଚାଳିତ ହେଉଥିଲା, ଛାତ୍ରଛାତ୍ରୀ ଓ ମିସନ ଶକ୍ତି ମା’ମାନଙ୍କର କାମ ସେଠାରେ କିଛି ନଥିଲା। ସରକାରଙ୍କ ଏଭଳି କାର୍ଯ୍ୟକ୍ରମକୁ ନେଇ ବିରୋଧୀମାନେ ବିରୋଧ କରୁଥିଲେ। ବିରୋଧୀମାନେ କହୁଥିଲେ, ରାଜନୀତି ଯଦି କରିବାର ଅଛି ପାଣ୍ଡିଆନ୍ ଚାକିରି ଛାଡ଼ନ୍ତୁ। ବିରୋଧୀଙ୍କ ଅଭିଯୋଗର ମାତ୍ର କେଇ ମାସ ପରେ ଚାକିରିରୁ ପାଣ୍ଡିଆନ ସ୍ବେଚ୍ଛାକୃତ ଅବସର ନେଇଛନ୍ତି।

ପାଣ୍ଡିଆନଙ୍କ କ୍ୟାରିୟର


ଜନ୍ମ: ୧୯୭୪ ମେ’ ୨୯, ତାମିଲନାଡୁ
-୨୦୦୦ ସେପ୍ଟେମ୍ବର ୭ରୁ ୨୦୨୨ ଜୁଲାଇ ୧: ଆଇଏଏସ୍ ତାଲିମ
– ୨୦୦୨ ଅଗଷ୍ଟ ୧ରୁ ୨୦୦୪ ଫେବ୍ରୁଆରି ୨୯: ଧର୍ମଗଡ଼ ଉପଜିଲ୍ଲାପାଳ
-୨୦୦୪ ମାର୍ଚ୍ଚ ୧ରୁ ଜୁନ୍ ୩୦: ଉପମୁଖ୍ୟ ନିର୍ବାଚନ ଅଧିକାରୀ
-୨୦୦୪ ଜୁଲାଇ ୧ରୁ ୨୦୦୫ ଏପ୍ରିଲ ୩୦: ରାଉରକେଲା ଅତିରିକ୍ତ ଜିଲ୍ଲାପାଳ
-୨୦୦୫ ମେ’ ୧ରୁ ୨୦୦୭ ଏପ୍ରିଲ ୮: ମୟୂରଭଂଜ ଜିଲ୍ଲାପାଳ
-୨୦୦୭ ଏପ୍ରିଲ ୯ରୁ ୨୦୦୯ ଜାନୁଆରି ୧: ଗଂଜାମ ଜିଲ୍ଲାପାଳ
-୨୦୧୧ ମେ ମାସରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ
-୨୦୧୯ ମସିହା: ୫-ଟି ସଚିବ

ବିକାଶ ମୁଖ୍ୟ ପ୍ରସଙ୍ଗ: ବିଜେଡି


୨୦୦୦ କ୍ୟାଡର ଆଇଏଏସ୍ ଶ୍ରୀ ପାଣ୍ଡିଆନ୍ଙ୍କ ପ୍ରଶାସନିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ପରେ ନେତାମାନେ ବିରୋଧୀମାନେ୨ ମୁହଁ ଖୋଲିଛନ୍ତି। ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, ବିକାଶ ହେଉଛି ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପ୍ରସଙ୍ଗ। ଜଣେ ଦକ୍ଷ ଅଧିକାରୀ ଭାବେ ପାଣ୍ଡିଆନ ବି ପ୍ରଶାସନରେ ଥିବା ସମୟରେ ଓଡ଼ିଶାର କୋଣ ଅନୁକୋଣରେ ବିକାଶ ପହଞ୍ଚାଇଛନ୍ତି। ଆଗକୁ ଆହୁରି ବିକାଶ ହେବ। ଅତି ବେଗରେ ସେ ବିକାଶ କରୁଥିଲେ ଯାହା ଲୋକଙ୍କ ପାଖରେ ପହଞ୍ଚୁଥିଲା। ମୁଖ୍ୟମନ୍ତ୍ରୀଙ୍କର ତାଙ୍କ ଉପରେ ବିଶ୍ୱାସ ଅଛି ଓ ସେ ବିଶ୍ୱାସର ସହ ତାଙ୍କୁ ଏହି ନୂଆ ଦାୟିତ୍ୱ ଦେଇଛନ୍ତି।

ପାଣ୍ଡିଆନଙ୍କ ଅବସର ପ୍ରହେଳିକା: କଂଗ୍ରେସ
ଭିକେ ପାଣ୍ଡିଆନ୍‌ଙ୍କ ସ୍ବେଚ୍ଛାକୃତ ଅବସର ନେବା ସହିତ ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯିବା ନେଇ ପିସିସି  ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଏହା ଏକ ପ୍ରହେଳିକା। କ୍ଷମତା ହାସଲ ପାଇଁ ପୁଣି ଏକ ଷଡ଼ଯନ୍ତ୍ର। ବିଜେପି – ବିଜେଡି ଏକ। ସେଥିଲାଗି ୩ ଦିନ ଭିତରେ ଇସ୍ତଫାକୁ ଗ୍ରହଣ କଲା କେନ୍ଦ୍ର। ପାଣ୍ଡିଆନଙ୍କ ଉପରେ ବିଜେଡି ଓ ବିଜେପିର ଆଶୀର୍ବାଦ ରହିଛି। ସେ ଆଗାମୀ ଦିନରେ ବିଜେପି– ବିଜେଡିର ପଲଟିକାଲ୍ ଏଜେଣ୍ଟ ଭାବେ କାମ କରିବେ। ୫-ଟି ହେଉଛି ଅନ୍ୟାୟପୂର୍ଣ୍ଣ ବ୍ୟବସ୍ଥା। ବୟସ ଦୃଷ୍ଟିରୁ ନବୀନ ସବୁଆଡ଼େ ଆଦୌ ଯାଇ ପାରୁନାହାନ୍ତି। ନବୀନ ଏବେ ଓଡ଼ିଶାକୁ ପୁଣି ଥରେ ଲିଜ୍ ଦେବାକୁ ବସିଛନ୍ତି। ଦୁଇଟି ପଦବିରେ ପାଣ୍ଡିଆନଙ୍କୁ ବସେଇ ନବୀନ ଓଡ଼ିଶା ପାଇଁ ଆସିଥିବା ୪ହଜାର କୋଟି ଟଙ୍କାକୁ ନିର୍ବାଚନରେ କିଣାବିକା କରିବାକୁ ତାଙ୍କର ଏହା ସୁଚିନ୍ତିତ ଯୋଜନା।

ଯାହା ଓଡ଼ିଶାରେ ଚାଲିଛି, ତାହାକୁ ଆମେ ନିନ୍ଦା କରିଥିଲୁ: ବିଜେପି

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଚାକିରି ସହ ରାଜନୀତିକୁ ଆମେ ବିରୋଧ କରୁଥିଲୁ। ଚାକିରି ଛାଡ଼ି ସମସ୍ତେ ରାଜନୀତି କରିପାରିବେ, ଭାରତର ନାଗରିକ ହିସାବରେ ରାଜନୀତି କରିପାରିବେ, ଏବେ ରାଜନୀତି କରନ୍ତୁ। ପାଣ୍ଡିଆନ୍‌ଙ୍କ ବିଜେଡି ଦାୟିତ୍ୱ ଦେଉ, ସେଥିରେ କୌଣସି ଅସୁବିଧା ନାହିଁ। ବିଜେପି ତାର ନୀତି ଆଦର୍ଶକୁ ନେଇ ନିର୍ବାଚନ ଲଢ଼ିବ। ଆମେ ଜନ ଅସନ୍ତୋଷ ବିରୋଧରେ ନିର୍ବାଚନ ଲଢ଼ିବୁ। ଭାରତବର୍ଷର କୌଣସି ରାଜ୍ୟରେ ଏଭଳି ରାଜନୀତି ହୋଇନଥିଲା, ଯାହା ଓଡ଼ିଶାରେ ଚାଲିଛି, ତାହାକୁ ଆମେ ନିନ୍ଦା କରିଥିଲୁ, ବିରୋଧ କରିଥିଲୁ। ଆମେ ବ୍ୟକ୍ତିକୁ ନୁହେଁ ବ୍ୟବସ୍ଥାକୁ ବିରୋଧ କରିଥିଲୁ। ବିଗତ ଦିନରେ ରାଜ୍ୟରେ ଯାହା ଯାହା ଘଟିଲା ତାହା ଓଡ଼ିଶା କି ଦେଶ ପାଇଁ ଶୁଭଙ୍କର ନୁହେଁ।  

ଭୋଟର ହେବେ ନିର୍ଣ୍ଣାୟକ

ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭିକେ ପାଣ୍ଡିଆନ୍ ଆଇଏଏସ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ଶ୍ରୀ ପାଣ୍ଡିଆନ୍ ଗତ ୨୦ ତାରିଖ ଦିନ ଅବସର ନେଇ ଆବେଦନ କରିଥିଲେ ଏବଂ କେନ୍ଦ୍ର ସରକାର ତାଙ୍କର ଆବେଦନକୁ ମାତ୍ର ତିନି ଦିନ ମଧ୍ୟରେ ଗ୍ରହଣ କରିବା ସହିତ ସ୍ବୀକାର ମଧ୍ୟ କଲେ। ପୁଣି ଦଶହରା ଛୁଟି ସମୟରେ ଏହି କାମ କଲେ। ପାଣ୍ଡିଆନ ଭିଆରଏସ୍ ନେବାର ଚବିଶି ଘଣ୍ଟା ନ’ ପୂରୁଣୁ ଓଡ଼ିଶା ସରକାର ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ସହ ‘ଫାଇଭ-ଟି’ର ଅଧ୍ୟକ୍ଷ ଭାବେ ନିଯୁକ୍ତି କଲେ। ବୁଦ୍ଧିଜୀବୀମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପକୁ ଆଶ୍ଚର୍ଯ୍ୟ କରିଛି। ଏବେ ଚର୍ଚ୍ଚା ହେଉଛି ଯେ, ଏହି ଘଟଣା କ୍ରମ ପାଇଁ ପାଣ୍ଡିଆନଙ୍କ ଅପେକ୍ଷା ମୁଖ୍ୟମନ୍ତ୍ରୀ ନବୀନ ଅଧିକ ଉତ୍ତରଦାୟୀ। କାରଣ ସେ ହିଁ ଏହି କାରବାରର ମାଷ୍ଟରମାଇଣ୍ଡ। ଦୀର୍ଘ ତେଇଶି ବର୍ଷ ରାଜ୍ୟକୁ ଶାସନ କରିବା ପରେ ତାଙ୍କର ଉତ୍ତରାଧିକାରୀ ଭାବେ ଆଉଜଣେ ଅଣଓଡ଼ିଆଙ୍କୁ ବାଛିବା ତାଙ୍କ ଦଳର ନେତା ଓ କର୍ମୀମାନଙ୍କୁ କେତେଦୂର ଗ୍ରହଣୀୟ ହେବ ତାହା ହିଁ ମୁଖ୍ୟ ପ୍ରଶ୍ନ। ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ମତଦାତାଙ୍କ ଉପରେ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରିପାରେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments