Sunday, February 9, 2025
Home‘ବିଶ୍ୱ ମାତୃ ଦିବସ’ର ଆହ୍ଵାନ: ମା’ର ଯତ୍ନ ନିଅନ୍ତୁ ସନ୍ତାନ
Array

‘ବିଶ୍ୱ ମାତୃ ଦିବସ’ର ଆହ୍ଵାନ: ମା’ର ଯତ୍ନ ନିଅନ୍ତୁ ସନ୍ତାନ

ଭୁବନେଶ୍ୱର: ପ୍ରତିବର୍ଷ ମେ’ ମାସର ଦ୍ୱିତୀୟ ରବିବାର ବିଶ୍ୱ ମାତୃ ଦିବସ (ମଦର୍ସ ଡେ’) ପାଳନ କରାଯାଉଛି। ଏଥର ମେ’ ୮ ତାରିଖରେ ଏହି ତିଥି ପଡ଼ିଛି। ପିଲା ଯେତେ ବଡ଼ ହେଉ ପଛେ, ମା’ ପାଇଁ ଶିଶୁ। ମା’ ଓ ସନ୍ତାନର ସଂପର୍କ ଅନ୍ୟ ସଂପର୍କ ତୁଳନାରେ ଭିନ୍ନ। ମା’ଙ୍କ ତ୍ୟାଗ ଓ ପ୍ରେମ ପ୍ରତି ଧନ୍ୟବାଦ କରିବା ପାଇଁ ମଦର୍ସ ଡେ’ ପାଳନ କରାଯାଉଛି। ସବୁ ପିଲା ମଦର୍ସ ଡେ’ରେ ନିଜର ମା’ଙ୍କୁ ଭିନ୍ନ ପ୍ରକାରରେ ଶୁଭେଚ୍ଛା ଜଣାଇଥାନ୍ତି। ମା’ ଏତେ ମହାନ ଯେ, ଲେଖିବା ପାଇଁ ଶବ୍ଦ ମିଳି ନଥାଏ କି ମୁହଁରେ ବର୍ଣ୍ଣନା କରାଯାଇପାରି ନଥାଏ। ଭଲ ଭାବରେ ଚିନ୍ତା କଲେ ପୃଥିବୀକୁ ଜାଣି ହୋଇପାରେ, କିନ୍ତୁ ମା’ର ମମତାକୁ କଳ୍ପନା କରିବା ସହଜ ନୁହେଁ। ମୋଟାମୋଟି ଭାବେ କହିବାକୁ ଗଲେ ମା’ର ଅର୍ଥାତ୍‌ ମହାନ୍‌ କହିଲେ ସବୁଠାରୁ ଭଲ ହେବ। ମା’ର ଆଶୀର୍ବାଦ ପିଲାଙ୍କୁ ଭବିଷ୍ୟତରେ ମହାନ୍‌ ଭାବେ ଗଢ଼ିତୋଳି ଥାଏ।

ପିଲା ଜନ୍ମ ହେବା ପୂର୍ବରୁ ପ୍ରତ୍ୟେକ ମା’ ନିଜର ଶିଶୁର ଯତ୍ନ କରିବା ଆରମ୍ଭ କରିଦେଇଥାନ୍ତି। ପିଲା ଯେତେବେଳେ ଗର୍ଭରେ ସ୍ଥାନ ପାଇଯାଏ, ମା’ମାନେ କିଛି ଖାଦ୍ୟକୁ ପରିତ୍ୟାଗ କରିଦେଇଥାନ୍ତି। କାରଣ କିଛି ଖାଦ୍ୟ ଶିଶୁ ଉପରେ ନକରାତ୍ମକ ପ୍ରଭାବ ପକାଇପାରେ। ନିଜ ପସନ୍ଦର ଖାଦ୍ୟକୁ ପରିତ୍ୟାଗ କରି ଶିଶୁ ପାଇଁ ହିତକର ଖାଦ୍ୟ ଖାଇଥାନ୍ତି। ମା’ ମାନେ ଏଇଥି ପାଇଁ ଏହା କରନ୍ତି ଯେ, ତାଙ୍କର ପିଲା ସୁସ୍ଥ ଓ ବୁଦ୍ଧିମାନ ହେଉ। ପୁଣି ପିଲା ଜନ୍ମ ହେଲା ପରେ ମା’ ନିଜର ଶିଶୁର ଖାଇବା-ପିଇବା ଓ ସ୍ୱାସ୍ଥ୍ୟ ଉପରେ ପୂରା ନଜର ରଖିଥାନ୍ତି। ଏହି କାରଣରୁ ମା’ ନିଜର ଯତ୍ନ ନେଇପାରନ୍ତି ନାହିଁ। ନିଜର ସ୍ୱାସ୍ଥ୍ୟ ଉପରେ ନଜର ରଖି ନପାରିବାରୁ ମା’ ବେଳେ ବେଳେ ଅନେକ ରୋଗରେ ସାମ୍ନା କରିଥାନ୍ତି। ତେଣୁ ପିଲା ଯେତେବେଳେ ବଡ଼ ହେଉଛି, ମା’ର ଯତ୍ନ ନେବା ଉଚିତ୍‌।

ସ୍ୱାସ୍ଥ୍ୟ ପ୍ରତି ଯତ୍ନ

ଘରର ଅତ୍ୟଧିକ କାମ, ଦାୟିତ୍ୱ, ମାନସିକ ଚାପ ଆଦି କାରଣରୁ ମା’ଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ ଏବଂ ରୋଗର ଜନ୍ମ ନେଇଥାଏ। ଏହି ରୋଗରୁ ବର୍ତ୍ତିବାକୁ ହେଲେ ସମୟ ସୁବିଧା ଦେଖି ମା’ଙ୍କ କିଛି ମେଡିକାଲ ପରୀକ୍ଷା କରାଯିବା ଦରକାର ଓ ଡାକ୍ତରଙ୍କୁ ଦେଖାଇବା। ଯଦି ରିପୋର୍ଟରେ କିଛି ଭୁଲ ବାହାରିଥାଏ, ତା’ହେଲେ ଚିକିତ୍ସା ଆରମ୍ଭ କରିଦିଆଯିବା ଉଚିତ୍‌। ସେହିପରି ମା’ଙ୍କ ମେମୋଗ୍ରାମ୍‌, ଥାଏରଏଡ, ଡାଏବେଟିସ, ରକ୍ତଚାପ ଓ ଅନ୍ୟ ମେଡିକାଲ ପରୀକ୍ଷା କରାଇବା ସନ୍ତାନର ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାମ।

ମା’ଙ୍କ ପ୍ରତି ଅବହେଳା କରନ୍ତୁନି

ନିଜ ପରିବାରକୁ ଠିକ୍‌ରେ ରଖିବା ପାଇଁ ମା’ମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ବିଳମ୍ବିତ ରାତି ଯାଏଁ କାମ କରୁଥାନ୍ତି। ପିଲାମାନେ ଖାଇବା ଠାରୁ ଆରମ୍ଭ କରି ଘରର ସମସ୍ତ ଦାୟିତ୍ୱ ସୂଚାରୁ ରୂପେ ପରିଚାଳନା କରିଥାନ୍ତି। ସେ ନିଜେ ଭୁଲି ଯାଆନ୍ତି ଯେ, ଖାଇଛନ୍ତି କି ନାହିଁ। ଅନେକ ସମୟରେ ଭୋକରେ ରହି ନିଜେ ଅସୁସ୍ଥ ହୋଇଯାଆନ୍ତି। କିନ୍ତୁ ଏହା କରିବା ଦ୍ୱାରା ପରେ ଅସୁବିଧାର ସାମ୍ନା କରିବାକୁ ହୋଇଥାଏ। ତେଣୁ ମା’ ଠିକ୍‌ ସମୟରେ ଖାଉଛନ୍ତି କି ନାହିଁ, ସେସବୁ ଉପରେ ପିଲାମାନେ ନଜର ରଖିବା ଦରକାର। ମା’ଙ୍କ ଖାଦ୍ୟରେ ଫାଇବର, ଭିଟାମିନ୍‌ ଯୁକ୍ତ ଖାଦ୍ୟ, ଫଳ, ସବୁଜ-ପରିବା ମଧ୍ୟ ସାମିଲ କରାଯିବା ଦରକାର। ଘରର ଅଧିକ କାମ ମା’ କରୁଥିବାରୁ ତାଙ୍କୁ ମଧ୍ୟ ଭଲ ବିଶ୍ରାମ ଦରକାର ଅଛି।  

ପରିତାପର ବିଷୟ

ମା’ଙ୍କ ପ୍ରତି ସ୍ନେହ ଓ ସମ୍ମାନ ଆଜିର ନୁହେଁ। ବରଂ ଏହା ଆମର ସଂସ୍କୃତି। ମାଙ୍କ ପ୍ରତି ପ୍ରେମ ଓ ସମ୍ମାନ ଆମର ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି। ଟିକିଏ ଅତୀତକୁ ଯଦି ଆମେ ଫେରିଯିବା, ତା’ହେଲେ ପଭୁ ରାମ, କୃଷ୍ଣ ଓ ଗଣେଶ ମା’ଙ୍କୁ ବହୁତ ସମ୍ମାନ କରିଥିଲେ। ସମଗ୍ର ବିଶ୍ୱରେ ‘ବିଶ୍ୱ ମାତୃ ଦିବସ’ ପାଳନ କରାଯାଉଛି। ଶିକ୍ଷିତ ସମାଜ ମା’ଙ୍କୁ ନେଇ ଏହି ଉତ୍ସବ ମନାଉଛି। ହେଲେ ଆଜିର ଏହି ଉଚ୍ଚ ଶିକ୍ଷିତ ବ୍ୟକ୍ତିମାନେ ବୃଦ୍ଧ ମା’-ବାପାଙ୍କୁ ଅଧିକ ଅବହେଳା କରୁଥିବା ଦୃଷ୍ଟିଗୋଚର ହେଉଛି। ବୟସ୍କ ମା’-ବାପାମାନେ ସେମାନଙ୍କର ସନ୍ତାନମାନଙ୍କ ଠାରୁ ଅବହେଳିତ ହେଉଛନ୍ତି। ବୁଢ଼ା-ବୁଢ଼ି ହୋଇଗଲେ ପୁଅମାନେ ନିର୍ଯାତନା ଦେଉଛନ୍ତି। ଅନେକ ସ୍ଥାନରେ ମା’ଙ୍କୁ ପୁଅ ହତ୍ୟା କରୁଛି। ଏହି ଭଳି ସ୍ଥାନରେ ବିଶ୍ୱ ମାତୃ ଦିବସର ମୂଲ୍ୟ କିଛି ରହୁନାହିଁ। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments