ଭୁବନେଶ୍ବର: ମା’ ହେଉଛି ବିଶ୍ବର ସବୁଠାରୁ ବଡ଼ ସଂପତ୍ତି। ମା’ ଠାରୁ ପୃଥିବୀର ଆଉ କୌଣସି ଜିନିଷ ବଡ଼ ହୋଇପାରିବ ନାହିଁ। ମା’ ସହିତ ଦୁନିଆର କୌଣସି ମୂଲ୍ୟବାନ ଜିନିଷ ମଧ୍ୟ ତୁଳନୀୟ ନୁହେଁ। କିନ୍ତୁ ମା’ ହେବା କେତେ ଯେ କଷ୍ଟ ଯିଏ ଏହି ଦାୟିତ୍ବ ନିଭାଇ ଥିବ, ସେହି ବ୍ୟକ୍ତି ହିଁ ଏହାର ଅର୍ଥ ବୁଝିପାରିବ ଓ ବୁଝାଇପାରିବ। କେବଳ ଏତିକି ନୁହେଁ, ପରିବାର ସୃଷ୍ଟି କରିବା ଠାରୁ ଆରମ୍ଭଠୁ ନେଇ ସମାଜ ତିଆରି ପର୍ଯ୍ୟନ୍ତ ମା’ର ଭୂମିକା ଅସ୍ବୀକାର କରାଯାଇ ପାରିବ ନାହିଁ।
ଜଣେ ମହିଳାଙ୍କ ପାଇଁ ମାତୃତ୍ବ ହେଉଛି ଦୁନିଆର ସବୁଠାରୁ ଶ୍ରେଷ୍ଠ ଅଭିଜ୍ଞତା। ମା’ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଗୌରବମୟ ଅନୁଭୂତି। ମାତ୍ର ଏହା ହେବା ପାଇଁ ମହିଳାଙ୍କୁ କଠିନ ପରିଶ୍ରମ ଓ ଅଜସ୍ର ତ୍ୟାଗକୁ କରିବାକୁ ପଡ଼ିଥାଏ। ଏଥି ପାଇଁ ବାରମ୍ବାର ଗର୍ଭଧାରଣ, ବିଭିନ୍ନ ଶାରୀରିକ ସମସ୍ୟାର କାରଣ ବି ହୋଇପାରେ। ପ୍ରସବ ପରେ ଦାୟିତ୍ବ ଯଥେଷ୍ଟ ଅଧିକ ବଢ଼ି ଯାଉଥିବାରୁ ଅନେକ ମହିଳା ଆଜାକାଲି ଗୋଟାଏ ପିଲାର ମା’ ବନିବାକୁ ପସନ୍ଦ କରୁଛନ୍ତି। ଅତ୍ୟାଧୁନିକ ଚିକିତ୍ସା ବଳରେ ମାତୃତ୍ବ ସମ୍ଭବ ହୋଇପାରୁଥିବାରୁ, ମହିଳାମାନେ ମଧ୍ୟ ଏହାକୁ ସହଜରେ ଗ୍ରହଣ କରୁଛନ୍ତି। ମହିଳାମାନେ ସରୋଗେସି ମାଧ୍ୟମରେ ମତୃତ୍ବ ଲାଭ କରିବାକୁ ଚାହାନ୍ତି। ପ୍ରିୟଙ୍କା ଚୋପ୍ରା, ଶାହାରୁଖ ଖାନ, ଅମୀର ଖାନ, କରଣ ଜୋହାର, ଶିଳ୍ପା ସେଠୀ, ପ୍ରୀତି ଜିଣ୍ଟା ପରି ଅନେକ ବଡ ତାରକାମାନେ ଏହାକୁ ଆପଣାଇଛନ୍ତି।
ସରୋଗେସି କ’ଣ?
ଗର୍ଭକୁ ନିଜ ସ୍ତ୍ରୀ ବ୍ୟତୀତ ଅନ୍ୟ ସ୍ତ୍ରୀର ଗର୍ଭରେ ବହନ କରାଯିବା ପ୍ରକ୍ରିୟାକୁ ସରୋଗେସି କୁହାଯାଏ । ଯେଉଁ ଦମ୍ପତି ପିତାମାତା ହେବାକୁ ଚାହାଁନ୍ତି କିନ୍ତୁ ସନ୍ତାନ ଉତ୍ପାଦନ କରିପାରନ୍ତି ନାହିଁ, ସେମାନେ ହିଁ ଏହି ମାଧ୍ୟମ ଗ୍ରହଣ କରଥାନ୍ତି। ଏହା ପାରମ୍ପାରିକ ଏବଂ ଗର୍ଭଧାରଣ ସରୋଗେସି। ପାରମ୍ପାରିକ ସରୋଗେସିରେ ଦାତା କିମ୍ବା ପିତାଙ୍କ ଶୁକ୍ରାଣୁ ସରୋଗେଟ୍ ମା’ର ଅଣ୍ଡା ସହିତ ମିଶ୍ରିତ ହୋଇଥାଏ । ଏହି ପ୍ରକ୍ରିୟାରେ, ସରୋଗେଟ୍ ମାତା ହେଉଛି ଶିଶୁର ଜୈବିକ ମାତା। ଯାହାର ଗର୍ଭ ଭଡ଼ା ନିଆଯାଇଛି। ଶିଶୁର ଜନ୍ମ ପରେ ଏହାର ସରକାରୀ ପିତାମାତା ହେଉଛନ୍ତି ଦମ୍ପତି ଯେଉଁମାନେ ସରୋଗେସି ପାଇଁ ପସନ୍ଦ କରିଛନ୍ତି। କିନ୍ତୁ ଗର୍ଭଧାରଣ ସରୋଗେସିରେ, ପିତାମାତାଙ୍କ ଶୁକ୍ରାଣୁ ଏବଂ ଅଣ୍ଡା ମିଶ୍ରିତ ହୋଇ ସରୋଗେଟ୍ ମାତୃ ଗର୍ଭରେ ରଖାଯାଏ। ଏହି ପ୍ରକ୍ରିୟାରେ, ସରୋଗେଟ୍ ମାତା କେବଳ ସନ୍ତାନକୁ ଜନ୍ମ ଦିଅନ୍ତି। ସରୋଗେଟ୍ ମାତା ଶିଶୁ ସହିତ ଜେନେଟିକ୍ ସମ୍ବନ୍ଧୀୟ ନୁହଁନ୍ତି। ଶିଶୁର ମାତା ହେଉଛନ୍ତି ସେହି ମହିଳା ଯିଏ ସରୋଗେସି କରନ୍ତି। ତେବେ ଏହି ମାଧ୍ୟମରେ ସନ୍ତାନ ପାଇବା ପାଇଁ ଦଂପତିଙ୍କୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।
ମହାଭାରତର ଗାନ୍ଧାରୀ
ପାଶ୍ଚ୍ୟାତ ଦେଶର ଜଣେ ମହିଳା ୧୦୦ ସନ୍ତାନଙ୍କ ମା’ ହେବାକୁ ଇଚ୍ଛା ରଖିଛନ୍ତି। ୨୬ ବର୍ଷୀୟ ରୁଷୀୟ ମହିଳା ଜଣକ ଖ୍ରୀଷ୍ଟିନା ଓର୍ଜଟୁକ ଏବେ ସୁଦ୍ଧା ୨୨ ପିଲାଙ୍କ ମା’ ହୋଇ ସାରିଥିବା ବେଳେ ତାଙ୍କ ଲକ୍ଷ୍ୟ ୧୦୦ରେ ରହିଛି। ଜଣେ ମହିଳା ୨୨ ଜଣ ପିଲାଙ୍କୁ କିପରି ଜନ୍ମଦେଲେ? ଖ୍ରୀଷ୍ଟିନାଙ୍କ ପ୍ରଥମ ଝିଅ ସ୍ବାଭାବିକ ଭାବେ ଜନ୍ମ ନେଇଥିବା କିନ୍ତୁ ସେ ବାକି ୨୧ ପିଲାଙ୍କୁ ସରୋଗେସି ବା ଭଡ଼ାଗର୍ଭ ସାହାଯ୍ୟରେ ଜନ୍ମ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଜଣ ପିଲା ୨୦୨୦ ମସିହାରେ ଜନ୍ମ ନେଇଛନ୍ତି। ସବା ସାନ ଝିଅ ୨୦୨୧ ମସିହାରେ ଜନ୍ମ ନେଇଛି। ଖ୍ରୀଷ୍ଟିନା ତାଙ୍କର ପ୍ରତ୍ୟେକ ପିଲାଙ୍କୁ ଗଭୀର ଭାବରେ ଭଲପାଆନ୍ତି। ଭାରତୀୟମାନେ ଏହି ଖବର ଜାଣିବା ପରେ କେହି କେହି ତାଙ୍କୁ ମହାଭାରତର ଗାନ୍ଧାରୀ ହେବାକୁ ସେ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି। ଖ୍ରୀଷ୍ଟିନା ୨୦୨୦ ମସିହା ମାର୍ଚ ମାସରୁ ୨୦୨୧ ମସିହା ମଧ୍ୟରେ ସରୋଗେସି ପାଇଁ ପ୍ରାୟ ୧.୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେ ବଡ଼ ପରିବାରକୁ ଭଲପାଉଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି।
ଭବିଷ୍ୟତ ପାଇଁ ସନ୍ତାନପ୍ରାପ୍ତି : ପ୍ରିୟଙ୍କା ଚୋପ୍ରା
ବଲିଉଡ୍ରୁ ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସରୋଗେସି ପ୍ରକ୍ରିୟାରେ ଗତବର୍ଷ ଜାନୁଆରିରେ ସନ୍ତାନ ଜନ୍ମ କରିଥିଲେ। ଏହି କାରଣରୁ ସେ ସବୁବେଳେ ଟ୍ରୋଲ୍ ହୋଇ ଆସୁଛନ୍ତି। ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ବାମୀ ନିକ୍ ଜୋନାସ ନିଜ ଏକ ଯୁଗ୍ମ ଷ୍ଟେଟ୍ମେଣ୍ଟ୍ ଜାରି କରି ମାଲତୀଙ୍କ ଜନ୍ମ ସଂପର୍କରେ ସୂଚନା ଦେଇଥିଲେ। ତେବେ ପ୍ରିୟଙ୍କାଙ୍କ ଝିଅ ସରୋଗେସି ପ୍ରକ୍ରିୟାରେ ଜନ୍ମ ନେଇଛି ବୋଲି ଜାଣିବା ପରେ ଟ୍ରୋଲର୍ସ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲେ। ସେ କହିଥିଲେ ଯେ ‘ଲୋକମାନେ ଯେତେବେଳେ ମୋ ଝିଅ ବିଷୟରେ ଆଡୁସାଡୁ କଥା ହଉଥିଲେ ତ ମୋତେ ବହୁତ କଷ୍ଟ ହେଉଥିଲା। ମୁଁ ଚାହେଁ ମୋ ଝିଅକୁ ଏସବୁ କଥାରୁ ଦୂରେଇ ରଖିବାକୁ। ତା’ କୁନି ହାତକୁ ଧରିବା ବେଳେ ମୋତେ କିପରି ଅନୁଭବ ହୁଏ, ତାହା କେବଳ ମୁଁ ହିଁ ଜାଣେ।’ ଏକଦା ‘ଭ୍ୟାନିଟି ଫେୟାର୍’ ପତ୍ରିକା ସହ ସାକ୍ଷାତ୍କାର ସମୟରେ ୩୯ ବର୍ଷୀୟ ପ୍ରିୟଙ୍କା ସୂଚନା ଦେଇଥିଲେ କି, ସେ ଓ ଜୋନାସ୍ ସନ୍ତାନସନ୍ତତି ପାଇଁ ଆଗ୍ରହୀ। ପ୍ରିୟଙ୍କା କହିଥିଲେ, ଭବିଷ୍ୟତ ପାଇଁ ଆମ ଆଶାର ଗୋଟାଏ ବିଶେଷ ଭାଗ ହେଉଛି ସନ୍ତାନପ୍ରାପ୍ତି। ଈଶ୍ବରଙ୍କ କୃପାରୁ ଯାହା ଯେତେବେଳେ ହେବା କଥା ହେବ।