Wednesday, December 4, 2024
Homeବୁଡ଼ିଲା ଡଙ୍ଗା, ଉଜୁଡ଼ିଲା ପରିବାର
Array

ବୁଡ଼ିଲା ଡଙ୍ଗା, ଉଜୁଡ଼ିଲା ପରିବାର

ଭୁବନେଶ୍ୱର: କେରଳର ମଲପ୍ପୁରମର ତାନୁର ଅଞ୍ଚଳରେ ରବିବାର ବିଳମ୍ବିତ ସନ୍ଧ୍ୟାରେ ପାଖାପାଖି ୪୦ ଜଣଙ୍କୁ ନେଇ ଯାଉଥିବା ହାଉସବୋଟ୍ ବୁଡ଼ିଯାଇଛି । ଏହି ଦୁର୍ଘଟଣାରେ କିଛି ଶିଶୁଙ୍କ ସମେତ ପ୍ରାୟ ୨୧ ଜଣଙ୍କର ଅକାଳ ମୃତ୍ୟୁ ଘଟିଥିବା ବେଳେ ଆହୁରି ୧୦ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଡଙ୍ଗା ବୁଡ଼ିବାରୁ ଅନେକଙ୍କ ପରିବାର ଉଜୁଡ଼ି ଯାଇଛି । ଏହାର କାରଣ ଥିଲା ଅନ୍ଧାରରେ ଅସୁରକ୍ଷିତ ଯାତ୍ରା। ଏଥି ସହିତ ଡଙ୍ଗାରେ ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ଥିଲେ। ନିୟମକୁ ବେଖାତିର କରି ଡଙ୍ଗାର ମାଲିକ ଯାତ୍ରୀଙ୍କୁ ବସାଇଥିଲେ ।

ଓଟ୍ଟିପୁରମରେ ବଢ଼ନ୍ତା ନଦୀରେ ଅଘଟଣ ସେହି ସମୟରେ ହୋଇଥିଲା, ଯେତେବେଳେ ଲୋକମାନେ ଆଉ ୩୦୦ ମିଟର ପରେ କୂଳକୁ ପହଞ୍ଚି ଥାଆନ୍ତେ। ପରେ ଅଗ୍ନିଶମବାହିନୀ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । କିଛି ସ୍ୱୟଂସେବକ ଏହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ରବିବାର ରାତି ସାରା ନିଖୋଜ ଲୋକଙ୍କୁ ଖୋଜାଯାଇଥିଲା। ଯେଉଁମାନେ ଉଦ୍ଧାର ହେଲେ, ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ଓ ପୁଲିସ କହିବା ଅନୁସାରେ ରାତି ପ୍ରାୟ ସାଢ଼େ ୭ଟାରେ ଲୋକମାନେ ଡଙ୍ଗାରେ ଯାତ୍ରା କରୁଥିଲେ। ଡଙ୍ଗାରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଥିଲେ।

