ଭୁବନେଶ୍ବର: କିଛି ବର୍ଷ ହେଲା ଓଡ଼ିଶା ସରକାର ‘ମିଶନ ବିଶ୍ବସ୍ତରୀୟ ବ୍ୟବସ୍ଥା’ରେ ବ୍ୟସ୍ତ ଅଛନ୍ତି। ଏହା ବାସ୍ତବରେ ନୁହେଁ। ବରଂ ଭାଷଣବାଜୀ ମାଧ୍ୟମରେ। ରାଜ୍ୟର ୧୦ଟି ମେଡିକାଲ କଲେଜ ଏବଂ ହସ୍ପିଟାଲ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ବଡ଼ବଡ଼ କୋଠାଘର ନିର୍ମାଣ କରିଛନ୍ତି। ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟ ଲାଗିଥିବା ନେଇ ଡାଙ୍ଗରା ବଜାଉଛନ୍ତି। ଜନନୀ ସୁରକ୍ଷା ଯୋଜନା ଠାରୁ ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ଲମ୍ବା ତାଲିକା ରହିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବଡ଼ ବାହାଦୁରୀ ମଧ୍ୟ ମାରନ୍ତି। ରାଜ୍ୟରେ ବିଶ୍ବସ୍ତରୀୟ ଚିକିତ୍ସା ବ୍ୟବସ୍ଥା ଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ବଡ଼ ଭାଷଣବାଜୀ କରନ୍ତି। କିନ୍ତୁ ସରକାରଙ୍କ ଯୋଜନା କେତେ ପ୍ରଭାବଶାଳୀ, କର୍ମଚାରୀଙ୍କ ମନୋଭାବ କେମିତି, ତୃଣମୂଳ ସ୍ତରରେ ଲୋକମାନେ ଯୋଜନାରୁ ଉପକୃତ ହେଉଛନ୍ତି କି ନାହିଁ, ସରକାର ବାସ୍ତବରେ ଏହାର ହିସାବ ରଖନ୍ତି ନାହିଁ।
କଟକ ଏସସିବି ଓ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାର ବିକାଶର ସମୀକ୍ଷା କରୁଛନ୍ତି। ଜିଲ୍ଲାସ୍ତରୀୟ ଡାକ୍ତରଖାନାର ପରିଚାଳନା କେମିତି ହେଉଛି, ତାହାର ଦେଖାରେଖା ହେଉନାହିଁ। ଭିତ୍ତିଭୂମିର ସୁବିନିଯୋଗ ଠିକ୍ ଭାବେ ପରିଚାଳନା ହେଉଛି କି ନାହିଁ ସେନେଇ ତଦାରଖ କରାଯାଉନାହିଁ। ଦାୟିତ୍ବରେ ଥିବା କର୍ମଚାରୀମାନେ ରୋଗୀଙ୍କ ସହିତ ସୁବ୍ୟବହାର କରୁଛନ୍ତି କି ନାହିଁ, ତାହାର ଫଲୋଅପ ନିଆଯାଉ ନାହିଁ। କଳାହାଣ୍ଡି ହେଉ କି ମୟୂରଭଂଜ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥା କେତେ ଉନ୍ନତ ହୋଇପାରିଛି, ସେଠାରେ ସମୀକ୍ଷା ହୋଇ ନଥାଏ। ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରେ ଲୋକେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥାରୁ କେତେ ଉପକୃତ ହେଉଛନ୍ତି, ସେନେଇ ତର୍ଜମା କରାଯାଇ ନଥାଏ।
ଦାନ ମାଝୀଙ୍କୁ ଭୁଲାଯାଇପାରିବନି
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମେଲଘରା ଗାଁର ଦାନ ମାଝୀ ଅର୍ଥାଭାବ ଯୋଗୁଁ ସ୍ତ୍ରୀର ମୃତଦେହକୁ ୧୦କିମି କାନ୍ଧେଇ କାନ୍ଧେଇ ଚାଲିଥିବା ଘଟଣା କେବଳ ଓଡ଼ିଶା ନୁହେଁ, ବରଂ ପୂରା ବିଶ୍ବରେ ଚର୍ଚ୍ଚିତ ଖବର ହୋଇଥିଲା। କିନ୍ତୁ ୨୦୧୬ ଅଗଷ୍ଟ ମସିହାରେ ଘଟିଥିବା ଏହି ଘଟଣାର ପୁନରାବୃତ୍ତି ଯେତେବେଳେ ୨୦୨୩ ମସିହା ଏପ୍ରିଲ ମାସରେ ଦେଖିବାକୁ ମିଳୁଛି, ନିଶ୍ଚିତ ଭାବେ ଆମର ସ୍ବାସ୍ଥ୍ୟ ବ୍ୟବସ୍ଥା ଓ ଦୀର୍ଘ ୨୩ ବର୍ଷ ଧରି ଶାସନ କରିଆସୁଥିବା ସରକାରଙ୍କ ପାରିବା ପଣିଆକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଆମ ପଡୋଶୀ ରାଜ୍ୟଗୁଡ଼ିକରେ ଏଭଳି ଦୟନୀୟ ଅବସ୍ଥା ନାହିଁ। କିନ୍ତୁ ଗୋଟିଏ ରାଜନୈତିକ ଦଳ ଲଗାତାର ୫ ଥର କ୍ଷମତାକୁ ଆସିଥିଲେ ବି ବିକାଶ କ୍ଷେତ୍ରରେ ଆମେ ବହୁ ପଛୁଆ ହେବାକୁ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଉଛି।
୮କିମି ଷ୍ଟ୍ରେଚରରେ ବୋହିଲେ ଶବ
ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦାନ ମାଝୀ ଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା ବେଳେ ଶବ ନେବାକୁ ମହାପ୍ରୟାଣ ଗାଡ଼ି ମିଳି ନପାରିବାରୁ ସଂପର୍କୀୟଙ୍କୁ ଏକ ଷ୍ଟେ୍ଚର ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇନଥିଲା। ଶେଷରେ ଷ୍ଟ୍ରେଚର୍ରେ ଶବକୁ ଧରି ୮ କିମି ଯିବା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ନୀଲଜି ପଞ୍ଚାୟତ ଗଡ଼ରାମାଲ ଗ୍ରାମର ଲମ୍ବୋଦର ସାଙ୍କ ସ୍ତ୍ରୀ ସରସ୍ୱତୀ ସା (୬୯)ଙ୍କୁ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ପରିବାର ଲୋକେ ଶବକୁ ଘରକୁ ନେବାପାଇଁ ମହାପ୍ରୟାଣ ଗାଡ଼ିକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ରାତି ୮ଟାରେ ସରସ୍ବତୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ସାଢ଼େ ୧୨ଟା ପର୍ଯ୍ୟନ୍ତ ଶବ ପଡ଼ି ରହିଥିଲା। ଶେଷରେ ନିରାଶ ହୋଇ ପରିବାର ଲୋକେ ଏକ ଷ୍ଟ୍ରେଚର୍ ଆଣି ୮ କିଲୋମିଟର ଦୂର ନିଜ ଗାଁକୁ ଶବ ନେଇଥିଲେ।
ସବୁଠି ଅବ୍ୟବସ୍ଥା
ଭଦ୍ରକ ଜିଲ୍ଲା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବାସୁଦେବପୁର କଶିଆ ସାମୁଦ୍ରିକ ଥାନା ଅଧୀନ ବିଦେଇପୁର ଗଦେଇବିନ୍ଧା ଗ୍ରାମର ରୋହିତାସ ଜେନାଙ୍କ ଶିଶୁପୁତ୍ର ରୋହନକୁ ବଞ୍ଚାଇବା ପାଇଁ ଗୁଣିଆ ମୃତଦେହକୁ ଲୁଣରେ ପୋତି ମନ୍ତ୍ରତନ୍ତ୍ର କରୁଥିଲେ। ଗୁଣିଆ ଜଣକ ଡାକ୍ତରଖାନା ପରିସରରୁ ଛୁ’ ମାରିଥିବା ବେଳେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ପରିବାରର ଲୋକ ପୁଅ ବଂଚିଯିବ ବୋଲି ମନ ଭିତରେ ଯେଉଁ ଆଶାପୋଷଣ କରିଥିଲେ, ତାହା ପୁଣିଥରେ ଶୋକରେ ପରିଣତ ହୋଇଯାଇଥିଲା। ସେହିପରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଦିନ ଗରମରେ ଆଉଟପାଉଟ ହୋଇଛନ୍ତି ରୋଗୀ ଓ ସମ୍ପର୍କୀୟ। ୫ ମହଲା ବିଶିଷ୍ଟ ମାତୃତ୍ବ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଶତାଧିକ ଫ୍ୟାନ ମାସ ମାସ ଧରି ଅଚଳ ରହିଥିବାରୁ ରୋଗୀ ଓ ସଂପର୍କୀୟ ଯନ୍ତ୍ରଣା ଅନୁଭବ କରିଛନ୍ତି। ଅସହ୍ୟ ତାତିରେ ଜନଜୀବନ ଅସବ୍ୟସ୍ତ ହେଉଥିବା ବେଳେ ଏଭଳି ସମୟରେ ରୋଗୀ ଗରମରେ ସଡି ସୁସ୍ଥ ହେବା ବଦଳରେ ଅସୁସ୍ଥ ହେଉଛନ୍ତି।