ଭୁବନେଶ୍ବର: ୨୦୨୪ ନିର୍ବାଚନ ବର୍ଷ। କେବଳ ଭାରତରେ ନୁହେଁ। ଚଳିତ ବର୍ଷ ବିଶ୍ବର ୭୦ରୁ ଅଧିକ ଦେଶରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ୪୦୦ କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିବେ। ଏସିଆ ଠାରୁ ଆରମ୍ଭ କରି ୟୁରୋପୀୟ ମହାଦ୍ବୀପ ନିର୍ବାଚନକୁ ନେଇ ଅଧିକ ସକ୍ରିୟ ଦେଖାଯାଇଛନ୍ତି। ୨୭ ଦେଶକୁ ନେଇ ଗଠିତ ୟୁରୋପୀୟ ସଂଘରେ ମଧ୍ୟ ନିର୍ବାଚନ ହେବ। ଏହି ନିର୍ବାଚନରେ ବିଶ୍ବରେ କେତେ ପରିବର୍ତ୍ତନ ଆସିବ? କେଉଁ ପ୍ରକାରର ସମୀକରଣ ହେବ? ଏହା ଆଗାମୀ ଦିନର ସମୟ କହିବ। କିନ୍ତୁ ପୂର୍ବ ଘଟଣାକ୍ରମକୁ ଦେଖିଲେ, ବିଗତ ଦିନର ଚିତ୍ର ମଧ୍ୟ ଦେଖିବାକୁ ମିଳିପାରେ।
୨୦୨୨ରୁ ଆରମ୍ଭ କରିବା। ଏହି ବର୍ଷ ରୁଷିଆ ଓ ୟୁକ୍ରେନ୍ ଯୁଦ୍ଧ ହିଁ ବିପର୍ଯ୍ୟୟକୁ ଆମନ୍ତ୍ରଣ କରିଥିଲା। ଏହି ଯୁଦ୍ଧ ଗ୍ଲୋବାଲ ସମୀକରଣକୁ ବଦଳାଇ ଦେଇଥିଲା। ୨୦୨୩ରେ ଏହି ପରିବର୍ତ୍ତନ ଆହୁରି ଦ୍ରୁତଗତି ଦେଇଥିଲା। ତାଇୱାନ ଯୋଗୁଁ ଆମେରିକା ଓ ଚୀନ୍ ମଧ୍ୟରେ ତିକ୍ତତା ଦେଖାଯାଇଥିଲା। ସେହିପରି ଇସ୍ରାଏଲ ଓ ହମାସ ଲଢ଼େଇ ବିଶ୍ବରେ ଆତଙ୍କ ଖେଳାଇ ଦେଇଛି। ଏହି ଭଳି ଭାବରେ ବିଗତ କିଛି ବର୍ଷର ଘଟଣାକ୍ରମକୁ ନେଇ ପୂରା ବିଶ୍ବରେ ଚର୍ଚ୍ଚା ହେଉଛି। ନିର୍ବାଚନୀ ବର୍ଷରେ ନୂଆ ସରକାରଙ୍କ କ’ଣ ଭୂମିକା ରହିବା, ସେହି ସମୟ ଉପରେ ସମସ୍ତଙ୍କର ନଜର ରହିଛି।
ବୃହତ୍ ଗଣତନ୍ତ୍ରରେ ନିର୍ବାଚନ
ଏସିଆ ମହାଦେଶ କଥା ଯଦି କହିବା, ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ ‘ଭାରତ’ ସମେତ ପାକିସ୍ତାନ, ଭୂଟାନ, ତାଇୱାନ, ଇଣ୍ଡୋନେସିଆ ଓ ମାଳଦୀପରେ ମଧ୍ୟ ନିର୍ବାଚନ ହେବ। ବାଂଲାଦେଶରେ ସଂସଦୀୟ ନିର୍ବାଚନ ହୋଇ ସାରିଛି। ୟୁରୋପର ଦଶରୁ ଅଧିକ ଦେଶରେ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ଏଥିରେ ପର୍ତ୍ତୁଗାଲରୁ ନେଇ ବେଲାରୁସ, ଫିନଲାଣ୍ଡ, ୟୁକ୍ରେନ ଓ ସ୍ଲୋଭାକିଆ ପର୍ଯ୍ୟନ୍ତ ସାମିଲ ରହିଛି। ଆଫ୍ରିକା ଦେଶରେ ଚଳିତ ବର୍ଷ ଅଧିକ ନିର୍ବାଚନ ହେବ। ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ମରାଫୋସା ପୁଣି ଥରେ କ୍ଷମତାକୁ ଫେରିପାରନ୍ତି। ଚାଡ଼, ଘାନା, କୋମୋରୋସ, ଅଲଜୀରିଆ, ବୋତ୍ସାୱାନା, ମରିଶସ, ମୋଜାମ୍ବିକ, ମରିଟାନିଆ, ରୱାଣ୍ଡା, ସେନେଗଲ, ସୋମଲୀଲାଣ୍ଡ ଓ ଟ୍ୟୁନୀଶିଆରେ ମଧ୍ୟ ଭୋଟ ଗ୍ରହଣ କରାଯିବ। ଏହା ବ୍ୟତୀତ ଆମେରିକା, ବ୍ରିଟେନ, ରୁଷିଆ, ମେକ୍ସିକୋ ଓ ଅଷ୍ଟ୍ରେଲିଆ ଭଳି ବଡ଼ ଅର୍ଥବ୍ୟବସ୍ଥା ଦେଶରେ ନିର୍ବାଚନ ଅନୁଷ୍ଠିତ ହେବ।
ଭାରତରେ ପୁଣି ଏନ୍ଡିଏ ସରକାର!
ବିଶ୍ବର ଅନ୍ୟ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ‘ଭାରତ’ରେ ଆଉ ତିନି ମାସ ପରେ ସାଧାରଣ ନିର୍ବାଚନ ହେବ। ବିଜେପି ନେତୃତ୍ବ ଏନଡିଏ ଓ କଂଗ୍ରେସ ନେତୃତ୍ବ ଇଣ୍ଡିଆ ମେଣ୍ଟ ମଧ୍ୟରେ ନିର୍ବାଚନରେ ମୁକାବିଲା ହେବ। କିନ୍ତୁ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଯାହା ରହିଛି ଏନଡିଏ ପୁଣି ଥରେ ସରକାର ଗଢ଼ିପାରେ। ବିରୋଧୀ ଦଳ ସଠିକ ମୁକାବିଲା କରିପାରୁ ନଥିବାରୁ ଦେଶର ଜନତା ପୁଣି ଥରେ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିପାରନ୍ତି। ଗତମାସ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପିକୁ ବଡ଼ ସଫଳତା ମିଳିଛି। ତେଲେଙ୍ଗାନାରେ ଯଦିଓ କଂଗ୍ରେସକୁ ବଡ଼ ସଫଳତା ମିଳିଛି, ତଥାପି ସେଠାରେ ମଧ୍ୟ ବିଜେପିର ଭୋଟ ପ୍ରତିଶ୍ରତ ବୃଦ୍ଧି ପାଇଛି। ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଯୁବପିଢ଼ି ଆକୃଷ୍ଟ ହୋଇଛନ୍ତି। ବିଗତ ୫ ବର୍ଷ ମଧ୍ୟରେ ତିନି ତଲାକ୍, କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଓ ଅଯୋଧ୍ୟାରେ ରାମମନ୍ଦିର ବିଜେପିର ଭୋଟ୍ ବଢ଼ାଇ ପାରେ।
ଓଡ଼ିଶାରେ ବଢ଼ିପାରେ ବିଜେପି ଭୋଟ୍
ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସରକାର ୨୪ ବର୍ଷ ହେଲା କ୍ଷମତାରେ ରହିଛି। ରାଜ୍ୟର ପ୍ରକୃତ ଶାସନ ନବୀନ ପଟ୍ଟନାୟକଙ୍କ ହାତରେ ନାହିଁ ବୋଲି ବିଜେପି ଓ କଂଗ୍ରେସର ନେତାମାନେ ବାରମ୍ବାର ଅଭିଯୋଗ ଆଣୁଛନ୍ତି। ଆଇଏଏସ୍ ପଦବିରୁ ସ୍ବେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗଦେଇଥିବା ଅଣଓଡ଼ିଆ ଭି କାର୍ତ୍ତିକ ପାଣ୍ଡିଆନଙ୍କ ହାତରେ କ୍ଷମତା ରହୁଥିବାରୁ ସାଧାରଣ ଜନତା ଅତିଷ୍ଠ ହେଉଛନ୍ତି। ବିଜେଡିର କର୍ମୀମାନେ ଯଦିଓ ଶ୍ରୀ ପାଣ୍ଡିଆନଙ୍କୁ ସମର୍ଥନ ଜଣାଉଛନ୍ତି, ଯେଉଁମାନେ ରାଜନୀତି ସହିତ କୌଣସି ସଂପର୍କ ରଖୁନାହାନ୍ତି, ବିଜେଡି ସପକ୍ଷରେ ନାହାନ୍ତି। ତେଣୁ ଆଗାମୀ ନିର୍ବାଚନରେ ବିଜେପିକୁ ପୂର୍ବ ତୁଳନାରେ ଅଧିକ ଆସନରେ ବିଜୟ ମିଳିପାରେ।
ପାକିସ୍ତାନରେ ନୂଆ ସରକାର!
ପଡ଼ୋଶୀ ପାକିସ୍ତାନରେ ଚଳିତ ବର୍ଷ ସାଧାରଣ ନିର୍ବାଚନ ହେବ। କିନ୍ତୁ ନିକଟରେ ଏହି ନିର୍ବାଚନ ପାଇଁ ତାରିଖ ପରିବର୍ତ୍ତନ ହୋଇଛି। କିଛି ଦିନ ପାଇଁ ସମୟ ପରିବର୍ତ୍ତନ କରାଯାଇଥିବା ନେଇ ଏକ ପ୍ରସ୍ତାବ ଆଗତ ହୋଇଛି। ଏହା ପରେ ଫେବ୍ରୁଆରିରେ ନିର୍ବାଚନ ହେବ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଏବେ ସ୍ପଷ୍ଟ ହୋଇଯାଇଛି ଯେ, ଫେବ୍ରୁଆରିରେ ନିର୍ବାଚନ ହେବ ନାହିଁ। କିନ୍ତୁ ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ବାଚନ ସୁନିଶ୍ଚିତ। ପାକିସ୍ତାନର ଆର୍ଥିକ ଓ ରାଜନୈତିକ ଅବସ୍ଥା ଭଲ ନାହିଁ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିର୍ବାଚନ ଲଢ଼ିବା ନେଇ ଅସୁବିଧା ଉପୁଜିଛି। ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲୀଗ ଓ ବିଲାବଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ମଧ୍ୟରେ କ୍ଷମତାର ଲଢ଼େଇ ହୋଇପାରେ।