ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତିରେ ଯବନିକା ପଡ଼ିଛି। ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଶିବସେନା ତୁଳନାରେ ବିଜେପି ପାଖରେ ଅଧିକ ବିଧାୟକ ଥିଲେ ବି ଦଳର ନେତା ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି। ବରଂ ମେଣ୍ଟ ସରକାରରେ ଛୋଟ ଦଳ (ଶିବସେନା)କୁ ଗୁରୁତ୍ବପୂର୍ଣ୍ଣ ପଦବି ହସ୍ତାନ୍ତର କରିଛି। ମହାରାଷ୍ଟ୍ରରେ ବିଜେପିର ବିଧାୟକଙ୍କ ସଂଖ୍ୟା ହେଉଛି ୧୦୬। ବିଦ୍ରୋହୀ ଗୋଷ୍ଠୀରେ ୩୯ ଜଣ ବିଧାୟକ ଅଛନ୍ତି। ନିର୍ଦଳୀୟ ୭ ଓ ଅନ୍ୟ ୧୦ ଜଣ ବିଧାୟକଙ୍କୁ ନେଇ ମହରାଷ୍ଟ୍ରରେ ନୂଆ ସରକାର ଗଠନ ହୋଇଛି, ଯେଉଁଥିରେ ଅଛନ୍ତି ୧୬୨ ଜଣ ବିଧାୟକ। ଏବେ ସରକାରଙ୍କ ବିରୋଧରେ ୧୨୫ ଜଣ ବିଧାୟକ ଅଛନ୍ତି।
ବିଦ୍ରୋହୀ ବିଧାୟକମାନେ ଗୁଜରାଟର ସୁରତ ଯିବା ଦିନଠାରୁ ରାଜନୈତିକ ନାଟକର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ବିଜେପିକୁ ଖଳନାୟକ କହୁଥିଲା ଉଦ୍ଧବ ଠାକରେଙ୍କ ସମୂହରେ ଥିବା ଶିବସେନା। ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଅଭିଯୋଗ ଆଣୁଥିଲା ଯେ, ଶାସନ ଲୋଭରେ ବିଜେପି ଶିବସେନା ବିଧାୟକଙ୍କୁ ବିଦ୍ରୋହ କରିବାକୁ ପ୍ରବର୍ତ୍ତାଇଛି। କିନ୍ତୁ ଏଭଳି ଅଭିଯୋଗକୁ ବିଜେପି ଭୁଲ ପ୍ରମାଣିତ କରିଛି। ଶିବସେନାରୁ ହିଁ ଜଣକୁ ମୁଖ୍ୟମନ୍ତ୍ରୀ କରି ବିଜେପି ନିଜର ମହାନତା ପ୍ରମାଣିତ କରିଛି। ଫଳରେ ବିରୋଧୀମାନଙ୍କର ମୁହଁ ବନ୍ଦ ହୋଇଯାଇଛି।
ଦେବେନ୍ଦ୍ର ଫଡ଼ଣବୀସଙ୍କ ଘୋଷଣା
ବର୍ତ୍ତମାନ ମହାରାଷ୍ଟ୍ରର ସରକାରରେ ବିଜେପିର ସଂଖ୍ୟା ଯେହେତୁ, ଦଳ ଚାହିଁଥିଲେ ମୁଖ୍ୟମନ୍ତ୍ରୀ ପଦ ପାଇପାରିଥାନ୍ତା। କିନ୍ତୁ ଦଳ ଉଦ୍ଧବ ଠାକରେ ଓ ବିରୋଧୀଙ୍କ ମୁହଁ ବନ୍ଦ କରିବା ପାଇଁ ନିଜର ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ କରି ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ଦେଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବୀସ ଆଜି ଏକନାଥ ଶିନ୍ଦେଙ୍କ ସହ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ହସି ହସି ଘୋଷଣା କରିଥିଲେ ଯେ, ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦରକାର ନାହିଁ। ଦେବେନ୍ଦ୍ରଙ୍କ ଘୋଷଣା ପରେ କେବଳ ମହାରାଷ୍ଟ୍ର ନୁହେଁ ବରଂ ପୂରା ଦେଶ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ, ଶିବସେନାକୁ ବଜେପି ବହୁତ ଭଲପାଏ। ତେବେ ବିଜେପିର ରଣନୀତି ଆସନ୍ତା ସାଧାରଣ ନିର୍ବାଚନରେ ଲାଭ ମିଳିବ ବୋଲି ଆଶା କରାଯାଉଛି।
ବିଜେପିକୁ ଧୋକା ଦେଇଥିଲେ ଉଦ୍ଧବ
୨୦୧୯ ନଭେମ୍ବର ମାସର ଘଟଣା। ସେହି ସମୟରେ ଶାସକ ଦଳ ବିଜେପି ଓ ଶିବସେନା ମେଣ୍ଟରେ ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ ହୋଇଥିଲା। ମେଣ୍ଟକୁ ରାଜ୍ୟବାସୀ ଭୋଟ ଦେଇଥିଲେ। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ନିର୍ବାଚନ ଶେଷ ହେବା ପରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦବି ପାଇବା ପାଇଁ ଏନ୍ସିପି ଓ କଂଗ୍ରେସ ସହିତ ମେଣ୍ଟ କରି ସରକାର ଗଢ଼ିଲେ। କାରଣ ଉଦ୍ଧବ ଠାକରେ ଜାଣିଥିଲେ ଯେ, ବିଜେପି ସହିତ ମେଣ୍ଟ ସରକାରରେ ରହିଲେ ମୁଖ୍ୟମନ୍ତ୍ରୀ ପଦ ନ ମିଳି ଉପମୁଖ୍ୟମନ୍ତ୍ରୀରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ତେଣୁ ସେ ବିଜେପିକୁ ଭୁଲି ଯାଇଥିଲେ। ବିଜେପି ଉପାୟ ଶୂନ୍ୟ ହୋଇଯାଇଥିଲା।
୧୦ ଦିନରେ ନାଟକ ଶେଷ
ମହାରାଷ୍ଟ୍ରରେ ଜୁନ୍ ୧୦ରେ ଆରମ୍ଭ ହୋଇଥିବା ରାଜନୈତିକ ନାଟକ ଜୁନ୍ ୩୦ରେ ଶେଷ ହୋଇଛି। ଏହା ପୂର୍ବରୁ ଜୁନ୍ ୨୯ ତାରିଖ ରାତିରେ ସୁପ୍ରିମକୋର୍ଟ ବଡ଼ ଫଇସଲା ଶୁଣାଇଥିଲେ । ସୁପ୍ରିମକୋର୍ଟ କହିଥିଲେ ଯେ, ଜୁନ୍ ୩୦ରେ ମହାରାଷ୍ଟ୍ର ବିଧାନସଭାରେ ଶକ୍ତି ପ୍ରଦର୍ଶନ କରାଯାଉ। ସୁପ୍ରିମକୋର୍ଟଙ୍କ ଏହି ଫଇସଲା ଆସିବା ପରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଇଥିଲେ। ସେ ଫେସ୍ବୁକରେ କହିଥିଲେ ଯେ, ମୋତେ ଫ୍ଲୋର ଟେଷ୍ଟରୁ କୌଣସି ଲାଭ ମିଳିବ ନାହିଁ । ମୁଁ ମୁଖ୍ୟମନ୍ତ୍ରୀ ପଦବି ଛାଡୁଛି । ସେ ବିଧାନପରିଷଦ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ପରେ ସେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ରାଜଭବନରେ ଭେଟି ରାତିରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।