ଓଡ଼ିଶାରେ ଡଙ୍ଗା ବୁଡ଼ି ମୃତ୍ୟୁ ସର୍ବାଧିକ

କେରଳ ଡଙ୍ଗା ବୁଡ଼ି ଘଟଣା ଜାତୀୟ ଖବର ହୋଇଥିବା ବେଳେ ଓଡ଼ିଶା ମଧ୍ୟ ଏହି କ୍ରମରେ କମ୍ ନୁହେଁ। ପ୍ରତିବର୍ଷ ରାଜ୍ୟରୁ ଡଙ୍ଗାବୁଡ଼ି ଯୋଗୁଁ ଅନେକଙ୍କ ମୃତ୍ୟୁ ହେଉଛି। ରାଜ୍ୟର ଅନେକ ଦୁର୍ଗମ ଅଞ୍ଚଳ ଆଜି ମଧ୍ୟ ଜଳପଥରେ ଯୋଡୁଛି। କିଛି ବର୍ଷ ହେଲା ଚିଲିକାରେ ବାରମ୍ବାର ଡଙ୍ଗା ବୁଡୁଛି। ଗତ ଏପ୍ରିଲ ମାସରେ କୋରାପୁଟ ଜିଲ୍ଲାର କୋଲାବ ଜଳଭଣ୍ଡାରରେ ବୁଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାର ୨୦୦୪ ମସିହାରୁ ଓଡ଼ିଶା ଡଙ୍ଗା ନିୟମ ଆଣିଛନ୍ତି। ହେଲେ ଏହାକୁ କଡ଼ାକଡ଼ି ପାଳନ କରାଯାଉନଥିବାରୁ ପ୍ରତିବର୍ଷ ବହୁ ନିରୀହ ଲୋକଙ୍କର ଜୀବନ ଯାଉଛି। ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋର ରିପୋର୍ଟ ଅନୁଯାୟୀ, ୨୦୨୧ରେ ଓଡ଼ିଶାରେ ୭୯ଜଣଙ୍କର ଡଙ୍ଗାବୁଡ଼ିରେ ମୃତ୍ୟୁ ହୋଇଥିଲା। ଯାହା ଦେଶରେ ସର୍ବାଧିକ। ୨୦୨୦ରେ ୫୮ଜଣଙ୍କର ଡଙ୍ଗାବୁଡ଼ିରେ ମୃତ୍ୟୁ ହୋଇଥିଲା। ଗତ ୧୦ବର୍ଷରେ ୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। କିନ୍ତୁ ରାଜ୍ୟ ସରକାର ୭ବର୍ଷରେ ମାତ୍ର ୪୨ଜଣ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏ ସହାୟତା ଦେଇଛନ୍ତି।  

ଆଜି ବି ଡଙ୍ଗା ଯୋଗାଯୋଗର ମାଧ୍ୟମ

ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ ହୋଇଥିଲେ ବି ସବୁ ଅଞ୍ଚଳକୁ ସ୍ଥଳପଥରେ ଯୋଗାଯୋଗ ହୋଇପାରି ନାହିଁ। ତେଣୁ ଜଳପଥ ଅନ୍ୟତମ ମାଧ୍ୟମ ପାଲଟିଛି। ବିଶେଷ ଭାବେ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ବିହାରରେ ଅନେକ ଲୋକ ଯାତାୟତ ପାଇଁ ଡଙ୍ଗା ଉପରେ ନିର୍ଭର କରିଥାନ୍ତି। ଗତବର୍ଷ ଅକ୍ଟୋବର ୧୫ ତାରିଖରେ ବିହାରର କଟିହାରରେ ଡଙ୍ଗାବୁଡ଼ି ଥିଲା । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ପାସୱାନ ଟୋଲି ନିକଟ ବରାରି ନଦୀରେ ଘଟିଥିବା ଏହି ଦୁର୍ଘଟଣାରୁ କିଛି ଲୋକ ବର୍ତ୍ତି ଯାଇଥିଲେ । ଘଟଣା ଦିନ ଏକ ଭଙ୍ଗାଦଦରା ଡଙ୍ଗାରେ ୧୦ ଜଣ ଯାତ୍ରୀ ବସି ନଦୀ ପାରି ହେଉଥିଲେ ।

ୟେମେନରେ ବୁଡ଼ିଗଲେ ୨୧

ମଧ୍ୟପ୍ରାଚ୍ୟ ରାଷ୍ଟ୍ର ୟେମେନର ଦକ୍ଷିଣ ପୂର୍ବରେ ଥିବା ହଦିଦାହ ସହର ନିକଟ ଲୋହିତ ସାଗରରେ ଗତ ମାର୍ଚ୍ଚ ୬ ତାରିଖରେ ବିବାହ ଶୋଭାଯାତ୍ରା ନେଇ ଯାଉଥିବା ଏକ ଡଙ୍ଗା ବୁଡି ୨୧ଜଣଙ୍କ ମୃତ୍ୟୁ ହୋଇଥିଲା। କମରନ ଦ୍ବୀପରେ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଆଲୁହେୟା ଗ୍ରାମର ୨୭ ଜଣ ଡଙ୍ଗାରେ ବସି ଯାଉଥିଲା ବେଳେ ଏହି ଅଘଟଣ ଘଟିଥିଲା।ଲୋହିତ ସାଗରରେ ଉକ୍ତ ଡଙ୍ଗା ଯାଉଥିବାବେଳେ ହଦିଦାହ ନିକଟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବରପାଇ ସ୍ଥାନୀୟ ତଟରକ୍ଷୀ ବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments