Thursday, January 23, 2025
Homeବିଶୃଙ୍ଖଳିତ ଗାଡ଼ି ଚାଳନା ଘାଟିରେ ଘଟୁଛି ଦୁର୍ଘଟଣା
Array

ବିଶୃଙ୍ଖଳିତ ଗାଡ଼ି ଚାଳନା ଘାଟିରେ ଘଟୁଛି ଦୁର୍ଘଟଣା

ଭୁବନେଶ୍ୱର: ଅନ୍ୟ ମନସ୍କ ଓ ବିଶୃଙ୍ଖଳିତ ଗାଡ଼ି ଚାଳନା ଯୋଗୁଁ ଘାଟି ଅଂଚଳରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଫଳରେ ସାଧାରଣ ଧନଜୀବନକୁ କ୍ଷତି ପହଂଚୁଛି। ଜଣେ ଚାଳକଙ୍କର ଅସ୍ଥିର ତଥା ବିଶୃଙ୍ଖଳିତ ଗାଡ଼ି ଚାଳନା ପାଇଁ ଅନ୍ୟମାନେ ମୃତ୍ୟୁ ଓ ଆହତର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ଥିବା ସୂଚନା ଫଳକକୁ ନଦେଖିବା ଓ ସରକାରଙ୍କ ପରିବହନ ନିୟମକୁ ଅଣଦେଖା କରିବା ଯୋଗୁଁ ରାଜ୍ୟରେ ଥିବା ଘାଟି ଗୁଡ଼ିକରେ ବଡ଼ବଡ଼ ଦୁର୍ଘଟଣା ଘଟୁଛି।

ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଦ୍ୱାରଶୁଣି ଘାଟି ଏବଂ କନ୍ଧମାଳ ଓ ଗଂଜାମ ଜିଲ୍ଲା ସୀମାରେ ଥିବା କଳିଙ୍ଗା ଘାଟିରେ ପ୍ରତିବର୍ଷ ଏକାଧିକ ଦୁର୍ଘଟଣା ଘଟୁଛି। କେବଳ ଏହି ୨ଟି ନୁହେଁ, ବରଂ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ସୀମାରେ ଥିବା ବଡ଼ରମା ଘାଟି ମଧ୍ୟ ଅନେକ ଚାଳକ ଏବଂ ବାଟୋଇଙ୍କର ଜୀବନ ନେଇଛି। ରାସ୍ତା ନିର୍ମାଣରେ ତ୍ରୁଟି ହେଉ ଅଥବା ଚାଳକଙ୍କର ଅବହେଳା ହେଉ ଦୁର୍ଘଟଣା ଘଟିବା ହେଉଛି ସତ। କିନ୍ତୁ ସତର୍କତା ଅବଳମ୍ବନ କରାଗଲେ ଅନେକ ଅଘଟଣରୁ ବର୍ତ୍ତି ଯାଇହେବ।

ଦ୍ୱାରଶୁଣିରେ ୧୦୦ ଫୁଟକୁ ଖସିଲା ଟ୍ରକ୍‌

ମୟୁରଭଞ୍ଜ ଜିଲ୍ଲାର ଦ୍ୱାରଶୁଣି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗତ ସପ୍ତାହରେ ଏଠାରେ ଏକ ଆଇରନ୍‌ ବୋଝେଇ ଦ୍ରୁତଗାମୀ ଟ୍ରକ୍‌ ଦ୍ୱାରା କିଛି ଗାଡ଼ି (ବୋଲେରୋ, ବାଇକ୍‌, ଅଟୋ ଆଦି) ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ୧୫ ଜଣ ଗୁରୁତର ହୋଇଥିଲେ। ଏହି ଘଟଣା ମନରୁ ଲିଭି ନଥିବା ବେଳେ ଚଳିତ ମାସ ୧୧ ତାରିଖରେ ପୁଣି ଦୁର୍ଘଟଣା ଘଟିଛି। ଏକ ପିଆଜ ବୋଝେଇ ଟ୍ରକ ଘାଟି ତଳକୁ ଖସିପଡ଼ିବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମ୍ୟତ୍ୟୁ ହୋଇଛି। ଅନ୍ୟ ଜଣେ ଲୋକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ଟ୍ରକ୍‌ଟି ପ୍ରାୟ ୧୦୦ ଫୁଟ ତଳକୁ ଖସିପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ କରିଥିଲା।  

ଜିନିଷ-ପତ୍ରର ଲୁଟ୍‌

ଘାଟିରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି। ଚାଳକମାନଙ୍କର ସାମାନ୍ୟ ଅବହେଳା ଯୋଗୁଁ ଲୋକଙ୍କର ଧନଜୀବନକୁ କ୍ଷତି ପହଞ୍ଚାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ତେବେ ଆଉ କଥା ହେଲା ଯେ, ଘାଟିରେ ଯେତେବେଳେ ଦୁର୍ଘଟଣା ଘଟୁଛି, ସେହି ସମୟରେ କିଛି ଲୋକଙ୍କର ପୌଷ ମାସ ଭଳି ଖୁସିର ସମୟ ଆସି ଯାଉଛି। କାରଣ ସାମଗ୍ରୀ ବୋଝେଇ ଯାନବାହାନ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଜିନିଷ ପତ୍ର ଲୁଟି ନେଉଛନ୍ତି। ଅଗଷ୍ଟ ୧୧ ତାରିଖ ଦିନ ପିଆଜ ବୋଝେଇ ଟ୍ରକ ଯେତେବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଲୋକେ ପିଆଜ ବୋହି ବସିଥିଲେ।

ଦୁର୍ଘଟଣାର କାରଣ କ’ଣ ହୋଇପାରେ

ଘାଟି ରାସ୍ତାଗୁଡ଼ିକ ଆବଶ୍ୟତା ଅନୁସାରେ ପ୍ରସସ୍ତ ନହୋଇ ସଂକୀର୍ଣ୍ଣ ହୋଇଥାଏ। କିଛି ସ୍ଥାନରେ ନିର୍ମାଣ ପାଇଁ ଅସହଜ ହୋଇଥିବା ବେଳେ ଏଥି ପାଇଁ ଅଧିକ ବଜେଟର ମଧ୍ୟ ଆବଶ୍ୟକତା ରହିଥାଏ। ପୁଣି ପାହାଡ଼ ଓ ବଣ ଜଙ୍ଗଲ ମଧ୍ୟରେ ରାସ୍ତା ତିଆରି କରାଯିବା ମଧ୍ୟ ସହଜ ହୋଇ ନଥାଏ। ହଠାତ୍‌ ଉଠାଣି ଓ ଗଡ଼ାଣି ଯୋଗୁଁ ଚାଳକଙ୍କୁ ଭାରସାମ୍ୟ ରକ୍ଷା କରିବା ସହଜ ହୋଇ ନଥାଏ। ଘାଟି ରାସ୍ତାରେ ନୂଆ ଗାଡ଼ି ଚାଳକମାନଙ୍କୁ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments