Tuesday, September 10, 2024
Homeବିସ୍ଫୋରଣରେ ଉଡ଼ିଗଲା ପୋଲିସ ଷ୍ଟେସନ୍ ଛାତ
Array

ବିସ୍ଫୋରଣରେ ଉଡ଼ିଗଲା ପୋଲିସ ଷ୍ଟେସନ୍ ଛାତ

ଭୁବନେଶ୍ୱର: ଆତଙ୍କବାଦୀଙ୍କ ଆକ୍ରମଣ ହୋଇନାହିଁ କି ଦୁବୃର୍ତ୍ତମାନେ ବୋମାମାଡ଼ କରିନାହାନ୍ତି । ଅଥଚ ବାଣ ବିସ୍ଫୋରଣ ଯୋଗୁଁ ପୁରୀ ଜିଲ୍ଲା ବଳଙ୍ଗା ଥାନାର ଛାତ ଉଡ଼ିଯାଇଛି । ସୋମବାର ବିଳମ୍ବିତ ରାତିରେ ଘଟିଥିବା ଏହି ଅଭାବନୀୟ ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ପୂର୍ବରୁ ଏହି ଘଟଣା ଘଟିଥିବାରୁ ବିରୋଧୀ ଦଳର ନେତାମାନେ ସରକାରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । କେବଳ ନେତା ନୁହେଁ, ବରଂ ରାଜ୍ୟର ସାଧାରଣ ଜନତା ମଧ୍ୟ ପୋଲିସ ବ୍ୟବସ୍ଥାକୁ ଆଙ୍ଗୁଳି ଦେଖାଇଛନ୍ତି । ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ହୋଇଥିବାରୁ କୌଣସି ଜୀବନ ଯାଇନାହିଁ, ଯଦି ଏହା ଦିନ ସମୟରେ ହୋଇଥାନ୍ତା କିଭଳି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବୁଦ୍ଧିଜୀବୀଙ୍କ କହିବା ଅନୁସାରେ ବଳଙ୍ଗା ଥାନାରେ ସୋମବାର ରାତିରେ ହୋଇଥିବା ବିସ୍ଫୋରଣରେ କାନ୍ଥ ଭାଙ୍ଗିରେ ମାଟିରେ ମିଶିଯାଇଛି । ବିସ୍ଫୋରଣ ସମୟରେ ସମଗ୍ର ଅଂଚଳ ଥରି ଉଠିଥିଲା । ଆଇଆଇସି କାର୍ଯ୍ୟାଳୟ ସମେତ ହାଜତ କୋଠରି ମାଟିରେ ମିଶିଗଲା । ଏହି ଘଟଣା ଯଦି ରାତିରେ ନ ଘଟି ଦିନ ସମୟରେ ଘଟିଥାନ୍ତା, ନିଶ୍ଚିତ ଭାବେ ଜୀବନ ପ୍ରତି ବିପଦ ହୋଇଥାନ୍ତା । ଅନେକ ଲୋକଙ୍କର ଜୀବନ ଚାଲି ଯାଇଥାନ୍ତା । ଥାନା ଭିତରେ ବ୍ୟାପକ ପରିମାଣରେ ଥିବା ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷିତ ଭାବରେ କାହିଁକି ରଖାଯାଇ ନଥିଲା ବୋଲି ପ୍ରଶ୍ନ ହେଉଛି । ଥାନାକୁ ବାଣ କେବେ ଆସିଥିଲା? ଏହା କ’ଣ ଗତ ବର୍ଷ ଦୀପାବଳି ସମୟରେ ବେଆଇନ ଭାବରେ ବିକ୍ରୀ କରୁଥିବା ବ୍ୟବସାୟୀଙ୍କ ଠାରୁ ଜବତ ହୋଇଥିଲା କି? ବାଣକୁ କାହିଁକି ନିଷ୍କ୍ରିୟ କରାଯାଇ ନଥିଲା? ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

ପୋଲିସ ମାରିଲା ଢିଲା!

ବଳଙ୍ଗା ଥାନାରେ ହୋଇଥିବା ବିସ୍ଫୋରଣ ସୂଚନା ଦେଉଛି ପୋଲିସ ନିଜର କର୍ତ୍ତବ୍ୟରେ ବ୍ୟାପକ ଢିଲା ମାରିଛି । ବ୍ୟାପକ ପରିମାଣରେ ବିସ୍ଫୋରଣ ସାମଗ୍ରୀ ମହଜୁଦ ରଖାଯାଇଥିବା ବେଳେ ଏଠାରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ସୁରକ୍ଷାକୁ ନେଇ ଆଦୌ ସଚେତନ ନୁହଁନ୍ତି ବୋଲି କହିଲେ କିଛି ଭୁଲ ହେବ ନାହିଁ । କାରଣ ଏହି ଥାନାରେ ଥିବା କର୍ମଚାରୀ ଯଦି ସାମାନ୍ୟ ସତର୍କ ହୋଇଥାନ୍ତେ ସରକାରଙ୍କ ଏତେ ବଡ଼ ସଂପତ୍ତି ନଷ୍ଟ ହୋଇ ନଥାନ୍ତା । ଥାନା ଭାଙ୍ଗିଯିବା ପରେ ସରକାରଙ୍କ ରାଜସ୍ୱ କ୍ଷତି ହେବ, ଯେଉଁ ଟଙ୍କାରେ କିଛି ଅନ୍ୟ ବିକାଶମୂଳକ କାମ କରାଯାଇ ପାରିଥାନ୍ତା । କେବଳ ବଳଙ୍ଗା ଥାନାର ଘଟଣା ନୁହେଁ ପୋଲିସ ଏହା ପୂର୍ବରୁ ମଧ୍ୟ ନିଜର ଦାୟିତ୍ୱହୀତନାର ପରିଚୟ ଦେଇସାରିଛି ।

କ’ଣ କହିଲେ ଅଧିକାରୀ

ବଳଙ୍ଗା ଥାନାରେ ବିସ୍ଫୋରଣ ନେଇ ପୁରୀ ଏସ୍‌ପି କେ. ଇିଶାଲ ସିଂହ କହିଛନ୍ତି, ମାଲଖାନାରେ ଥିବା କିଛି ସଂରକ୍ଷିତ ଜିନିଷ କେଉଁ କାରଣ ଦାୟୀ ତଦନ୍ତ ହେବ । ଥାନା ଅଧିକାରୀ ରଶ୍ମିରଂଜନ ପୃଷ୍ଟିଙ୍କ କହିବା ଅନୁସାରେ ମାଲଖାନାରେ ଥିବା ବ୍ୟାଟେରୀଗୁଡ଼ିକର ସର୍ଟସର୍କିଟ ଯୋଗୁଁ ବିସ୍ଫୋରଣ ହୋଇଥିଲା । କିନ୍ତୁ ଏସ୍‌ଡିପିଏଓ ଏହି ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ।

ବିସ୍ଫୋରଣ ନେଇ ରାଜନୀତି

ପିପିଲି ଉପନିର୍ବାଚନ ପାଇଁ ଏବେ ରାଜନୀତି ଜୋର ଧରିଥିବା ବେଳେ ବଳଙ୍ଗା ଥାନାରେ ବିସ୍ଫୋରଣ ଏହାର ପାରା ଅଧିକ ବଢ଼ାଇ ଦେଇଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ଯେଉଁ ସ୍ଥାନରେ ପୋଲିସ ସୁରକ୍ଷିତ ନୁହଁନ୍ତି, ସେଠାକାର ଜନତା କେତେ ନିରାପଦରେ ଯିବାଆସିବା କରୁଥିବେ । ଥାନାରେ ଯଦି ବାଣ ଥିଲା, ଏହା କେତେ ଦିନ ପର୍ଯ୍ୟନ୍ତ ରଖାଯିବାର ନିୟମ ରହିଛି । ବାଣକୁ କାହିଁକି ନିଷ୍କ୍ରିୟ କରାଗଲା ନାହିଁ । ତେଣୁ ଘଟଣାର ତଦନ୍ତ କରାଯାଇ ଦୋଷୀର ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ନିର୍ବାଚନ ସମୟରେ ଏଭଳି ଅଭାବନୀୟ ଘଟଣା ଘଟିବା ଗଣତନ୍ତ୍ରର ସୁରକ୍ଷା ଉପରେ ପ୍ରଶ୍ନ ଉଠାଉଛି ବୋଲି ଶ୍ରୀ ପାତ୍ର କହିଛନ୍ତି । ଅପରପକ୍ଷେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ କହିବା ଅନୁସାରେ ସମ୍ବିତ ପାତ୍ରଙ୍କ ଯୁକ୍ତି ଅବାନ୍ତର କହିଲେ କିଛି ଭୁଲ ହେବ ନାହିଁ । ଏହା ଯେହେତୁ ଥାନାର ମାମଲା, ତଦନ୍ତ ପାଇଁ ପୋଲିସ ଉପରେ ଛାଡ଼ି ଦିଆଯିବା ଦରକାର ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments